ଜନମଙ୍ଗଳ ରାଷ୍ଟ୍ର ଓ ମାଗଣା ବଣ୍ଟନ ପ୍ରଥା

ପଞ୍ଚାନନ କାନୁନ୍‍ଗୋ

ଏବେ ସୁପ୍ରିମ କୋର୍ଟଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରମାନଙ୍କର ମାଗଣା ବଣ୍ଟନ ବ୍ୟବସ୍ଥାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଏହାଦ୍ୱାରା ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥାଏ ବୋଲି ଏମାନଙ୍କର ମତ। ଏହା ସ୍ୱୀକାର କରିବାକୁ ହେବ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରମାନଙ୍କ ମଧ୍ୟରେ ଏପରି ବଣ୍ଟନ ପ୍ରଥାକୁ ନେଇ ପ୍ରତିଯୋଗିତା ଚାଲୁ ରହିଛି। ଯେଉଁ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାଙ୍କୁ କିଛି ବି ଅର୍ଥ ବ୍ୟୟ କରିବାକୁ ପଡ଼େ ନାହିଁ, ତାହା ହିଁ ହେଉଛି ମାଗଣା ବଣ୍ଟନ ପ୍ରଥା। ଏପରି କିଛି ବ୍ୟବସ୍ଥା ଅଛି ଯେଉଁଥିରେ ଉପଭୋକ୍ତାଙ୍କୁ ଅଳ୍ପ କିଛି ଦେୟ ଦେବାକୁ ହୋଇଥାଏ ଓ ଅବଶିଷ୍ଟ ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେବାକୁ ହୋଇଥାଏ। ଏହା ରିଆତି ବ୍ୟବସ୍ଥା ବୋଲି କୁହାଯାଇଥାଏ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ଅନେକ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହୋଇଥାଏ।

ସମାଜବିଜ୍ଞାନୀଙ୍କ ମତ, ଯେ ପର୍ଯ୍ୟନ୍ତ ନାଗରିକଙ୍କ ନିମ୍ନତମ ଆବଶ୍ୟକତା ପାଇଁ ବ୍ୟୟ କରିବାର କ୍ଷମତାପ୍ରାପ୍ତ ନୁହନ୍ତି ସେମାନଙ୍କୁ ଏପରି ରିଆତି ବ୍ୟବସ୍ଥା ଦେବା ଦରକାର। ସେମାନଙ୍କ ମତରେ ସରକାର କର୍ପୋରେଟ୍‍ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ବହୁ ଲକ୍ଷ କୋଟି ଟଙ୍କା ଛାଡ଼ କରିବାବେଳେ ଏହି ନିମ୍ନ ଆୟକାରୀ ଜନସାଧାରଣଙ୍କୁ କିଛି ଅର୍ଥ ଛାଡ଼ୁଥିବାରୁ ପ୍ରଶ୍ନ କାହିଁକି ଉଠୁଛି? ଏହି ପ୍ରଶ୍ନର ଯଥାର୍ଥତାକୁ ଏଡ଼ାଯାଇ ପାରିବ ନାହିଁ। ଅପରପକ୍ଷେ ସୁପ୍ରିମ୍‍କୋର୍ଟ ଯେଉଁ ଯୁକ୍ତି ଉଠାଇଛନ୍ତି ସେ ସବୁକୁ ସହଜରେ ଏଡ଼ାଯାଇ ପାରିବ ନାହିଁ; ବରଂ ଦାତାଙ୍କ ଧନର ଅପବ୍ୟୟ ସପକ୍ଷରେ ସମ୍ମତି ଜଣାଇବା କଷ୍ଟକର ମଣୁଛନ୍ତି। ଉଭୟ ମତକୁ ପରୀକ୍ଷାନିରୀକ୍ଷା କରି ସାମାଜିକ ଆବଶ୍ୟକତା ଓ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ ଭିତରେ ନିଷ୍ପତ୍ତି ନେବାର ସମୟ ଆସିଛି। ତେବେ ଏପରି କିଛି ବ୍ୟବସ୍ଥା ଅଛି ଯାହା ସରକାରମାନେ ନିଜର ଅପାରଗତାକୁ ଢାଙ୍କି ରଖିବା ନିମନ୍ତେ ଘୋଷଣା ଓ କାର୍ଯ୍ୟକାରୀ ବ୍ୟବସ୍ଥା କରିଥାନ୍ତି। ଅନ୍ୟ କିଛି ବ୍ୟବସ୍ଥା ଅଛି, ଯାହା ସାଧାରଣରେ ଲୋଭ ଦେଖାଇ ନିଜର ଭୋଟକ୍ରେତାମାନେ ଲାଭ ଉଠାଇଥାନ୍ତି। ଭୋଟଦାତାଙ୍କୁ ଆକୃଷ୍ଟ କରିବା ଓ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଏପରି କିଛି ବ୍ୟବସ୍ଥା ଅଛି ଯାହା ବାହାରକୁ ପୂରାପୂରି ମାଗଣା ବଣ୍ଟାଯାଉଥିବା ପରି ମନେହେଲେ ମଧ୍ୟ ସାମାଜିକ ତଥା ଆର୍ଥିକ ଶୃଙ୍ଖଳା ଆବଶ୍ୟକତା ରକ୍ଷାରେ ତଥା ଅଭିବୃଦ୍ଧିରେ ସହାୟତା କରିଥାଏ।

ଲୋକଙ୍କର ଆବଶ୍ୟକତା ପୂରଣ କରିବା ସହିତ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ ସମାପନ ହୁଏ। ପରିବାର ମଧ୍ୟରେ ଉପୁଜୁଥିବା ବିଶୃଙ୍ଖଳା ବା ହିଂସାକୁ ପ୍ରଶମିତ କରିଥାଏ ଓ ତଳସ୍ତରର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ତଳସ୍ତରରେ ଅର୍ଥ ପ୍ରବାହଧାରା କ୍ଷିପ୍ର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଅପବ୍ୟୟ ଓ ଦୁର୍ନୀତି ବା ବାଟମାରଣା ମାତ୍ରା ଅନ୍ତତଃ ସବୁ ବଣ୍ଟନ ପ୍ରକ୍ରିୟାଠାରୁ ଯଥେଷ୍ଟ କମ୍‍ ବା ଆଦୌ ନଥାଏ। ଅଧିକନ୍ତୁ ଏପରି ବ୍ୟବସ୍ଥା କରାଯାଇ ଅନେକ ଅନାବଶ୍ୟକ ମାଗଣା ବଣ୍ଟନ ପ୍ରକ୍ରିୟା, ଯଥା- କାଳିଆ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଅଟଳ ବାର୍ଦ୍ଧକ୍ୟ ଭତ୍ତା ଆଦି ପ୍ରଚଳନର ଆଦୌ ଆବଶ୍ୟକତା ନଥାଏ। ପରିବାର ସଦସ୍ୟଙ୍କ ସୁସ୍ଥତା ବଜାୟ ରହେ, ବଞ୍ଚିବାର ହାରାହାରି ବୟସ ସୀମା ବୃଦ୍ଧିପାଏ। ଘରର ବର୍ଷୀୟାନ୍‍ମାନଙ୍କୁ କାର୍ଯ୍ୟକ୍ଷମତା ଅନୁସାରେ ପରିବାରର ଆୟବୃଦ୍ଧି ଘଟାଯାଇପାରେ। ଏତେ ସବୁ ସଫଳତା ମିଳୁଥିବା କାର୍ଯ୍ୟକ୍ରମକୁ ମାଗଣା ବଣ୍ଟନ ପ୍ରକ୍ରିୟାର ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ଅଛି। ଅନେକ ମାଗଣା ବା ଅଯଥା ଅର୍ଥବଣ୍ଟନ ପ୍ରକ୍ରିୟା ହଟାଇବା ଉଚିତ୍‍ ମନେହୁଏ। ଗ୍ୟାସ୍‍ ସିଲିଣ୍ଡର ବାବଦରେ ଦିଆଯାଉଥିବା ରିଆତି ହଟାଇ ଦେବାବେଳେ ଆପତ୍ତି ନଥିଲା। ତେବେ ଖାଦ୍ୟଯୋଗାଣ, ମଧ୍ୟାହ୍ନ ଭୋଜନ ଆଦି କାର୍ଯ୍ୟକ୍ରମକୁ ହଟାଇ ଦେବାବେଳେ ନିଶ୍ଚୟ ଆପତ୍ତି ଉଠିବ; ବରଂ ଏହାକୁ ଅଧିକ ମଜବୁତ୍‍ ପୁଷ୍ଟିଯୁକ୍ତ କରିବା ପାଇଁ ବ୍ୟୟବୃଦ୍ଧିର ଆବଶ୍ୟକତା ଅଛି ବୋଲି ମନେହୁଏ। ଠିକ୍‍ ଉପଭୋକ୍ତା ନିର୍ଣ୍ଣୟ କରି ଯୋଗାଣ ପ୍ରଥାଟିକୁ ଉପଭୋକ୍ତାଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ପଠାଇ ଦିଆଗଲେ ଉପଯୁକ୍ତ ଉପଭୋକ୍ତା ନିର୍ଣ୍ଣିତ ହେବା ସହିତ ବାଟମାରଣା କମିଯିବ।

ଖାଦ୍ୟ ସୁରକ୍ଷାର ପ୍ରକୃତ ଅର୍ଥ ହେଉଛି ପ୍ରତ୍ୟେକ ଲୋକ ପାଖରେ ଆବଶ୍ୟକ ଖାଦ୍ୟପଦାର୍ଥ ଆବଶ୍ୟକ ମୁତାବକ ମହଜୁଦ୍‍ ରହିବା ଦରକାର ଓ ସେହି ବ୍ୟକ୍ତିର କ୍ରୟ କରିବାର ଶକ୍ତି ଥିବା ଆବଶ୍ୟକ। ପ୍ରଚଳିତ ଅନେକ ମାଗଣା ବଣ୍ଟନ ଓ ରିଆତି ବଣ୍ଟନ ଉଚ୍ଛେଦ ହୋଇପାରେ। ତା ବଦଳରେ ବରଂ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ ତଥା ଜନମଙ୍ଗଳ ରାଷ୍ଟ୍ରର ପରମ ଦାୟିତ୍ୱଭାବେ ବାର୍ଦ୍ଧକ୍ୟଭତ୍ତା ସାର୍ବଜନୀନ ତଥା ସୁଦୃଢ଼ ହେବା ଦରକାର।

ଏକଥା ସମସ୍ତେ ସ୍ୱୀକାର କରିବେ ଯେ ସବୁ ବ୍ୟକ୍ତି ଗୋଟିଏ ବୟସସୀମା ଅତିକ୍ରମ କଲେ କାର୍ଯ୍ୟ କରିବାର କ୍ଷମତା ହରାଇ ବସିଥାନ୍ତି। ତାର ନିଜସ୍ୱ ଉପାର୍ଜନ କ୍ଷମତା କମିଯାଇଥାଏ ଓ ଗୋଟିଏ ସମୟରେ ପୂରା ବନ୍ଦ ହୋଇଯାଏ। ଏପରିସ୍ଥଳେ ସେ ବଞ୍ଚି ରହିବାପାଇଁ ପରିବାରର ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡ଼େ। ସେହି ପରିବାରର ଆୟ ଯଦି କମ୍‍ ବା ଅତି କମ୍‍ ହୋଇଥାଏ ସେଥିରେ ସମ୍ପୂର୍ଣ୍ଣ ପରିବାର ଯେଉଁଥିରେ କାର୍ଯ୍ୟରତ ବାପା, ମା’, ଦୁଇପିଲା ଓ ଦୁଇ ନିର୍ଭରଶୀଳ ବାପା ମା’ ଥାନ୍ତି ସେମାନେ ଚଳିବା କଷ୍ଟକର ହୋଇପଡ଼େ। ଉଦାହରଣ ସ୍ୱରୂପ ଏବେ ଏକ ସର୍ବେକ୍ଷଣ ତଥ୍ୟରୁ ଜଣାଯାଇଛି ଓଡ଼ିଶାର ଗୋଟିଏ ଚାଷୀ ପରିବାରର ଆୟ ମାସିକ ୫୧୧୨ ଟଙ୍କା ଓ ଗୋଟିଏ କୃଷି ମୂଲିଆ ପରିବାରର ଆୟ ଏହାଠାରୁ କମ୍‍। ଏହି ସ୍ୱଳ୍ପ ଆୟରେ ସେହି ପରିବାରର ନିର୍ଭରଶୀଳ ଚାରିଜଣ ଦୁଇ ବରିଷ୍ଠ ଲୋକ- ପିତାମାତା ଓ ଦୁଇ ଭବିଷ୍ୟତପାଇଁ ପ୍ରସ୍ତୁତ ହେଉଥିବା ପୁଅ, ଝିଅଙ୍କର ଆବଶ୍ୟକତା ପୂରଣ ହୋଇ ପାରିବ କି?

ବ୍ୟକ୍ତିର ଅସହାୟତା ଯେତେ ବୃଦ୍ଧିପାଏ ବଞ୍ଚିବା ଇଚ୍ଛା ସେତିକି ବଳବତ୍ତର ହୁଏ। ସାମାନ୍ୟ କଥାପାଇଁ ପରିବାରର ଅନ୍ୟମାନଙ୍କ ଉପରେ ବିରକ୍ତି ଭାବ ଆସେ ବା ଚିଡ଼ଚିଡ଼ା ହୁଏ। ନିର୍ଭରଶୀଳତା ବୃଦ୍ଧି ସହିତ ଏପରି ଅସହାୟତା ଅଧିକରୁ ଅଧିକ ଦେଖାଦିଏ। ତାର ଆବଶ୍ୟକତା ପୂର୍ବଠାରୁ କମ୍‍ ଥିଲେ ମଧ୍ୟ ହଠାତ୍‍ ତାହା ପ୍ରାପ୍ତି ନହେଲେ ସେ ନିଜକୁ ଅତ୍ୟନ୍ତ ଅସହାୟ ମଣେ। ଆଗେ ଯୌଥ ପରିବାରରେ ବରିଷ୍ଠମାନଙ୍କର ଆବଶ୍ୟକତା ଓ ଅସହାୟତାକୁ ପରିବାରର ସମସ୍ତେ ଏପରିକି ନାତି ନାତୁଣୀମାନେ ଲାଘବ କରି ନେଉଥିଲେ। ଦରିଦ୍ର ଓ ଅତି ଦରିଦ୍ର ପରିବାରର ବରିଷ୍ଠମାନେ କ୍ଷମତାମୁତାବକ କାର୍ଯ୍ୟକରି ଅର୍ଥ ଉପାର୍ଜନରେ ସାହାଯ୍ୟ କରୁଥିଲେ। ବୋହୂ ଧାନ କୁଟୁଥିଲେ, ଶାଶୂ ଢିଙ୍କିକୁ ଧାନ ମୁହାଁଉଥିଲା ବା ଚାଉଳ ପାଛୁଡ଼ୁଥିଲା। ପରସ୍ପରର ସାହାଯ୍ୟରେ ପରିବାର କ୍ଷୁଦ୍ର ଆବଶ୍ୟକତା ପୂରଣ ହେଉଥିଲା। ଏବେ ତା ନାହିଁ। ପୁଅ, ବୋହୂ ମଜୁରି, ଚାକିରି ଅବା କର୍ମକ୍ଷେତ୍ରକୁ ଚାଲିଯାଉଛନ୍ତି। ସେମାନଙ୍କର ଆୟ ତାଙ୍କର ପିଲାଙ୍କୁ ଶିକ୍ଷାଦେବା ଓ ଘର ଚଳାଇବା ଅଥବା ଅସମୟର ଚିକିତ୍ସା ତଥା ସାମାଜିକ ଖର୍ଚ୍ଚ ତୁଲାଇବାରେ ସକ୍ଷମ ନୁହେଁ। ସେହି ସମୟରେ ବରିଷ୍ଠ ନାଗରିକ ବୁଢ଼ାବୁଢ଼ୀ, ବାପ ମା’ ନିଜକୁ ଅତ୍ୟନ୍ତ ଅସହାୟ ମଣନ୍ତି। ନିଜର ସ୍ୱଳ୍ପ ଆବଶ୍ୟକତା ପାଇଁ ପୁଅ-ବୋହୂଙ୍କ ପାଖରେ ହାତ ପାତିବାକୁ ପଡ଼େ। ଅନେକ ନିଜର ସମ୍ମାନ ପାଇଁ ଏହା କରିବାକୁ ଭଲ ମଣନ୍ତି ନାହିଁ, କେତେକ ଏପରି ନ କରି ପୁଅବୋହୂଙ୍କ ଉପରେ ଚିଡ଼ଚିଡ଼ା ହୁଅନ୍ତି। ଯେଉଁଥିପାଇଁ ପରିବାରରେ ଝଡ଼ଝଞ୍ଜା ଲାଗିରହେ। ପରିବାରରେ ଆତ୍ମହତ୍ୟା, ହତ୍ୟା, ବିଶୃଙ୍ଖଳା ବଢ଼଼ିବାର ଦେଖାଯାଉଛି। ଅନ୍ୟପକ୍ଷରେ ନାତିନାତୁଣୀଙ୍କ ପାଇଁ ଏହି ଜେଜେ- ଜେଜେମା’ମାନଙ୍କର ଅତ୍ୟନ୍ତ ଆବଶ୍ୟକତା ଅଛି, ଯାହା ଏବେ କମିକମି ଯାଉଛି। ଏପରି ଅବସ୍ଥା ପ୍ରାୟତଃ ସମସ୍ତ ପରିବାରରେ, ଯେଉଁଠି ବରିଷ୍ଠଙ୍କୁ ଠିକ୍‍ ସହାୟକ ଭତ୍ତା ମିଳିନଥାଏ, ସବୁଠି ଘଟୁଥିବା ଦେଖାଯାଉଛି। ବାପା ମା’ଙ୍କୁ ଦାଣ୍ଡରେ ବସାଇ ଅସହାୟ ଓ ଭିକାରି କରିବାର ଅନେକ ଦୃଷ୍ଟାନ୍ତ ଏବେ ଦେଖିବାକୁ ମିଳୁଛି। ସମାଜର ବୟସ୍କମାନଙ୍କୁ ସମାନ ଓ ଆତ୍ମସମ୍ମାନର ସହ ବଞ୍ଚିବାର ବ୍ୟବସ୍ଥା କରିବା ସମସ୍ତ ଜନମଙ୍ଗଳ ରାଷ୍ଟ୍ରର ପରମ କର୍ତ୍ତବ୍ୟ। ଏଥିସହିତ ଅସହାୟ ବିଧବା ସ୍ତ୍ରୀ ଲୋକ, ଦିବ୍ୟାଙ୍ଗମାନେ ମଧ୍ୟ ଏଥିସହିତ ଯୋଡ଼ି ହୋଇ ରହିଛନ୍ତି।

ସରକାରୀ ଓ ବେସରକାରୀ ବା ବ୍ୟାଙ୍କଜରିଆରେ ଅନେକ ବାର୍ଦ୍ଧକ୍ୟକାଳୀନ ଭତ୍ତା ଯୋଜନା ଭାରତରେ ତଥା ରାଜ୍ୟମାନଙ୍କରେ କରାଯାଇଛି। ଏହା କିନ୍ତୁ ଏକ ବିଚାରଶୂନ୍ୟ ଭିକାରିଙ୍କୁ ଦାନ ପରି ମନେ ହୁଏ। ଅନେକ କ୍ଷେତ୍ରରେ ଏହି ଭତ୍ତା ଅନେକ ସ୍ୱଳ୍ପ ମନେହୁଏ। ଉପଭୋକ୍ତାଙ୍କଠାରୁ ଅର୍ଥ ଆଣି ତାଙ୍କୁ ଷାଠିଏ ବର୍ଷ ହେଲେ ଭତ୍ତା ଦେବାର ବ୍ୟବସ୍ଥା ଏଥି​‌େ​‌ର ଅନ୍ତର୍ଭୁକ୍ତ। ସେହି ବ୍ୟବସ୍ଥା ମଧ୍ୟରେ ଅଟଳ ବାର୍ଦ୍ଧକ୍ୟଭତ୍ତା ଯୋଜନା ଅନ୍ୟତମ। ୧୮ ବା ୨୧ବର୍ଷରୁ ଜଣେ ମାସିକ ନିର୍ଦିଷ୍ଟ ପରିମାଣ ପୈଠ କଲେ ୬୦ବର୍ଷ ପ୍ରାପ୍ତିରେ ତାକୁ ୧ହଜାର ବା ୩ହଜାର ବା ୫ହଜାର ପେନ୍‍ସନ୍‍ ମିଳିଥାଏ। ବ୍ୟାଙ୍କମାନଙ୍କ ପେନ୍‍ସନ୍‍ ସ୍କିମ୍‍ ପୂରାପୂରି ବ୍ୟାବସାୟିକ ସୂତ୍ରରେ ହୋଇଥାଏ। ଏଥିରେ ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତବ୍ୟ ଅପେକ୍ଷା ଏକ ଦାୟିତ୍ୱହୀନତା ବାରି ହୋଇଯାଏ। ସରକାରୀ ଭାବେ ପ୍ରଥମେ ଓଡ଼ିଶାରେ ବିଧବା ଭତ୍ତା ୧୯୭୪ ମସିହାରେ ଓଡ଼ିଶାରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଆରମ୍ଭ ହୋଇଥିଲା। ସେ ସମୟରେ ଏହାର ପରିମାଣ ମାସିକ ମାତ୍ର ଚାଳିଶ ଟଙ୍କା ଥିଲା। ତାହା ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଭାରତରେ ଏକ କାର୍ଯ୍ୟକ୍ରମ (National Social Assistance Programme) ୧୯୯୫ ରୁ ଆରମ୍ଭ ହେଲା। ସେଥିରେ ଭତ୍ତା କାର୍ଯ୍ୟକ୍ରମ ମିଶିଲା। ଏହି ବାର୍ଦ୍ଧକ୍ୟଭତ୍ତା ୬୫ବର୍ଷ ଓ ପରେ ୬୦ ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ପରିବାରରେ ଜଣକୁ ଦିଆଗଲା। ପରେ ପରିବାର ୨ଜଣଙ୍କୁ ଅନ୍ତର୍ଭୁକ୍ତ କରାଗଲା। ମାସିକ ଭତ୍ତାର ପରିମାଣ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ମାସିକ ୨୦୦ ଟଙ୍କା ହେଲା। ପରେ ବଢ଼଼ାଯାଇ ୨୦୧୫ ଡିସେମ୍ବର ମାସରୁ ୩୦୦ ଟଙ୍କା ରଖାଯାଇଛି। ଯେଉଁମାନଙ୍କର ବୟସ ଅଶୀ ବର୍ଷରୁ ଊର୍ଦ୍ଧ୍ବ ସେମାନଙ୍କୁ ୫୦୦ ଟଙ୍କା ରଖାଗଲା। ଭାରତରେ ନୂଆ ସରକାର ୨୦୧୪ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗଠନ ହେବାପରେ ‘ଅଟଳ ବିହାରୀ ପେନ୍‍ସନ୍‍ ଯୋଜନା’ ଲାଗୁ କରାଯାଇଛି; ଯାହାକି ଦାୟିତ୍ୱ ଅପେକ୍ଷା ବର୍ଷୀୟାନଙ୍କ ପ୍ରତି ହେୟ ମନୋଭାବର ପରିଚୟ ଦେଇଥାଏ।

କେନ୍ଦ୍ରୀୟ ଯୋଜନା ଖର୍ଚ୍ଚ ସହ ରାଜ୍ୟମାନେ ନିଜ ନିଜର କିଛି ଅର୍ଥ ମିଶାଇ ପରିମାଣ ବୃଦ୍ଧି କରିଛନ୍ତି। ସେହି ଅନୁସାରେ ବିଭିନ୍ନ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଅକର୍ମଣ୍ୟ ଭତ୍ତା ଦିଆଯାଉଛି (ସାରଣୀ ଦେଖନ୍ତୁ)। ୫୦୦ଟଙ୍କାରୁ ଊର୍ଦ୍ଧ୍ବ ଆସାମ, ବିହାର, ମଣିପୁର, ଛତିଶଗଡ଼, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ପ୍ରଭୃତି ୧୪ଟି ରାଜ୍ୟ ଦେଇଥାନ୍ତି। ଓଡ଼ିଶାରେ ନିଜସ୍ୱ ଯୋଜନା ମଧୁସୂଦନ ପେନ୍‍ସନ୍‍ ଯୋଜନା କରାଯାଇ ବିଭିନ୍ନ ବର୍ଗର ଅସହାୟ ଲୋକଙ୍କୁ ମାସିକ ୫୦୦ଟଙ୍କା ଦେଇଥାନ୍ତି। କେନ୍ଦ୍ରୀୟ ସ୍କିମ୍‍ ସହିତ ନିଜର ଅର୍ଥ ମିଶାଇ ବାର୍ଦ୍ଧକ୍ୟ କାଳୀନ ଭତ୍ତା ମାସିକ ୫୦୦ଟଙ୍କା କରିଛନ୍ତି। ବର୍ଷକୁ ପାଖାପାଖି ୪୮ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏହି ଯୋଜନା ଦୁଇଟିରେ ଅନ୍ତର୍ଭୁକ୍ତ।

ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଯଥାର୍ଥ ଓ ଅପରିହାର୍ଯ୍ୟ ମନେହୁଏ। ଏହାର ପରିମାଣକୁ ବଢ଼଼ାଇ ଜଣପିଛା ମାସିକ ସର୍ବନିମ୍ନ ୨୫୦୦ ଟଙ୍କା ରଖିଲେ କେବଳ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ ସମାପନ ହେବ ନାହିଁ; ଅନେକ ଭାବରେ ସାମାଜିକ ବିଶୃଙ୍ଖଳା କମିବ ଓ ପରିବାରର ଆର୍ଥିକ ସ୍ଥିତି ସହ ଗ୍ରାମୀଣ ଅର୍ଥନୀତିରେ ସୁଧାର ଆସିବ। ସେହିପରି ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିଯୁକ୍ତ କରି ଅଙ୍ଗନୱାଡ଼ି ଜରିଆରେ ଶିଶୁ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ଆବଶ୍ୟକତା ଅଛି। ସମସ୍ତ ରିଆତି ଓ ମାଗଣା ବଣ୍ଟନ ବ୍ୟବସ୍ଥାକୁ ବିଶେଷଜ୍ଞ କମିଟି ଜରିଆରେ ଅନୁଧ୍ୟାନ କରାଯାଇ ଅନାବଶ୍ୟକ ବ୍ୟବସ୍ଥା ଉଚ୍ଛେଦ ହେଲେ ଆପତ୍ତି ଉଠିବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଜନମଙ୍ଗଳର ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ନ୍ୟସ୍ତ ରହିଛି, ଏଥିରେ କାହାର କେତେ ଅଂଶ ସ୍ଥିର ହେବା ମଧ୍ୟ ଦରକାର। ତାହାହେଲେ ଉଭୟ ଆର୍ଥିକ ଶୃଙ୍ଖଳା ରକ୍ଷା ହୋଇପାରିବ।

Comments are closed.