ପୃଷ୍ଠଭୂମି ଓ ନାଟକର ଚରିତ୍ରମାନେ
ବହୁ ବର୍ଷ ତଳେ ଦୁଇ କଉତୁକିଆ ସାଙ୍ଗଙ୍କ ମଉଜିଆ କଥୋପକଥନର କିଛି ଅଂଶ ଆଜି ମନେ ପଡ଼ିଯାଉଛି। ପ୍ରଥମ ସାଙ୍ଗ କିଛିଦିନ ତଳେ କାଶ୍ମୀର ଦର୍ଶନରେ ଯାଇ ଫେରିଆସିଛନ୍ତି ଆଉ ଆର ସାଙ୍ଗଙ୍କ ସଂକ୍ଷିପ୍ତ ପ୍ରଶ୍ନଟିର ସାମନା କରୁଥାନ୍ତି- ‘କେମିତି ଥିଲା କାଶ୍ମୀର ଭ୍ରମଣ’। ପ୍ରଥମ ସାଙ୍ଗ କହିଲେ, ଦେଖିଲି ଯେ ସେମିତି କିଛି ଖାସ୍ ଲାଗିଲାନି, ଯେମିତି ଲାଗେ ଫିଲ୍ମରେ। ପ୍ରଶ୍ନକର୍ତ୍ତା ଏବେ ଯୋଡ଼ିଲେ କଥାଟିଏ। ଆରେ ଫିଲ୍ମରେ ନାୟକନାୟିକା ଯେତେବେଳେ କାଶ୍ମୀର ଉପତ୍ୟକାରେ ନାଚୁଥାନ୍ତି ବା ଘୂରି ବୁଲୁଥାନ୍ତି ସେତେବେଳେ ଯେଉଁ ପ୍ରଚ୍ଛଦ ସଂଗୀତ ଥାଏ, ସେଇଟାର ଅଭାବ ହୁଏତ ତୁ ଅନୁଭବ କରୁଥିବୁ। କାଶ୍ମୀର ଯେତିକି ମନୋରମ ତାକୁ ଅଧିକ ମନୋରମ କରି ତୋଳେ କାଶ୍ମୀର ସମ୍ବନ୍ଧରେ ଆମର ପୃଷ୍ଠଭୂମିଗତ ଧାରଣା। ସେ ହୋଇପାରେ ତା’ର ଇତିହାସର ଅଂଶ ବିଶେଷ କିମ୍ବା ଅନେକ ଆଲୋଚନାର ନିର୍ଯ୍ୟାସ ଭିତରେ ଆମ ଭିତରେ ରହି ଯାଇଥିବା କିଛି ସୂକ୍ଷ୍ମ ଅବବୋଧ।
କାଶ୍ମୀର ବିଷୟରେ କବିବର ରାଧାନାଥ ଯେଉଁ କଥା କହିଛନ୍ତି ତାହା ଯଦି ଆପଣ ନ ପଢ଼ିଛନ୍ତି ତାହେଲେ ତାର ପୁନର୍ଲିଖନ କରୁଛି। ସଦ୍ୟ କାଶ୍ମୀର ପରିଦର୍ଶନ ସାରି ଫେରିଥିବା ଜଣେ ଆଗନ୍ତୁକକୁ ନିଜ ଗ୍ରାମର ଜଣେ ଗ୍ରାମୀଣ ସସ୍ନେହରେ ପଚାରିଲେ, କାଶ୍ମୀର ଯାଇଥିଲେ ପରା! କ’ଣ ବିଶେଷ ଦେଖିଲେ ଯେ। କାବ୍ୟିକ ସୌଷ୍ଠବତାର ପ୍ରକାଶ ଘଟିଛି ରାଧାନାଥଙ୍କ ଦ୍ୱାରା ଏହିପରି।
‘କେହୁ କହେ କାଶ୍ମୀରେ ମୁଁ ଦେଖିଲି ମାନବ
ଲମ୍ବ କର୍ଣ୍ଣ, ଏକ କର୍ଣ୍ଣ ଶେଯ ରୂପେ ରଖି
ଆର କର୍ଣ୍ଣେ ଘୋଡ଼ି ହୋଇ ଶୁଅଇ ସେ ନିଜେ
ଅବିଶ୍ୱାସ ବ୍ୟଞ୍ଜିସ୍ମିତ ଶ୍ରୋତାମୁଖେ ଦେଖି
ପ୍ରକାର ସଦର୍ପେ ରାଣ, କହନ୍ତି ସେ ପୁଣି
ମିଥ୍ୟା କେବେ କହିନାହିଁ ଜୀବନରେ କେବେ
ମିଥ୍ୟାଠାରୁ ପାପ ଆଉ ନାହିଁ ତ୍ରିଜଗତେ।’
‘ନ ଦେଖିଲା ଓଉ ଛଅ ଫଡ଼ା’ ନ୍ୟାୟରେ ଆମେ ବେଳେ ବେଳେ ବହୁ କ୍ଷେତ୍ରରେ ମିଛଯୋଡ଼ୁ। ଭାବୁ ଶ୍ରୋତା ବୋଧହୁଏ ତାହାର ଟେର୍ ପାଇପାରିବ ନାହିଁ। ଯେଉଁମାନେ ଏପରି କହନ୍ତି ସେମାନେ ବୋଧହୁଏ ଜାଣି ପାରନ୍ତି ନାହିଁ ତାଙ୍କ ଭିତରେ ସେମିତି ଏକ ପୃଷ୍ଠଭୂମି ରହି ଯାଇଛି ଯାହା ତାଙ୍କୁ ଏକ ମିଥ୍ୟାଚାରୀ କରି ଦେଇଛି ଏବଂ ସେଇ ମିଥ୍ୟାଚାର ଏତେ ଅଧିକ ଯେ ଶୁଣିବା ଲୋକ ତାକୁ ବିଶ୍ୱାସ ନ କଲାରୁ ଅଧିକ ବିଶ୍ୱସନୀୟ ଲାଗିବା ପାଇଁ ସେ ଆଖିଛୁଇଁ ଶପଥ କରିବାକୁ ବି ପଛାଉ ନାହିଁ।
ଏଇ ପୃଷ୍ଠଭୂମିଟି କ’ଣ ଆମେ ସବୁବେଳେ ଏହା ବିଷୟରେ ସଚେତନ ହୋଇପାରୁନାହିଁ; ମାତ୍ର ଏହା ଆମ ଭିତରେ ଥାଏ ବା ରହିଯାଏ ହୁଏତ ଆମେ ତାହା ସ୍ୱୀକାର କରୁ ବା ନକରୁ। ଆମେ ଯାହା ଅଧ୍ୟୟନ କରନ୍ତି ତାହା ଭିତରୁ କିଛି ଆମ ମନ ଭିତରେ ରହିଯାଏ। ଯଦି ଆମେ ତାହା ଗ୍ରହଣ କରି ନେଇଥାନ୍ତି ତା’ହେଲେ ତାଠାରୁ କିଛି ନୂଆ କିମ୍ବା ତା’ର ବିରୋଧାଭାସ ଶୁଣିଲେ ଆମେ ତା’ର ବିରୋଧ କରୁ। ଆମର ଇତିହାସ, ପୁରାଣ, ଐତିହ୍ୟ, ଆମର ବନ୍ଧୁବାନ୍ଧବ, ଆମ ଶିକ୍ଷା ସଂସ୍କାର ସବୁ ଆମର ପ୍ରଚ୍ଛଦପଟରେ ରହିଥାଏ।
ବିଖ୍ୟାତ ଫରାସୀ ଦାର୍ଶନିକ କାର୍ଲାଇଲଙ୍କର ଗୋଟିଏ ବ୍ୟାଖ୍ୟାନ ଅନୁଯାୟୀ କେତେକ ଲୋକ ଅଛନ୍ତି ଯେଉଁମାନେ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ଏବଂ ଆଉ କିଛି ପରିସ୍ଥିତିକୁ ପ୍ରଭାବିତ କରନ୍ତି। ପ୍ରଥମ ଶ୍ରେଣୀ ଲୋକଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ଦ୍ୱିତୀୟ ପ୍ରକାରର ଲୋକେ ସଂଖ୍ୟାନ୍ୟୂନ। ଦ୍ୱିତୀୟ ଶ୍ରେଣୀର ଲୋକେ ଇତିହାସର ଧାରା ବଦଳେଇ ଦେଇ ପାରନ୍ତି, ଆଉ ଅନ୍ୟମାନେ ସେଇ ସ୍ରୋତର ଅନୁକୂଳରେ ଅନୁଧାବନ କରନ୍ତି; ମାତ୍ର ପ୍ରତ୍ୟେକଙ୍କ ଉପରେ କାହାର ନା କାହାର ପ୍ରଭାବ ଥାଏ ସେ ହେଉ କେଉଁ ବ୍ୟକ୍ତିର ବା କାଳ୍ପନିକ ଚରିତ୍ରର।
ପ୍ରେକ୍ଷାପଟର ଚରିତ୍ରମାନଙ୍କୁ ମନେ ପକେଇବା ହେଉଛି କୃତଜ୍ଞତା। ଏହା ସଂପୃକ୍ତ ବ୍ୟକ୍ତିଙ୍କର ଚରିତ୍ରର ଏକ ଉଜ୍ଜ୍ୱଳ ଦିଗ ଭାବରେ ବିବେଚନା କରାଯାଏ। ଆଜିକାଲି ସଚରାଚର ଦୃଶ୍ୟମାନ ହେଉଛି ଅନେକ ଲୋକ ନିଜର ସଫଳତା ପାଇଁ କେବଳ ସେମାନେ ନିଜେ ହିଁ ଶତପ୍ରତିଶତ ଦାୟୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି; ମାତ୍ର ପ୍ରତି ସଫଳ ନାୟକଙ୍କ ସଂଘର୍ଷର କାହାଣୀ ଭିତରେ ବହୁ ଛୋଟ ମୋଟ ଚରିତ୍ର ରହିଥାନ୍ତି ଯିଏ ତାଙ୍କର ଯାତ୍ରାକୁ ପରିପୁଷ୍ଟ କରିଥାଆନ୍ତି; ମାତ୍ର ତାଙ୍କ ଭାଗ୍ୟରେ କେବେ ଶିରିପା ମିଳି ନଥାଏ। ଆଜିକାଲି ଗୋଟିଏ କଥା ଚାରିଆଡ଼େ କୁହାଯାଉଥିବାର ଆପଣ ଶୁଣିଥାଇ ପାରନ୍ତି। ଗୋଟିଏ ଉଚ୍ଚସ୍ଥାନକୁ ଯିବା ପାଇଁ ଶିଡ଼ିଟିଏ ଦରକାର; ମାତ୍ର ସେଇ ଉଚ୍ଚ ସ୍ଥାନକୁ ଚଢ଼ିଗଲା ପରେ ବୁଦ୍ଧିମାନ ଲୋକର କାମ ହେଲା ସେଇ ଶିଡ଼ିଟିକୁ ଫିଙ୍ଗିଦେବା। ଯେପରି ଅନ୍ୟ କେହି ତା’ ସାହାଯ୍ୟରେ ଶୀର୍ଷାରୋହଣ କରିବା ସମ୍ଭବ ହେବ ନାହିଁ। ଏଇ ଶିଡ଼ିମାନ ମଧ୍ୟ ଆମର ପୃଷ୍ଠଭୂମିର ଗୋଟିଏ ଗୋଟିଏ ଅଂଶ। ତାକୁ ଏଡ଼େଇ ଦେଇ ଗଲେ ଇତିିହାସ ବିକୃତ ହେବ।
କୃତଜ୍ଞତାର ଭାବନା ୟେ ଦୁନିଆରେ ସରି ସରି ଆସୁଛି ଯେମିତି! ବହୁ ବର୍ଷ ତଳେ ଟେଲିଫୋନ୍ରେ ଗୋଟିଏ ବାର୍ତ୍ତା ପାଇଲି। ଯେଉଁ କଣ୍ଠସ୍ୱର ମୋତେ ଭାରି ପରିଚିତ ଲାଗିଥିଲା ଓ ନିଜକୁ ନିର୍ଭୁଲ ଭାବି ମୁଁ ତାଙ୍କୁ କହିଲି, “ସାର୍, ଏଇ ଘରେ ଏବେ ନରେନ୍ଦ୍ର ସାର ରହୁନାହାନ୍ତି। ମୁଁ ନିରଞ୍ଜନ, ଆପଣଙ୍କର ଛାତ୍ରପ୍ରତିମ ଏବଂ ଜଣେ ମୁଗ୍ଧ ପ୍ରଶଂସକ।” ଏତିକିରେ ମୋତେ ଶୁଣିବାକୁ ଥିଲା ମୋ ଜୀବନର ଏକ ଅଭୁଲା କଥା। ସେ ମୋତେ କହିଲେ, “ଆରେ ବାବା ନିରଞ୍ଜନ, ତମେ କାହିଁକି ମୋର ପ୍ରଶଂସକ ହେଲ। କହୁଛ ମୁଗ୍ଧ ପୁଣି ପ୍ରଶଂସକ; ବଡ଼ ଅଡ଼ୁଆ କଥାରେ ବାପା। ଆଜିକାଲି ଦୁନିଅା ହେଉଛି ନିନ୍ଦା କରିବାର ଯୁଗ। ତମେ ଜଣକୁ ଚିମୁଟି ଦେବ, ସେ ତମକୁ ଆଉ ଟିକିଏ। ଆମ ସମୟର ବହୁଳାଂଶ ଚାଲିଯାଉଛି ସେଇ କଥାରେ। ଯାହାକୁ ତମେମାନେ କୁଆଡ଼େ କହୁଛ ପିଏନ୍ପିସି।” ମୁଁ କହିଲି, “ସାର କ’ଣ ୟେ ପିଏନପିସି।” ମହାଶୟ କହିଲେ, “ଆରେ ବାପା ! ପର ନିନ୍ଦା ପର ଚର୍ଚ୍ଚା। ଆମେ ଖାଲି ନିନ୍ଦା କରିବାରେ ବ୍ୟସ୍ତ। ନିଜ କାମ ଛାଡ଼ି ପର ବିଷୟରେ ଆଲୋଚନାରେ ଆମର ସମୟତକ ଯାଉଛି। ବଡ଼ ବ୍ୟତିକ୍ରମ ତୁମେ ସତରେ। ଭଗବାନ କରନ୍ତୁ ତମେ ତମ ଭଳି ବଞ୍ଚ। ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରଖ।”
ସେଦିନ ପରମ ପୂଜ୍ୟ ପ୍ରାଧ୍ୟାପକ ଦାର୍ଶନିକ ହୃଦାନନ୍ଦ ରାୟଙ୍କ ସହିତ ହୋଇଥିବା କଥାବାର୍ତ୍ତା ମନେ ପଡ଼ିଲେ ଆଖି ସଜଳ ହୋଇଯାଏ। କାହିଁକି ଆମେ ଅନ୍ୟର ନିନ୍ଦା କଲାବେଳେ ଶତଜିହ୍ୱ ଅଥଚ ପ୍ରଶଂସା କଲାବେଳେ ଏତେ ତଣ୍ଟି ଶୁଖିଯାଉଛି; ଭାଷା ବାହାରୁନି। ଅବଶ୍ୟ ମିଛ ପ୍ରଶଂସା କଥା ମୁଁ କହୁନି, ଯାହା ସତ ନିନ୍ଦାଠାରୁ କୌଣସି ଗୁଣରେ କମ୍ ନୁହେଁ।
ଯେଉଁ ପୂର୍ବଜମାନଙ୍କ ଦ୍ୱାରା ଆମେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଉପକୃତ ହୋଇଛନ୍ତି, ଯେଉଁ ଜନ୍ମମାଟି ଦ୍ୱାରା ଆମର ଶରୀର ପୁଷ୍ଟ ହୋଇଛି ତାକୁ ଭୁଲିଗଲେ ହେବ କେମିତି! ସେଇଥିପାଇଁ ବହୁ କାଳରୁ ସରକାରୀ ଚାକିରି କଲାବେଳେ ଗୋଟିଏ ପୃଷ୍ଠଭୂମି ଅନୁସନ୍ଧାନ କରାଯାଏ। ଏଇ ପୃଷ୍ଠଭୂମିଗତ ପର୍ଯ୍ୟାଲୋଚନା ଭିତରେ ଜଣାପଡ଼ିଯାଏ ବାସ୍ତବରେ ସଂପୃକ୍ତ କାର୍ଯ୍ୟ ପାଇଁ ଲୋକଟି ଉପଯୁକ୍ତ କି ନୁହେଁ; ମାତ୍ର ଆଜିକାଲି ପ୍ରତିଯୋଗିତାମୂଳକ ପରୀକ୍ଷାରେ ପାସ୍ କଲେ ପୁଲିସ୍ ରିପୋର୍ଟ ଗୋଟିଏ ତାତ୍କାଳିକ ମାମୁଲି କଥା ବୋଲି ଗଣାଯାଉଛି।
ପ୍ରଖ୍ୟାତ କଥାକାର ମନୋଜ ଦାସ ତାଙ୍କର କୌଣସି ଲେଖାରେ ଇଂରାଜୀ ଚଳଚ୍ଚିତ୍ରର ଏକ ପୃଷ୍ଠଭୂମି ବର୍ଣ୍ଣନା କରିଛନ୍ତି। ଦିନେ ହାସ୍ୟ ଅଭିନେତା ଚାର୍ଲି ଚାପ୍ଲିନ ଗୋଟିଏ ଅଞ୍ଚଳକୁ ଯାଉ ଯାଉ ଲକ୍ଷ୍ୟ କଲେ ଯେ ତାଙ୍କୁ ଗୋଟାଏ ସୈନ୍ୟବାହିନୀର ବେଶ୍ ସଂଖ୍ୟକ ସାମରିକ ପୋଷାକ ପରିହିତ ଯବାନ ସାଲ୍ୟୁଟ ଦେଉଛନ୍ତି। ସେ ସଙ୍ଗେ ସଙ୍ଗେ ସାଲ୍ୟୁଟର ପ୍ରତି ନମସ୍କାର ଦେଉଛନ୍ତି କାଳ ବିଳମ୍ବ ନକରି; ମାତ୍ର ସାଙ୍ଗେ ସାଙ୍ଗେ ତାଙ୍କର ଭାବାନ୍ତର ହେଉଛି ଓ ସେ ଭାବୁଛନ୍ତି ସେ କିବା ଛାର ଲୋକଟିଏ ତାଙ୍କୁ କାହିଁକି ସେମାନେ ବା ଅଭିବାଦନ କରିବେ! ଏତିକିବେଳେ ସେ ତାଙ୍କ ପଛକୁ ଅନେଇ ଦେଖୁଛନ୍ତି ଯେ ତାଙ୍କ ପଛରେ ରହିଯାଇଛି ଆମେରିକାର ପ୍ରାଣ ପ୍ରତିଷ୍ଠାତାମାନଙ୍କ ଭିତରୁ ଅନ୍ୟତମ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ଙ୍କ ବିଶାଳ ପ୍ରତିମୂର୍ତ୍ତି।
ସେଦିନର ହାସ୍ୟ ଅଭିନେତା ହୁଏ ତ ନିଜକୁ ଚିହ୍ନିପାରିଥିଲେ; ମାତ୍ର ଆମ ଭିତରୁ ଅନେକ ଏ କଥା ଜାଣିପାରନ୍ତି ନାହିଁ। କେତେକ ଗର୍ବରେ ଏପରି ପ୍ରମତ୍ତ ଯେ ତାଙ୍କର କ୍ଷମତା ଯେ କେଇ ଦିନର ତାହା ଭୁଲି ଯାଆନ୍ତି ଓ ପୃଷ୍ଠଭୂମିର ପ୍ରକୃତ ନାୟକମାନଙ୍କୁ ଭୁଲିଯାଇ ପ୍ରତି ସାଲ୍ୟୁଟ ମାରିଚାଲିଥାନ୍ତି ତାହା ନିଜର ଐକାନ୍ତିକ ପ୍ରାପ୍ୟ ଭାବିନେଇ। ଆଉ ଇତିହାସ ହିଁ ସେମାନଙ୍କୁ ଉପହାସ କରେ। ଯଦି ସେମାନେ ଏଇଥିରୁ ନିବୃତ୍ତ ରହନ୍ତେ ପୃଥିବୀ କେତେ ଆନନ୍ଦମୟ ହୋଇଯା’ନ୍ତା !
Comments are closed.