BJD Bijuli 480×75 Mob

ସନାତନୀ ହିନ୍ଦୁ ଗାନ୍ଧିଜୀ ଓ ହିନ୍ଦୁତ୍ବ

ଜନାର୍ଦ୍ଦନ ପତି

BJD Bijuli 480×75 Mob

ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକଠାରୁ ସ୍ୱାଧୀନତା ପର ପର୍ଯ୍ୟନ୍ତ ଭାରତର ଜାତୀୟ ରାଜନୀତି ଓ ସମାଜ ଜୀବନ ଉପରେ ଗାନ୍ଧିଜୀଙ୍କ ପ୍ରଚଣ୍ଡ ପ୍ରଭାବ ରହିଥିଲା। ସ୍ୱାଧୀନତା ଆନ୍ଦୋଳନର ମଙ୍ଗ ହିଁ ଗାନ୍ଧିଜୀଙ୍କ ନିୟନ୍ତ୍ରଣରେ ଥିଲା। ଭାରତରେ ସେହି କାଳରେ ଆଉ ଯେଉଁମାନେ ରାଜନୀତିରେ ଅଗ୍ରଣୀ ଭୂମିକା ନେଇଥିଲେ, ସେମାନେ ସମସ୍ତେ ଗାନ୍ଧିଜୀଙ୍କ ଆଗରେ ନିଷ୍ପ୍ରଭ ହୋଇଯାଇଥିଲେ। ଯଦିଓ ୫ ଫେବୃଆରୀ ୧୯୨୨ରେ ଉତ୍ତରପ୍ରଦେଶର ଗୋରଖପୁରରେ ଚୌରିଚଉରା ପୁଲିସ ଥାନାରେ ୩ଜଣ ସାଧାରଣ ଲୋକ ଓ ୨୨ଜଣ ପୁଲିସ କର୍ମୀଙ୍କୁ ଜୀବନ୍ତ ପୋଡି ଦେବା ଘଟଣା ପରେ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ବନ୍ଦ କରି ଦେବା କାରଣରୁ ଭାରତର ଯୁବଗୋଷ୍ଠୀ ଗାନ୍ଧିଜୀଙ୍କୁ ତୀବ୍ର ସମାଲୋଚନା କରିଥିଲେ, ମାତ୍ର ତାହା ଗାନ୍ଧିଜୀଙ୍କ ନେତୃତ୍ୱ ଓ ପ୍ରଭାବକୁ ନ୍ୟୂନ କରିପାରି ନଥିଲା। ତା’ ସହିତ ଭଗତ୍‍ ସିଂ, ସୁଖ ଦେବ ଓ ରାଜଗୁୁରୁଙ୍କୁ ବ୍ରିଟିଶ ସରକାର ଫାଶୀ ଦେବା ପରେ ଦେଶ ଭିତରେ ଗାନ୍ଧିଜୀଙ୍କ ବିରୋଧରେ ପ୍ରବଳ ଆଲୋଡନ ଦେଖା ଦେଇଥିଲା। ମାତ୍ର ତାହା ମଧ୍ୟ ଗାନ୍ଧିଜୀଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିପାରି ନଥିଲା। ଗାନ୍ଧିଜୀଙ୍କ ଅସାଧାରଣ ବ୍ୟକ୍ତିତ୍ୱ ଓ ଅଖଣ୍ଡ ପ୍ରଭାବ ଆଗରେ ଅନ୍ୟମାନେ ମ୍ଲାନ ପଡିଯାଇଥିଲେ। ସ୍ୱାଧୀନତା ଆନ୍ଦୋଳନ କାଳରେ ଭାରତୀୟ ହିନ୍ଦୁ ସମାଜରେ ସେ କେତେକ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ। ଅସ୍ପୃଶ୍ୟ ଓ ଦଳିତମାନଙ୍କୁ ହିନ୍ଦୁଧର୍ମର ଚତୁଃବର୍ଣ୍ଣ ବ୍ୟବସ୍ଥାରେ ସାମିଲ କରିବାକୁ ମତ ଦେବା ସହିତ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଚଳାଇଥିଲେ। ତା’ଛଡା ମହିଳାମାନଙ୍କ ଅଧିକାର ରକ୍ଷା ସହିତ ସେମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରାଇଥିଲେ। ମାତ୍ର ସେ ନିଜକୁ ସମାଜ ସଂସ୍କାରକ ନ କହି, ଜଣେ ସନାତନୀ ହିନ୍ଦୁ ବୋଲି କହୁଥିଲେ। ଜଣେ ସନାତନୀ ହିନ୍ଦୁଙ୍କୁ ହିନ୍ଦୁତ୍ୱ ଚିନ୍ତାଧାରାର ମୁଖ୍ୟ ପ୍ରବକ୍ତା ସଭରକର କାହିଁକି ତୀବ୍ର ବିରୋଧ କରିଥିଲେ ଓ ଗାନ୍ଧିଜୀଙ୍କ ହତ୍ୟାକାଣ୍ଡର ଅନ୍ୟତମ ଆସାମୀ ପାଲଟି ଗଲେ?

ମହାରାଷ୍ଟ୍ରର ହିନ୍ଦୁ ବ୍ରାହ୍ମଣ ଶାସକ ପେଶୱାଙ୍କ ବଂଶଧର ବୋଲି ଦାବି କରୁଥିବା ସଭରକର ଓ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କ ସନାତନୀ ହିନ୍ଦୁ ଚିନ୍ତାଧାରାର ପ୍ରବଳ ବିରୋଧୀ ଥିଲେ। ସଭରକରଙ୍କ ହିନ୍ଦୁତ୍ୱ ତତ୍ତ୍ବ ପ୍ରଥମେ ୧୯୨୩ ଓ ତା’ପରେ ୧୯୨୮ରେ ପ୍ରକାଶିତ ହୋଇଥିଲା ଓ ସେ କହିଥିଲେ ଯେ ଭାରତରେ ମୁସଲମାନ ଓ ଖ୍ରୀଷ୍ଟିଆନ୍‍ମାନେ ଭାରତୀୟ ନୁହନ୍ତି, କାରଣ ଭାରତ ସେମାନଙ୍କର ଜନ୍ମଭୂମି ହେଲେ ହେଁ ଭାରତକୁ ସେମାନେ ପୁଣ୍ୟଭୂମି ବୋଲି ମାନନ୍ତି ନାହିଁ। ତେଣୁ ସେମାନେ ଭାରତରେ ନାଗରିକ ଅଧିକାର ପାଇବେ ନାହିଁ। ଆର୍‍ଏସ୍‍ଏସ୍‍ ନେତା ଗୋଲୱାଲକର ତାଙ୍କ ପୁସ୍ତକରେ ମଧ୍ୟ ଲେଖିଛନ୍ତି ଯେ, ମୁସଲମାନ ଓ ଖ୍ରୀଷ୍ଟିୟାନମାନଙ୍କୁ ଭାରତର ନାଗରିକ ଅଧିକାର ଦିଆଯିବ ନାହିଁ। ମାତ୍ର ମହାତ୍ମା ଗାନ୍ଧୀ ଭାରତରେ ହିନ୍ଦୁ-ମୁସଲମାନ ଏକତା ଉପରେ ସର୍ବଦା ଜୋର ଦେଇଥିଲେ। ଭାରତର ଅଦ୍ୱିତୀୟ ସନାତନୀ ହିନ୍ଦୁ ଧର୍ମର ପ୍ରଚାରକ ସ୍ୱାମୀ ବିବେକାନନ୍ଦ ମଧ୍ୟ ଭାରତର ଉନ୍ନତି ପାଇଁ ହିନ୍ଦୁଙ୍କ ବୁଦ୍ଧି ଓ ମୁସଲମାନଙ୍କ ଶକ୍ତିର କଥା ଉପରେ ଗୁରୁତ୍ୱ ଦେଇଥିଲେ।

ଗାନ୍ଧିଜୀ ନିଜକୁ ଜଣେ ସନାତନୀ ହିନ୍ଦୁଧର୍ମର ନିଷ୍ଠାବାନ ଉପାସକ ଭାବେ ଦାବି କଲେ ବି ଗାନ୍ଧିଜୀଙ୍କ ଅସ୍ପୃଶ୍ୟମାନଙ୍କୁ ହିନ୍ଦୁ ବର୍ଣ୍ଣ-ଜାତି ଭିତରେ ଗ୍ରହଣ, ମହିଳାମାନଙ୍କୁ ସମାନ ଅଧିକାର, ବାଲ୍ୟ ବିବାହ ପ୍ରଥା ବିଲୋପ, ବିଧବା ବିବାହ ଓ ହିନ୍ଦୁ-ମୁସଲମାନ ଏକତା ସହିତ ଏକ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର ବ୍ୟବସ୍ଥା ପ୍ରଚଳନ ପାଇଁ ଯୋଜନା କରୁଥିଲେ। ମାତ୍ର ଗାନ୍ଧିଜୀଙ୍କ ଧର୍ମନିରପେକ୍ଷତାକୁ ଘୋର ବିରୋଧ କରୁଥିଲେ ମରାଠୀ ବ୍ରାହ୍ମଣ ସମାଜର ସବୁଠାରୁ ରକ୍ଷଣଶୀଳ ଗୋଷ୍ଠୀ ଯେଉଁମାନେ ପେଶୱା ଶାସନ ଭଳି ବ୍ରାହ୍ମଣବାଦୀ ଶାସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଚାହିଁଥିଲେ। ଗାନ୍ଧିଜୀ ଯେତେବେଳେ ବ୍ରିଟିଶ ବିରୋଧରେ ‘କର ବା ମର’ ସ୍ଲୋଗାନ ଦେଇ ଆନ୍ଦୋଳନ ଚଳାଇଥିଲେ, ସେତେବେଳେ ସଭରକର ଓ ତାଙ୍କ ଅନୁଗାମୀମାନେ ବ୍ରିଟିଶ ସରକାରଙ୍କ ହିନ୍ଦୁ-ମୁସଲମାନ ବିଭାଜନ ନୀତିକୁ ସମର୍ଥନ କରି ଭାରତରେ ହିନ୍ଦୁ- ମୁସଲମାନ ବିଦ୍ୱେଷ ସୃଷ୍ଟି କରି ଚାଲିଥିଲେ। ସଭରକରଙ୍କ ଦ୍ୱି-ଜାତି ତତ୍ତ୍ୱର ଦୃଢ ସମର୍ଥକ ହୋଇ ଠିଆ ହେଲେ ମୁସଲିମ୍‌ ଲିଗ୍‌ର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା। ସବୁଠାରୁ କୌତୂହଳର ବିଷୟ ଯେ ଉଭୟ ସଭରକର ଓ ଜିନ୍ନା ନାସ୍ତିକ ଥିଲେ; ଅର୍ଥାତ ସେ ଦୁଇଜଣ ଯଥାକ୍ରମେ ହିନ୍ଦୁ ଧର୍ମ ଓ ଇସ୍‍ଲାମ ଧର୍ମର ପ୍ରଥାକୁ ଗ୍ରହଣ କରୁ ନଥିଲେ। ସଭରକର କହୁଥିଲେ ହିନ୍ଦୁତ୍ୱ ସହିତ ହିନ୍ଦୁଧର୍ମର କୌଣସି ସଂପର୍କ ନାହିଁ। ବିନାୟକ ଦାମୋଦର ସଭରକର ଆଣ୍ଡାମାନର ସେଲୁଲାର ଜେଲରେ ରହିବାର ମାତ୍ର କେଇମାସ ପରେ ବ୍ରିଟିଶ ସରକାର ନିକଟରେ କ୍ଷମା ପାଇଁ ଦରଖାସ୍ତ କରିଥିଲେ। ତାଙ୍କର ୧୨ବର୍ଷ ଜେଲ ଜୀବନ ମଧ୍ୟରେ ସେ ଆଠଥର କ୍ଷମା ଦରଖାସ୍ତ ଦେବା ସହିତ ବ୍ରିଟିଶ ସରକାର ସହିତ ସମସ୍ତ ସହଯୋଗ କରିବେ ବୋଲି ଆବେଦନ ପତ୍ରରେ ଲେଖିଥିଲେ। ତା’ପରେ ସେ ସେଲୁଲାର ଜେଲରେ ପ୍ରଥମେ ଜଣେ କିରାଣି ଓ ପରେ ସୁପରଭାଇଜର ପଦରେ ନିଯୁକ୍ତି ପାଇଥିଲେ। ଏ ସଂପର୍କରେ ଡି.ଏନ.ଗୋଖଲେ ତାଙ୍କ ପୁସ୍ତକ “ସ୍ୱତନ୍ତ୍ର ବୀର ସଭରକର- ଏକ ରହସ୍ୟ’’ରେ ଏକଥା ବର୍ଣ୍ଣନା କରିଛନ୍ତି; ଅଥଚ ୧୯୨୨ ମସିହାରେ ଦେଶଦ୍ରୋହ ଅପରାଧରେ ରାଜଦ୍ରୋହ ଆଇନରେ ଗାନ୍ଧିଜୀ ଗିରଫ ହେବା ପରେ ଅଦାଲତରେ କହିଥିଲେ- “ମୋ ବିରୋଧରେ ଅଭିଯୋଗ ଯଦି ସତ୍ୟ, ତେବେ ମୋତେ କଠୋର ଦଣ୍ଡ ଦିଆଯାଉ।’’

ଆଣ୍ଡାମାନର ସେଲୁଲାର ଜେଲରେ ସ୍ୱାଧୀନତା ସଂଗ୍ରାମୀମାନେ ଅକଥନୀୟ ଅତ୍ୟାଚାର ଭୋଗୁଥିବାବେଳେ, ଏହା ବିରୋଧରେ ଅନଶନ ଧର୍ମଘଟରେ ବି ସଭରକର ଭାଗ ନେଇ ନଥିଲେ। ଭଗତ୍‍ ସିଂ, ସୁଖଦେବ ଓ ରାଜଗୁରୁ ଫାଶୀ ପାଇବା ବେଳେ ସଭରକର ବ୍ରିଟିଶ ସରକାରଙ୍କ ଘନିଷ୍ଠ ସହଯୋଗୀ ପାଲଟି ଯାଇଥିଲେ।

ଗାନ୍ଧିଜୀ ଜଣେ ସନାତନୀ ହିନ୍ଦୁ ଥିଲେ, ମାତ୍ର ହିନ୍ଦୁତ୍ୱ ଚିନ୍ତାଧାରାକୁ ସେ ବିରୋଧ କରୁଥିଲେ। ଗାନ୍ଧିଜୀ କେବଳ ଅହିଂସାର ପ୍ରତୀକ ନଥିଲେ, ସେ ହିନ୍ଦୁ-ମୁସଲମାନ ଏକତାର ହିମାଳୟ ଥିଲେ। ଶୋଷିତ, ନିର୍ଯାତିତ ଦଳିତ ଓ ମହିଳାମାନଙ୍କର ତ୍ରାଣକର୍ତ୍ତା ଥିଲେ। ଗାନ୍ଧିଜୀଙ୍କ ହତ୍ୟାପରେ ସାରା ଦୁନିଆରେ ତାଙ୍କୁ ନେ​‌େ​‌ହରୁ, ପଟେଲ, ସୁଭାଷ ବୋଷ ବା ସଭରକରଙ୍କ ସହ ତୁଳନା କରା ନ ଯାଇ, ତାଙ୍କୁ ଯୀଶୁ ଓ ଗୌତମବୁଦ୍ଧଙ୍କ ସହ ତୁଳନା କରାଯାଇଥିଲା। ଗାନ୍ଧିଜୀ ଥିଲେ ସମଗ୍ର ବିଶ୍ୱରେ ଭାରତର ପରିଚୟ। ତାଙ୍କୁ ହତ୍ୟା କରାଯିବାର ମୁଖ୍ୟ କାରଣ ଥିଲା, ସେ ଭାରତକୁ ଏକ ‘ହିନ୍ଦୁରାଷ୍ଟ୍ର’ରେ ପରିଣତ କରିବାକୁ ଦେଇ ନଥିଲେ।

ଗାନ୍ଧିଜୀ ଓ ସଭରକର ଉଭୟେ ଲଣ୍ଡନରେ ଭାରତୀୟମାନଙ୍କର ଏକ ସଭାରେ ବକ୍ତବ୍ୟ ରଖିବାବେଳେ ଉଭୟଙ୍କ ମଧ୍ୟରେ ଥିବା ପରସ୍ପର ବିରୋଧୀ ଚିନ୍ତା ପ୍ରକଟିତ ହୋଇଥିଲା। ସେ ଦିନ ଥିଲା ବିଜୟା ଦଶମୀ। ଗାନ୍ଧିଜୀ ସେହି ସଭାରେ ଶ୍ରୀରାମଙ୍କ ରାଜ ସିଂହାସନ ତ୍ୟାଗର ଦୃଷ୍ଟାନ୍ତ ନେଇ ତାଙ୍କର ତ୍ୟାଗପୂର୍ଣ୍ଣ ଚିନ୍ତାଧାରାର ପ୍ରଶଂସା କଲାବେଳେ ସଭରକର ଦେବୀ ଦୁର୍ଗାଙ୍କ ମହିଷାସୁର ବଧର ଉଦାହରଣ ଦେଇ ପ୍ରତିହିଂସା ଚରିତାର୍ଥର ରାସ୍ତାକୁ ବାଛି ନେବାକୁ କହିଥିଲେ। ଗାନ୍ଧିଜୀଙ୍କ ହତ୍ୟାର ୭୪ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ମାତ୍ର ଗାନ୍ଧୀ ହତ୍ୟା ପଛରେ ଥିବା ହିନ୍ଦୁତ୍ୱ ଓ ହିନ୍ଦୁରାଷ୍ଟ୍ରର ମତାଦର୍ଶ ଆଜି ପ୍ରଭାବଶାଳୀ ହୋଇଉଠିଛି। ଭାରତର ବର୍ତ୍ତମାନ ପିଢିର ନାଗରିକମାନେ ଗାନ୍ଧିଜୀଙ୍କ ଅସ୍ପୃଶ୍ୟତା ବିରୋଧୀ ଅଭିଯାନ, ମହିଳା ଅଧିକାର ଅଭିଯାନ, ହିନ୍ଦୁ- ମୁସଲମାନ ଐକ୍ୟ ଆଧାରିତ ଏକ ଧର୍ମନିରପେକ୍ଷ ଭାରତ ଗଠନ ପ୍ରସଙ୍ଗକୁ ଗ୍ରହଣ କରୁଛନ୍ତି କି ସଭରକରଙ୍କ ‘ହିନ୍ଦୁରାଷ୍ଟ୍ର’ ଓ ସଂଖ୍ୟାଲଘୁ ବିଲୋପ ଆଦର୍ଶକୁ ଗ୍ରହଣ କରୁଛନ୍ତି, ତାହା ହିଁ ପ୍ରମୁଖ ପ୍ରସଙ୍ଗ। ତେବେ ସବୁଠାରୁ ଉଲ୍ଲେଖଯୋଗ୍ୟ ଯେ ବେଦଯୁଗରେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ନଥିଲା କି ବୌଦ୍ଧ ଯୁଗରେ ଭାରତ ଏକ ବୌଦ୍ଧଧର୍ମଭିତ୍ତିକ ରାଷ୍ଟ୍ର ନଥିଲା। ଇସ୍‍ଲାମ ଭାରତରେ ଅନେକ ବର୍ଷ ଶାସନ କଲେ ହେଁ ଭାରତ ଏକ ଇସ୍‍ଲାମିକ ରାଷ୍ଟ୍ର ହୋଇନାହିଁ। ଭାରତର ସଂସ୍କୃତି ଓ ପରମ୍ପରା ହେଉଛି ଏହା ସବୁଧର୍ମ, ଭାଷା ଓ ସଂସ୍କୃତିକୁ ନିଜ ବକ୍ଷରେ ସ୍ଥାନ ଦେଇ ଆସିଛି ଓ ସେଇଥି ପାଇଁ ଭାରତର ସଭ୍ୟତା ଚିରଭାସ୍ୱର ହୋଇ ରହି ଆସିଛି।

Comments are closed.