www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧିକତା ଓ ମନୋରଞ୍ଜନ

ବୌଦ୍ଧିକତା କହିଲେ ଏକ ମାନସିକ ପ୍ରକ୍ରିୟା ଯେଉଁଥିରେ ବୁଦ୍ଧି ଏବଂ ଜ୍ଞାନ ଉପରେ ବେଶୀ ଗୁରୁତ୍ୱ ଦିଆଯାଏ। ଇଂରାଜୀରେ ଏହାକୁ ଇଣ୍ଟେଲେକ୍‌ଚୁଆଲିଜମ୍ ବୋଲି କୁହାଯାଏ। ଓଡ଼ିଆରେ ଇଣ୍ଟେଲେକ୍‌ଚୁଆଲିଜମ୍‌କୁ ଜ୍ଞାନବାଦ ବି କୁହାଯାଇପାରେ।

ଦର୍ଶନ ଦୃଷ୍ଟିରୁ ଏହାର ଇତିହାସ ଦେଖିଲେ ଖ୍ରୀଷ୍ଟଜନ୍ମର ପ୍ରାୟ ପାଖାପାଖି ୪୫୦ ବର୍ଷ ପୂର୍ବରୁ ପ୍ରଥମ ଥର ଗ୍ରୀକ୍ ପଣ୍ଡିତ ସକ୍ରେଟିସ୍ ବୌଦ୍ଧିକତାକୁ ରାସନାଲିଜମ୍ ବା ଯୌକ୍ତିକତା ସହିତ ପାଖାପାଖି ଏକା କରି ଦେଖିଥିଲେ। ତାଙ୍କ ମତରେ ବୌଦ୍ଧିକତା ଜଣକୁ ଯୁକ୍ତି ଦେଖିବା ପାଇଁ ଶିଖାଇବ ଏବଂ ଯୁକ୍ତିରେ ଯାହା ଠିକ ତାହା ହିଁ ସେ କରିବ; କିନ୍ତୁ ପରବର୍ତ୍ତୀ ସମୟରେ ଏ ଅବଧାରଣାରେ ପରିବର୍ତ୍ତନ ହୋଇଛି। କେବଳ ଯୁକ୍ତିଯୁକ୍ତ କାର୍ଯ୍ୟ କରିବା ବୌଦ୍ଧିକତା ନୁହଁ, ତା ସହିତ ଅନ୍ୟାନ୍ୟ ଦୃଷ୍ଟିକୋଣ ମଧ୍ୟ ଦେଖାଯିବା ଜରୁରୀ – ଏହା ବି ସେଥିରେ ଯୋଡି ହୋଇଗଲା।

- Advertisement -

ବର୍ତ୍ତମାନ ସମୟରେ ବୁଦ୍ଧି, ବିଦ୍ୟା ଓ ଜ୍ଞାନ, ବିଶେଷକରି ପୋଥିଗତ ବିଦ୍ୟା ଉପରେ ଅଧିକ ଗୁରୁତ୍ୱ ଦବାର ପ୍ରକ୍ରିୟାକୁ ଆମେ ବୌଦ୍ଧିକତା ବୋଲି କହିଥାଉ। ଯେଉଁମାନେ ଏହି କ୍ରିୟାରେ ଅଛନ୍ତି ସେମାନଙ୍କୁ ଇଣ୍ଟେଲେକଚୁଆଲ ବା ବୁଦ୍ଧିଜୀବୀ ବୋଲି କୁହାଯାଏ।

ଇତିହାସକୁ ଦେଖିଲେ, ସମାଜରେ ଏହି ଜାତୀୟ ଲୋକ ଯେଉଁମାନେ ପୋଥିବିଦ୍ୟାକୁ ଏବଂ/କିମ୍ବା ଜ୍ଞାନର ଅନ୍ୱେଷଣରେ ବେଶୀ ଥାଆନ୍ତି ବା ଜ୍ଞାନର ବେଶୀ ଚର୍ଚ୍ଚା କରୁଥାଆନ୍ତି ତାଙ୍କୁ ସମାଜ ଦୁଇ ଭାବରେ ଦେଖେ। ହୁଏତ ସେମାନଙ୍କୁ ଏକ ବିଶେଷ ମାନ୍ୟତା ଦିଆଯାଏ, ଚିନ୍ତା କରାଯାଏ ଯେ ତାଙ୍କ ଉପରେ ଈଶ୍ୱରଙ୍କର ଅଧିକ ଆଶୀର୍ବାଦ ରହିଛି ଏବଂ ସେମାନଙ୍କୁ ସମାଜରେ ‘ଗୁରୁ’ର ମାନ୍ୟତା ଦିଆଯାଏ କିମ୍ବା ଏମାନଙ୍କୁ ବାସ୍ତବଜ୍ଞାନହୀନ ଆଡ଼ପାଗଳା ବୋଲି ଗଣାଯାଏ। ଧାରଣାଟା ହେଲା: ଏମାନେ ସଂସାର ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ। ସାଧାରଣ ସମାଜରେ କ’ଣ ଘଟୁଛି, ବର୍ତ୍ତମାନ ସମୟକୁ ଚାହିଁ କ’ଣ କରିବା ଉଚିତ- ଏ କ୍ଷେତ୍ରରେ ବାସ୍ତବ ଜ୍ଞାନ ଏମାନଙ୍କର କମ। ଅନେକ ସମୟରେ ଏମାନେ ସାମାଜିକ ଚଳଣିର ଧାର ଧାରନ୍ତିନି, ସାମାଜିକ ଚଳଣିକୁ ବରଂ ସେମାନେ ନଷ୍ଟ କରିବା ପାଇଁ ଚାହାନ୍ତି ତେଣୁ ଗୋଟେ ଦୃଷ୍ଟିରୁ ସେମାନେ ଅସାମାଜିକ।

ଦ୍ୱିତୀୟ ଧାରଣାଟିକୁ ଆଉ ଟିକେ ବିିସ୍ତାରିଲେ ତାହା ଅଣବୁଦ୍ଧିଜୀବୀବାଦ ବା ଆଣ୍ଟି ଇଣ୍ଟେଲେକଚୁଆଲିଜିମରେ ପରିଣତ ହୁଏ। ଆଣ୍ଟି ଇଣ୍ଟେଲେକଚୁଆଲିଜିମ୍ ହେଲା ବୈାଦ୍ଧିକତା ବିରୋଧରେ ଏକ ସକ୍ରିୟ ନାପସନ୍ଦର ଭାବ। ବ୍ୟାବହାରିକ ସ୍ତରରେ ଏହା ହେଲା ଜ୍ଞାନଜୀବୀଙ୍କୁ ପସନ୍ଦ ନକରିବା, ତାଙ୍କୁ ଅବିଶ୍ୱାସ କରିବା ଏବଂ ସେମାନଙ୍କ କଥାକୁ ପୂରାପୂରି ନାକଚ କରିଦେବା। କେତେକ କ୍ଷେତ୍ରରେ ସେମାନଙ୍କୁ ସମାଜରେ ଏକଘରିକିଆ କରିଦେବା ଏବଂ ତାଙ୍କ ଉପରେ ଦମନ ଚଳାଇବା।

ଇତିହାସରେ ୧୯୩୦ରୁ ପ୍ରଥମେ ସ୍ପେନ ଗୃହଯୁଦ୍ଧରୁ ଆମେ ଏହାର ବାସ୍ତବ ପ୍ରମାଣ ପାଇଥାଉ। ପରବର୍ତ୍ତୀ ସମୟରେ ଅନେକ ଟୋଟାଲିଟାରିଆନ ବା ଏକଛତ୍ରବାଦୀ ସରକାର (ସେ ଦକ୍ଷିଣପନ୍ଥୀ ହୁଅନ୍ତୁ ବା ବାମପନ୍ଥୀ ହୁଅନ୍ତୁ, ହିଟଲର ହୁଅନ୍ତୁ ବା କମ୍ୟୁନିଷ୍ଟ ଚୀନ ହୁଅନ୍ତୁ) ଏ ପନ୍ଥା ଧରିଛନ୍ତି । ଲାଟିନ ଆମେରିକା ଏବଂ ଆଫ୍ରିକାର ଅନେକ ଦେଶର ବି ଉଦାହରଣ ଦିଆଯାଇପାରେ । ଅଧିକାଂଶ କ୍ଷେତ୍ରରେ ଶାସକମାନେ ସାଧାରଣରେ ପ୍ରଥମେ ଏ ଧାରଣା ସୃଷ୍ଟି କରିବାର ଚେଷ୍ଟା କରନ୍ତି ଯେ ବୁଦ୍ଧିଜୀବୀମାନଙ୍କର ବାସ୍ତବ ବୁଦ୍ଧି କିଛି ନାହିଁ। ପରବର୍ତ୍ତୀ ପଦକ୍ଷେପ ହେଲା ଏମାନଙ୍କ ସାମାଜିକ ମାନ୍ୟତା ମୂଳରେ ଆଘାତ । ସେମାନଙ୍କୁ ସମାଜରେ ଥଟ୍ଟାର ପାତ୍ର କରିଦେବା । ଆଉ ଶେଷ ପଦକ୍ଷେପ ହେଲା ଏ କଥା ପ୍ରଚାର କରିବା ଯେ ଏମାନେ ସମାଜ ପାଇଁ ବିପଦ । ତେଣୁ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥରେ ଏମାନଙ୍କୁ ନୀରବ କରିଦେବା ଆବଶ୍ୟକ । ସେଥିପାଇଁ ଯଦି ଏମାନଙ୍କ ବିରୋଧରେ ଦମନଲୀଳା ଚଳେଇବାକୁ ପଡ଼େ- ତେବେ ତାହା ହିଁ ଉଚିତ ପନ୍ଥା!

ଏକଛତ୍ରବାଦୀ ସରକାର (ସେ ବାମପନ୍ଥୀ ହୁଅନ୍ତୁ ବା ଦକ୍ଷିଣ) ଇଣ୍ଟେଲେକଚୁଆଲିଜିମ୍ ବା ଜ୍ଞାନବାଦକୁ ପସନ୍ଦ କରନ୍ତି ନାହିଁ । ତାର ସିଧାସଳଖ କାରଣଟି ହେଲା ଯେ ଜ୍ଞାନ ଏକ ଶଗଡ ଗୁଳାରେ ଚାଲିବନି ସେ ବିସ୍ତାରିତ ହେବ, ସେ ସତ୍ୟ ଓ ନ୍ୟାୟର ପକ୍ଷ ଧରିବ ଏବଂ ସମଗ୍ର ସମାଜର କଲ୍ୟାଣକୁ ଦେଖିବ ।

ନ୍ୟାୟରେ ସଂଖ୍ୟାଗରିଷ୍ଠତା କିଛି ମାନେ ରଖେନି । ହଜାରେ ଲୋକ ଗୋଟେ କଥା କହୁଥିବେ, ଜଣେ ଲୋକ ଅନ୍ୟ କଥା କହୁଥିବ । ଏ ସ୍ଥିତିରେ ସଂଖ୍ୟାତାନ୍ତ୍ରିକ ଗଣତନ୍ତ୍ରରେ ହଜାରେ ଲୋକ ଯାହା କହୁଥିବେ ତାହା ହିଁ ଠିକ୍ ବୋଲି ଗଣା ହେବ । ହେଲେ ନ୍ୟାୟ ହେଉଛି ଜଣେ ଲୋକ ଯଦି ଠିକ୍ କଥା କହୁଛି, ଆଉ ହଜାରେ ଲୋକ ଭୁଲ କହୁଛନ୍ତି ତେବେ ବି ଜଣେ ଲୋକର କଥା ହିଁ ରହିବ। ଠିକ୍ କଥାଟି ହିଁ ରହିବ- ସେ ଜଣେ ଲୋକ କହୁ ବା ହଜାରେ ଲୋକ କହନ୍ତୁ।

ଏକଛତ୍ରବାଦୀ ସରକାର ସବୁବେଳେ ନିଜ କଥାଟା ସତ ଏବଂ ଠିକ ବୋଲି ଗ୍ରହଣ କରେଇବା ପାଇଁ ଚାହାନ୍ତି। ତେଣୁ ଏକଛତ୍ରବାଦୀ ସରକାର ସହିତ ଜ୍ଞାନର ଏକ ଅପଡ଼ ଆରମ୍ଭରୁ ରହି ଆସିଛି । ଯେତେଦିନ ପୃଥିବୀରେ ଏକଛତ୍ରବାଦୀ ଶାସନ ଥିବ ଏବଂ ଜ୍ଞାନଜୀବୀ ଲୋକଥିବେ ଏ ସଂଘାତ ଚାଲିଥିବ ।

ଏବେ ‘ମନୋରଞ୍ଜନ’କୁ ଦେଖାଯାଉ। ମନୋରଞ୍ଜନର ଅର୍ଥହେଲା ଏମିତି କିଛି କାର୍ଯ୍ୟକଳାପ ଯାହା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରେ, ସେମାନଙ୍କୁ ଏହା ଦେଖିବା ପାଇଁ, ଶୁଣିବା ପାଇଁ, ଅଂଶ ଗ୍ରହଣ କରିବା ପାଇଁ ଆଗ୍ରହୀ କରେ ଏବଂ ତାହା ଦ୍ୱାରା ସେମାନେ କିଛି ଆନନ୍ଦ ପାଆନ୍ତି । ପ୍ରାଚୀନ କାଳରୁ ମନୋରଞ୍ଜନ ରହିଛି। ସଭ୍ୟତାର ବିକାଶ ସହିତ ମନୋରଞ୍ଜନର ପ୍ରକାରରେ ପରିବର୍ତ୍ତନ ହୋଇଛି । ଗୋଟେ ସମୟରେ ମଣିଷର ହତ୍ୟା ଦେଖିବା ବି ଗୋଟେ ମନୋରଞ୍ଜନ ଥିଲା। ପ୍ରାଚୀନ ରୋମ୍‌ରେ ଗ୍ଲାଡିଏଟରମାନଙ୍କ କଥା ମନେପକାନ୍ତୁ । ବର୍ତ୍ତମାନ ବି ଅନେକେ ଷଣ୍ଢ, ମେଣ୍ଢା, କୁକୁଡା ଲଢ଼େଇ ଦେଖି ମନୋରଞ୍ଜନ କରନ୍ତି ।

ମନୋରଞ୍ଜନ ଅନେକ ପ୍ରକାର ହୋଇପାରିବ । ଗୀତ, ନାଚ, ସାହିତ୍ୟ, ହାସ୍ୟବ୍ୟଙ୍ଗଠୁ ଆରମ୍ଭ କରି ଖେଳକୁଦ, ସିନେମା, ସର୍କସ, ମ୍ୟାଜିକ୍, ଷ୍ଟ୍ରିଟ ପରଫରମାନ୍‌ସ ଏସବୁ ମନୋରଞ୍ଜନର ଅଙ୍ଗ ।

ପ୍ରଶ୍ନ ହେଲା: ମନୋରଞ୍ଜନ କେବଳ ଆନନ୍ଦ ପାଇଁ ହେବ ନା ଆନନ୍ଦ ସହିତ ଏଥିରେ ଆଉ କିଛି ରହିବ? ମନୋରଞ୍ଜନରେ ଆନନ୍ଦ ମୁଖ୍ୟ । ତାହା ଠିକ୍; କିନ୍ତୁ କି ପ୍ରକାରର ଆନନ୍ଦ? ତେନ୍ତୁଳି ଯଦି ଆପଣ ଖାଆନ୍ତି, ସେ ଗୋଟେ ରକମର ଆନନ୍ଦ । ରସଗୋଲା ଖାଇଲେ ସେ ଆଉ ଗୋଟେ ରକମର ଆନନ୍ଦ । ବିୟୋଗାନ୍ତକ ନାଟକ ଦେଖି ଆଖିରୁ ଲୁହ ଝରିପଡୁଛି ସିଏ ବି ଆନନ୍ଦ । ଭଲ ବହିଟିଏ ପଢ଼ି ଛାତିଟା ମନ୍ଥି ହୋଇଗଲା ପରି ଲାଗୁଛି- ସିଏ ବି ଗୋଟେ ଆନନ୍ଦ । ଭାରତ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି । ଭାରତ ଜିତିଗଲା, ନୃତ୍ୟ କରୁଛନ୍ତି । ପାକିସ୍ତାନ ଜିତିଗଲା, ମନ ଦୁଃଖରେ ଟେଲିଭିଜନ ଭାଙ୍ଗି ପକାଉଛନ୍ତି । ଇଏ ବି ଗୋଟେ ରକମର ଆନନ୍ଦ ।

ଗୋଟେ କଥା ଅନେକ କହୁଛନ୍ତି ଯେ ବର୍ତ୍ତମାନ ଟେଲିଭିଜନରେ, ସିନେମାରେ ଯେଉଁ ମନୋରଞ୍ଜନ, ବିଶେଷ କରି ଜନପ୍ରିୟ ମନୋରଞ୍ଜନ ଯାହା ଆସୁଛି ସେଥିରେ ବୁଦ୍ଧିଶୁଦ୍ଧିର କିଛି କାମ ନାହିଁ । ଏହା କଣ ହେବା ଠିକ୍? ନା ସେଥିରେ ଆଉ କିଛି ରହିବା ଦରକାର।

ମୋର ଯାହା ମନେ ହୁଏ- ଯେତେବେଳେ ଜନପ୍ରିୟ ମନୋରଞ୍ଜନ ଭିତରେ କୌଣସି ବୌଦ୍ଧିକତା ରହୁନାହିଁ କେବଳ ଏମିତି କଥା ରହୁଛି ଯାହା ମୁଁ ଗୋଟେ ମୁହୂର୍ତ୍ତ ପରେ ଭୁଲିଯାଉଛି, ମୋ ହୃଦୟକୁ ମନ୍ଥୁନାହିଁ, ମୋତେ ବାର୍ତ୍ତା ଦେଉନି – କ୍ରମାଗତ ଭାବେ ଯଦି ଗୋଟେ ଦେଶରେ ଏ ପ୍ରକାର ମନୋରଞ୍ଜନର ଲହର ଚାଲିଛି ତେବେ ତାହା ସେ ଦେଶ ପାଇଁ ବିପଦର କାରଣ ।

କାରଣ ହେଲା- ଯେଉଁମାନେ ସମାଜ ବିଷୟରେ ଭାବୁଛନ୍ତି, ଯେଉଁମାନେ ଭବିଷ୍ୟତକୁ ଦେଖିବାପାଇଁ ଚାହୁଁଛନ୍ତି, କିଛି ଚିନ୍ତା କରିବାପାଇଁ ଚାହୁଁଛନ୍ତି, କ୍ରମାଗତ ଅର୍ଥହୀନ ମନୋରଞ୍ଜନର ବନ୍ୟା ସେମାନଙ୍କ ଚିନ୍ତା କରିବାର କ୍ଷମତାକୁ କମେଇଦେଉଛି । ସମ୍ବେଦନଶୀଳତାକୁ ଥୋବଡ଼ା କରିଦେଉଛି । ଅର୍ଥାତ୍‌ ଏମିତି ଗୋଟେ ସ୍ଥିତିରେ ଆପଣଙ୍କୁ ପହଞ୍ଚାଇ ଦିଆଯାଉଛି ଯେ ଆପଣ ଆଉ କୌଣସି ସାମାଜିକ ପ୍ରସଙ୍ଗ ବା ସମସ୍ୟା ସହିତ ଯୋଡ଼ି ହୋଇ ପାରୁନାହାନ୍ତି । ମନୋରଞ୍ଜନର ବଢ଼ି ପାଣିରେ ଆପଣ ଭାସି ଚାଲିଯାଉଛନ୍ତି। ଆପଣଙ୍କ ଚେର କେଉଁଠି ସଂଯୁକ୍ତ ହେଉନାହିଁ ।

ଏ ପ୍ରକାର ମନୋରଞ୍ଜନ ସମାଜ ପାଇଁ, ବିଶେଷକରି ଏକ ଗଣତାନ୍ତ୍ରିକ ସମାଜ ପାଇଁ ଅତ୍ୟନ୍ତ ଚିନ୍ତାଜନକ ।

ତା ମାନେ କଣ ଆମେ ସବୁକଥାରେ କିଛି ବାର୍ତ୍ତା ଦେବା ଜରୁରୀ? ମୁଁ ଆଦୌ ସେ କଥା କହୁନାହିଁ । ମନୋରଞ୍ଜନ ନାଁରେ ଯଦି ଭାଷଣ କିମ୍ବା ପ୍ରବଚନ ଦିଆଯାଏ ତେବେ ତାହା ଆଉ ମନୋରଞ୍ଜନ ହୋଇ ରହିବ ନାହିଁ । (ଭାଷଣ ଏବଂ/କିମ୍ବା ମନୋରଞ୍ଜନ କେତେକଙ୍କ ପାଇଁ ଭଲ ମନୋରଞ୍ଜନ ହୋଇପାରେ- କିନ୍ତୁ ତାକୁ ମନୋରଞ୍ଜନ ବୋଲି କହିଦେଲେ ମହାଭାରତ ନିଶ୍ଚିତ ଅଶୁଦ୍ଧ ହୋଇଯାଇପାରେ । ତେଣୁ ମନୋରଞ୍ଜନର ବିଷୟଗୁଡ଼ିକ (ଏଣ୍ଟରଟେ​ନ‌େ​‌ମଣ୍ଟ କ​‌େ​‌ଣ୍ଟଣ୍ଟ୍) ଯିଏ ପ୍ରସ୍ତୁତ କରୁଛନ୍ତି, ସେମାନେ ଏହାକୁ ମନେ ରଖିବା ଦରକାର ।

ଏଠି ଅନେକ ବଜାର କଥା କହିବେ ଯେ ଲୋକ ଯାହା ଶୁଣିବା ପାଇଁ ଚାହୁଁଛନ୍ତି ତାକୁ ହିଁ ତ ଆମେ ଦେବୁ। ଠିକ୍ ; କିନ୍ତୁ ଲୋକ ଭଲକଥାଟା ଶୁଣୁ ସେ ମାନସିକତାଟା ତିଆରି କରିବାଟା ବି ଆମର ଦାୟିତ୍ୱ । ପବ୍ଲିକ ସ୍ପିଅର ବା ଜନ-ସମାଜର ମନୋରଞ୍ଜନ ଗ୍ରହଣର ମାନକୁ ବଢ଼ାଇବା ବି ଆମର ଦାୟିତ୍ୱ । ଜନ ସମାଜରେ ଯେଉଁ ପ୍ରକାର ଆଲୋଚନା ହେଉଛି, ଯେଉଁ ପ୍ରକାର ମନୋରଞ୍ଜନ ଲୋକମାନେ ଗ୍ରହଣ କରୁଛନ୍ତି ତାର ସାମଗ୍ରିକ ମାନରେ ଗୋଟେ ଅଭିବୃଦ୍ଧି ଦରକାର ।

ଏହା କରିବା ବି ଯେଉଁମାନେ ସାହିତ୍ୟ ସୃଷ୍ଟି କରୁଛନ୍ତି, ଗୀତ ଲେଖୁଛନ୍ତି, ନାଟକ କରୁଛନ୍ତି, ସିନେମା ତିଆରି କରୁଛନ୍ତି ତାଙ୍କର ଗୋଟେ ଦାୟିତ୍ୱ । ଏ ଦାୟିତ୍ୱକୁ ଯଦି ଆମେ ନିର୍ବାହ ନ କରିବା, ସବୁବେଳେ ଆମେ ସାଧାରଣ ଲୋକଙ୍କୁ ଛାଡିଦେବା ଯେ ସେମାନେ ଯାହା ଚାହିଁବେ ବା ଏ କଥା କହିବା ବଜାର ଯାହା ଚାହିଁବ – ଆମେ ତାକୁଇ ଦେବା- ତାହାହେଲେ ହୁଏ ତ ଆମେ ସମାଜ ପ୍ରତି ଅନ୍ୟାୟ କରୁଛନ୍ତି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories