ମହାମାରୀଜନିତ ସଂକ୍ରମଣ ପ୍ରତିରୋଧରେ ଜନପଦ ବନ୍ଦ ଅବସରରେ ଜନସାଧାରଣ ଦୂରାବସ୍ଥାନ (ଫିଜିକାଲ ଡ଼ିଷ୍ଟେନ୍ସିଂ) ନୀତି ପାଳନରେ ଦୀର୍ଘ ସମୟ ଗୃହାବଦ୍ଧ ରହିବା ଉତ୍ତାରେ ପରିସ୍ଥିତି ସୁଧୁରି ଯାଇ ସ୍ୱାଭାବିକ ଅବସ୍ଥା ଫେରିବା ପରେ ମଧ୍ୟ କିଛି ସଂଖ୍ୟକ ବ୍ୟକ୍ତି କିଛି ସମୟଧରି ସାମାଜିକସ୍ତରରେ ଚଳପ୍ରଚଳରୁ ଦୂରେଇ ରହିଥାନ୍ତି। ଏହି ମାନସିକତା ଗହ୍ୱରବାସ ଅନୁଭବ (କେଭ ସିଣ୍ଡ୍ରୋମ) ନାମିତ। ମନୁଷ୍ୟ ପ୍ରାକ୍-ସଭ୍ୟତାରେ ନିଜ ପରିବାର ଓ ଗୋଷ୍ଠୀ ଗହଣରେ ପର୍ବତ ଗୁହାରେ ବସବାସ କାଳରେ ନିଜ ବାସସ୍ଥାନକୁ ସର୍ବାପେକ୍ଷା ନିରାପଦ ମଣୁଥିଲା। ମହାମାରୀରେ ଭୂତାଣୁର ସାମାଜିକ ସଂକ୍ରମଣ ଭୟ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ସେହି ପରିବେଶର ପୁନରାବୃତ୍ତି କରିଛି।
ଆନ୍ତର୍ଜାତିକ ସ୍ତରରେ ଖ୍ୟାତିସମ୍ପନ୍ନ ସ୍ୱାସ୍ଥ୍ୟରକ୍ଷା ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉତ୍ସର୍ଗୀକୃତ ‘ଦି ଲେନସେଟ’ ପତ୍ରିକାରେ ଫେବୃଆରୀ ୨୦୨୦ରେ ପ୍ରକାଶିତ ଏକ ରଚନାରେ ‘କେଭ ସିଣ୍ଡ୍ରୋମ’ ଶବ୍ଦର ବ୍ୟବହାର ପରବର୍ତ୍ତୀ ପର୍ଯ୍ୟାୟରେ ମହାମାରୀର ମାନସିକ ସ୍ୱାସ୍ଥ୍ୟ ଚର୍ଚ୍ଚା କ୍ଷେତ୍ରରେ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରକାଶିତ ରଚନାରେ ଉଲ୍ଲେଖ କରାଯାଇଥିବା କେତେଗୋଟି ଗବେଷଣାଲବ୍ଧ ତଥ୍ୟ ଗୁରୁତ୍ୱପୂର୍ଣ୍ଣ। ଚୀନରେ ୨୦୦୩ରେ ‘ସାର୍ସ’ ସଂକ୍ରମଣ ପରେ ଜନସାଧାରଣଙ୍କୁ ନିଜ ନିଜ ଘରେ ରହିବାକୁ ସରକାର ନିର୍ଦେଶ ଦେଇଥିଲେ। ଦୂରାବସ୍ଥାନ ପରବର୍ତ୍ତୀ ପର୍ଯ୍ୟାୟରେ ୨୧ ପ୍ରତିଶତ ପରିସ୍ଥିତିରେ ସୁଧାର ଆସିବାପରେ ମଧ୍ୟ ଘର ବାହାରକୁ ଆସି ଚଳପ୍ରଚଳ ହେବା ନିମନ୍ତେ ଅମଙ୍ଗ ହୋଇଥିଲେ।
ସେହିପରି ଦକ୍ଷିଣ ଆଫ୍ରିକାରେ ‘ଏବୋଲା’ ଭୂତାଣୁ ସଂକ୍ରମଣ ୨୦୧୪ରୁ ୨୦୧୬ ଯାଏ ଲାଗି ରହିଥିଲା। ସିୟାରା ଲେନେରେଠାରେ ଆୟୋଜିତ ଏକ ସର୍ବେକ୍ଷଣରେ ସ୍ୱାଭାବିକ ପରିସ୍ଥିତି ଫେରିବା ପରେ ମଧ୍ୟ ବହୁ ସଂଖ୍ୟକ ଘରୁ ବାହାରିବାକୁ ନିରାପଦ ମଣିନଥିଲେ। ଏପରି କି ଶିକ୍ଷକମାନେ ବିଦ୍ୟାଳୟକୁ ଆସିବାକୁ କିଛି ସମୟଧରି ରାଜି ହୋଇନଥିଲେ। ସମ୍ପ୍ରତି ‘କୋଭିଡ୍-୧୯’ ସଂକ୍ରମଣ କାଳରେ ଆନ୍ତର୍ଜାତିକସ୍ତରରେ ୧୧ଗୋଟି ରାଷ୍ଟ୍ରରେ ଶିକ୍ଷିତ, ବୈଷୟିକ ଦକ୍ଷତା ସମ୍ପନ୍ନ ତଥା ସମାଜର ଉଚ୍ଚବର୍ଗର କର୍ମଚାରୀମାନେ ଘରୁ କାର୍ଯ୍ୟକରୁଥିବା ‘ୱାର୍କ-ଫ୍ରମ-ହୋମ’ ବର୍ଗର ୫୨ ପ୍ରତିଶତ ସଂକ୍ରମଣ ପ୍ରଶମିତ ହେବାପରେ ଦପ୍ତରକୁ ଯାଇ କାମ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିନଥିଲେ। ନିଜ ବାସଗୃହରେ କାର୍ଯ୍ୟକରିବାରେ ସ୍ୱାଚ୍ଛନ୍ଦ୍ୟ ହରାଇବା ନିମନ୍ତେ ନୂଆ ପୀଢ଼ିର କର୍ମଚାରୀମାନେ ଅମଙ୍ଗ। ଭବିଷ୍ୟତରେ କୁଶଳୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଏହି ମନୋଭାବ ସମସ୍ୟା ସୃଷ୍ଟିକରିବା ତଥ୍ୟାଭିଜ୍ଞମାନେ ଆକଳନ କରିଥାନ୍ତି।
‘କେଭ ସିଣ୍ଡ୍ରୋମ’ ମାନସିକତା ପ୍ରସାରର କେତେଗୋଟି ପ୍ରମୁଖ କାରଣ ଚିହ୍ନଟ କରାଯାଇପାରେ। ପ୍ରଥମତଃ, ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ହେତୁ ନିଜ ବାସଗୃହରେ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ଅନେକ ପସନ୍ଦ କରନ୍ତି। ନିଜ ଘରେ ନିଜକୁ ନିୟନ୍ତ୍ରଣ କରିବା ସମ୍ଭବ ଥିବାବେଳେ ବାହ୍ୟ ପରିବେଶରେ ଅନ୍ୟମାନଙ୍କ ଚାଲିଚଳନକୁ ନିୟନ୍ତ୍ରଣ କରିବା କୌଣସି ସାଧନ ନଥାଏ। ଜନସ୍ୱାସ୍ଥ୍ୟ ନିର୍ଦେଶାବଳୀକୁ ଊଣା-ଅଧିକେ ଅର୍ଦ୍ଧେକରୁ ଊର୍ଦ୍ଧ୍ୱ ଅବଜ୍ଞା କରୁଥିବା ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ସର୍ବତ୍ର ପରିଦୃଷ୍ଟ। ଏହି କାରଣରୁ କିଛି ସଂଖ୍ୟକ ନିଜ ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷିତ ରଖିବାକୁ ଅଗ୍ରାଧିକାର ଦେଇଥାନ୍ତି।
ଦ୍ୱିତୀୟତଃ, ଶିକ୍ଷିତ ବ୍ୟକ୍ତି ଜୀବନଯାତ୍ରାରେ ସର୍ବଦା ନିଶ୍ଚିତତା ପସନ୍ଦ କରେ। ଏଥିଲାଗି ସେ ବହୁ ଦୀର୍ଘସ୍ଥାୟୀ ଯୋଜନାରେ ନିଜକୁ ସାମିଲ କରିଥାଏ। କୋଭିଡ୍-୧୯ ମହାମାରୀ ଅବସରରେ ବହୁ ବ୍ୟକ୍ତି ରୋଗାକ୍ରାନ୍ତ ହେବା, ମୃତ୍ୟୁବରଣ କରିବା ତଥା ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରେ ଛନ୍ଦି ହୋଇପଡ଼ିବା ଭୟ ରହିଥିବା ଏବଂ ଏଗୁଡ଼ିକର ମୁକାବିଲା ନିମନ୍ତେ ଫଳପ୍ରଦ ବ୍ୟବସ୍ଥା ମହାମାରୀ ବ୍ୟାପିବାର ଦୁଇବର୍ଷ ପରେ ସୁଦ୍ଧା ସମ୍ଭବ ହୋଇପାରିନଥିବା ହେତୁ ଅନିଶ୍ଚିତତା ମଧ୍ୟକୁ ଲମ୍ଫ ପ୍ରଦାନ କରିବାକୁ ଅନେକ ଭୟଭୀତ ହୋଇପଡିଥାନ୍ତି ।
ତୃତୀୟତଃ, ତୁଣ୍ଡି ପରିଧାନ, ଶାରୀରିକ ଓ ସାମାଜିକ ଦୂରାବସ୍ଥାନ ଭଳି ଆଚ଼ରଣରେ ଦୀର୍ଘଦିନ ଅଭ୍ୟସ୍ତ ହୋଇପଡ଼ିବା ପରେ ସହଜରେ ସେହି ଧାରା ଛାଡ଼ି ହୁଏ ନାହିଁ। ପରିବର୍ତ୍ତିତ ପରିସ୍ଥିତି ସହ ନିଜକୁ ଖାପଖୁଆଇବା ନିମନ୍ତେ କିଛି ସମୟ ଲାଗିଯାଏ। ବାଧ୍ୟବାଧକତାରେ ଦୂରାବସ୍ଥାନଜନିତ କେତେକ ସକାରାତ୍ମକ ଦିଗ ମଧ୍ୟ କେତେକଙ୍କୁ ବିମୋହିତ କରିଥାଏ। ଉଦାହରଣରେ ସର୍ଜନଶୀଳ ବ୍ୟକ୍ତିତ୍ୱ ସାଧାରଣରୁ ଦୂରରେ ନିଆରା ଢଙ୍ଗରେ ଜୀବନଯାପନ କରିବାକୁ ଚାହୁଁଥିବା ସ୍ଥଳେ ସାମୂହିକ ସାମାଜିକ ଅପସାରଣ ଏକ ସୁଯୋଗ ମନେ ହୋଇଥାଏ।
ଭବିଷ୍ୟତଦ୍ରଷ୍ଟା (ଫ୍ୟୁଚରାଷ୍ଟି)ମାନେ ‘କୋଭିଡ୍-୧୯’ ମହାମାରୀ-ପର ଅବସ୍ଥାରେ ମହାମାରୀ-ପୂର୍ବ ସାମାଜିକ ସ୍ଥିତାବସ୍ଥା ବଦଳରେ ପରିବର୍ତ୍ତିତ ପରିବେଶ (ନ୍ୟୂ ନରମାଲ) ଆକଳନ କରିଥାନ୍ତି। ଅର୍ଥାତ୍ ବହୁ ରୀତିନୀତି ପରିବର୍ତ୍ତିତ ରୂପ ଧାରଣ କରିବ। ଚଳାଚଳ ଓ ପାରସ୍ପରିକ ସହାବସ୍ଥାନରେ ବ୍ୟାପକ ପରିବର୍ତ୍ତନ ସମ୍ଭବ। ‘କେଭ ସିଣ୍ଡ୍ରୋମ’ ସମାଜର ଅନ୍ୟାନ୍ୟ ବର୍ଗଙ୍କ ତୁଳନାରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଅନୁଭୂତ ହେବା ବିଶ୍ୱାସଯୋଗ୍ୟ।


