ଆମ ଗଣତନ୍ତ୍ର କ’ଣ ଏକ ‘ରକ୍ତକ୍ରୀଡ଼ା’?

ହେମେନ୍ଦ୍ର ନାରାୟଣ ଦାସ

‘କୋଭିଡ୍‌’ ଏବେ ବି ତା’ର କାୟା ବଦଳାଇ ଚାଲିଛି; ଗୋଟିକ ପରେ ଗୋଟିଏ। ଦୂରେଇ ଯାଉଥିବା ଦିଗ୍‌ବଳୟ ରେଖା ପରି ଏହା ପରାହତ ହୋଇପାରୁନି। ମଣିଷ ତା’ର ସମସ୍ତ ଚେଷ୍ଟା ସତ୍ତ୍ବେ ସେଇ ଆତଙ୍କପୁରୀର ମର୍ମସ୍ଥଳୀକୁ ଭେଦ କରିପାରୁନି। ଶଙ୍କା, ସଂଶୟ, ସଙ୍କଟ ନିପୀଡ଼ିତ ମଣିଷ। ଏଇ ନିକଟ ଅତୀତରେ ଅତି ଆକସ୍ମିକ ଭାବରେ ହରେଇଛି ତା’ର ଅନେକ ପରିଚିତ ପ୍ରିୟପରିଜନଙ୍କୁ। ମୃତ୍ୟୁ ସତେ ଯେପରି ଏବେ ବି ତା’ର ଛାୟାଲିପି ଲେଖିଲେଖି ଚାଲିଛି। ମଣିଷର ବିଶ୍ବାସ ଟିକକ ଚହଲିଯାଉଛି। ଶାସ୍ତ୍ର କହେ ବିଶ୍ବାସକୁ ନେଇ ମଣିଷ ବଞ୍ଚେ ଓ ବିଶ୍ବାସ ସ୍ଥାପନା କଲେ ଈଶ୍ବର ଆସନ୍ତି। ସେମିତି କ’ଣ ଭାରତର ଗଣତନ୍ତ୍ର ଉପରେ ଲୋକଙ୍କର ବିଶ୍ବାସ ଧୀରେ ଧୀରେ କମି କମି ଯାଉଛି। କୋଭିଡ୍‌ର ଭୂତାଣୁ ପରି ଭାରତୀୟ ଗଣତନ୍ତ୍ର ମଧ୍ୟ ବାର୍‌ବାର୍‌ ବଦଳେଇ ଦେଉଛି ତା’ର ରୂପ ଓ ରଙ୍ଗକୁ ଏବଂ ଆମକୁ ଚେତନାବିମୂଢ଼ କରିଦେଉଛି।

ବିଗତ ଶତାବ୍ଦୀର ଷାଠିଏ ଦଶକରେ ଭାରତରେ ଥାଆନ୍ତି ଆମେରିକାର ରାଷ୍ଟ୍ରଦୂତ ଜନ୍‌ କେନେଥ ଗାଲ୍‌ବ୍ରେଥ। ଜଣେ ବିଚକ୍ଷଣ ଭାରତପ୍ରେମୀ ଦୂରଦୃଷ୍ଟିସମ୍ପନ୍ନ ମାନବବାଦୀ ଅର୍ଥନୀତିଜ୍ଞ। ବାରମ୍ବାର ସେ ପୁରୀ ଆସିଛନ୍ତି ଏହାର ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟର ମୋହିନୀମହିମାରେ ମୁଗ୍‌ଧ ହୋଇ। ଥରେ ସେ କଥାଛଳରେ ଭାରତର ଶାସନ ବ୍ୟବସ୍ଥାକୁ ଲକ୍ଷ୍ୟକରି ଦୁଃଖରେ କହିଲେ, ଏଠାରେ ଚାଲିଛି ଏକ ‘ଫଙ୍କସନିଂ ଆନାର୍କୀ’- କ୍ରିୟାଶୀଳ ଅରାଜକତା। ଏହା ପରେ କିଛି ବର୍ଷର ସମୟାନ୍ତରରେ ଆଉ ଜଣେ ମନ୍ତବ୍ୟ ଦେଲେ, ଭାରତରେ ଚାଲିଛି ଏକ ‘ଡାଇନାଷ୍ଟିକ୍‌ ଡେମୋକ୍ରାସି’- ବଂଶବାଦୀ ଗଣତନ୍ତ୍ର। ଆଉ ଦଳେ କହିଲେ, ଏ ଗଣତନ୍ତ୍ରରେ ଉଦାରତା କାହିଁ, ଇଏ ତ ଗୋଟାଏ ‘ଇଲିବରାଲ୍‌ ଡେମୋକ୍ରାସି’। ଏଇସବୁର ପଟ ପରିବର୍ତ୍ତନ ଭିତରେ ଏଇ ନିକଟରେ ଆଉ ଗୋଟିଏ ଗୋଷ୍ଠୀ ଚମକେଇ ଦେଇ କହିଲେ, ‘ଆମେ ଆସିଛୁ ଓ ଆଣିବୁ ଡେମୋକ୍ରାସି ୱିଥ୍‌ ଏ ଡିଫରେନ୍ସ’- ପରିବର୍ତ୍ତନର ଛାପ ରଖୁଥିବା ଗଣତନ୍ତ୍ର। ଏମାନେ କ୍ଷମତା ଆରୋହଣ ପରେ ପରେ ଲୋକଙ୍କ ସ୍ବପ୍ନର ସମୁଦ୍ରରେ ଜୁଆର ସୃଷ୍ଟିକରି କହିଲେ, ଭାରତବର୍ଷରେ ଗୋଟିଏ ମାତ୍ର ‘ହୋଲିବୁକ୍‌’- ପବିତ୍ର ପୁସ୍ତକ; ତାହା ହେଉଛି ଭାରତର ସମ୍ବିଧାନ। ଭାରତର ସମ୍ବିଧାନ ମୁଖବନ୍ଧ ଲେଖିଲା- ୱି ଦ ପିପୁଲ୍‌। ଆମେ ଭାରତୀୟ; ଆମ ହାତରେ କ୍ଷମତା; କିନ୍ତୁ ତା’ରି ପୃଷ୍ଠଭୂମିରେ ବିଭାଜନ ସୃଷ୍ଟି କରୁଥିବା ଶକ୍ତିମାନଙ୍କ ପରାକ୍ରମ ଭିତରେ ସାଧାରଣ ଜନତାର ମୌନ ଅସହାୟ ମୂର୍ତ୍ତି ସତେ ଯେପରି ତା’ର ଅକିଞ୍ଚନତାକୁ ଉପହାସ କରୁଛି।

ନିର୍ବାଚନୀ ରାଜନୀତିର ଘନୀଭୂତ କଳରୋଳ ଭିତରେ ଗଣତନ୍ତ୍ର ଏମିତି ବଦଳାଉଛି ତା’ର ରୂପ ବାରମ୍ବାର। ମନ ଜିଣିବାକୁ ହେଲେ ପ୍ରଚାରର ନୂଆ ନୂଆ ସଂସ୍କରଣର ଆବିର୍ଭାବ। ନିର୍ବାଚନ ପାଲଟି ଯାଉଛି ଗୋଟାଏ ‘ବ୍ଲଡ୍‌ସ୍ପୋର୍ଟ୍ସ’- ରକ୍ତ କ୍ରୀଡ଼ା। ଏଠି ଦଳୀୟ ଆଦର୍ଶ ନୁହେଁ- ଏବେ ଆବଶ୍ୟକ ପଡ଼ିଲାଣି, ‘ମାର୍କେଟିଂ ଆଡଭର୍ଟାଇଜିଂ ପ୍ରଫେସନାଲ’ମାନଙ୍କର। ଏମାନେ ରାଜନୀତିର ନୂଆ ନୂଆ ଚରିତ୍ର। ଚଉରାଳିଶ ବର୍ଷ ବୟସ୍କ ପ୍ରଶାନ୍ତ କିଶୋର। ମିଳିତ ଜାତିସଂଘରେ ନିଜର ବୃତ୍ତିଗତ ଜୀବନର ଆରମ୍ଭ। ସଫଳତାର ସ୍ବାଦକୁ ସେଠାରେ ଆସ୍ବାଦନ କଲାପରେ ରାତାରାତି ହୋଇଗଲେ ଚତୁର୍ଥଥର ପାଇଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କର ପ୍ରଧାନ ପରାମର୍ଶଦାତା। ପରେ ପରେ ସାମିଲ୍‌ ହେଲେ ସେ ତାଙ୍କର ଦିଲ୍ଲୀ ସିଂହାସନ ଦୌଡ଼ରେ। ଧୀରେ ଧୀରେ ଚାହିଦା ବେଶ୍‌ ଆକାଶଛୁଆଁ ହେଲା। ଗ୍ରାହକ ସାଜିଲେ ଜଣକ ପରେ ଜଣେ। ନୀତୀଶ କୁମାର, କଂଗ୍ରେସର ଅମରିନ୍ଦର ସିଂ, ମମତା ବାନାର୍ଜୀ…. ଅନେକ ଅନେକ। ଏମାନଙ୍କୁ ମଧ୍ୟ କୁହାଗଲା ଗଣତନ୍ତ୍ରର ‘ସ୍ପିନ୍‌ ଡକ୍ଟର’ ଅର୍ଥାତ୍‌ କଥାକୁ ବୁଲେଇ ବା ବଙ୍କେଇ କହିଦବାରେ ସିଦ୍ଧହସ୍ତ। ଯେମିତି ଅମିତ୍‌ ଶାହାଙ୍କୁ ପଚରାଗଲା- ‘କୁଆଡ଼େ ଗଲା ପ୍ରତିଶ୍ରୁତି, ସେ ହସିଦେଇ କହିଲେ- ନିର୍ବାଚନରେ ଏସବୁ ଚାଲେ।’ ଇଏ ‘ଜୁମ୍‌ଲା ଡେମୋକ୍ରାସି’। ଗଣତନ୍ତ୍ର ନାଁରେ ରାସ୍ତାରେ, ହାଟରେ, ଘାଟରେ ହୋର୍ଡିଂ ବ୍ୟାନର୍‌ଗୁଡ଼ିକରେ ସବୁଠି ଆପଣ ଦେଖୁଛନ୍ତି ନେତାଙ୍କର ହସହସ ମୁହଁ, ସତେ ଯେମିତି ଗଛଡାଳରେ ଫୁଟି ହସୁଥିବା ସଜଫୁଟା ଫୁଲଟିଏ; କିନ୍ତୁ ସତରେ କ’ଣ ସେ ହସୁଥିବା ଫୁଲଟି ଜାଣେ ସେଇ ନିଷ୍ଠୁର ସତ୍ୟ, ଯାହା ଗଛରୁ ଝଡ଼ି ପଡୁଥିବା ଫୁଲଟିକୁ ଜଣା। ଆଉ ସେଇ ନିଷ୍ଠୁର ସତ୍ୟଟି ହେଉଛି ଦୁଃଖ, ଦୈନ୍ୟ ଓ ଅଭାବ ଅନଟନରେ ପେଷି ହୋଇଯାଉଥିବା ସାଧାରଣ ମଣିଷଟିଏର। ଏଇ ପ୍ରସଙ୍ଗରେ ଗୋଟିଏ କଥା। ସୋଭିଏତ ୟୁନିୟନ୍‌ର ବିଲୟ ପରେ ସଦ୍ୟ ମୁକ୍ତ ହୋଇଥିବା ଦେଶ ୟୁକ୍ରେନ୍‌ ବେଶ୍‌ ସମୃଦ୍ଧ।

ନିକଟରେ ତା’ର ସଦ୍ୟ ନିର୍ବାଚିତ ତରୁଣ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ ଦୁର୍ନୀତିମୁକ୍ତ ରାଜନୀତିର ମଞ୍ଚ ଉପରୁ ନିର୍ବାଚନ ଜିଣିଲେ। କଲେ ଏକ ଘୋଷଣା। ରାଷ୍ଟ୍ରପତି ବା ଶାସନମୁଖ୍ୟ କେହି ବି ଦେଶର ‘ଆଇକନ୍‌’ ନୁହନ୍ତି। ମନ୍ତ୍ରୀ ଓ ଅଫିସରମାନଙ୍କୁ ନିର୍ଦେଶ ଦେଲେ ଯେ ସେମାନେ ତାଙ୍କର ପ୍ରକୋଷ୍ଠରେ ରାଷ୍ଟ୍ରପତିଙ୍କର ଛବି ଟାଙ୍ଗନ୍ତୁ ନାହିଁ, ଟାଙ୍ଗନ୍ତୁ ନିଜ ନିଜର ପୁଅଝିଅଙ୍କ ଛବି। ପ୍ରତିଥର ନିଷ୍ପତ୍ତି ନେଲାବେଳେ ପିଲାଙ୍କ ମୁହଁକୁ ଚାହାନ୍ତୁ ଓ ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ।

ବାସ୍ତବରେ ଗଣତନ୍ତ୍ର ନାଁରେ ନିର୍ବାଚନ ଏକ ରକ୍ତ କ୍ରୀଡ଼ା- ବ୍ଲଡ୍‌ ସ୍ପୋର୍ଟ୍ସ। ଧର୍ମ ନାମରେ, ସାମ୍ପ୍ରଦାୟିକ ହିଂସାର ଜିଙ୍ଘାସାପ୍ରମତ୍ତ ମୁହୂର୍ତ୍ତରେ ନିର୍ବାଚନ ଏବେ ଖୋଜୁଛି ରକ୍ତ। ଏମିତି ତ ନଥିଲା। ୧୯୫୮ ମସିହାର କଥା। ବିଖ୍ୟାତ ଇଂରେଜ ଲେଖକ ଇ.ଏମ୍‌. ଫୋର୍‌ଷ୍ଟର। ତାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଜୁଟିଲା। ସେ ମନେମନେ ଭାବିଲେ ଯଦି ବିଖ୍ୟାତ ଫରାସୀ ଦାର୍ଶନିକ ଭୋଲ୍‌ଟେୟାର ପୁଣି ଥରେ ଜନ୍ମ ନେଇ ଚିଠିଟିଏ ଲେଖନ୍ତେ ଜଣେ ରାଷ୍ଟ୍ରନୀତିଜ୍ଞଙ୍କ ପାଖକୁ ମାନବ ଜାତିର ଭାଗ୍ୟ ଭବିଷ୍ୟତକୁ ନେଇ, ତେବେ ସେ କାହାକୁ ଲେଖନ୍ତେ ! କ’ଣ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ… ନା ସେ ନିଶ୍ଚୟ ସୁନ୍ଦରୀ; କିନ୍ତୁ ଦାର୍ଶନିକ ନୁହନ୍ତି; ରାଣୀ କ୍ୟାଥେରିନ୍‌ଙ୍କ ପରି। ତେବେ କ’ଣ ଆୟୁବ୍‌ ଖାଁ ନା ମାର୍ଶାଲ୍‌ ଟିଟୋ; ନା, ହୃଦୟ ମାନୁନି। ଫୋରଷ୍ଟର ମନେକଲେ କେବଳ ଜଣେ ହେଉଛନ୍ତି ଉପଯୁକ୍ତ- ସେ ହେଉଛନ୍ତି ପଣ୍ଡିତ ନେହେରୁ। ବାସ୍ତବରେ ନେହେରୁ ଥିଲେ ସେ ସମୟରେ ବିଶ୍ବର ଅନ୍ୟତମ ପ୍ରସିଦ୍ଧ ଚିନ୍ତାନାୟକ ଓ ଲେଖକ ମଧ୍ୟ। ତାଙ୍କ ସହ ସମତାଳରେ ବିତର୍କରେ ଯୋଗ ଦେଇପାରୁଥିଲେ ଭାରତବର୍ଷର ଯେଉଁ କେତେଜଣ, ସେମାନେ ହେଲେ- ନମ୍ବୁଦ୍ରିପଦ, ଲୋହିଆ, ଆମ୍ବେଦକର, ଶ୍ୟାମାପ୍ରସାଦ, ଏପରି କି ରକ୍ଷଣଶୀଳ ରାଜଗୋପାଳାଚାରୀ ମଧ୍ୟ। ଜୟପ୍ରକାଶଙ୍କ ସହିତ ତାଙ୍କର ବାସ୍ତବ ଗଣତନ୍ତ୍ରର ରୂପ ଓ ଚରିତ୍ରକୁ ନେଇ ଅନେକ ଚିଠି; ଏସବୁ ଜାତୀୟ ସଂଗ୍ରହାଳୟରେ ଓ ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ରେ ସ୍ଥାନିତ ହୋଇଛି।

ଜୟପ୍ରକାଶ ଲେଖୁଛନ୍ତି, ‘ପ୍ରିୟ ପ୍ରଧାନମନ୍ତ୍ରୀ, ଆପଣ ଦେଶର ଅବିସମ୍ବାଦିତ ନେତା। ଆଶା କରିବି ଆପଣ କେବଳ ନିଜ ଦଳର ନୁହେଁ; ସମଗ୍ର ଦେଶର ନେତା ହୁଅନ୍ତୁ ଓ ତା ସହ ବିରୋଧୀ ଦଳମାନଙ୍କୁ ମଧ୍ୟ ସେମାନଙ୍କର ଉତ୍‌ଥାନରେ ସହାୟକ ହୁଅନ୍ତୁ। ଏହା ଦ୍ବାରା ସଂସଦୀୟ ଗଣତନ୍ତ୍ରର ମୂଳଦୁଆ ଦୃଢ଼ ହୋଇପାରିବ।’ ଉତ୍ତରରେ ନେହେରୁ ଲେଖୁଛନ୍ତି- ‘ପ୍ରିୟ ଜେପି, ତୁମ ଚିଠି ପାଇଛି। ମୁଁ ମାନୁଛି, ଏକ ସୁସ୍ଥ ଗଣତନ୍ତ୍ରରେ ଶକ୍ତ ବିରୋଧୀ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ; କିନ୍ତୁ ଯେଉଁ ମୁହୂର୍ତ୍ତରେ ବିରୋଧୀଦଳକୁ ନିଜ ଶକ୍ତି ବଦଳରେ ନୁହେଁ, ଉପରକୁ ଉଠିବା ପାଇଁ ‘ପ୍ରୋଟେକ୍ସନ’ ବା ସୁରକ୍ଷା ଦିଆଯିବ, ସେ ସମୟରେ ଏହା ଏକ ‘ବୋଗସ୍‌ ବା ମୂଢ଼ ଅପୋଜିସନ୍‌’ରେ ପରିଣତ ହୋଇଯିବ।’ ନେହେରୁ ଥିଲେ ଗଣତାନ୍ତ୍ରିକ ଚେତନାର ଏକ ବିସ୍ତୀର୍ଣ୍ଣ ପାରାବାର; ଜେପି ଥିଲେ ଦରଦୀ ଚେତନାର ଏକ ଛଳଛଳ ଝରଣା। ଏମାନଙ୍କ ବିତର୍କ ମଧ୍ୟରେ ଆଜିକାଲି ପରି କେବେ ମଧ୍ୟ ବିଦ୍ରୂପ ବା ପରିହାସର ଲଘୁଚପଳତା ନଥିଲା।

ରାଜନୀତିରେ ଥିଲା ଉଚ୍ଚ ମୂଲ୍ୟବୋଧ, ଆଦର୍ଶ, ନାନ୍ଦନିକତା, ଏକ ଆସ୍‌ଥେଟିକ୍ସର ଝଲକ। ଏବେ କିନ୍ତୁ ଅର୍ଥବଳର ଅସପତ୍ନ ରାଜତ୍ବ। ସବୁଆଡ଼େ କଳାଟଙ୍କାର ଢେଉ ଖେଳୁଛି। ଭାରତ ବର୍ଷର ଏକ ସମ୍ମାନିତ ସଂସ୍ଥା ହେଉଛି ‘ସେଣ୍ଟର ଫର ମିଡିଆ ଷ୍ଟଡିଜ୍‌’। ଏହାର ରିପୋର୍ଟ ଏଇ ପ୍ରକାଶ ପାଇଛି। ଯଦି କେବେ ମଧ୍ୟ ଆପଣ ଏ ଦେଶକୁ ଦରିଦ୍ର ବୋଲି ମନେ କରିଥାଆନ୍ତି, ତେବେ ଏ ରିପୋର୍ଟ ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ। ତାଙ୍କର ରିପୋର୍ଟ ଅନୁସାରେ ଭାରତବର୍ଷର ଦୁଇହଜାର ଊଣେଇଶି ନିର୍ବାଚନ, ସମଗ୍ର ପୃଥିବୀରେ ସଂଘଟିତ ହୋଇଥିବା ସବୁ ନିର୍ବାଚନଠାରୁ ଥିଲା ଅଧିକ ବ୍ୟୟସାପେକ୍ଷ। ଷାଠିଏ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏଥିରେ, ଆମେରିକା ମୁଦ୍ରାରେ ୭.୨ ବିଲିଅନ୍‌ ଡଲାର। ଏହା ଆମେରିକାର ଗତ ନିର୍ବାଚନକୁ ମଧ୍ୟ ସହଜରେ ପରାସ୍ତ କରିଦେବ। କାରଣ ସେଠି ଖର୍ଚ୍ଚ ହୋଇଥିଲା ୬.୪ ବିଲିଅନ୍‌ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପଚାଶ ହଜାର କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗେ ଭାରତବର୍ଷର ରାଜନୀତିରେ ହେଉ ବା ସୋସିଆଲ୍‌ ଅର୍ଡର ବା ସମାଜ ବ୍ୟବସ୍ଥାରେ ହେଉ ଏତେ ବୈଚିତ୍ର୍ୟ, ଏତେ ପ୍ରତାରଣା, ଏତେ ବୈଭବ ସୃଷ୍ଟି ହେଉଛି କେମିତି ? ଏବେକାର କ୍ଷମତାଶୀଳ ସରକାର ଦଳଗୁଡ଼ିକର ପାଣ୍ଠି ସଂଗ୍ରହ ପାଇଁ ପ୍ରଚଳନ କଲେ ଏକ ନୂଆ ବ୍ୟବସ୍ଥା। ଇଲେକ୍ଟୋରାଲ୍‌ ବଣ୍ଡ। ଏ ବ୍ୟବସ୍ଥା ଅନୁସାରେ ଯେ କେହି ସଂସ୍ଥା ବା ବ୍ୟକ୍ତି ବିଶେଷ କିଣିପାରିବେ ଏଇ ଟିକସ ମୁକ୍ତ ‘ଇଲେକ୍ଟୋରାଲ୍‌ ବଣ୍ଡ’, ନାଁ ତା’ର ଗୁପ୍ତ ରହିବ।

ଏଇ ସଂଗୃହୀତ ହୋଇଥିବା ଅର୍ଥର ପ୍ରାୟ ପଞ୍ଚାନବେ ପ୍ରତିଶତ ପାଇଥିଲା କ୍ଷମତାଶୀଳ ଦଳ। ଦାନର ପରିମାଣ ଭାରତବର୍ଷର ଛଅଟି ବୃହତ୍‌ ରାଜନୈତିକ ଦଳର ମିଳିତ ଅର୍ଥଠାରୁ ମଧ୍ୟ ଅଢ଼େଇ ଗୁଣ ଅଧିକ। ନବେ ପ୍ରତିଶତରୁ ଅଧିକ ଅର୍ଥ ସଂଗୃହୀତ ହୋଇଥିଲା କେବଳ କୁପନ୍‌ ମାଧ୍ୟମରେ। ପ୍ରତି କୁପନ୍‌ର ମୂଲ୍ୟ ଏକ କୋଟି ଟଙ୍କା (ଟୁ କିଲ୍‌ ଏ ଡେମୋକ୍ରାସି- ଦେବାଶିଷ ରାୟ ଚୌଧୁରୀ ଓ ଜନ୍‌ କିନ୍‌, ପୃ-୧୯୨)। ଏ କଥା ଆଜି କ’ଣ ନୂଆ ? ଆଜି ଯାହା ଘଟିଛି ଅତୀତରେ ମଧ୍ୟ କଂଗ୍ରେସ ଦଳ ତା’ର ତଥାକଥିତ ସମାଜବାଦୀ ବ୍ୟବସ୍ଥାରେ ବା ତା’ର ଲାଇସେନ୍ସ ରାଜ୍‌ ମାଧ୍ୟମରେ ସଂଗ୍ରହ କରୁଥିଲା ଏହିଭଳି ଅର୍ଥ।

ମନେହେଉଛି ଏ ସମସ୍ତ ଘଟଣା ପ୍ରବାହ ଭିତରେ ଗଣତନ୍ତ୍ର ତା’ର ସଂଜ୍ଞା ବଦଳାଉଛି। ‘ଡେମୋକ୍ରାସି’ ପରିଣତ ହୋଇଯାଇଛି ‘କ୍ରେମାକ୍ରାସି’ରେ। ଗ୍ରୀକ୍‌ ଭାଷାରେ କ୍ରେମାର ଅର୍ଥ ‘ଟଙ୍କାର ବ୍ୟବହାର’- କ୍ରାଟୋର ଅର୍ଥ ‘ଶାସନ କରିବା’।

କଳା ଟଙ୍କାର ଉଚ୍ଛୃଙ୍ଖଳ ପ୍ଳାବନ ଭିତରେ ଗଣତନ୍ତ୍ର ସତରେ କ’ଣ ତା’ର ଚରିତ୍ର ବଦଳାଇ ଚାଲିଛି, ସେଇ ଅଦୃଶ୍ୟ କୋଭିଡ୍‌ ଭୂତାଣୁ ପରି ? ଅର୍ଥ ବଳରେ ଦର୍ପିତ ଆସ୍ଫାଳନ ଓ ଆଡ଼ମ୍ବର ଭିତରେ ଏହାର ଶୁଚି ଓ ସୌନ୍ଦର୍ଯ୍ୟ ମିଳେଇ ଯାଉଛି ମରୁପ୍ରାନ୍ତରର ମରୁନଦୀ ପରି। ଦଳଗୁଡ଼ିକ ଭିତରେ କେବଳ ଗୋଟିଏ ଗୋଟିଏ ବ୍ୟକ୍ତିର ପୂଜା ଅହୋରାତ୍ର, ହାତରେ ଆରତି ଥାଳି ଧରି। ନିଜ ଭାଷଣର ବର୍ଣ୍ଣାଢ଼୍ୟ ପ୍ରଗଳ୍‌ଭତା ଭିତରେ ଏମାନେ କ’ଣ ସତରେ ବୁଝନ୍ତି ଅସହାୟ ମଣିଷର ଦୁଃଖ ଓ ବେଦନାର ଜ୍ବାଳା !

Comments are closed.