କୃତଜ୍ଞତା ହୃଦୟର ଅଳଙ୍କାର ଯା’ର

ଛନ୍ଦା ମିଶ୍ର

ଥିଲେ ଜଣେ ରାଜା। ତାଙ୍କର ଥିଲା ଗୋଟିଏ ଅଦ୍ଭୁତ ସଉକ। ଆବଦ୍ଧ କ୍ଷେତ୍ର ମଧ୍ୟରେ, ଭୋକିଲା ସିଂହ ଆଗରେ ବଳିଷ୍ଠ ଯୁବକଟିଏକୁ ଛାଡି ଦିଆଯାଏ। ଯୁବକଟି ଜୀବନ ପାଇଁ ଓ ସିଂହଟି ଖାଦ୍ୟ ପାଇଁ ସଂଗ୍ରାମ କରିବାର ଆଦିମ ଖେଳକୁ ବେଶ୍ ଉପଭୋଗ କରନ୍ତି ରାଜା ଆଉ ତାଙ୍କ ଅନୁଗାମୀ। ସବୁଥର ଭୋକିଲା ହିଂସ୍ର ଜନ୍ତୁର ମୁଖ ନିରୀହ, ନିରସ୍ତ୍ର ଯୁବକଟିର ରକ୍ତରେ ଭିଜି ଯାଏ। ମାତ୍ର ଦିନେ ହେଲା ଏହାର ବ୍ୟତିକ୍ରମ। ଡରିମରି ଛିଡା ହୋଇଥିବା ଯୁବକ ନିକଟକୁ ହିଂସ୍ର ସିଂହଟି ଆସି ପୋଷା ବିଲେଇ ପରି କଲା ଆଚରଣ। ମୃତ୍ୟୁ ଭୟରେ ଥରୁଥିବା ଯୁବକର ମନେ ପଡିଥିଲା ଘଟଣାଟିଏ। ସେତେବେଳେ ସେ ନୂଆ ନୂଆ ଶିକାର କରୁଥାଏ। ଏକଦା ଅରଣ୍ୟ ମଧ୍ୟରେ ଗୋଟିଏ ସିଂହର ବିକଳ ଚିତ୍କାର ଶୁଣି ସେ ଖୁବ୍ ସତର୍କତାର ସହ ସିଂହର ପଞ୍ଝାକୁ କ୍ଷତାକ୍ତ କରିଥିବା କଣ୍ଟାଟିକୁ କାଢି ଦେଇଥିଲା। ଆଜି ଏତେଦିନ ପରେ ପାଇଥିଲା ତା ସାହାଯ୍ୟର ପ୍ରତିଦାନ।

ଏ କାହାଣୀର ସତ୍ୟତା କେତେ ଜଣାନାହିଁ; ମାତ୍ର ପ୍ରତିଦିନ ଏହିପରି ଘଟଣାଗୁଡିକୁ ଆମେ ଭେଟୁ ନିଜ ପରିବେଶରେ। କେବେ ଇତିହାସ ପୃଷ୍ଠାରୁ ପଢ଼ୁ ରାଣା ପ୍ରତାପଙ୍କ ଘୋଡା ଚେତକର ମାଲିକଙ୍କ ପାଇଁ ଜୀବନ ବଳିଦାନର କଥା ତ ଆଉ କେବେ ବିଶ୍ୱସ୍ତ କୁକୁର ହାଚିକୋର ଉଦାହରଣୀୟ ପ୍ରଭୁ ଭକ୍ତିର କାହାଣୀ, ଯିଏ ମାଲିକଙ୍କ ମରିବା ବିଷୟରେ ଅବଗତ ନ ଥିବାରୁ, କ୍ରମାଗତ ନଅ ବର୍ଷ ଧରି ନିର୍ଦିଷ୍ଟ ସ୍ଥାନରେ ମାଲିକଙ୍କୁ ଅପେକ୍ଷା କରି ରହୁଥିଲା। ପଶୁମାନଙ୍କ ନିକଟରେ ଏହି ମହତ୍ ବିଶ୍ୱସନୀୟତା ଗୁଣଟି ସ୍ରଷ୍ଟା ଏପରି ଭରି ଦେଇଛନ୍ତି ଯେ, ଥରଟିଏ ସାହାଯ୍ୟ ବା ଆଦର ପାଇଥିବା ପ୍ରାଣୀଟି ତା’ ଶରୀରରେ ଜୀବନ ଥିବା ପର୍ଯ୍ୟନ୍ତ ବିଶ୍ୱାସଘାତକତା କରିପାରେ ନାହିଁ। ଅପରପକ୍ଷେ ଆତ୍ମଘୋଷିତ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ବିଶ୍ବାସରେ ବିଷ ମିଶାଇବାର କଳାଟିକୁ ବେଶ୍ ଭଲ ଭାବରେ କରିଛି ଆୟତ୍ତ। ପୁରାଣରୁ ନେଇ ଇତିହାସ ଯାକେ, କଥାରୁ ନେଇ କିମ୍ବଦନ୍ତୀ ପର୍ଯ୍ୟନ୍ତ ଏହି ଶ୍ରେଷ୍ଠ ବୋଲାଉଥିବା ପ୍ରାଣୀର ବିଶ୍ବାସଘାତକତାର ଅଜସ୍ର କାହାଣୀ ଭରି ରହିଛି।

ଠିକ୍ ଛାତ ଉପରକୁ ଉଠିଗଲା ପରେ ପାଦତଳେ ଥିବା ପାହାଚର ସାହାଯ୍ୟ ଭୁଲି ଗଲା ପରି, ସେ ଯାହାର ଖାଏ, ପ୍ରଥମେ ତାହାର କାଟେ। କେବଳ ସେଥିପାଇଁ ତ ବାପା ମା’ଙ୍କ ଅବଦାନକୁ ପୁତ୍ର ଭୁଲିଯାଏ। ଭାଇ ସାଜେ ଭଗାରି। ଭଉଣୀ ସାଜେ ସଉତୁଣୀ। ଯେଉଁ କାକାର କାନ୍ଧରେ ବସି ପୁତୁରାଟି ଦିନେ ଦୁନିଆ ଦେଖିଥିଲା, ନିଜ ଗୋଡକୁ ଶକ୍ତ କରିଥିଲା, କାମ ସରିଲାପରେ ପୁତୁରା ଆଉ ସେ କାକାକୁ ଚିହ୍ନି ପାରେନା। ମୁନିବର ଲୁଣ ଖାଇଥିବା ଭୃତ୍ୟଟି ତା’ର ଗୁଣ ଗାଇବା ଛାଡ଼ି ତାକୁ ହାଣ ମୁହଁକୁ ଠେଲିବାକୁ ପଛାଏନା।

prayash

ବୋଧହୁଏ କେବଳ ମଣିଷ ନିକଟରେ ହିଁ ଏପରି କୃତଘ୍ନତା ଦେଖାଯାଏ। ସେଥିପାଇଁ କିଏ ଜଣେ କହିଥିଲେ, ମଣିଷ ଚାରା ରୋଇବ ନାହିଁ! ଥରେ ଆଚାର୍ଯ୍ୟ ହରିହରଙ୍କୁ ପରିଚିତ ଜଣେ କହିଲେ, ଆଜ୍ଞା, ଆପଣଙ୍କ ବିଷୟରେ ସେ ଅମୁକ ବ୍ୟକ୍ତି ଖୁବ୍ ନିନ୍ଦା କରୁଥିଲା। ସ୍ବଭାବ ସୁଲଭ ଢଙ୍ଗରେ ଆଚାର୍ଯ୍ୟ ଆପଣେ ସ୍ମିତ ହସି କହିଥିଲେ, “କାଇଁ ମୋର ତ ମନେ ପଡୁନି ତାକୁ କେବେ ସାହାଯ୍ୟ କରି ଥିବାର”।

କେତେ ଆଶ୍ଚର୍ଯ୍ୟର କଥା ସତେ! ଯାହାକୁ ସାହାଯ୍ୟ କରିବା ତା’ ନିକଟରୁ କୃତଜ୍ଞତା ପାଇବା ଦୂରେ ଥାଉ, ବରଂ ପାଇବା କୃତଘ୍ନତା! ଏଇ କ’ଣ ମାନବିକତା! ଏହାର ନାମ କ’ଣ ମଣିଷପଣିଆ! ପରମ ଶାସ୍ତ୍ର କୁହନ୍ତି, ‘ସର୍ପ କୂଳରେ କଲୁ ଜାତ, ସ୍ବଭାବ ଛାଡ଼ିବି କେମନ୍ତ!’ ସତରେ ଯିଏ ଯେଉଁ ଗ୍ରହ ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଜନ୍ମ ହୋଇଛି, ଈଶ୍ବର ତାହାକୁ ଯେଉଁ ସ୍ବଭାବ ଓ ସଂସ୍କାର ଦେଇଛନ୍ତି ତା’ଠାରୁ ସେ ଭିନ୍ନ ହେବ କିପରି ଯେ। ସେଥିପାଇଁ ତ କିଛି ସନ୍ଥ ସ୍ବଭାବଧାରୀ ବାରମ୍ବାର ବିଶ୍ୱାସଘାତକତାର ସମ୍ମୁଖୀନ ହୋଇଥିଲେ ବି ନିଜ ସାଧୁ ସ୍ବଭାବ ଓ ସାହାଯ୍ୟ କରିବାର ମାନସିକତାକୁ ଛାଡି ପାରନ୍ତି ନାହିଁ।

ସାଧୁ, ନଦୀରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଆଞ୍ଜୁଳିରେ ଜଳ ତର୍ପଣ କରୁଥିଲେ। ଆଖିରେ ପଡିଲା ନଦୀ ଜଳରେ ଛଟପଟ ହେଉଥିବା ବିଷାକ୍ତ ବିଛାଟିଏ। ସେ ତାକୁ ଟେକି ବାହାରକୁ ଆଣିଲା ବେଳକୁ ସେ ଦଂଶନ କଲା। ସାଧୁ ହାତ ଛାଟି ଦେଲେ। ସେ ପାଣିରେ ପଡିଗଲା। ପୁଣି ସାଧୁ ତାକୁ ଉଠାଇ ଆଣିଲେ। ସେ ପୁଣି ଦଂଶିଲା। ଏହି ପ୍ରକ୍ରିୟା ଚାଲିଲା ପ୍ରାୟ ପନ୍ଦର ଥର। ଶେଷରେ ପାଣିରୁ ବିଛାଟିକୁ ଛାଣି ଆଣିବାରେ ସାଧୁ ହେଲେ ସଫଳ। ନିକଟରେ ଛିଡା ହୋଇ ଥିବା ଶିଷ୍ୟଟି ପଚାରିଲା, ଗୁରୁଜୀ, ଆପଣ ଏତେ କଷ୍ଟ ସହିବା କ’ଣ ଦରକାର ଥିଲା? ସନ୍ନ୍ୟାସୀ ତାଙ୍କ ଉଦାର ହୃଦୟର ପରିଚୟ ଦେଇ ରଖିଲେ ଉତ୍ତର “ବିଛାଟି ନିଜ ସ୍ବଭାବ ଛାଡି ପାରିଲାନାହିଁ, ମୁଁ ମୋର ସ୍ବଭାବ ଛାଡ଼ିବି କିପରି!”
ତେବେ ମଣିଷ ଶରୀର ଧାରଣ କରି ଜନ୍ମ ହୋଇଗଲେ, ସ୍ବଭାବରେ ଯେ ମାନବିକତା ଆସିଯିବ ଏପରି କୌଣସି ନିୟମ ନାହିଁ। ସଚ୍ଚା ମନୁଷ୍ୟ ତ ସିଏ ଯିଏ ସାହାଯ୍ୟ ପାଇ, କୃତଜ୍ଞତାରେ ମୁଣ୍ଡ ନୁଆଁଇ ଦିଏ। ୨୦୧୦ର କଥା। ଆନ୍ଧ୍ରପ୍ରଦେଶର ଭାଇଭଉଣୀ ପ୍ରଣବ ଓ ସୂଚିତା ସମୁଦ୍ର କୂଳରେ ବୁଲୁବୁଲୁ ବାଦାମ ଖାଇବା ପାଇଁ ବାପାଙ୍କ ନିକଟରେ ଅଳି କଲେ। ବାପା ପଚିଶଟଙ୍କାର ବାଦାମ କିଣି ପିଲାଙ୍କ ହାତରେ ଧରାଇ ଦେଇ ପଇସା ଦେବାପାଇଁ ପକେଟ ଅଣ୍ଡାଳି ହେଲେ ନିରାଶ। ସେ ଘରେ ପର୍ସଟି ଛାଡି ଆସିଥିଲେ। ତେବେ ବାଦାମ ବିକାଳିଙ୍କ ଫଟୋ ଉଠାଇବା ସହ କଥା ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ଆଣି ପଇସା ଦେଇଯିବେ ବୋଲି। ମାତ୍ର ପରିସ୍ଥିତି ତାଙ୍କୁ ନିଜ କଥା ରଖିବା ପାଇଁ ସମୟ ସହଯୋଗ କଲା ନାହିଁ। ସେ ପ୍ରବାସୀ ଭାରତୀୟ ହୋଇ ଥିବାରୁ ତାଙ୍କୁ ତୁରନ୍ତ ଆମେରିକା ଫେରିବାକୁ ହେଲା। ଏବେ ଋଣ ପରିଶୋଧ କରିବାର ପାଳି ଥିଲା ପିଲାମାନଙ୍କର। ସେମାନେ ଏଗାର ବର୍ଷ ପରେ ଆସି ସାମାଜିକ ଗଣମାଧ୍ୟମ ସହାୟତାରେ ସେହି ବାଦାମ ବିକାଳି ସତ୍ୟାଙ୍କୁ ଖୋଜିଲେ। ପରେ ସେ ଇହଧାମ ତ୍ୟାଗ କଲେଣି ଜାଣି, ତାଙ୍କ ପରିବାରକୁ ପଚିଶହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହା ହିଁ ତ ମଣିଷପଣିଆ, ସାହାଯ୍ୟ କରିଥିଲେ ଭୁଲିଯିବା ଓ ସାହାଯ୍ୟ ପାଇଥିଲେ ମନେ ରଖିବା। କୃତଜ୍ଞତା, ସାଧାରଣ ମଣିଷକୁ ଦେବ ତୁଲ୍ୟ କରାଏ। ଆଜି ମାନବିକତାର ମରୁଡି ପଡିଥିଲାବେଳେ, ଏହିପରି ଘଟଣାଟି ଗୋଟିଏ ପ୍ରେରଣାଦାୟୀ ଆଶ୍ୱାସନା ନୁହେଁ କି!

kalyan agarbati

Comments are closed.