ବିଜାତୀୟ ଅଙ୍ଗ ପ୍ରତିରୋପଣ: ସୋପାନ ଓ ସଫଳତା

ପ୍ରଭାସ ଆଚାର୍ଯ୍ୟ, ଅଧ୍ୟକ୍ଷ, ଭାରତ ଶରୀର ଓ ଅଙ୍ଗଦାନ ସମିତି

‘‘ଆଜ୍ଞା ମୋ ସ୍ବାମୀଙ୍କର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। ଏକ ପ୍ରକାର ସେ ମୃତ୍ୟୁଶଯ୍ୟାରେ। ଦୁଇଟି ଛୋଟ ଛୋଟ ପିଲା। ସେ ଏକମାତ୍ର ରୋଜଗାରିଆ ମଣିଷ। ଯେବେଠାରୁ ସେ ଶେଯ ଧରିଲେଣି ଘରେ ବହୁତ ଅସୁବିଧା। ପିଲାଙ୍କ ସ୍କୁଲ ଫିସ୍‌ ଦବା ତ ଦୂରର କଥା, ଦୁଇ ବେଳା ଖାଇବାକୁ କି ଔଷଧ କିଣିବାକୁ ମଧ୍ୟ ସମ୍ବଳ ନାହିଁ। ଆପଣ ଟିକେ ଦୟା କରନ୍ତୁ। ଗୋଟିଏ କିଡ୍‌ନୀ ଯୋଗାଡ଼ କରିଦିଅନ୍ତୁ। ଡାକ୍ତର କହିଲେ, ଡାଇଲିସିସ୍‌ରେ ଆଉ ବେଶିଦିନ ଚଳିବ ନାହିଁ।’’ -ଏହା କୌଣସି ଚଳଚ୍ଚିତ୍ର ବା ଧାରାବାହିକର ସଂଳାପ ନୁହେଁ। ପ୍ରାୟତଃ ପ୍ରତ୍ୟେକ ଦିନ ଆମେ ପାଉଥିବା ଏପରି ଟେଲିଫୋନର ଏହା ଗୋଟିଏ ଉଦାହରଣ। କାହାର ସ୍ବାମୀ, କାହାର ସ୍ତ୍ରୀ, କାହାର ବାପା, ମାଆ ବା ପୁତ୍ର କନ୍ୟା ଅଙ୍ଗହାନି ଯୋଗୁଁ ମୁମୂର୍ଷୁ ଅବସ୍ଥାରେ। କିଡ୍‌ନୀ ବା ବୃକ୍କଠାରୁ ଆରମ୍ଭ କରି ଯକୃତ, ଫୁସ୍‌ଫୁସ୍‌, ହୃତପିଣ୍ଡ, ଅଗ୍ନ୍ୟାଶୟ, କ୍ଷୁଦ୍ରାନ୍ତ୍ର ଭଳି ଅଙ୍ଗ ଅସୁସ୍ଥଜନିତ ରୋଗୀମାନେ ଭାରତବର୍ଷରେ ଲକ୍ଷଲକ୍ଷ ସଂଖ୍ୟାରେ ଅଙ୍ଗ ଅପେକ୍ଷାରେ ରହି ପ୍ରତ୍ୟେକ ଦିନ ସେମାନଙ୍କ ଭିତରୁ ଅନେକ ମୃତ୍ୟୁବରଣ କରୁଛନ୍ତି। କେବଳ ଅସମ୍ପୂର୍ଣ୍ଣ ତଥ୍ୟରୁ ଯାହା ଜଣାପଡ଼େ ପ୍ରତ୍ୟେକ ୯ ମିନିଟ୍‌ରେ ଆମ ଦେଶରେ ଜଣେ ଲୋକ ଅଙ୍ଗ ଅପେକ୍ଷାରତ ତାଲିକା‌େର ଯୋଡ଼ି ହେଉଥିବା ବେଳେ ପ୍ରତ୍ୟେକ ଦିନ ୧୭ଜଣ ବ୍ୟକ୍ତି ଅସମୟରେ ଅଙ୍ଗହାନି କାରଣରୁ ମୃତ୍ୟୁବରଣ କରନ୍ତି। ଏମାନଙ୍କ ଭିତରେ ପରିବାର ପ୍ରତିପୋଷଣ କରୁଥିବା ପୁରୁଷ ବା ମହିଳାଠାରୁ ଆରମ୍ଭ କରି ରାଷ୍ଟ୍ର ନିର୍ମାଣରେ ପ୍ରମୁଖ କାଣ୍ଡାରି ସାଜିଥିବା ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଶିକ୍ଷକ, କୃଷକ, ସୈନିକ, ପ୍ରଶାସକ ଓ ଅନ୍ୟ ବହୁ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ବିୟୋଗ ଦେଶ ପାଇଁ ଏକ ବିରାଟ କ୍ଷତି।

ବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସମୟ ପର୍ଯ୍ୟନ୍ତ ଅଙ୍ଗ ରୋଗଗ୍ରସ୍ତ ହୋଇ ସୁସ୍ଥ ନ ହୋଇପାରିଲେ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ମନୁଷ୍ୟ ସମାଜ ଧରି ନେଇଥିଲା। ଭାରତୀୟ ପୁରାଣ ତଥା ଗ୍ରୀସର କିମ୍ବଦନ୍ତୀରେ ହିଁ ରହିଥିଲା ମନୁଷ୍ୟ ଶରୀରର ଅଙ୍ଗ ପ୍ରତିରୋପଣର କଥା ଓ କାହାଣୀ। ଏଗୁଡ଼ିକ ପରୀ ରାଇଜର କାହାଣୀ ବା ଆଈମା’ଙ୍କ ଗପପେଡ଼ିର ସୁପରିକଳ୍ପିତ ଗଳ୍ପ ଭାବରେ ଲୋକେ ଗ୍ରହଣ କରୁଥିଲେ ସତ, କିନ୍ତୁ ବିଶ୍ବାସ ବାହାରେ ଥିଲା ଯେ ମୃତ ମନୁଷ୍ୟର ଅଙ୍ଗ ଉଦ୍ଧାର କରାଯାଇ ଏପରି କିଛି ଅଲୌକିକ କାର୍ଯ୍ୟକୁ ମନୁଷ୍ୟ ସମ୍ଭବ କରିଦେଇପାରେ। ବିଂଶ ଶତାବ୍ଦୀର ଅ‌େର୍ଦ୍ଧକ ସମୟ ଭିତରେ ମାନବ ସମାଜରେ ଚର୍ମ ଓ ସ୍ବଚ୍ଛପଟଳ ବା ଚକ୍ଷୁର କର୍ଣ୍ଣିଆ ପ୍ରତିରୋପଣ ସମ୍ଭବ ହୋଇଥିଲା। ତେବେ ୧୯୫୦ ମସିହା ବେଳକୁ ଦୁଇଟି ବୃକ୍କ ଭିତରୁ ସୁସ୍ଥ ମଣିଷକୁ ଗୋଟିଏ ବୃକ୍କରେ ବଞ୍ଚାଇ ରଖି ଅନ୍ୟଟି ଜଣକୁ ଦାନ କରିବାର ପରୀକ୍ଷା ସାମୟିକ ସଫଳତା ପାଇଲା। ତେବେ ଏହା ସହିତ ନୈତିକତାର ପ୍ରଶ୍ନ ଜଡ଼ିତ ହୋଇପଡ଼ିଲା ଯେ, ଜ​‌େ​‌ଣ ଅସୁସ୍ଥ ରୋଗୀର ଉପଶମ ପାଇଁ ଜଣେ ସୁସ୍ଥ ଲୋକକୁ ବିପଦକୁ ଠେଲି ଦିଆଯିବା କେତେ ଦୂର ଯୁକ୍ତିସଙ୍ଗତ?

ଅଙ୍ଗ ପ୍ରତିରୋପଣର ପ୍ରାରମ୍ଭିକ ସମୟ‌େର ଯେଉଁ ବିଷୟଟି ବୈଜ୍ଞାନିକ/ଡାକ୍ତରଙ୍କ ସାମ୍ନାରେ ଆହ୍ବାନ ଭାବରେ ଠିଆ ହୋଇଥିଲା, ତା’ ହେଉଛି ଶରୀରର ପ୍ରତିରୋଧକ ଶକ୍ତି ଦ୍ବାରା ରୋପିତ ଅଙ୍ଗକୁ ପ୍ରତ୍ୟାଖ୍ୟାନ। ଶରୀରର ତନ୍ତୁଗୁଡ଼ିକ ବାହ୍ୟଅଙ୍ଗରୁ ଆଗତ ତନ୍ତୁ ଓ ଅଙ୍ଗକୁ ପ୍ରତିରୋଧ କରିବା ଯୋଗୁଁ ପ୍ରତିରୋପିତ ରୋଗୀର ମୃତ୍ୟୁ ଚିନ୍ତାଜନକ ବିଷୟ ଥିଲା। ୧୯୬୦ରେ ନୋବେଲ ପୁରସ୍କାର ପ୍ରାପ୍ତ ପିଟର ମେଡାୱାର ଥିଲେ ଜଣେ ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର। ମେଡାୱାର ଯେତେବେଳେ ଯୁଦ୍ଧରେ ଆହତ ସୈନିକମାନଙ୍କ ଶରୀରରେ ଅନ୍ୟ ବ୍ୟକ୍ତିଠାରୁ ଆଣି କ୍ଷତ ଉପରେ ଚର୍ମ ରୋପଣ କରନ୍ତି ତ ତାହା କ୍ଷତାକ୍ତ ସୈନିକ ଶରୀର ଗ୍ରହଣ କରେ ନାହିଁ। ଏହା ତାଙ୍କ ମନରେ କୌତୂହଳ ସୃଷ୍ଟି କଲା। କୁକୁଡ଼ାର ଚର୍ମ ନେଇ ସେ ବହୁ ପରୀକ୍ଷା ନିରୀକ୍ଷା ପରେ ହିଁ ଜାଣିଲେ ଯେ, ଏହା ଶରୀରର ଏକ ସକାରାତ୍ମକ ପ୍ରତିକ୍ରିୟା ଏବଂ ଏହି ପ୍ରତିକ୍ରିୟାକୁ ପ୍ରତିହତ ନ କରିପାରିଲେ ମନୁଷ୍ୟ ଶରୀରରେ ଅଙ୍ଗ ପ୍ରତିରୋପଣ ଅସମ୍ଭବ ବୋଲି ସେ ସିଦ୍ଧାନ୍ତରେ ଉପନୀତ ହେଲେ।

ବୈଜ୍ଞାନିକଙ୍କ ମଧ୍ୟରେ ଏପରି ଏକ ଜଟିଳ ସମସ୍ୟାର ସନ୍ଧିକ୍ଷଣରେ ୧୯୫୪ରେ ବୋଷ୍ଟନର ପିଟର ବେଣ୍ଟ ବିଗହାମ ଡାକ୍ତରଖାନାରେ ଏକ ବିସ୍ମୟକର ଘଟଣା ଘଟିଲା। ଏହା ଥିଲା ବିଶ୍ବ ଇତିହାସରେ ଏକ ନୂଆ ଅଧ୍ୟାୟ। ସେ ପର୍ଯ୍ୟନ୍ତ ଅସମ୍ଭବ ମନେ ହେଉଥିବା ଅଙ୍ଗ ପ୍ରତିରୋପଣ ସଫଳ ହୋଇଥିଲା ରିଚାର୍ଡ ମୁରେଙ୍କ ଶରୀରରେ। ଡାକ୍ତର ଯୋଶେଫ ମୁରେଙ୍କ ଦୁଇପୁତ୍ର ରିଚାର୍ଡ ଓ ରୋନାଲଡ। ସେମାନେ ଥିଲେ ଯମଜ ସନ୍ତାନ। ରିଚାର୍ଡ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିବାବେଳେ ରୋନାଲଡଙ୍କ ଗୋଟିଏ କିଡ୍‌ନୀ ନିଆଯାଇ ସଫଳତାର ସହ ରୋପିତ ହୋଇଥିଲା ରିଚାର୍ଡଙ୍କ ଶରୀରରେ। ବଡ଼ କଥା ହେଲା ଯେ, ରିଚାର୍ଡଙ୍କ ଶରୀର ଏହାକୁ ଅଗ୍ରାହ୍ୟ କରିନଥିଲା। କିନ୍ତୁ ଏହା ସମ୍ଭବ ହେଲା ଯେହେତୁ ସେମାନେ ଯମଜ ଥିଲେ ଓ ସେମାନଙ୍କ ତନ୍ତୁରେ ସାମ୍ୟତା ଥିଲା। ଦୁଇ ଭିନ୍ନ ବ୍ୟକ୍ତିଙ୍କ ଶରୀରରେ ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସଫଳତା ପାଇଁ ଚାଲୁ ରହିଲା ବୈଜ୍ଞାନିକ ଗବେଷଣା। ଅଙ୍ଗ ଗ୍ରହୀତାଙ୍କ ସମଗ୍ର ଶରୀରରେ ଏକ୍ସରେ କରାଯାଇ ପ୍ରତିରୋଧକ ଶକ୍ତିକୁ ପରାସ୍ତ କରାଯାଇ ମଧ୍ୟ ପ୍ରତିରୋପଣ ପରୀକ୍ଷା କରାଗଲା। ଏଥିରେ ଅଙ୍ଗ ପ୍ରତିରୋପଣ ସିନା ସମ୍ଭବ ହେଲା, କିନ୍ତୁ ଏକ୍ସରେ ପ୍ରଭାବରେ ‌େରାଗୀର ଶରୀର ବିଷାକ୍ତ ହୋଇ ସେ ମୃତ୍ୟୁବରଣ କଲା। ଧୀରେ ଧୀରେ ଔଷଧ ପ୍ରୟୋଗ କରି ଶରୀରର ପ୍ରତିରୋଧକ ଶକ୍ତିକୁ ସାମୟିକ ନୀରବ କରିବାର ପରୀକ୍ଷା ଚାଲିଲା। ୧୯୬୦ରେ ପିଟର ମେଡାୱାର ଉଦ୍ଭାବନ କଲେ ‘ଟିସୁ ଟାଇପିଙ୍ଗ’ ବ୍ୟବସ୍ଥା ଯାହାଦ୍ବାରା ଆହୁରି ସଫଳ ହୋଇପାରିଲା ଅଙ୍ଗ ପ୍ରତିରୋପଣ କାର୍ଯ୍ୟ। ଟିସୁ ଟାଇପିଙ୍ଗ ଏକ ଏପରି ପ୍ରକ୍ରିୟା ଯାହା ଦ୍ବାରା ଦାତା ଓ ଗ୍ରହୀତାଙ୍କ ତନ୍ତୁକୁ ପରୀକ୍ଷା କରି ଉପଯୋଗିତା ମପାଯାଏ ଓ ଯଦି ସେମାନଙ୍କ ଅଙ୍ଗ ଉପଯୋଗୀ ହୁଏ, ତା’ହେଲେ ହିଁ ଅଙ୍ଗ ପ୍ରତିରୋପଣ କରାଯାଏ।

ବିଗତ ଦିନଗୁଡ଼ିକରେ ଆହୁରି ବହୁ ପରୀକ୍ଷାନିରୀକ୍ଷା ଓ ଗବେଷଣା ଫଳରେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଜୀବିତ ଓ ମସ୍ତିଷ୍କ ମୃତ୍ୟୁ ପ​ରେ ଅଙ୍ଗୋଦ୍ଧାର ଓ ପ୍ରତିରୋପଣ ହୋଇ ପାରୁଥିଲା। କିନ୍ତୁ ଉପଲବ୍ଧ ଅଙ୍ଗ ଓ ଅଙ୍ଗ ଆବଶ୍ୟକତା ଭିତରେ ଆକାଶ ପାତାଳ ଅସମାନତା ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ଏ ଦିଗରେ ଅଧିକ ପ୍ରେରିତ କରିଛି କୃତ୍ରିମ ଅଙ୍ଗ ତଥା ଅନ୍ୟ ଜୀବଙ୍କର ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଗବେଷଣା ପାଇଁ।

୨୦୨୨ ଜାନୁଆରୀ ୧୦ ତାରିଖ ଦିନ ବାଲ୍ଟିମୋରଠାରେ ମେରିଲାଣ୍ଡ ବିଶ୍ବବିଦ୍ୟାଳୟର ହୃଦ୍‌ଯନ୍ତ୍ର ପ୍ରତିରୋପଣ ବିଭାଗର ନି‌େର୍ଦଶକ ବାର୍ଟଲେ ଗ୍ରିଫିଥ ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଆନୁବଂଶିକ ରୂପାନ୍ତରିତ (ଜେନେଟିକାଲ ମୋଡିଫାଏଡ) ଏକ ଘୁଷୁରିର ହୃଦ୍‌ଯନ୍ତ୍ର ପ୍ରତିରୋପିତ କରି ବିଶ୍ବରେ ଇତିହାସ ସୃଷ୍ଟି କରିଛନ୍ତି। ଏହି ବିସ୍ମୟକର ଅ‌େସ୍ତ୍ରାପଚାର ସମଗ୍ର ପୃଥିବୀର କୋଟି କୋଟି ଅଙ୍ଗ ଆଶାୟୀ ରୋଗୀଙ୍କ ମନରେ ଆଶାର ନୂଆ ସୂର୍ଯ୍ୟାଲୋକ ଆଣି ଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୮ ଘଣ୍ଟାର ଏହି ଅ‌େସ୍ତ୍ରାପଚାର ପରେ ଏ ପର୍ଯ୍ୟନ୍ତ ଜୀବିତ ରହିଛନ୍ତି ପ୍ରତ୍ୟାରୋପିତ ବ୍ୟକ୍ତି ଡେଭିଡ ବେନେଟ୍‌। ଡେଭିଡ୍‌ ବେନେଟ ଯେହେତୁ ମୃତ୍ୟୁର ସମୀପବର୍ତ୍ତୀ ଥିଲେ ଓ ବଞ୍ଚିବାର ସମସ୍ତ ଆଶା ଲିଭିଲିଭି ଆସୁଥିଲା, ସେ ଏହି ପରୀକ୍ଷା ପାଇଁ ଆଗେଇ ଆସିଲେ। ପ୍ରତିରୋପଣ ପରେ ସେ କହିଛନ୍ତି ଯେ ‘ମୃତ୍ୟୁ ବା ଘୁଷୁରି ହୃତ୍‌ପିଣ୍ଡର ପ୍ରତିରୋପଣ’ ଭିତରୁ ସେ ପ୍ରତିରୋପଣକୁ ନିର୍ଣ୍ଣୟ କଲେ, କାରଣ ବଞ୍ଚିବାର ଦୁର୍ବାର ଆଶା ତାଙ୍କୁ ସେଇ ଆହ୍ବାନ ଦେଲା। ସେ ଜାଣିଥିଲେ ଏହା ଅନିଶ୍ଚିତ, କିନ୍ତୁ ତାଙ୍କର ଅନ୍ୟ ଚାରା ମଧ୍ୟ ନ ଥିଲା।

ଏପରି ପ୍ରତିରୋପଣ ବିଶ୍ବରେ ସମ୍ପୂର୍ଣ୍ଣ ନୂତନ ନୁହେଁ। ଜୀବଜନ୍ତୁଙ୍କ ଅଙ୍ଗ ଆଣି ମନୁଷ୍ୟ ଶରୀରରେ ପ୍ରତିରୋପଣ କରିବାର ଏହି ପ୍ରକ୍ରିୟାକୁ ‘ଜିନୋଟ୍ରାନସପ୍ଲାଣ୍ଟେସନ’ ବା ‘ବିଜାତୀୟ ପ୍ରତିରୋପଣ’ କୁହାଯାଏ। ଶହେ ବର୍ଷ ତଳେ ମଧ୍ୟ ଜୀବଜନ୍ତୁଙ୍କ ରକ୍ତ, ଚର୍ମ ଆଣି ମନୁଷ୍ୟ ଶରୀରରେ ପ୍ରୟୋଗର ପରୀକ୍ଷା କରାଯାଇଛି। ତେବେ ସେଗୁଡ଼ିକ ସେପରି ସଫଳତା ପାଇନଥିଲା। ୧୯୬୦ରେ ସିମ୍ପାଞ୍ଜିର ବୃକ୍କ ଆଣି ମନୁଷ୍ୟ ଶରୀରରେ ପ୍ରତିରୋପିତ ହୋଇଥିଲା ଓ ସେଥିରେ ପ୍ରତିରୋପିତ ବ୍ୟକ୍ତି ୯ ମାସ ବଞ୍ଚିଥିଲେ। ୧୯୮୩ରେ ଏକ ବବୁନ୍‌ର ହୃଦ୍‌ଯନ୍ତ୍ର ଆଣି ଜଣେ କୁନି ଝିଅର ଶରୀରରେ ପ୍ରତିରୋପିତ ହୋଇଥିଲା; କିନ୍ତୁ ସେ ୨୦ ଦିନ ପରେ ମୃତ୍ୟୁ ଲାଭ କରିଥିଲା। ଘୁଷୁରିର ଅଙ୍ଗ ମନୁଷ୍ୟ ଶରୀରରେ ଅଧିକ ଉପଯୋଗୀ ହେବାର କେତେକ କାରଣ ରହିଥିବାରୁ ବାର୍ଟ‌େଲଙ୍କ ଏହି ଉଦ୍ଭାବନ କିନ୍ତୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ଆଲୋକ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଜିନ୍‌ ଏଡିଟିଂ ଓ କ୍ଲୋନିଂ ମାଧ୍ୟମରେ ଆନୁବଂଶିକ ରୂପାନ୍ତରଣ କରାଯାଇଥିବାରୁ ଏହା ଅଧିକ ଉପଯୋଗୀ ବୋଲି ଗ୍ରହଣ କରାଯାଉଛି।

୧୯୮୮ରେ ଡେଭିଡ୍‌ ବେନେଟ୍‌ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରି ୧୦ ବର୍ଷ ଜେଲ ସଜା ଭୋଗ କରିଥିଲେ ଓ ଏଥିରେ ଗୁରୁତର ଆହତ ହୋଇଥିବା ଏଡ୍‌ୱାର୍ଡ ସୁମାକର ୧୯ ବର୍ଷ ଧରି ହୁଇଲ ଚେଆରରେ ଜୀବନ ବିତାଇ ମୃତ୍ୟୁବରଣ କରିଥିଲେ। ଏପରି ଜଣେ ଆତତାୟୀଙ୍କୁ କାହିଁକି ନୂଆ ଜୀବନ ଦିଆଗଲା ବୋଲି ତାଙ୍କ ପରିବାର ସମେତ ଆମେରିକାର ଅନେକ ଗୋଷ୍ଠୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଏପରି ଏକ ପରୀକ୍ଷା ପାଇଁ ଡାକ୍ତରଙ୍କୁ ସୁଯୋଗ ଦେଇ ସେ ମଧ୍ୟ କିଛି କମ୍‌ କରିନାହାନ୍ତି ବୋଲି ବିପକ୍ଷ ଉତ୍ତର ଦେଇଛନ୍ତି।

ଏହି ଅସ୍ତ୍ରୋପଚାରର ସଫଳତା ପରେ ମନୁଷ୍ୟ ସମାଜର ଶତ କ୍ରୂରତା ଓ ପାଶବିକତା ପରେ ମଧ୍ୟ ମନୁଷ୍ୟ ଉପରେ ଐଶ୍ବରିକ ଆଶୀର୍ବାଦ ଅଛି ବୋଲି ବିଶ୍ବାସ ଦୃଢ଼ୀଭୂତ ହେଉଛି।

Comments are closed.