
ଭାତ-ଲୁଗାର ଭାବ-ଅଭାବ
ଶରତ ଚନ୍ଦ୍ର ଶତପଥୀ

ସଂସାରର ସବୁ ସୁଖଦୁଃଖ, ବାଦ ବିସମ୍ବାଦ, ଯଥା: ସାମ୍ରାଜ୍ୟ, ସଭ୍ୟତାର ଲୟ ବିଲୟ, ଅସୁମାରୀ ତତ୍ତ୍ବ, ଆଦର୍ଶମାନଙ୍କର ଜଳ ବୁଦ୍ବୁଦ୍ ପରି ଆବିର୍ଭାବ ଓ ଅନ୍ତର୍ଦ୍ଧାନ ଯୁଦ୍ଧର ଆବର୍ତ୍ତ ଓ ଶାନ୍ତିପର୍ବର ସ୍ନେହସ୍ପର୍ଶ, ଏସବୁର ଏକମାତ୍ର ଉତ୍ସହେଲା ‘କ୍ଷୁଧା’, କେବଳ ‘କ୍ଷୁଧା’। ଏହି ଶବ୍ଦ ଏଠାରେ ସଙ୍କେତଧର୍ମୀ ନୁହେଁ, ଏହା ଏକ ନିଷ୍ଠୁର ସତ୍ୟର ଅର୍ଥବୋଧକ ଶବ୍ଦ। କ୍ଷୁଧାତୁର ବ୍ୟକ୍ତି ଆଦର୍ଶର ଜଳାଞ୍ଜଳି ଦେଇପାରେ। ପାପପୁଣ୍ୟର ସଂଜ୍ଞା ଭୁଲିଯାଏ; କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା ‘କ୍ଷୁଧା’ ଯଦି ଅପସରି ଯାଏ ତେବେ ମାନବ ସଭ୍ୟତା ଏକ ବିଷାଦଗ୍ରସ୍ତ ସ୍ଥାଣୁତ୍ବରେ ପରିଣତ ହେବା ଅବଶ୍ୟମ୍ଭାବୀ। ‘କ୍ଷୁଧା’ର ଅନଳ ନିର୍ବାପିତ ହେଲେ ମାନବ ସଭ୍ୟତାର ଯେଉଁ ହିମଶୀତଳ ପର୍ବ ଆରମ୍ଭ ହେବ, ସେଥିରୁ କୌଣସି ଜୀବନ ସତ୍ତା ମୁକ୍ତ ରହିବ, ଏପରି ଚିନ୍ତା କରାଯାଇନପାରେ; କିନ୍ତୁ ଚିରକାଳ ଧରି ‘କ୍ଷୁଧା’କୁ ନିୟନ୍ତ୍ରଣ କରିବାର ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ଏଥିନିମିତ୍ତ ଦୁଇଟି ପଦ୍ଧତି ପ୍ରୟୋଗ କରାଯାଇଥାଏ: ନିଗ୍ରହ ଅଥବା ଆଗ୍ରହ, ପରିହାର କିମ୍ବା ପରିପୁଷ୍ଟି। ‘କ୍ଷୁଧାର’ ସାର୍ବଜନୀନ ସରଳ ପରିଭାଷା ହେଲା ଭାତ ଲୁଗାର ଅଭାବ। ଶବ୍ଦ ସରଳ କିନ୍ତୁ ଅର୍ଥ ଗହଳ। ପ୍ରଥମେ ‘ନିଗ୍ରହ’ ବା ‘ପରିହାର’ କଥା ଚିନ୍ତା କରାଯାଉ। ଆମ ଶାସ୍ତ୍ର ପୁରାଣରେ ଜୀବନ ବଞ୍ଚିବା ସମ୍ବନ୍ଧରେ, ‘ଆତ୍ମା ଅମର ଦେହ ନଶ୍ବର’,‘ଜୀବନ ପଦ୍ମପତ୍ରେ ନୀର’, ‘ଆତ୍ମାପୁରୁଷ ଏକ ବନ୍ଧନମୁକ୍ତ ଅନୁବନ୍ଧନ’ ଭଳି ବହୁ ଦାର୍ଶନିକ ଚିନ୍ତାଧାରାର ଉଲ୍ଲେଖ ରହିଛି। ଏସବୁରେ ପ୍ରକାଶିତ ସତ୍ୟ ଗଭୀର ଜୀବନବୋଧ ତଥା ଦିବ୍ୟ ଅନୁଭୂତିରୁ ଏବଂ ସନ୍ମାର୍ଗଦର୍ଶୀ ମାନକ ରୂପେ ଗ୍ରହଣ କରାଯାଇଛି; କିନ୍ତୁ ଏହାର ବୋଧଗମ୍ୟତା ତଥା ପରିପାଳନ ବହୁଧା ସାଧାରଣ ମଣିଷର ବୁଦ୍ଧିଜ୍ଞାନ ପରିସର ଊର୍ଦ୍ଧ୍ବରେ। ପରିସ୍ଥିତି, ପରିବେଶ ଏବଂ ପେଟର ଜ୍ବାଳା, ସ୍ବପ୍ନର ସହରକୁ ଅଚିରେ ଲଙ୍କାଦହନ କରିଦିଏ।
କାହାଣୀଟିଏ ମନକୁ ଆସୁଛି। ଜଣେ ସାଧୁ ଖଣ୍ଡେ କାଉଁରି ପଥର ଛୁଆଁଇ ମାଟିଗୋଡ଼ିକୁ ସୁନା କରିପାରୁଥିଲେ। ଜଣେ ଲୋଭଗ୍ରସ୍ତ ମଣିଷ ଆପଣାର ସୁବର୍ଣ୍ଣ ଖଣ୍ଡ ନେଇ ଫେରିଗଲା ପରେ ଫେରିଆସି ସେହି କାଉଁରି ପଥର ଖଣ୍ଡିକ ନେବା ଲାଗି ଇଚ୍ଛା ପ୍ରକାଶ କଲା। ସାଧୁ ବିବ୍ରତ ହୋଇ କହିଲେ, ‘ଦେଇଥାନ୍ତି ଯେ, ଗୋଟାଏ ଉତ୍ପାତ କରୁଥିବା ମାଙ୍କଡ଼କୁ ତଡ଼ିଦେବାକୁ ସେଇ ପଥରଟି ତା’ ଆଡ଼କୁ ଫୋପାଡ଼ି ଦେଲି। ପଥର ଖଣ୍ଡିକ ନଈରେ ପଡ଼ିଲା କି ପାହାଡ଼ରେ ବାଜି ଭାଙ୍ଗିଗଲା, କହି ପାରିବି ନାହିଁ।’ ଏହା ଥିଲା ‘ନିଗ୍ରହ’ ସାତ୍ତ୍ବିକ, ଆଧ୍ୟାତ୍ମିକ ଅନାସକ୍ତି: ସବୁପ୍ରକାର ‘କ୍ଷୁଧା’ ପ୍ରତି ଅନାଗ୍ରହ; କିନ୍ତୁ ମନେରଖିବାକୁ ପଡ଼ିବ ଯେ, ଲୋଭାତୁର ବ୍ୟକ୍ତି ଏବଂ ସାଧୁ ମହାରାଜ ଦୁହେଁ ଦୁଇଟି ଭିନ୍ନ ଜଗତର ଅଧିବାସୀ। ବ୍ୟକ୍ତିନିମିତ୍ତ ଭାତଲୁଗାର ଅଭାବରୁ ଉଦ୍ଭବ ‘କ୍ଷୁଧା’ ଏକମାତ୍ର ସତ୍ୟ। ଅଥଚ ସାଧୁ ଥିଲେ ସବୁଥିରେ ନିର୍ଲିପ୍ତ। ସେମାନଙ୍କର ନିଜ ନିଜର ସତ୍ୟର ଉପଲବ୍ଧ ସମାନ ହୋଇନପାରେ। ପ୍ୟାରିସ ନଗରୀର ଅଭିଜାତ ବିପଣୀଗୁଡ଼ିକରେ ଗଚ୍ଛିତ ଉଚ୍ଚମୂଲ୍ୟର ସମ୍ଭାର ସବୁକୁ ଜଣେ ବିଦ୍ବାନ ବ୍ୟକ୍ତି ପ୍ରତିଦିନ ଗଭୀର ଆଗ୍ରହରେ ନିରୀକ୍ଷଣ କରୁଥିଲେ; କିନ୍ତୁ କେବେହେଲେ କିଛି କ୍ରୟ କରୁନଥିଲେ। ତାଙ୍କ ଆଚରଣ ପ୍ରତି ଆକୃଷ୍ଟ ଜଣେ ବିତ୍ତଶାଳୀ ପ୍ରଶଂସକଙ୍କର ଅନୁସନ୍ଧିତ୍ସା ଉତ୍ତରରେ ସେ ହସିହସି କହିଲେ ଯେ, ଏପରି ସୁନ୍ଦର, ମୂଲ୍ୟବାନ ଦ୍ରବ୍ୟମାନଙ୍କୁ ଅଧିଗ୍ରହଣ ଅଥବା ପରିତ୍ୟାଗ ଫଳରେ ତାଙ୍କର ସହଜରେ ଜୀବନ ବଞ୍ଚିବାରେ, ଅନାୟାସରେ ଆପଣାର ଲକ୍ଷ୍ୟପଥରେ ଚାଲିବାରେ, କୌଣସି ସାହାଯ୍ୟ ଅଥବା ବିରୋଧ ଭଳି ଗୁଣାତ୍ମକ ପରିବର୍ତ୍ତନ ଆସିପାରେ କି ନାହିଁ ସେଇ କଥା ସେ ଚିନ୍ତା କରୁଥିଲେ। ଏହି ଦୁଇ ପ୍ରକାରର ପରିବର୍ତ୍ତନର କୌଣସି ସମ୍ଭାବନା ସେ ଉପଲବ୍ଧି କରୁନଥିବାରୁ, କେବେ କିଛି ବସ୍ତୁ କ୍ରୟ ନିମିତ୍ତ ଆଗ୍ରହୀ ନଥିଲେ।’ ମାନସିକ ସ୍ତରରେ ସେ ଥିଲେ ମୁକ୍ତ ପୁରୁଷ। ଭାତ ଲୁଗାର ଭାବ-ଅଭାବ ସୃଷ୍ଟ ‘କ୍ଷୁଧା’ ତାଙ୍କ ଲାଗି କୌଣସି ଅର୍ଥ ରଖେନାହିଁ। ମଣିଷ ସମାଜର ଏମାନେ ମାର୍ଗଦର୍ଶକ ସତ୍ୟ; କିନ୍ତୁ ଏମାନେ ସର୍ବଦା ବିରଳ ପ୍ରଜାତିର। ଆମ ସମାଜରେ ଏକ ପ୍ରକାର ଉଦ୍ଭଟ ସଂସ୍କରଣର ବ୍ୟକ୍ତି ମଧ୍ୟ ଦୃଶ୍ୟମାନ ହୁଅନ୍ତି।
ଏମାନେ କଂସାଏ ପଖାଳ ଏବଂ ଦି’ଫଡ଼ା ପିଆଜ, ଖଣ୍ଡେ କଞ୍ଚାଲଙ୍କାର ଭକ୍ତ ବୋଲି ସଚରାଚର ଆତ୍ମପରିଚୟ ପ୍ରଦାନ କରିପାରନ୍ତି। ଏହାପରେ ଶବ୍ଦଟିଏ ବୁଝିନଥିବା ଗୀତଗାଇବା, ଖଞ୍ଜଣିମାଡ଼, ଗଞ୍ଜେଇ ଗବେଷଣା ଇତ୍ୟାଦିରେ ମାତି ମୋକ୍ଷପ୍ରାପ୍ତିର ପ୍ରୟାସ ଜାରି ରଖନ୍ତି। ଏହି ପର୍ଯ୍ୟାୟର ବ୍ୟକ୍ତିମାନଙ୍କୁ ‘କ୍ଷୁଧା’କୁ ଦୈବୀଜ୍ଞାନ ବଳରେ ଦମନ କରିପାରନ୍ତି ବୋଲି କୁହାଯାଇପାରିବ ନାହିଁ। ବରଂ ମାନସିକ ସ୍ତରରେ ଦାରିଦ୍ର୍ୟ ସହ ସେମାନେ ଚିରକାଳ ଏକ ବିଚିତ୍ର ଗାଈ ଛନ୍ଦା ଫାଶରେ ଆବଦ୍ଧ ବୋଲି କୁହାଯିବା ଅଧିକ ଯୁକ୍ତିଯୁକ୍ତ। ଯେନତେନ ପ୍ରକାରେଣ ଭାତ-ଲୁଗାର ଅଭାବ ମେଣ୍ଟିଗଲା ପରେ ଉନ୍ନତ ଜୀବନଆଦର୍ଶ, ସାମାଜିକ ପ୍ରଗତି, ମାନସିକ ଅଗ୍ରଗତି, ଆଧୁନିକ ଜ୍ଞାନବିଜ୍ଞାନ ଭଳି ବିଭାଗ ପ୍ରତି ଏମାନଙ୍କର ନିଘା ନଥାଏ; କିନ୍ତୁ ଏଇମାନେ ହିଁ ଆମ ଦେଶର, ସମାଜର ପ୍ରକୃତ ‘କ୍ଷୁଧିତ ବର୍ଗ’,‘କ୍ଷୁଧା’ର ପ୍ରଜ୍ବଳିତ ନିର୍ବାଣ ରହିତ ଅଗ୍ନିକୁଣ୍ଡ। ‘ଦାରିଦ୍ର୍ୟ’ ଯେ ଅଭିଶାପ ନୁହେଁ ‘ଅଭାବ’ ଯେ ଏକ ଅପରିବର୍ତ୍ତନୀୟ ଅବସ୍ଥା ନୁହେଁ, ସେ କଥା ସେମାନେ ବୁଝିବାକୁ ଅସମର୍ଥ; କିନ୍ତୁ ଦାରିଦ୍ର୍ୟକୁ ବିନା ବାଧାରେ ଗ୍ରହଣ କରିନେବା ହିଁ ଅଭିଶପ୍ତ ମଣିଷର ଲକ୍ଷଣ, ସେକଥା ଅନୁଭବ କରିବାକୁ ସେମାନେ ସର୍ବଦା ପ୍ରୟାସଶୂନ୍ୟ। ସାମ୍ପ୍ରତିକ ପରିସ୍ଥିତିକୁ ଅନୁଶୀଳନ କଲେ ଜଣାପଡ଼େ, ତଥାକଥିତ ଭାତଲୁଗାର ଅଭାବ ଦୂର କରିଦେଲେ ଯେ, ମଣିଷର ସାମାଜିକ, ଅର୍ଥନୈତିକ ମାନବିକ ବା ଆଧ୍ୟାତ୍ମିକ ପ୍ରଗତି ଘଟେନାହିଁ ଏ କଥା ବୁଝିବାକୁ କେହି ଆଜି ପ୍ରସ୍ତୁତ ନୁହନ୍ତି। ‘କ୍ଷୁଧା’ର ତାଡ଼ନା ସହି ନପାରି ଇତିହାସରେ ଫରାସୀ ବିପ୍ଳବଠାରୁ ରୁଷିଆର ବଲ୍ସେଭିକ ବିପ୍ଳବ ପର୍ଯ୍ୟନ୍ତ ଅନେକ ଘଟଣା ଦୁର୍ଘଟଣା ଘଟିଥିବାର ବିବରଣୀ ଲିପିବଦ୍ଧ ରହିଛି; କିନ୍ତୁ କେଉଁଠାରେ ‘ନିଗ୍ରହ’ ମାଧ୍ୟମରେ କେବଳ ଭାତଲୁଗାର ଅଭାବ ମେଣ୍ଟାଇଦେଇ, ସଭ୍ୟତାର ଚଳମାନ ଅଗ୍ରଗାମୀ ସ୍ରୋତକୁ ଅଟକାଇ ଦିଆଯାଇନାହିଁ। ମଣିଷ ଜାତିର ଉନ୍ନତି, ପ୍ରଗତି, ଅଗ୍ରଗତି, ନିମନ୍ତେ ନିବୃତ୍ତି ନିୟମରେ ଦାରିଦ୍ର୍ୟକୁ ଜୀବନ ଦର୍ଶନ ଭାବରେ ଗ୍ରହଣ କରିନେବା ସର୍ବଦା ଅନୁଚିତ।
ଏବେ ବିକଳ୍ପ ପନ୍ଥା ‘ଆଗ୍ରହ’ ଅଥବା ‘ପରିପୁଷ୍ଟ’ର ଉପଯୋଗିତା ଲକ୍ଷ୍ୟ କରାଯାଇପାରେ। ବିଗତ ଶତାବ୍ଦୀର ସପ୍ତଦଶକର ଆଦ୍ୟ ଭାଗରେ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା। ଆରବରେ ଜଣେ ଧନିକ ଏବଂ ତାଙ୍କର ଦୁଇ କଅଁଳ ବୟସୀ କିଶୋରୀ କନ୍ୟା, ଲଣ୍ଡନର ‘ହାରଡ଼ସ୍’ ବିପଣୀରେ ଦୁଇଘଣ୍ଟା ସମୟ ମଧ୍ୟରେ ପଞ୍ଚସ୍ତରି ହଜାର ପାଉଣ୍ଡ ଷ୍ଟର୍ଲିଂ ମୂଲ୍ୟର କିଣାକିଣି କରିଥିଲେ। ଏହି ଅର୍ଥ ଆଜିର ବିନିମୟ ହାରରେ ପ୍ରାୟ ସାତକୋଟି ଟଙ୍କାରୁ ଅଧିକ। ମନେପଡ଼ୁଛି ସେମାନଙ୍କ କ୍ରୟ ତାଲିକାରେ ଗୋଟିଏ ହାତୀ ଉପରେ ରଖାଯାଉଥିବା ହାଉଦା ଓ କିଛି ହାତତିଆରି ଚକୋଲେଟ୍ ରହିିଥିଲା। ନିଶ୍ଚିତଭାବରେ ଏସବୁ ‘ଭାତଲୁଗା’ ପର୍ଯ୍ୟାୟରୁ କ୍ଷୁଧା ନିବାରଣର ସାଧନ ନଥିଲା। ବ୍ୟକ୍ତିଗତ ଭାବରେ ହାରଡସ୍ ଦେଖିବା ପରେ ମନେ ହେଲା ସେହି ବିପଣୀ ହିଁ ପ୍ରକୃତରେ ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟର ଚିତ୍ରିତ ଦୃଶ୍ୟକାବ୍ୟ, ବିଳାସର ଅତୁଳନୀୟ ପ୍ରତିଫଳନ। କହିବାକୁ ଗଲେ ‘ହାରଡସ୍’ ମଣିଷର ସମସ୍ତ ବିଳାସୀ ‘କ୍ଷୁଧା’ର ପରିପୁଷ୍ଟି ନିମିତ୍ତ ପ୍ରଦାନ କରୁୁଛି କଳାତ୍ମକ ଉତ୍କର୍ଷ ସହ ବିପୁଳ ସାଧନ ଓ ଉପାଦାନ। ‘ବ୍ୟାବହାରିକ ମୂଲ୍ୟ’ ଭଳି ପ୍ରଶ୍ନର ଉତ୍ଥାପନ ଏଠାରେ ଅବାନ୍ତର। ଲଣ୍ଡନ ସହରରେ ସାଧାରଣ ଜନତା ଭାତ ଲୁଗାର ଉପପାଦ୍ୟ ବୁଝିବାରେ ବ୍ୟସ୍ତ ରହି ଭୋଗ ବିଳାସର ଏହି ବିଶ୍ବବିଖ୍ୟାତ ଠିକଣା ନିମିତ୍ତ ଖୁବ୍ ସଶ୍ରଦ୍ଧ ବୋଲି ମନେହୁଅନ୍ତି ନାହିଁ। ସେମାନେ କିନ୍ତୁ ପ୍ୟାରିସର ଦାର୍ଶନିକ ମଧ୍ୟ ନୁହନ୍ତି। କେବଳ ଆମ ଦେଶର ପଖାଳ ପିଆଜରେ ସନ୍ତୁଷ୍ଟ ବର୍ଗର ବିଲାତି ସଂସ୍କରଣ ହୋଇଥିବା ସମ୍ଭବ।
ଆମ ଦେଶରେ ମଧ୍ୟ ଲକ୍ଷେ ଟଙ୍କା ମୂଲ୍ୟର କଲମ, କୋଟି ମୂଲ୍ୟର ହାତଘଡ଼ି, ବହୁ କୋଟିର ମଟରଗାଡ଼ି, ହୀରାନୀଳା ବିକ୍ରି ହେଉଛି। ପଞ୍ଚତାରକା ଭୋଜନାଳୟରେ ଗୋଟିଏ ଥାଳିଆ ‘ପାଏସ୍’ର ମୂଲ୍ୟ ମଧ୍ୟ ଦୁଇ ଚାରି ହଜାର। ବଡ଼ାପାଓର ଦାମ ମଧ୍ୟ ପ୍ରାୟ ସେହି ପରିମାଣର। ଦିଆଲୀରେ ବିକ୍ରି ହେଉଥିବା ସୁବର୍ଣ୍ଣ ମିଷ୍ଟାନ୍ନ କିଲୋ ପ୍ରତି ପଚାଶ ହଜାର ଏବଂ ବନାରସୀ ପାନ ଖିଲର ଦାମ ଚାରିପାଞ୍ଚ ହଜାର-ଦରରେ ଭାରତର ବିଭିନ୍ନ ସ୍ଥାନରେ ଉପଲବ୍ଧ। ହୀରାନୀଳା ଖଚିତ ଗହଣା ତାଲିକା ଦେବା ନିଷ୍ପ୍ରୟୋଜନ। ‘କ୍ଷୁଧା’ ପରିତୃପ୍ତ ନିମିତ୍ତ ଉଦ୍ଦିଷ୍ଟ ଉପାୟ ଏବଂ ମୂଲ୍ୟ ନିଶ୍ଚିତ ଭାବରେ ଭାତ ଲୁଗାର ଅଭାବ ପୂରଣ ଭଳି ଗୌଣ ସମସ୍ୟା ସହ ସଂଶ୍ଳିଷ୍ଟ ନୁହେଁ। ଦାରିଦ୍ର୍ୟକୁ ଅନନ୍ୟୋପାୟ ହୋଇ ଆପଣାର ଭାଗ୍ୟ ବୋଲି ଆଦରିଥିବା ଜଣେ ଆତ୍ମପକ୍ଷ ସମର୍ଥନରେ ଘୋଷଣା କରିଥାନ୍ତି ଯେ ଦାରିଦ୍ର୍ୟରୁ ଜନ୍ମିତ ମାନବ ଶିଶୁ ଅଧିକ ନୈତିକ ମୂଲ୍ୟବୋଧର ପ୍ରତିଭୂ ହୋଇପାରେ; କିନ୍ତୁ ଏପରି ଆକଳନ ନିର୍ଭରଯୋଗ୍ୟ ସତ୍ୟ ବା ତଥ୍ୟ ଉପରେ ଆଧାରିତ ନୁହେଁ। ବ୍ୟକ୍ତିତ୍ବର ଗୁଣ ଓ ତା’ର ପରିପ୍ରକାଶ ଆପଣାର ସଂସ୍କାର ଉପରେ ନିର୍ଭର କରେ, ଭାତ ଲୁଗାର ଅନ୍ଧାରୀ ‘କ୍ଷୁଧା’ ଅବସ୍ଥା ଉପରେ ନୁହେଁ। ଜଣେ ଚାଉଳରୁ ଖେଚେଡ଼ି କିମ୍ବା ପଲଉ ପ୍ରସ୍ତୁତ କରିବା ଅର୍ଥ ମଣିଷର ବୌଦ୍ଧିକ କ୍ଷମତା ସଂପ୍ରସାରିତ ହୋଇ ଭବତ୍ତର ପର୍ଯ୍ୟାୟକୁ ପ୍ରସରି ଯାଉଛି। ଯଦି ଚାଉଳରୁ ପଖାଳ କି ଚାଉଳି ମଦ ତିଆରି କରି କେହି ସନ୍ତୁଷ୍ଟ ହୁଏ, ତେବେ ବୁଝିବାକୁ ହେବ ମଣିଷର ଚିନ୍ତା ଓ ଚେତନାର ସ୍ଥାଣୁତା ଏବଂ ପଚନ କ୍ରିୟାର ଅବସ୍ଥା ଉପସ୍ଥିତ ହୋଇସାରିଛି। ଉପଲବ୍ଧି କରିବାର କଥା ଯେ, ଯଦି ପ୍ରାଚୁର୍ଯ୍ୟର ସଂଜ୍ଞା ଜଣା ନାହିଁ ଅଥବା ଚିନ୍ତା ଚେତନାରେ ସେ ସମ୍ବନ୍ଧରେ ଅନୁଭବ ନାହିଁ, ତେବେ ଦାରିଦ୍ର୍ୟକୁ ମଧ୍ୟ ଠିକ୍ ଭାବରେ ଚିହ୍ନି ହେବନାହିଁ, ସେଥିରୁ ମୁକ୍ତି ଲଭିବା ତ ନିଶ୍ଚିତ ଭାବରେ ସୁଦୂର ପରାହତ, ଏକ ଅବାସ୍ତବ ପରିକଳ୍ପନା। ଯଦି ଜଣେ ତାରକିତ ରାକା ରଜନୀରେ ଆକାଶର ଶୋଭା ସଂଦର୍ଶନ କରିନାହିଁ, ସେ ଅମାରାତ୍ରିର ଭୟାବହତା ସମ୍ବନ୍ଧରେ ଅଜ୍ଞାନ ରହିବ ହିଁ ରହିବ। ଯଦି ସମୁଦ୍ର ଦେଖିନାହଁ, ତେବେ ଦଳଗଡ଼ିଆର କ୍ଷୁଦ୍ରତାକୁ ନେଇ ବଞ୍ଚି ରହିବାକୁ ବାଧ୍ୟହେବ। ଦାରିଦ୍ର୍ୟ ଏକ ପରିବର୍ତ୍ତନଶୀଳ ସାମୟିକ ପରିସ୍ଥିତି ମାତ୍ର; କିନ୍ତୁ ଜୀବନରେ ଉତ୍ତରଣର ଆଭିମୁଖ୍ୟ ସ୍ଥିର କରିପାରିଲେ ହିଁ ପରିବର୍ତ୍ତନର ସଫଳ ପ୍ରକ୍ରିୟା ଆରମ୍ଭ କରାଯାଇପାରେ। ଆମ ଶାସ୍ତ୍ର ପୁରାଣରେ ସତ୍ଉପାୟରେ ଧନ ଉପାର୍ଜନ କରିବାକୁ ବାରଣ କରାଯାଇନାହିଁ। ଧନପତି କୁବେର ଚରିତ୍ର ପରିକଳ୍ପନା ଦ୍ବାରା ପ୍ରାଚୁର୍ଯ୍ୟ ପ୍ରତି ଅକୁଣ୍ଠ ଆଗ୍ରହ ଓ ସମର୍ଥନ ବ୍ୟକ୍ତ କରାଯାଇଛି। ତଥାକଥିତ ‘କ୍ଷୁଧା’ ଭାତ-ଲୁଣର ଅଭାବ ଦୂର କରିଦେଲେ ମଣିଷର ସାମାଜିକ, ଅର୍ଥନୈତିକ ବା ଆଧ୍ୟାତ୍ମିକ ଉନ୍ନତି ପ୍ରଗତିର ରୁଦ୍ଧଦ୍ବାର ଯେ ଉନ୍ମୁକ୍ତ ହୋଇଯିବ ଏହା ଏକ ଭ୍ରାନ୍ତ ସିଦ୍ଧାନ୍ତ। ମଣିଷର ଉନ୍ନତି ଲାଗି ଲୋଡ଼ା ହାରଡସ୍ ପରି ବିଳାସୀ ବିପଣୀର ସ୍ବପ୍ନ ଜଗତ। ପଖାଳ ବଦଳରେ କାଭିଆର ପ୍ରାପ୍ତି ନିମନ୍ତେ ସଂକଳ୍ପ ଓ ନିଷ୍ଠା। ଏହି ସତ୍ୟର ସ୍ବୀକାର କରିବାକୁ, ଏପରି ଚିନ୍ତା କରିବାକୁ ଆମେ ଆଜି ପରାଙ୍ମୁଖ; ଏହା ହିଁ ବିଡ଼ମ୍ବନାର ବିଷୟ।
Comments are closed.