www.samajalive.in
Monday, December 15, 2025
17.1 C
Bhubaneswar

ଉପାୟରେ ସଫଳ; ଲକ୍ଷ୍ୟରେ ବିଫଳ

ନୂଆ ଅର୍ଥନୈତିକ ସଂସ୍କାର ଗୋଟାଏ ସୂତ୍ର ଯାହା ବିକଶିତ ଦେଶଗୁଡ଼ିକର ସ୍ଥାଣୁ ଅବସ୍ଥା ଓ ବିକାଶଶୀଳ ଦେଶଗୁଡ଼ିକର ଅନଗ୍ରସରତା ଦୂର କରିପାରିବ ବୋଲି ଆମେ ବିଶ୍ୱାସ କଲୁ। ଏହି ବିକାଶ ଧାରାରେ ୩୦ ବର୍ଷ କାଟିସାରିଲୁଣି। ସମସ୍ତ ତୃତୀୟ ଓ ଚତୁର୍ଥ ପୃଥିବୀର ଦେଶଗୁଡ଼ିକୁ ପାଶ୍ଚାତ୍ୟ ଦେଶର ଇଂଜିନ୍‍ ସଙ୍ଗେ ରେଳଡବା ଭଳି ଯୋଡିଦେଲୁ। ବିଶ୍ୱ ଆନ୍ତଃନିର୍ଭରଶୀଳତା ଓ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ହାର ଖୁବ୍‍ ବୃଦ୍ଧି ପାଇଲା। ଘରୋଇକରଣ ଓ ବଜାରୀକରଣ ପ୍ରକ୍ରିୟା ମାଧ୍ୟମରେ ସମସ୍ତେ ଦ୍ରୁତଗତିରେ ଅଗ୍ରସର ହେବେ ବୋଲି ଆଶା ବାନ୍ଧିଲୁ। ଫଳରେ ଆଜି ହୁଏତ ଅଭିବୃଦ୍ଧି ହାର ଆକର୍ଷଣୀୟ ହୋଇଛି; କିନ୍ତୁ ଆମ ସାମାଜିକ ବୈଷମ୍ୟ, ଆଞ୍ଚଳିକ ବୈଷମ୍ୟ, ଆୟ ବୈଷମ୍ୟ, ଗ୍ରାମ-ସହର ବୈଷମ୍ୟ, ଲିଙ୍ଗ ବୈଷମ୍ୟ, ଚାଷ ସଂକଟ, ବେରୋଜଗାରୀ, ଦାରିଦ୍ର୍ୟ, ପୁଷ୍ଟିହୀନତା, ଦୁର୍ନୀତି, ଅପରାଧ, ବ୍ୟବସାୟରେ ଅନିଶ୍ଚିତତା, ପରିବେଶ ପ୍ରଦୂଷଣ ଉତ୍କଟ ଭାବେ ବୃଦ୍ଧି ପାଇଛି। ଜାତୀୟ ଆୟର ଅଭିବୃଦ୍ଧି ମଧ୍ୟ ଅର୍ଥନୈତିକ ବିକାଶ ନୁହେଁ କିମ୍ବା ବିକାଶର ପ୍ରକୃତ ଉପାୟ ନୁହେଁ। ଅର୍ଥନୈତିକ ବିକାଶ କିମ୍ବା ଶିଳ୍ପର ବିକାଶ ମଧ୍ୟ ବିକାଶ ପ୍ରକ୍ରିୟାରେ ସବୁ କ୍ଷେତ୍ରରେ ସହାୟକ ହୁଏ ନାହିଁ। ଆଧୁନିକୀକରଣ ଓ ଉପଭୋକ୍ତାବାଦର ମହାପ୍ରବାହରେ ଆମେ ସମସ୍ତେ ସାମିଲ୍‍ ହେଲୁ। ଆଧୁନିକୀକରଣ ସାଙ୍ଗରେ ଆସିଲା ସମସ୍ତ ପ୍ରକାର କୃତ୍ରିମତା, ସ୍ୱାର୍ଥପରତା ଓ ମଣିଷର ଅହଙ୍କାର। ସମସ୍ତଙ୍କ ଭିତରେ ତୀବ୍ର ପ୍ରତିଯୋଗିତା, ଉପଭୋକ୍ତାବାଦ, ଆଳସ୍ୟ, ଅୟସ ଓ ଜିନିଷପତ୍ର ନଷ୍ଟ କରିବା ମନୋବୃତ୍ତି। ମଣିଷ ଏକ ମାତ୍ର ପ୍ରାଣୀ, ଯିଏ ପ୍ରାକୃତିକ ପରିବେଶର ଏକ ଅଂଶ ଭାବେ ଜୀବନଯାପନ କରିବା ପରିବ​‌େ​‌ର୍ତ୍ତ ଏହାକୁ ଉପଭୋଗ୍ୟ ବସ୍ତୁ ହିସାବରେ ବ୍ୟବହାର କରେ। ନିଜର ସୁଖ, ସୁବିଧା ପାଇଁ ପ୍ରାକୃତିକ ସମ୍ପଦକୁ ଅପଚୟ ଓ ଲୁଣ୍ଠନ କରେ।
ଗ୍ରାମୀଣ ଅର୍ଥନୀତି ଭାରତର ମେରୁଦଣ୍ଡ। ଗ୍ରାମଗୁଡ଼ିକରେ ମୁଖ୍ୟ ପେସା ହେଉଛି ଚାଷ। ଚାଷରେ ୭୦ ଭାଗ ଲୋକେ ଜୀବିକା ନିର୍ବାହ କରନ୍ତି। କିନ୍ତୁ କୃଷି ସବୁଠୁଁ ବେଶି ଅବହେଳିତ କ୍ଷେତ୍ର। ଭାରତରେ କୃଷି କ୍ଷେତ୍ରରେ ଦୁଇଟିି ପୃଥକ୍‌ ସମସ୍ୟା: କୃଷିର ସଂକଟ ଓ କୃଷକର ସଂକଟ। ଆମ ସରକାର କୃଷି କ୍ଷେତ୍ରର ସମସ୍ୟାର ସମାଧାନ କରିବାକୁ ଲୋକଦେଖାଣିଆ ଚେଷ୍ଟା କରନ୍ତି; କିନ୍ତୁ କୃଷକର ସମସ୍ୟା ଦିନକୁ ଦିନ ଘନୀଭୂତ ହେଉଛି। ଗ୍ରାମୀଣ ଅର୍ଥନୀତି ଗତ ଚାରି ଦଶନ୍ଧି ହେଲା କ୍ରମାଗତ ଭାବେ ଦୁର୍ବଳ ହୋଇଛି। ଗ୍ରାମରେ ଅଧିକାଂଶ ପରିବାରର ଆର୍ଥିକ ମେରୁଦଣ୍ଡ ଖୁବ ଦୁର୍ବଳ। କିଛି ବିଭାଘର, ବ୍ରତଘର, ଶୁଦ୍ଧିକ୍ରିୟା, ରୋଗ-ବ୍ୟାଧି, ପ୍ରାକୃତିକ ବିପଦ ଆସିଲେ, ଜମି ବନ୍ଧକ, ଖାଦ୍ୟ ପରିମାଣ ହ୍ରାସ, ଗୃହପାଳିତ ପଶୁ ଶସ୍ତାରେ ବିକ୍ରି, ଚାଷ ଜମି ବିକ୍ରି ମହାଜନଙ୍କଠାରୁ ସୁଧରେ ଋଣ ଆଣନ୍ତି। ତେଣୁ ଗ୍ରାମୀଣ ଭାରତର ଅର୍ଥନୀତି କେତେ ଦୁର୍ବଳ ତାହା ଏଥିରୁ ସହଜରେ ଅନୁମେୟ। ଭାରତର ଆତ୍ମା ଆମର ସାତ ଲକ୍ଷ ଗାଁ ଭିତରେ ସନ୍ନିହିତ। ଗ୍ରାମୀଣ ଅର୍ଥନୀତି ହେଉଛି ଆମ ଦେଶର ମୂଳ ପିଣ୍ଡ। ଗ୍ରାମୀଣ ଉନ୍ନତି ଆମର ବିକାଶ ପିରାମିଡ୍‍ର ମୂଳଦୁଆ। ଉଭୟ ଗ୍ରାମ ଓ ସହର ପରିପୂରକ; କିନ୍ତୁ ଗ୍ରାମର ଉନ୍ନତିର ପ୍ରାଥମିକତା ହୃଦୟଙ୍ଗମ କରିବା ଉଚିତ। କ୍ଷିପ୍ର ସହରୀକରଣ, ଉପଭୋକ୍ତାବାଦ, ଡିଜିଟାଲାଇଜେସନ କିମ୍ବା ସନ୍ତୁଷ୍ଟୀକରଣ ପ୍ରକୃତ ବିକାଶ ନୁହେଁ।
ମୂଳ ବିନା ଡାଳ ଅସମ୍ଭବ। କିନ୍ତୁ ଡାଳ ବିନା ମୂଳ ସବୁବେଳେ ସମ୍ଭବ ଓ ସ୍ଥିର। ଗାଁର ଉନ୍ନତିକୁ ଉପେକ୍ଷା କରିବା ଓ ଚାଷ ବିମୁଖ ହେବା ଆମ ଦେଶ ପାଇଁ ଖୁବ୍‍ ମାରାତ୍ମକ। ଉଭୟ ଚାଷ ଓ ଚାଷୀର ଉନ୍ନତି ସାଧିତ ହେବା ଦରକାର। ଚାଷ ଓ ଚାଷୀ ଅଲଗା ନୁହେଁ। କୃଷକ ଜଣେ ଖାଦ୍ୟ ଉତ୍ପାଦନକାରୀ, ସେ ଅନ୍ୟ ଶିଲ୍ପଜାତ ପଦାର୍ଥ ଉତ୍ପାଦନକାରୀ ସାଙ୍ଗେ ସମାନ ନୁହେଁ। ଚାଷ ମଣିଷ ଜୀବନ ସାଙ୍ଗେ ଯୋଡି ହୋଇ ଥିବାରୁ ବଜାରର ଲାଭକ୍ଷତି ମାପକାଠି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ। କର୍ପୋରେଟ ଚାଷର ଉନ୍ନତି କରିବା ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ। ଚାଷ ଓ ଶିଳ୍ପର ସମନ୍ୱୟ ଓ ସଂଯୋଗ ରହିବା ଉଚିତ। କୁଟିର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ଘରୋଇ ଶିଳ୍ପ, ଚାଷ ଆଧାରିତ ଶିଳ୍ପ, ଗ୍ରାମୀଣ ଶିଳ୍ପୀକରଣ, ଖାଦ୍ୟ ପ୍ରକ୍ରିୟାକରଣ ଗାଁଗୁଡ଼ିକରେ ହେବା ଉଚିତ। ଏହାଦ୍ୱାରା ଗାଁର ସମସ୍ତ କାର୍ଯ୍ୟକୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନେ ନିଜ କ୍ଷମତା ଓ ଯୋଗ୍ୟତା ଅନୁସାରେ ରୋଜଗାର କରିପାରିବେ। ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ଭୌମତ୍ୱ ସାରା ଦେଶକୁ ମିଳିପାରିବ। ବିକାଶ ପ୍ରକ୍ରିୟାରେ ଦେଶଦେଶ ଭିତରେ ଆନ୍ତର୍ଜାତିକ ବାଣିଜ୍ୟ କିମ୍ବା ରାଜ୍ୟ ରାଜ୍ୟ ଭିତରେ ରପ୍ତାନି ଆମଦାନୀ ଖୁବ୍‍ ବୃଦ୍ଧି ପାଉଛି। ଭଲ କଥା। ଅନ୍ୟଠୁଁ ସାହାଯ୍ୟ ନେବା କିମ୍ବା ଅନ୍ୟକୁ ସାହାଯ୍ୟ ଦେବା କିଛି ଭୁଲ୍‍ କଥା ନୁହେଁ; କିନ୍ତୁ ଏ କଥା ମନେ ରଖିବା ଉଚିତ ଯେ କାହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଖୁବ୍‍ ବିପଜ୍ଜନକ। ସ୍ୱାବଲମ୍ବନଶୀଳ ଭାରତ ହିଁ ପ୍ରକୃତ ସ୍ୱାଧୀନ ଓ ସମୃଦ୍ଧ ଭାରତ। ଆତ୍ମ ନିର୍ଭରଶୀଳତାକୁ ତ୍ୟାଗକରି ବାହାରୁ କିଛି ଆମଦାନୀ ଓ ରପ୍ତାନି କରିବା କେବଳ ମାତ୍ର ଭୁଲ୍‍ ନୁହେଁ, ଏହା ମାରାତ୍ମକ ମଧ୍ୟ। ତେଣୁ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ଦ୍ୱାରା ସମାବେଶୀ ବିକାଶ ବା ଅନ୍ତର୍ଭୁକ୍ତି ବିକାଶ ସମ୍ଭବ ହେଇପାରିବ।
ଜଣେ ଭାରତୀୟ ହିସାବରେ ପଚାଶ କାରଣ ଅଛି ଖୁସି ଓ ଗର୍ବିତ ହେବା ଲାଗି; କିନ୍ତୁ ଶତାଧିକ କାରଣ ଅଛି ଦୁଃଖ ଆଉ ଲଜ୍ଜିତ ହେବା ପାଇଁ; କାରଣ ଆମ ଦେଶର ଏକ ଚତୁର୍ଥାଂଶ ଦରିଦ୍ର, ଏକ ଚତୁର୍ଥାଂଶ କ୍ଷୁଧାଗ୍ରସ୍ତ, ଏକ ପଞ୍ଚମାଂଶ ପୁଷ୍ଟିହୀନ, ଏକ ପଞ୍ଚମାଂଶ ସ୍କୁଲ ଘର ମାଡନ୍ତିନି, ଦୁଇ ପଞ୍ଚମାଂଶ ବିଶୁଦ୍ଧ ପାନୀୟ ଜଳ ପାଆନ୍ତିନି। ଦେଶକୁ ଭ୍ରଷ୍ଟାଚାର, ଦୁର୍ନୀତି, ଅପାରଗତା, ଅପରାଧ, ବଳାତ୍କାର, ଚାଷୀ ଆତ୍ମହତ୍ୟା, ଭିକ୍ଷାବୃତ୍ତି, ବାଳ ଶ୍ରମିକ, ଝିଅ-ନାରୀ-ଶିଶୁ ଚାଲାଣ, ପିଲା ବିକ୍ରି, ଅଭାବୀ ବିକ୍ରି, ବଧୂ ହତ୍ୟା, ଭ୍ରୂଣ ହତ୍ୟା, ରୋଗ-ବୋଝ, ଋଣ ବୋଝ, ନିରକ୍ଷରତା, ଅନ୍ଧ ବିଶ୍ୱାସ ଆଦି ସମସ୍ୟା ଗ୍ରାସ କରିଛି। ଏ ସବୁ ଆମର ପଛୁଆ ହେବାର କାରଣ ଓ ପରିଣାମ। ଆମର ବିଜୟର ପରିଣାମ ହିଁ ଆମର ପରାଜୟ। ଅଭିବୃଦ୍ଧି କେବଳ ବିକାଶର କୁହେଳିକା ସୃଷ୍ଟି କରୁଛି। ବିକାଶର ପ୍ରହେଳିକା ହିଁ ବିକାଶର ପରିପନ୍ଥୀ।
ଆମ ବିକାଶ ଧାରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଆମେ ନିର୍ଦ୍ଦିଷ୍ଟ , କ୍ଷଣସ୍ଥାୟୀ ସମସ୍ୟାକୁ ଦେଖି ଦେଶର ସାମଗ୍ରିକ ଦୀର୍ଘକାଳୀନ ଯୋଜନା କରୁଛୁ। ଏହା ଦ୍ୱାରା ରୋଗର ମୂଳୋତ୍ପାଟନ ନ କରି ରୋଗର ଲକ୍ଷଣ ଦେଖି ଉପଚାର କରିଚାଲିଛୁ। ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ବିକାଶ ହାସଲ କରିବା ଆମର ଦୃଢ ବିଶ୍ୱାସ। କିନ୍ତୁ ଏ ପ୍ରକାର କ୍ଷିପ୍ର ଓ ଊର୍ଦ୍ଧ୍ବଗାମୀ ଅଭିବୃଦ୍ଧିର ସୁଫଳ ଖୁବ୍‍ ମୁଷ୍ଟିମେୟ ଲୋକ ଓ କୁଫଳ ସାରା ସମାଜ ଭୋଗୁଛନ୍ତି। ସୁଫଳ ଉପଭୋଗ କରୁଥିବା ଗୋଷ୍ଠୀ ଖୁବ୍‍ ଆଶାବାଦୀ କିନ୍ତୁ କୁଫଳ ଭୋଗୁଥିବା ଅଧିକାଂଶ ଖୁବ୍‍ ନୈରାଶ୍ୟବାଦୀ। କିନ୍ତୁ ଉଭୟ ଆଶାବାଦୀ ଓ ନୈରାଶ୍ୟବାଦୀ ବାସ୍ତବବାଦୀ ନୁହନ୍ତି। ନଗ୍ନ ବାସ୍ତବତା ହେଲା, ବିକାଶ ଧାରା ସମ୍ପୂର୍ଣ୍ଣ ଭ୍ରମାତ୍ମକ, କାରଣ ଦୀର୍ଘ ୭୫ ବର୍ଷ ହେଲାଣି (ସୋଭିଏତ ରୁଷିଆର କେନ୍ଦ୍ରୀୟ ଯୋଜନା ୪୩ ବର୍ଷ; ଏବେ ଆମେରିକାର ବଜାରୀକରଣ ନୀତି ୩୨ ବର୍ଷ) ଆମେ ପାଶ୍ଚାତ୍ୟ ଦେଶକୁ ଅନୁକରଣ କରି ଚାଲିଛୁ। ଏହା ଆମ ଦେଶର ଅପରିଣାମଦର୍ଶୀ ଓ ଅଦୂରଦର୍ଶିତାର ନମୁନା। ଏହା ଦ୍ୱାରା ସମଗ୍ର ପ୍ରାକୃତିକ ପରିବେଶ ତାହାର ସନ୍ତୁଳନ ହରାଉଛି। ମୁକ୍ତ ବଜାର ଓ ମୁକ୍ତ ବୈଦେଶିକ ବାଣିଜ୍ୟ ବାସ୍ତବରେ ସାଜିଛି “ମୁକ୍ତ ଘୋଡ଼ାଚଢ଼ା” ବ୍ୟବସ୍ଥା। ଆଧୁନିକୀକରଣ ପ୍ରହେଳିକା ଭିତରେ ଉପଭୋକ୍ତାବାଦର ସମାଜ ଗଢ଼ୁଛୁ। ହତାଶାର ଗ୍ରାମୀକରଣ ଓ ଆଶାର ସହରୀକରଣ କରୁଛୁ। ଅନ୍ୟ ବାଗରେ କହିଲେ,ଯୋଗ୍ୟ ୧୦ ପ୍ରତିଶତ ପାଇଁ ଆଶାର କିରଣ ଏବଂ ବାକି ୯୦ ପ୍ରତିଶତଙ୍କ ପାଇଁ ନୈରାଶ୍ୟର ଅନ୍ଧକାର। ଏହି କଥାର ଊର୍ଦ୍ଧ୍ବରେ ଆଉ ଏକ ସତ୍ୟକୁ ଆଦୌ ମାନିବାକୁ ଆମେ ସମ୍ପୂର୍ଣ୍ଣ ଅନ୍ଧ ଓ କାତର ସାଜିଛୁ। ତାହା ହେଲା, ବିନାଶ ରାସ୍ତାରେ ବିକାଶ ଖୋଜିବା କେବଳ ମରୀଚିକା। ବିକାଶର ମୂଳଦୁଆ (ଚାଷ, ଶିକ୍ଷା, ସ୍ୱାସ୍ଥ୍ୟ)କୁ ଆମେ ଅନବରତ ଉପେକ୍ଷା କରିଚାଲିଛୁ। ଚାଷ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଆମର ବିକାଶର ଡିଣ୍ଡିମ ପିଟୁଥିବା ଶାସକ ଓ ପ୍ରଶାସକ ଗୋଷ୍ଠୀ ବିଭିନ୍ନ ଲୋକପ୍ରିୟ ଯୋଜନା ଦ୍ୱାରା ସୁଦୃଢ କରିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ କରନ୍ତି। ସାମାଜିକ କ୍ଷେତ୍ରକୁ ଅବିରତ ଅବହେଳା କରୁଛୁ। ଦେଶର ଯୋଜନାରେ ଯେଉଁ ଦିଗକୁ ଆମେ ବିଶେଷ ଅଗ୍ରାଧିକାର ଦେଉଛୁ ସେହି କ୍ଷେତ୍ରରେ ଅମେ ଅଧିକ ବିଫଳ। ତଥାପି ଆମର ଅଦୂରଦର୍ଶିତାକୁ କେବେ ସ୍ୱୀକାର କରୁନାହୁଁ। ବରଂ ଆମର ଯୋଜନା ପ୍ରକ୍ରିୟାର ଅସଫଳତା ଓ ଅପ୍ରାସଙ୍ଗିକତାକୁ ଆଉ କିଛି ନୂଆ ବ୍ୟବସ୍ଥା ଜରିଆରେ ଘୋଡାଇ ଦେଉଛୁ। ପରିବେଶକୁ ଅଧିକରୁ ଅଧିକ ବିଷାକ୍ତ ଆମେ ହିଁ କରୁଛୁ।
ପ୍ରାକୃତିକ ସନ୍ତୁଳନ ହ୍ରାସର ମୂଳ କାରଣ ଆମେ ଓ ଆମ ଅର୍ଥନୈତିକ ପ୍ରଗତି। ପାଶ୍ଚାତ୍ୟ ବିକାଶ ଧାରା, ମୁକ୍ତ ବଜାରନୀତି ଓ ଘରୋଇକରଣ ପ୍ରକ୍ରିୟା ପରିତ୍ୟାଗ କରିବା ଉଚିତ। କୌଣସି ଦେଶକୁ ଅନୁସରଣ ନ କରି ନିଜର ବିକାଶ ପଥ ଚୟନ କରିବା ବାଂଛନୀୟ। ଉଦାରୀକରଣ ନୀତି ପରିବର୍ତେ ବିକେନ୍ଦ୍ରୀକରଣ ପନ୍ଥା ଅନୁସରଣ କରିବା ଉଚିତ। କେନ୍ଦ୍ରୀୟ ଯୋଜନା କିମ୍ବା ମୁକ୍ତ ବଜାର ନୀତି ଭାରତ ଭଳି ଏକ ବିଶାଳ ଦେଶର ବିକାଶ ପାଇଁ ଅତ୍ୟନ୍ତ ଅପ୍ରାସଙ୍ଗିକ। ବିକାଶ ଏକ ଖେଳ ନୁହେଁ, ପରିଣାମ ନୁହେଁ, ଏକ ଲକ୍ଷ୍ୟ ବି ନୁହେଁ। ଏହା ଏକ ସାମାଜିକ-ସାମଗ୍ରିକ ପ୍ରକ୍ରିୟା ଯାହା ଚାରିଟି କଥାକୁ ବୁଝାଏ: ଉତ୍କୃଷ୍ଟତା-କାର୍ଯ୍ୟଦକ୍ଷତା, ସମାନତା, ସଶକ୍ତୀକରଣ, ନିରନ୍ତରତା। ଅର୍ଥନୈତିକ ଯୌକ୍ତିକତା ପାଇଁ ରାଷ୍ଟ୍ରର ପ୍ରାସଙ୍ଗିକତା ହଜାଇବା ଅନୁଚିତ।
ବିକାଶର କୁହେଳିକା ଭିତରେ ଦେଶର ପ୍ରାଧାନ୍ୟ ସୂଚୀପତ୍ର ହଜାଇ ଦେଇଛୁ। ଅବଦୁଲ କଲାମ କହନ୍ତି, ସଫଳତା ଥାଏ ରାସ୍ତାରେ। ଆମର ଜାତୀୟ ଆୟର ଅଭିବୃଦ୍ଧି ଠିକ ବିକାଶ ମାର୍ଗର ଏକ ଅଂଶ ନୁହେଁ। ତେଣୁ ଦେଶ ଆମର ଉପାୟରେ ସଫଳତା ପାଇ ମଧ୍ୟ ଲକ୍ଷ୍ୟରେ ବିଫଳ। ଆମ ସରକାର ସାମାଜିକ ଉନ୍ନତିକୁ ଅଧିକ ଅଗ୍ରାଧିକାର ଦେବା ଉଚିତ। ପ୍ରକୃତ ବିକାଶର ବଳିଷ୍ଠ ଆଧାର ହେଉଛି ସାମାଜିକ ବିକାଶ। ଆମ ଦେଶ ପାଇଁ ସାମାଜିକ ପ୍ରାଥମିକତା ଓ ବଜାର ପ୍ରାଥମିକତା ସମ୍ପୂର୍ଣ୍ଣ ପୃଥକ। ସୁସ୍ଥ ସମାଜଟିଏ ଗଢିବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ଏହାଦ୍ୱାରା ଦେଶର ପ୍ରକୃତ ସମୃଦ୍ଧି ସଙ୍ଗଠିତ ହୋଇ ପାରିବ। ସାମାଜିକ ରୁଗ୍ଣତା ବିକାଶ ପ୍ରକ୍ରିୟାର ବାଧକ। ତେଣୁ ସରକାରଙ୍କର ପ୍ରତ୍ୟକ୍ଷ ଦାୟିତ୍ୱ ଅପରିହାର୍ଯ୍ୟ। ସରକାରଙ୍କର ରାଜନୈତିକ ଇଚ୍ଛାଶକ୍ତି. ବଳିଷ୍ଠ ପଦକ୍ଷେପ ଓ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ଆବଶ୍ୟକ। ଦେଶର ଅର୍ଥନୀତିକୁ ସଜାଡି ସମୃଦ୍ଧଶାଳୀ କରିବା ପାଇଁ ସ୍ୱାବଲମ୍ବନଶୀଳତା ଓ ସାମାଜିକ ବିକାଶ ଜରୁରୀ। ଅନୁକରଣ ପନ୍ଥା, ଲୋକପ୍ରିୟ ଓ ସନ୍ତୁଷ୍ଟୀକରଣ ନୀତି ପରିତ୍ୟାଗ କରବା ଉଚିତ। ଶାସକ-ପ୍ରଶାସକ ଗୋଷ୍ଠୀର ସକ୍ରିୟ ସଂପୃକ୍ତି ଓ ପ୍ରତିବଦ୍ଧତା ଅପରିହାର୍ଯ୍ୟ। ଦେଶ ଠିକ ବିକାଶ ରାସ୍ତାରେ ଅଗ୍ରସର ହେଲେ ଉପାୟରେ ସଫଳତା ସଙ୍ଗେ ଲକ୍ଷ୍ୟରେ ସଫଳତା ହାସଲ କରିପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories