bjd gruha runa banner

ସଭ୍ୟତା ଓ ସଂସ୍କୃତି

ସୁରେଶ ଚନ୍ଦ୍ର ବେହେରା

mission shakti banner

ସନ୍ଥ ନାଗାର୍ଜୁନ (ଖ୍ରୀ.ଅ. ୧୫୦-୨୫୦) ଥିଲେ ଜଣେ ମହାନ ଆତ୍ମଜ୍ଞାନୀ ଓ ବୌଦ୍ଧଭିକ୍ଷୁ। ତାଙ୍କ ନାମରେ ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ନାମିତ। ସେ ଦିନେ ଆଶ୍ରମ ଝରକା ଦେଇ ସ୍ୱର୍ଣ୍ଣ ପାତ୍ରଟିଏ ଫୋପାଡ଼ନ୍ତେ ତାହା ସେହି ବାଟେ ଯାଉଥିବା ଜଣେ ଚୋର ପିଠିରେ ବାଜିଲା। ଚୋର ଆଶ୍ଚର୍ଯ୍ୟ ହେଲା। ସନ୍ଥଙ୍କ ପାଖରେ ଆହୁରି କିଛି ମୂଲ୍ୟବାନ ଜିନିଷ ବି ଥାଇପାରେ, ଏହା ଭାବି ସେ ଆଶ୍ରମକୁ ଆସିଲା ମାତ୍ରେ ସନ୍ଥ ତାକୁ ଭିତରକୁ ଡାକିଲେ। କହିଲେ, ବହୁତ କିଛି ମୂଲ୍ୟବାନ ଜିନିଷ ତୁମକୁ ଦେବି କିନ୍ତୁ ତା’ ପୂର୍ବରୁ କିଛି ଜ୍ଞାନ ମଧ୍ୟ ଦେବି। ଚୋର କହିଲା– ‘ମାତ୍ର ଚୋରି କରିବା ମହାପାପ ବୋଲି ଉପଦେଶ ଦେବନାହିଁ।’ ସନ୍ଥ ନାଗାର୍ଜୁନ ଅବଶ୍ୟ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ିଲେ। କ୍ଷଣେ ଅଟକି କହିଲେ: ତୁମେ ଚୋରି କର କିନ୍ତୁ ସଚେତନ ହୋଇ କର। ଅର୍ଥାତ୍‍ ଚୋରି କଲାବେଳେ ଯେମିତି ସ୍ମରଣ ରହେ ଯେ ତୁମେ ଜଣେ ଚୋର। ଏହି ଜ୍ଞାନ ମୁଁ ତୁମକୁ ଦେଲି।

ସେଦିନ ରାତିରେ ଚୋରଟି ଜଣେ ଶେଠଙ୍କ ଘରେ ପଶିଲା। ସିନ୍ଦୁକରୁ ଟଙ୍କା ଓ ଅଳଙ୍କାର ବାହାର କଲାବେଳେ ସହସା ତା’ର ସନ୍ଥଙ୍କ କଥା ମନେପଡ଼ିଲା। ଭାବିଲା ଚୋରି କରିବା ମହାପାପ। ସଚେତନ ହୋଇ କେହି କ’ଣ କେବେ ଅପକର୍ମ କରିପାରେ! ସୁତରାଂ ସେ ଚୋରି ନ କରି ଫେରିଆସିଲା। ତା’ ପରଦିନ ଚୋରଟି ନାଗାର୍ଜୁନଙ୍କ ପାଦତଳେ ପଡ଼ି କହିଲା– ‘ଆପଣ ମୋତେ ବିବେକବାନ ଜୀବନ ଜିଇବା ଶିଖାଇଦେଲେ।’ ବାସ୍ତବିକ୍‍ ଏହା ହିଁ ସଂସ୍କାର।

ଭାରତୀୟ ଦୃଷ୍ଟିକୋଣରୁ ସଂସ୍କୃତ ଶବ୍ଦ ‘ସଂସ୍କୃତି’ ହେଉଛି ‘ସଂସ୍କାର’ ଶବ୍ଦରୁ ସୃଷ୍ଟ ଯାହାର ଅର୍ଥ ‘ପରିଶୋଧନ ପ୍ରକ୍ରିୟା’ ବା ‘ରୀତିନୀତି ପ୍ରଦର୍ଶନ’। ମଣିଷ ଏକ ସାମାଜିକ ପ୍ରାଣୀ ଭାବରେ ଜନ୍ମଗ୍ରହଣ କରେ, ସାମାଜିକତା ହାସଲ କରେ ଏବଂ ‘ସଂସ୍କାର’ ଦେଇ ଯାଇ ସାଂସ୍କୃତିକ ବ୍ୟକ୍ତି ହୁଏ। ସଂସ୍କୃତି ରୀତିନୀତି, ଅଭ୍ୟାସ, ଆଚରଣ ଇତ୍ୟାଦିରେ ବ୍ୟକ୍ତିବିଶେଷଙ୍କୁ ଘେରି ରହିଥାଏ। ଯଦିଓ ସଂସ୍କୃତି ମନୁଷ୍ୟର ସୃଷ୍ଟି, ଏହା ପୁଣି ବ୍ୟକ୍ତିଙ୍କୁ ଉତ୍ତମ ଜୀବନଯାପନ ପାଇଁ  ନି‌େ‌ର୍ଦଶ ଦେଇଥାଏ। ସଂସ୍କୃତିରେ ଜ୍ଞାନ, ମୂଲ୍ୟବୋଧ ଓ ବିଶ୍ୱାସ ଅନ୍ତର୍ଭୁକ୍ତ। ପୁରାଣ ଦର୍ଶନ, ସକାରାତ୍ମକ ମନୋଭାବ, ଅଭ୍ୟାସ, ରୀତିନୀତି, ପରମ୍ପରା, ପ୍ରତିବନ୍ଧକ, ନିୟମ, ସାମାଜିକ ଅଭ୍ୟାସ ଇତ୍ୟାଦିକୁ ନେଇ ଏକ ସଂସ୍କୃତି ଗଠିତ। ଏହା ଏକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ପ୍ରସାରିତ ଶିକ୍ଷିତ ଆଚରଣର ଏକ ପ୍ରଣାଳୀ। ସଂସ୍କୃତି ହେଉଛି ବିପୁଳ ସଂଗୃହୀତ ଜ୍ଞାନ ଯାହା ପରବର୍ତ୍ତୀ ପିଢ଼ିକୁ ପର୍ଯ୍ୟବେକ୍ଷଣ, ଅଭିଜ୍ଞତା ଏବଂ ଯୁକ୍ତି ମାଧ୍ୟମରେ ପ୍ରାପ୍ତ ହୋଇଥାଏ ଓ ଜନ୍ମ ପରେ ପରେ ସେ ତା’ର ଉତ୍ତରାଧିକାରୀ ହୋଇଥାଏ। ଏହା ବ୍ୟକ୍ତିର ଜୀବନଶୈଳୀକୁ ଚିତ୍ରଣ କରିଥାଏ। ଥରେ ଦାସେ ଆପଣେ ଅନ୍ୟ ସ୍ୱେଚ୍ଛାସେବୀଙ୍କ ସହ ଖାଇ ବସିଛନ୍ତି। ମଧ୍ୟେ ମଧ୍ୟେ ଥଟ୍ଟା ପରିହାସ ଚାଲିଛି। ଜଣେ ଟିପ୍ପଣୀ ଦେଲେ: ହଇହେ ଚିଙ୍ଗୁଡ଼ି କାଇଁ / ଘୁଙ୍ଗୁଡ଼ି ମାରିବୁ କାହାକୁ ଖାଇ। ଏଥିରେ ଖୁବ୍‍ ହାସ୍ୟରୋଳ ଚାଲିବା ମଧ୍ୟରେ ଦାସେ ଆପଣେଙ୍କ କାନକୁ ଆଶ୍ରମ ବାହାରେ ଜଣକ ଗୁହାରି ଶୁଭିଲା: ‘ବାବୁ, ତିନି ଦିନ ଧରି କିଛି ଖାଇନାହିଁ, କିଛି ମିଳୁ ବାବୁ।’ ଗୋପବନ୍ଧୁ ବାହାରକୁ ଉଠିଗଲେ। ଜଣେ କଙ୍କାଳସାର ଭୋକିଲା ମଣିଷର ଦୟନୀୟ ଅବସ୍ଥା ଦେଖି କାନ୍ଦି ଉଠିଲେ। ନିିଜ ଖାଇବା ପତ୍ରକୁ ଆଣି ଲୋକଟିକୁ ଖୁଆଇଲେ। ସମସ୍ତେ ଏକାଠି ଖାଇବା ହେଉଛି ଆମ ପ୍ରକୃତି, ଏକା ଏକା ଲୁଚାଇ ଖାଇବା ହେଉଛି ବିକୃତି ଏବଂ ନିଜେ ଉପାସରେ ରହି ଅନ୍ୟକୁ ଖୁଆଇବା ହେଉଛି ଆମ ସଂସ୍କୃତି। ଆମ ସଂସ୍କୃତି ଏକାନ୍ନବର୍ତ୍ତୀ ପରିବାରରେ ଏକାଠି ରହିବା, ଏକାଠି ସୁଖଦୁଃଖ ବାଣ୍ଟିବା ଓ ପ୍ରିୟଜନଙ୍କ ମେଳରେ ମରିବା ଶିଖେଇଚି। ସଂସ୍କୃତିଚ୍ୟୁତ ମଣିଷ ସ୍ୱାର୍ଥପର ହୋଇ ହୋଟେଲରେ ଖାଏ ଓ ହସ୍ପିଟାଲରେ ମରେ।

ସଂସ୍କୃତି ହେଉଛି ମାନବିକତାର ସର୍ବୋଚ୍ଚ ଅଭିବ୍ୟକ୍ତି। ତେଣୁ ଏକ ମହାନ ଜାତି ତା’ର ସାଂସ୍କୃତିକ ସଂରକ୍ଷଣ, ସାଂସ୍କୃତିକ ବିବିଧତାର ସୁରକ୍ଷା, ପୁନରୁଦ୍ଧାର ଏବଂ ମର୍ଯ୍ୟାଦା ରକ୍ଷା ଉପରେ ଗୁରୁତ୍ୱାରୋପ କରେ। ଏହା ଏକ ସମ୍ପ୍ରଦାୟର ମୂଳଦୁଆ। ଗବେଷଣା ଏବଂ ଜୀବନାନୁଭୂତି ମାଧ୍ୟମରେ ଆପଣ ଯାହା ଆବିଷ୍କାର କରିଛନ୍ତି ତାହା ଲିପିବଦ୍ଧ କରିପାରିବେ, ମାତ୍ର ଯେତେ ଛୋଟ ଦେଖାଯାଉନା କାହିଁକି, ଏକ ସଂସ୍କୃତି ବିଷୟରେ ବେଶି କିଛି ଲେଖିପାରିବେ ନାହିଁ, କହିବାକୁ ବି ବହୁତ କିଛି ଅଛି, ସବୁ କହିପାରିବେ ନାହିଁ। ସଂସ୍କୃତି ଏବଂ ସଭ୍ୟତା ପରସ୍ପର ବିନିମୟକ୍ଷମ ଏବଂ ପରସ୍ପର ଉପରେ ନିର୍ଭରଶୀଳ। ସଂସ୍କୃତି ଆମର ଆବଶ୍ୟକତାକୁ ସିଧାସଳଖ ପରିପୂରଣ କରେ। ଅନ୍ୟପକ୍ଷରେ, ସଭ୍ୟତା ଚାହିଦା ପ୍ରଦାନ କରେ। ସଭ୍ୟତା ହେଉଛି ସଂସ୍କୃତିର ଏକ ଜଟିଳ ଏବଂ ବିକଶିତ ରୂପ। ଯେତେବେଳେ ଏକ ଲିଖିତ ଭାଷା, ବିଜ୍ଞାନ, ଦର୍ଶନ, ଶ୍ରମ ବିଭାଜନ, ଜଟିଳ ପ୍ରଯୁକ୍ତି ବିଦ୍ୟା ଏବଂ ରାଜନୀତିକ ବ୍ୟବସ୍ଥା ଉପଲବ୍ଧ ହୁଏ ସେତେବେଳେ ଏକ ସଂସ୍କୃତି ସଭ୍ୟତାରେ ପରିଣତ ହୁଏ।

ସଂସ୍କୃତି ଆଭ୍ୟନ୍ତରୀଣ ଚିନ୍ତାଧାରା, ଭାବନା, ଆଦର୍ଶ, ମୂଲ୍ୟବୋଧ ଇତ୍ୟାଦି ସହିତ ଜଡ଼ିତ। ସଂସ୍କୃତି ନିଜେ ଏକ ପରିଣତି ବା ଉପସଂହାର। ସଭ୍ୟତାର ନମୁନା ହେଉଛି ବହି, ଘର, ଯୋଗାଯୋଗ, ପରିବହନ ଇତ୍ୟାଦି। ଏସବୁର ପ୍ରକୃତି, ଦକ୍ଷତା ଓ ଉପଯୋଗିତା ସଭ୍ୟତା ମାପର ଏକ ଏକ ମାନକ ଅଟେ। ଏକ ଟ୍ରାକ୍ଟରର ଉପଯୋଗିତା ବଳଦ ହଳ କିମ୍ବା ଶଗଡ଼ ସହିତ ତୁଳନୀୟ ଏବଂ ଏହା ଏକ ବିକଶିତ ସାଧନ। ଜଳ, ମୃତ୍ତିକା, ଫସଲ, ଜଙ୍ଗଲ, ଜଳବାୟୁ ପରିସ୍ଥିତି ଇତ୍ୟାଦି ଉପଲବ୍ଧ ସମ୍ବଳ ଆଧାରରେ ସଭ୍ୟତା ବିକଶିତ ହୁଏ। ସଂସ୍କୃତି କିଛି ପରିମାଣରେ ସ୍ଥିର ରହିଥାଏ କିଛି ସମୟ ପାଇଁ ଏବଂ ନିଜକୁ ନିଜେ ସମୃଦ୍ଧ କରେ, ଯେଉଁଠାରେ ସଭ୍ୟତା ମାନବ ସମାଜର ଅଗ୍ରଗତି ସହିତ ଅଗ୍ରଗତି କରେ। ଜଣେ କହିପାରିବେ ଯେ ପୂର୍ବ ସମୟର ପ୍ରଯୁକ୍ତିିବିଦ୍ୟା ବର୍ତ୍ତମାନର ତୁଳନାରେ କମ୍‍ ଥିଲା। କିନ୍ତୁ କଳା, ସାହିତ୍ୟ, ଆଦର୍ଶ, ଚିନ୍ତାଧାରା, କବିତା ଇତ୍ୟାଦି କ୍ଷେତ୍ରରେ ଏପରି କୁହାଯାଇ ପାରିବ ନାହିଁ। ସଂସ୍କୃତି କେବେବି କାହାଠାରୁ ଧାର ବା ଋଣ ସୂତ୍ରରେ ପାଇପାରିବା ନାହିଁ, କିନ୍ତୁ ଆମ ଜୀବନଧାରାରେ କୌଣସି ପରିବର୍ତ୍ତନ ନ କରି ସଭ୍ୟତା ଋଣ ହୋଇପାରିବ। ଯଥା ମୋଟର, ମେସିନ୍‍, ରେଳ ଏବଂ କମ୍ପ୍ୟୁଟର। ସଭ୍ୟତା ପ୍ରାୟତଃ ସଂସ୍କୃତିର ଯାନ ଅଟେ, ସଂସ୍କୃତିର ବାହକ ରେଡିଓ, ସିନେମା, ପୁସ୍ତକ ଇତ୍ୟାଦି ପରି। ଶିଳ୍ପ ଏବଂ ବୈଷୟିକ ପ୍ରଗତି ଦ୍ୱାରା ସଭ୍ୟତା ଲୋକଙ୍କୁ ଅଧିକ ଅବକାଶ ଏବଂ ଆରାମ ପ୍ରଦାନ କରିଥାଏ ଏବଂ ଏହାଦ୍ୱାରା ସାଂସ୍କୃତିକ ବିକାଶ ପାଇଁ ଉତ୍ତମ ସୁଯୋଗ ମିଳିଥାଏ। ଅକ୍ଷୁଣ୍ଣ ଭାବରେ ପରିବର୍ତ୍ତନର ମହତ୍ତ୍ୱକୁ ସ୍ୱାଗତ କରିବା ଉଚିତ। ବିଶ୍ୱାସ ପରିବର୍ତ୍ତନ ହେଉଛି ଆଧୁନିକୀକରଣର ଗୁଣ। ଅପର ପକ୍ଷରେ, ସଂସ୍କୃତି ସଭ୍ୟତାକୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ କରେ ଏବଂ ଅଗ୍ରଗତି ଆଡ଼କୁ ଗତି କରେ। ସଭ୍ୟତାର ପରିବର୍ତ୍ତନ ହାର କ୍ଷିପ୍ର ମାତ୍ର ସଂସ୍କୃତି ପରିବର୍ତ୍ତନର ହାର ମନ୍ଥର।

ବର୍ତ୍ତମାନର ଶତାବ୍ଦୀରେ ସାମାଜିକ ଗଠନରେ ଅନେକ ପରିବର୍ତ୍ତନ ଘଟିଛି। ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଏବଂ ଭାରତୀୟ ଲୋକଙ୍କ ବ୍ୟାପକ ହୃଦୟଙ୍ଗମତା ହେତୁ ସମସ୍ତ ମାନବ ଏକ ଏବଂ ବିଶ୍ୱ ଏକ ପରିବାର ରୂପେ ବିବେଚିତ। ଅନ୍ଧବିଶ୍ୱାସ ଲୋପ ପାଉଥିବାରୁ ସାମାଜିକ ନ୍ୟାୟ ନିଶ୍ଚିତ ହେଉଛି। ଆନ୍ତଃଜାତି, ଆନ୍ତଃଧର୍ମ, ଆନ୍ତଃସମ୍ପ୍ରଦାୟ ମଧ୍ୟରେ ବନ୍ଧୁତା ଓ ବିବାହ କେବଳ ସାଧାରଣ ହୋଇପାରି ନାହିଁ ବରଂ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛି। ତଥାପି ଅନେକ ଗ୍ରାମାଞ୍ଚଳରେ ପୁରୁଣାକାଳିଆ ସାମାଜିକ ବର୍ଗୀକରଣ ଓ ଏହାର ସମସ୍ତ ଅବାଞ୍ଛିତ ପ୍ରଭାବ ବିଦ୍ୟମାନ। ଅଧିକନ୍ତୁ ଆଜି ସଭ୍ୟତାର ଅଗ୍ରଗତି ସହିତ ଅନେକ ଦେଶରେ କୁସଂସ୍କାର ଭୀଷଣ ରୂପ ଧାରଣ କରିଛି। ଆଫଗାନିସ୍ତାନ ଏହାର ସ୍ପଷ୍ଟ ଉଦାହରଣ। ଶାସକ ତାଲିବାନର ନିଷ୍ପତ୍ତି ଅନୁଯାୟୀ ସମସ୍ତ ମିହଳାଙ୍କୁ ଚାକିରିରୁ ବାରଣ କରାଯାଇଛି। ଇତିହାସର ଏକ ବଡ଼ ବିଡ଼ମ୍ବନା। ତାଲିବାନୀଙ୍କ ବିଶ୍ୱାସ ଯେ ‘ମହିଳାଙ୍କ ମୁହଁ ଦୁର୍ନୀତିର ଉତ୍ସ’। ତେଣୁ ମହିଳାମାନେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବାକୁ ବାଧ୍ୟ। ସେମାନେ ପୁରୁଷ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବେ ନାହିଁ। ହାଇହିଲ୍‍ ଜୋତା ପିନ୍ଧିବେ ନାହିଁ କି ପ୍ରସାଧନ ବ୍ୟବହାର କରିବେ ନାହିଁ। ନିୟମ ଉଲ୍ଲଂଘନକାରୀଙ୍କୁ ସର୍ବସାଧାରଣରେ ଚାପୁଡ଼ା ମରାଯିବା ସଙ୍ଗେ ସଙ୍ଗେ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିବ।

ଏହି ପରିସ୍ଥିତିରେ, ସାମାଜିକ ଗତିଶୀଳତା ବହୁତ କଷ୍ଟସାଧ୍ୟ କିନ୍ତୁ ଅତ୍ୟନ୍ତ ଜରୁରୀ। ସବୁ ସଂସ୍କୃତି ଓ ସଭ୍ୟତାର କେନ୍ଦ୍ରବିନ୍ଦୁ ମଣିଷ। ପୁରୁଷ ଓ ନାରୀ ପରସ୍ପରର ପରିପୂରକ। ଏମାନଙ୍କ ମଧ୍ୟରୁ ଜଣେ ଉତ୍କୃଷ୍ଣ ଓ ଜଣେ ନିକୃଷ୍ଟ ନୁହେଁ। ପୁରୁଣାକାଳିଆ ରୂଢ଼ିବାଦକୁ ପରିହାର କରି ଏକ ନୂତନ ବିଶ୍ୱ ମାନବ ସଂସ୍କୃତି ସଂସ୍ଥାପିତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ। ତା’ହେଲେ ସମସ୍ତ ରାଷ୍ଟ୍ର ଭିନ୍ନତାଠାରୁ ଊର୍ଦ୍ଧ୍ବରେ ଉଠିବାକୁ ହେବ ଏବଂ ସମସ୍ତଙ୍କ ଉଦ୍ୟମ ଦ୍ୱାରା କଳା, ବିଜ୍ଞାନ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଅପୂର୍ବ ସମନ୍ୱୟ ଘଟିବ। ଗୋଟିଏ ହାତର ପାଞ୍ଚଟି ଆଙ୍ଗୁଠି ଅଛି ଏବଂ ସେହି ସମସ୍ତ ପାଞ୍ଚଟି ଆଙ୍ଗୁଠି ଆକୃତି ଏବଂ ଆକାରରେ ଭିନ୍ନ। ସମସ୍ତେ ସହନଶୀଳତାର କାନରେ ଶୁଣନ୍ତୁ, ଦୟା ଆଖିରେ ଦେଖନ୍ତୁ, ପ୍ରେମର ଭାଷାରେ କଥା ହୁଅନ୍ତୁ।

Comments are closed.