ଅଲିମ୍ପିକ୍ସର ଅସାଧାରଣ ଇତିହାସ

ବିଜନ କୁମାର ମହାପାତ୍ର

ଅଲିମ୍ପିକ୍ସ। ବିଶ୍ୱର ସର୍ବବୃହତ୍‌, ମର୍ଯ୍ୟାଦାଜନକ ଓ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା। କ୍ରୀଡ଼ାର ମହାକୁମ୍ଭ। ଅଲିମ୍ପିକ୍ସରେ ଥରେ ଭାଗ ନେବା ସବୁ କ୍ରୀଡ଼ାବିତ୍‌ଙ୍କ ଲକ୍ଷ୍ୟ ଥାଏ। ଏଥିରେ ଜୟ ପରାଜୟ ଅପେକ୍ଷା ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପାଇଁ ଲଢ଼େଇ କରିବା ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସୁସ୍ଥ ଖେଳୁଆଡ଼ ମନୋଭାବ ସହ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ଯଥାସମ୍ଭବ ପ୍ରୟାସ ହିଁ ଅଲିମ୍ପିକ୍ସର ମୂଳମନ୍ତ୍ର। ବିଶ୍ୱ ମୈତ୍ରୀ, ଶାନ୍ତି ଓ ଭ୍ରାତୃତ୍ୱର ବାର୍ତ୍ତା ବହନ କରେ ଅଲିମ୍ପିକ୍ସ।

ଅଲିମ୍ପିକ୍ସର ଆଉ ଏକ ସଂସ୍କରଣ ଜାପାନ ରାଜଧାନୀ ଟୋକିଓରେ ଆଜିଠାରୁ (୨୩ ତାରିଖ) ଆରମ୍ଭ ହେବାକୁ ଯାଉଛି। ଗତବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ଯାଏ ଆୟୋଜନ ହେବାକୁ ଥିଲା ଟୋକିଓ ଅଲିମ୍ପିକ୍ସ; କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ବର୍ଷକ ପରେ ବି ମହାମାରୀର ଛାୟା ଓ କଡ଼ା କଟକଣା ମଧ୍ୟରେ ଦର୍ଶକବିହୀନ ଭାବେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ। ଏଥିପାଇଁ ଏଥରର ଅଲିମ୍ପିକ୍ସ ରୋମାଞ୍ଚ ଫିକା ପଡ଼ିଯାଇଛି।

ଅଲିମ୍ପିକ୍ସ କ୍ରୀଡ଼ା ହେଉଛି ପ୍ରାଚୀନ ଗ୍ରୀସର ଅବଦାନ। ଆଜିକୁ ୩ ହଜାର ବର୍ଷ ପୂର୍ବେ ଗ୍ରୀସରେ ଏହା ସୃଷ୍ଟି ହୋଇଥିଲା। ଫ୍ରାନ୍ସର ଜଣେ ଶିକ୍ଷାବିତ୍‌ ଓ କ୍ରୀଡ଼ାପ୍ରେମୀ ବାରୋଁ ପିୟର ଡି’ କୁବର୍ଟିନଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଏହି କ୍ରୀଡ଼ାର ପୁନରୁଦ୍ଧାର ହୋଇଥିଲା। ୧୮୯୬ ମସିହାରେ ସେହି ଗ୍ରୀସର ରାଜଧାନୀ ଏଥେନ୍‌ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡ଼ା।

ପ୍ରାଚୀନ ଗ୍ରୀସ ଓ ଅଲିମ୍ପିକ କ୍ରୀଡ଼ା: ଇତିହାସ କହେ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଖ୍ରାଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀ ଯାଏ ପ୍ରାଚୀନ ଗ୍ରୀସ୍‌ରେ ଗ୍ରୀକ୍ ଦେବତା ଜିୟସଙ୍କ ସମ୍ମାନରେ ହେଉଥିବା ଧାର୍ମିକ ଉତ୍ସବ ଅବସରରେ ଆୟୋଜିତ ହେଉଥିଲା ଏକ କ୍ରୀଡ଼ା ପ୍ରତିଯୋଗିତା। ପ୍ରତି ଚାରିବର୍ଷ ବ୍ୟବଧାନରେ ଆୟୋଜିତ ହେଉଥିଲା ଅଲିମ୍ପିକ କ୍ରୀଡ଼ା। ଦକ୍ଷିଣ ଗ୍ରୀସ୍‌ର ଅଲିମ୍ପିଆ ନାମକ ଏକ ସ୍ଥାନରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା। ତେଣୁ ସେହି ସ୍ଥାନ ଅନୁସାରେ ପ୍ରତିଯୋଗିତାର ନାମ ଥିଲା ଅଲିମ୍ପିକ। ଅଲିମ୍ପିଆ ଗ୍ରୀକ୍‌ମାନଙ୍କ ପାଇଁ ଥିଲା ଏକ ପବିତ୍ର ଧାର୍ମିକ ସ୍ଥଳ।

ଖ୍ରୀଷ୍ଟପୂର୍ବ ୭୭୬ରେ ପ୍ରଥମ ପ୍ରାଚୀନ ଅଲିମ୍ପିକ କ୍ରୀଡ଼ା ଆୟୋଜିତ ହୋଇଥିବା ଲିପିବଦ୍ଧ ପ୍ରମାଣ ରହିଛି। କୋରୋବସ ନାମକ ଜଣେ ରୋଷେୟା ପ୍ରଥମ ପ୍ରାଚୀନ ଅଲିମ୍ପିକ୍ସର ଏକ ମାତ୍ର ଖେଳରେ ବିଜୟୀ ହୋଇଥିଲା। ସେହି ଖେଳ ଥିଲା ୧୯୨ ମିଟର ପାଦଦୌଡ଼, ଯାହାକୁ କି ‘ଷ୍ଟେଡ’ କୁହାଯାଉଥିଲା। ଏହି ‘ଷ୍ଟେଡ୍’ ଶବ୍ଦରୁ ହିଁ ଆଧୁନିକ ଷ୍ଟେଡିୟମ ବା ଷ୍ଟାଡିୟମ୍‌ ଶବ୍ଦର ଉତ୍ପତ୍ତି ହୋଇଛି। ପ୍ରାଚୀନ ଗ୍ରୀସ୍‌ରେ ଅନ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଥିଲା; କିନ୍ତୁ ଅଲିମ୍ପିଆରେ ଆୟୋଜିତ ହେଉଥିବା କ୍ରୀଡ଼ା ପ୍ରତିଯୋଗିତା ଥିଲା ସର୍ବାଧିକ ଲୋକପ୍ରିୟ। ଆଉ ଏକ କିମ୍ବଦନ୍ତୀ ଅନୁସାରେ ଗ୍ରୀକ୍ ଦେବତା ଜିୟସଙ୍କ ପୁତ୍ର ହେରାକ୍ଲିସ (ହରକ୍ୟୁଲେସ ) ଓ ତାଙ୍କ ମାଆ ଅଲସିମିନ ଅଲିମ୍ପିକ କ୍ରୀଡ଼ାର ସଂସ୍ଥାପକ ଥିଲେ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶେଷ ବେଳକୁ ଅଲିମ୍ପିକ୍ସ କ୍ରୀଡ଼ାସବୁ ଗ୍ରୀକ୍ କ୍ରୀଡ଼ା ଉତ୍ସବ ମଧ୍ୟରେ ଥିଲା ବେଶ୍ ଲୋକପ୍ରିୟ। ପ୍ରାରମ୍ଭିକ କିଛି ବର୍ଷ ପ୍ରାଚୀନ ଅଲିମ୍ପିକ୍ସରେ କେବଳ ପୁରୁଷମାନେ ହିଁ ଅଂଶଗ୍ରହଣ କରିବା ନିୟମ ଥିଲା। ମହିଳାଙ୍କ ଅଂଶଗ୍ରହଣ ନିଷିଦ୍ଧ ଥିଲା। ଏପରିକି ମହିଳାମାନଙ୍କୁ ଅଲିମ୍ପିକ ପ୍ରତିଯୋଗିତା ଦେଖିବାକୁ ମଧ୍ୟ ଅନୁମତି ନ ଥିଲା।

ଅଲିମ୍ପିକ୍ସ ପରମ୍ପରାର ପତନ: ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ଗ୍ରୀସ ରୋମ୍ ସାମ୍ରାଜ୍ୟ ଅଧୀନକୁ ଆସିଲା। ରୋମାନ ଶାସକଙ୍କ ଅଧୀନରେ ଅଲିମ୍ପିକ କ୍ରୀଡ଼ା ଜାରି ରହିଲା ସତ, କିନ୍ତୁ ଆଗ ଭଳି ଗୁଣାତ୍ମକମାନ ରହିଲା ନାହିଁ। ପୂର୍ବର ମର୍ଯ୍ୟାଦା ଓ ଗୁରୁତ୍ୱ ହରାଇ ବସିଲା ଅଲିମ୍ପିକ୍ସ। ପ୍ରକୃତ ପ୍ରତିଯୋଗୀଙ୍କୁ ଉପେକ୍ଷା କରାଗଲା। ଖ୍ରୀଷ୍ଟାବ୍ଦ ୩୯୩ରେ ରୋମ ସମ୍ରାଟ ଥିଓଡେସିଅସ ଖ୍ରୀଷ୍ଟଧର୍ମ ଗ୍ରହଣ କଲା ପରେ ଗ୍ରୀସର ଅଲିମ୍ପିକ କ୍ରୀଡ଼ାକୁ ଧର୍ମବିରୋଧୀ ଆଖ୍ୟା ଦେବାସହ ସମସ୍ତ ଗ୍ରୀକ୍ ଉତ୍ସବକୁ ନିଷିଦ୍ଧ କରିଥିଲେ। ପରିଣାମ ସ୍ୱରୂପ, ପାଖାପାଖି ୧୨ ଶହ ବର୍ଷ ପରେ ପ୍ରାଚୀନ ଅଲିମ୍ପିକ କ୍ରୀଡ଼ା ପରମ୍ପରାରେ ବିରାମ ଲାଗିଲା।

ବାରୋଁ ଡି କୁବୋର୍ଟିନ ଓ ଆଧୁନିକ ଅଲିମ୍ପିକ୍ସ: ୧,୫୦୦ ବର୍ଷ ପରେ ପୁଣି ଅଲିମ୍ପିକ କ୍ରୀଡ଼ାର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଲା। ବାରୋଁ ପିୟର ଡି କୁବର୍ଟିନ ନାମକ ଜଣେ ଫରାସୀ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ କ୍ରୀଡ଼ାପ୍ରେମୀ ପ୍ରାଚୀନ ଅଲିମ୍ପିକ୍ସ ଢାଞ୍ଚାରେ ଏକ ବିଶ୍ୱକ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ପରିକଳ୍ପନା କରିଥିଲେ। ଗ୍ରୀସ୍‌ର ପ୍ରାଚୀନ ଅଲିମ୍ପିକ ସ୍ଥଳ ପରିଦର୍ଶନ କଲା ପରେ ଆଧୁନିକ ଅଲିମ୍ପିକ କ୍ରୀଡ଼ା ଆୟୋଜନ ଦିଗରେ ବ୍ରତୀ ହୋଇଥିଲେ କୁବୋର୍ଟିନ। ଅଲିମ୍ପିକ କ୍ରୀଡ଼ା ପୁନରୁଦ୍ଧାର ପାଇଁ ଫ୍ରାନସର ତତ୍କାଳୀନ କ୍ରୀଡ଼ା ସଂଘ ‘ଦି ୟୁନିଅନ ଅଫ ଫ୍ରେଞ୍ଚଆଥଲେଟିକ ସ୍ପୋର୍ଟସ ସୋସାଇଟିଜ୍‌’ର ୧୮୯୨ ମସିହା ନଭେମ୍ବରରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ କୁବେର୍ଟିନ। ଦୁଇବର୍ଷ ପରେ ୧୮୯୪ରେ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି ‘ଆଇଓସି’। ଏହି କମିଟି ହିଁ ଆଧୁନିକ ଅଲିମ୍ପିକ୍ସ କ୍ରୀଡ଼ାର ପରିଚାଳନାକାରୀ ସଂସ୍ଥା।

୧୮୯୬ ମସିହାରେ ଗ୍ରୀସ ରାଜଧାନୀ ଏଥେନ୍ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡ଼ା। କ୍ରୀଡା ପୁନରୁଦ୍ଧାର ପାଇଁ କୁ​‌େ​‌ବର୍ଟିନଙ୍କ ଉଦ୍ୟମ ଶେଷରେ ସଫଳ ହୋଇଥିଲା। ଗ୍ରୀସ୍ ରାଜା ପ୍ରଥମ ଜର୍ଜିୟସ ଓ ୬୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ୧୩ଟି ଦେଶର ୨୮୦ ପ୍ରତିଯୋଗୀ ଉଦ୍‌ଘାଟନୀ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ। ସମସ୍ତେ ଥିଲେ ପୁରୁଷ ପ୍ରତିଯୋଗୀ। ଦୌଡ଼କୁଦ, ସନ୍ତରଣ, କୁସ୍ତି, ସାଇକଲ ଚାଳନା, ଭାରୋତ୍ତୋଳନ, ବନ୍ଧୁକ ଚାଳନା, ଅସି ଚାଳନା, ଜିମ୍ନାଷ୍ଟିକ୍ସ ଓ ଟେନିସର ୪୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାଦ୍ବାରା ଯୋଡ଼ି ହୋଇଗଲା ଅଲିମ୍ପିକ୍ସ କ୍ରୀଡ଼ା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ।

Comments are closed.