ବିଏସ୍ପିକୁ ଅଧିକ ଆସନ ଦେବାକୁ ସପା ପ୍ରସ୍ତୁତ: ଅଖିଳେଶ
ଆଗ୍ରା: ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ବିଏସ୍ପିକୁ ଯଦି ଅଧିକ କିଛି ଆସନ ଦେବାକୁ ପଡ଼େ ସେଥିପାଇଁ ସମାଜବାଦୀ ପାର୍ଟି(ସପା) ପ୍ରସ୍ତୁତ ବୋଲି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ଜୌରୀ ଗ୍ରାମର ପୂର୍ବତନ ମୁଖିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ମୈନପୁରୀ ଗସ୍ତରେ ଥିବା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରୁ ବିଜେପିକୁ ହଟାଇବା ପାଇଁ ଯଦି ବିଏସ୍ପି ପ୍ରତିଶ୍ରୁତି ଦିଏ ତେବେ ଏସ୍ପି କେତେକ ଆସନ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛି। ଗତ ଉପନିର୍ବାଚନରେ ମେଣ୍ଟ ସଫଳ ହୋଇଥିବାରୁ ୨୦୧୯ରେ ମଧ୍ୟ ମିଳିତ ଭାବେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି। ବିଜେପି ବିରୋଧରେ ବିଜୟ ଲାଭ ହିଁ ସପାର ଏକମାତ୍ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲ କରିବାକୁ ବିଏସ୍ପି ସହିତ ଆସନ ବୁଝାମଣା କରିବାରେ କୌଣସି ଅସୁବିଧା ନାହିଁ। ଆଗାମୀ ନିର୍ବାଚନରେ ଯଦି ସପା ବିଜୟୀ ହୁଏ ତେବେ ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେ ୱେରୁ କୃଷକଙ୍କ ପାଇଁ ଟୋଲ ଫି’ ଛାଡ଼ କରାଯିବ ବୋଲି ଅଖିଳେଶ କହିଛନ୍ତି। ଯେଉଁ ଦଳ ବିଏସ୍ପିକୁ ଅଧିକ ଆସନରେ ଲଢ଼ିବା ପାଇଁ ରାଜି ହେବ ସେହି ଦଳ ସହିତ ମେଣ୍ଟ କରାଯିବ ବୋଲି ବିଏସ୍ପି ମୁଖ୍ୟ ମାୟାବତୀ କିଛି ଦିନ ତଳେ କହିଥିଲେ। ମାୟାବତୀଙ୍କ ଏହି ମତ ଆଧାରରେ ଅଖିଳେଶଙ୍କ ମନ୍ତବ୍ୟ ମେଣ୍ଟ ପାଇଁ ଅନୁକୂଳ ସଙ୍କେତ ବୋଲି ରାଜନୈତିକ ବିଶାରଦମାନେ କହିଛନ୍ତି।