ବୁର୍ଖା ପିନ୍ଧିବାକୁ ମନା କରି ପ୍ରତିଯୋଗିତାରୁ ଓହରିଲେ ସୌମ୍ୟା
ପୁନେ: ଭାରତର ମହିଳା ଗ୍ରାଣ୍ଡମାଷ୍ଟର ତଥା ପୂର୍ବତନ ବିଶ୍ୱ ଜୁନିୟର ମହିଳା ଚେସ୍ ଚମ୍ପିଆନ୍ ସୌମ୍ୟା ସ୍ୱାମୀନାଥନ୍ ଏସିଆନ୍ ଚେସ୍ ଚମ୍ପିଆନ୍ ପ୍ରତିଯୋଗିତାରୁ ଓହରି ଆସିଛନ୍ତି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ମହିଳାମାନେ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ ବୋଲି ଆୟୋଜକ ଦେଶର ନିୟମ ଦୃଷ୍ଟିରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଆସନ୍ତା ଜୁଲାଇ ୨୬ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଇରାନ୍ର ହେମେଡେନ୍ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଠାକାର ରାଷ୍ଟ୍ରୀୟ ନିୟମ ଅନୁଯାୟୀ ସବୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ। କିନ୍ତୁ ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ସୌମ୍ୟା ବୁର୍ଖା ପିନ୍ଧିବା ପାଇଁ ମନା କରିଦେଇଥିଲେ। ଏ ସଂକ୍ରାନ୍ତରେ ଫେସ୍ବୁକ୍ରେ ସୌମ୍ୟା ଲେଖିଛନ୍ତି ଯେ ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯିବା ସ୍ୱାଧୀନ ମତ ପ୍ରକାଶ ଅଧିକାର ଓ ସ୍ୱାଧୀନତା ଅଧିକାରର ଉଲ୍ଲଂଘନ। ଏଥିସହିତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ ସୌମ୍ୟା ସମାଲୋଚନା କରିଛନ୍ତି। ଏହାପୂର୍ବରୁ ୨୦୧୬ରେ ମଧ୍ୟ ଭାରତୀୟ ସୁଟର ହୀନା ସିଦ୍ଧୁ ସମାନ କାରଣରୁ ଇରାନ୍ରେ ଏସିଆନ୍ ଏୟାରଗନ୍ ପ୍ରତିଯୋଗିତାରୁ ଓହରି ଯାଇଥିଲେ।