ଭୁବନେଶ୍ବର: ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାରୋହରେ ଗୃହ ମନ୍ତ୍ରୀ ଅମିତ ଶାହ ଯୋଗଦେଇ ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାରେ ୨୦ଟି ଲୋକସଭା ଆସନ ଜିତିବା କି ନାହିଁ ଏବଂ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ ବୋଲି ସାଧାରଣ ସଭାରେ କର୍ମୀମାନଙ୍କୁ ପ୍ରଶ୍ନ କରିଥିଲେ। ଓଡ଼ିଶାର ସମୃଦ୍ଧି ଓ ବିକାଶ ପାଇଁ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ହେବା ଦରକାର। ଓଡ଼ିଶାରେ ବିଜେପି ସରକାର ବନାଇବା ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିଲେ।
ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାରୋହରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ନିଜ ଅଭିଭାଷଣ ରଖି କହିଥିଲେ ଯେ ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ସାରା ଦେଶରେ ଯୁଆଡେ ଯାଉଛି ସବୁଠି ମୋଦୀ ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦୀମୟ ରହିଛି। ଓଡ଼ିଶା ଲୋକ ବି ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ ବୋଲି ମୋର ଆଶା ତଥା ବିଶ୍ବାସ ରହିଛି।
ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ଅମିତ ଶାହ କହିଥିଲେ ଯେ ଓଡ଼ିଶା ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛି ଏଠାକାର ସରକାର। ଓଡ଼ିଶାର ଭାଷା, ସଂସ୍କୃତି ଓ ଗୌରବ ପାଇଁ ବିଜେପି ସରକାର ବନିବା ଦରକାର। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି। ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠାକାର ସରକାର। ସବୁଠାରୁ ଅଧିକ ପ୍ରାକୃତିକ ସମ୍ପଦ ଓଡ଼ିଶାରେ ରହିଛି। ସବୁ ଥାଇ ଓଡ଼ିଶା ସମ୍ପୃଦ୍ଧି ଠାରୁ ଦୂରରେ ରହିଛି। ଓଡ଼ିଶାର ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ବନାନ୍ତୁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଆସିବା ଦରକାର। ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡ଼ିବ ନାହିଁ ଏବଂ ଓଡ଼ିଶାର ସମୃଦ୍ଧି ଓ ବିକାଶ ହେବ ବୋଲି ଗୃହମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି।



