୨ ଯବାନ ସହିଦ, ୪ ଆହତ
କୋହିମା: ଜମ୍ମୁ-କଶ୍ମୀର ପରେ ନାଗାଲ୍ୟାଣ୍ଡରେ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି। ଆତଙ୍କବାଦୀ ଗୁଳିରେ ଆସାମ୍ ରାଇଫଲ୍ସ୍ର ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପାଇଁ ନ୍ୟାଶ୍ନାଲ୍ ସୋସିଆଲିଷ୍ଟ କାଉନ୍ସିଲ୍ ଅଫ୍ ନାଗାଲ୍ୟାଣ୍ଡ(ଏନ୍ଏସ୍ସିଏନ୍-କେ) ନିଜକୁ ଦାୟୀ କରିଛି।
ଆସାମ୍ ରାଇଫଲ୍ସ ଆଇଜିଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମନ୍ ଜିଲା ଆବୋଇଠାରେ ରବିବାର ଦିନ ଦୁଇଟି ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ନାଗାଲ୍ୟାଣ୍ଡ ଆବୋଇ ଆସାମ ରାଇଫଲ୍ସର ଏକ ଟିମ୍ ଓ ଅରୁଣାଚଳ ପ୍ରଦେଶର ଏକ ପାଟ୍ରୋଲିଂ ଟିମ୍ ଲିଙ୍କ ପଏଣ୍ଟରେ ମିଳିତ ହୋଇ ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆତଙ୍କବାଦୀଙ୍କ ଇଆଇଡି ବିସ୍ଫୋରଣରେ ଏକ ପାଟ୍ରୋଲିଂ ଜିପ୍ ରାସ୍ତାକଡ଼କୁ ଛିଟ୍କି ପଡ଼ିଥିଲା। ଏହାପରେ ପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ପାଟ୍ରୋଲିଂ ଟିମ୍ ଓ ଆତଙ୍କବାଦୀଙ୍କ ମଧ୍ୟରେ ୨୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଏଥିରେ ହାବିଲ୍ଦାର ଫତେହ ସିଂହ ନେଗି ଓ ସିପାହୀ ହୁଙ୍ଗଙ୍ଗା କୋନ୍ୟାକ୍ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଆସାମର ଜୋରହାଟ୍ ସେନା ଡାକ୍ତରଖାନାକୁ ନିଆଯାଇଛି। ଯବାନଙ୍କ ଗୁଳିରେ କେତେକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି।
ଭାରତ-ମିଁଆମାର ସୀମାନ୍ତରେ ଆତଙ୍କବାଦୀ ଆକ୍ରମଣ ସମ୍ପକରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପୂର୍ବରୁ ସତର୍କ ସୂଚନା ଦେଇଥିଲା। ଏହାପୂର୍ବରୁ ୨୦୧୫ରେ ସେଠାରେ ଏନ୍ଏସ୍ସିଏନ୍-କେ ଗୁଳିରେ ଆସାମ ରାଇଫଲ୍ର ୮ ଜଣ ଯବାନ୍ ସହିଦ ହୋଇଥିଲେ