୪ ସଶସ୍ତ୍ର ମାଓବାଦୀଙ୍କ ସହ ଖାଲି ହାତରେ ଲଢିଲେ ଯବାନ
ନାଗପୁର : ଚାରିଜଣ ସଶସ୍ତ୍ର ମାଓବାଦୀଙ୍କ ସହ ଖାଲି ହାତରେ ଲଢିବା ଭଳି ସାହସିକତା ପ୍ରଦର୍ଶନ କରିଛନ୍ତି ମହାରାଷ୍ଟ୍ର ପୁଲିସର ଜଣେ କମାଣ୍ଡୋ। ଗତ ରବିବାର ଏପରି ସାହସିକତା ପ୍ରଦର୍ଶନ କରିଥିବା ପୁଲିସ କମାଣ୍ଡୋ ଜଣଙ୍କ ହେଉଛନ୍ତି ଗୋମଜି ମାତାମି (୩୩ବର୍ଷ)। ମାତାମି ଏବେ ମହାରାଷ୍ଟ୍ର ଗଡଚିରୋଲି ଜିଲା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ମାତାମି ଦେଖାଇଥିବା ସାହସିକତାକୁ ପୁଲିସ ବିଭାଗରେ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଏବେ ଅରେଞ୍ଜ ସିଟି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ରବିବାର ମାତାମି ଓ ତାଙ୍କ ସାଥୀମାନେ ଜାମ୍ବିଆ ଘାଟ ପୁଲିସ ପୋଷ୍ଟରୁ ଡ୍ୟୁଟି ସାରି ଫେରିବା ବେଳେ ତାଙ୍କ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ସାଥୀମାନେ ଆଗରେ ଚାଲିଯାଇଥିବାବେଳେ ମାତାମି ତାଙ୍କର ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରିବା କାରଣରୁ ପଛରେ ଏକୁଟିଆ ରହିଯାଇଥିଲେ। ମାତାମି ଏକୁଟିଆ ଥିବା ଦେଖି ସାଧା ପୋଷାକରେ ଆସିଥିବା ଚାରିଜଣ ମାଓବାଦୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ମାଓବାଦୀମାନେ ତାଙ୍କୁ ହତ୍ୟା କରି ତାଙ୍କ ଠାରୁ ଏକେ-୪୭ ରାଇଫଲ ଓ ମାଗାଜିନକୁ ଲୁଟି ନେବାକୁ ଉଦ୍ୟମ କରିଥିଲେ। ତେବେ ମାତାମି ସେମାନଙ୍କ ଠାରୁ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଜଣେ ମାଓବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିଲା ମାତ୍ର ପିସ୍ତଲର ତ୍ରୁଟି ଯୋଗୁଁ ଗୁଳି ଫୁଟି ନଥିଲା। ଅନ୍ୟ ଜଣେ ମାଓବାଦୀ ତାଙ୍କୁ ଛୁରାମାଡ କରି ତାଙ୍କ ରାଇଫଲ ଧରି ପଳାଉଥିବାବେଳେ ମାତାମି ତାର ପିଛା କରିବା ପୂର୍ବକ ତାକୁ କାବୁ କରିଥିଲେ। କ୍ଷତାକ୍ତ ଅବସ୍ଥାରେ ମାତାମି ଚାରିଜଣ ମାଓବାଦୀଙ୍କ ସହିତ ଦୀର୍ଘ ସମୟ ଲଢେଇ କରିଥିଲେ। ଶେଷରେ ମାଓବାଦୀମାନେ ହାର ମାନିବା ପୂର୍ବକ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ସେମାନେ ମାତାମିଙ୍କ ଠାରୁ ରାଇଫଲ ଲୁଟି ନେବାରେ ବିଫଳ ହୋଇଥିଲେ। ବଜାର ପାଖ ଅଞ୍ଚଳ ହୋଇଥିବାରୁ ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ମାତାମି ମାଓବାଦୀଙ୍କ ଉପରକୁ ଗୁଳି ଚଳାଇନଥିଲେ। ନଚେତ ସମସ୍ତ ମାଓବାଦୀଙ୍କର ମୃତ୍ୟୁ ହୋଇଥାନ୍ତା।