‘ସ୍କିଲ୍‍ ଅନ୍‍ ହୁଇଲ୍ସ’ଯୋଜନାର ଶୁଭାରମ୍ଭ ​‌

0

ଭୁବନେଶ୍ୱର:ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଛାତ୍ରଛାତ୍ରୀଙ୍କୁ କେବଳ ଶିକ୍ଷା ଦେଲେ ଚଳିବ ନାହିଁ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରି ଗଢ଼ି ତୋଳିବାକୁ ପଡିବ। ଇଞ୍ଜିନିୟରିଂ କ୍ଷେତ୍ର ହେଉ ଅବା କୃଷି, ଖାଦ୍ୟ, ଶକ୍ତି ଓ ପରିବେଶ ଭଳି ଦିଗ, ଯେଉଁ କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ପ୍ରମାଣ କରିବାକୁ ଚାହିଁବେ ସେମାନଙ୍କୁ ତା’ର ତାଲିମ ଯୋଗାଇ ଦିଆଯିବ। ଯାହାଫଳରେ କି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଭବିଷ୍ୟତରେ ଚାକିରି ପାଇଁ ସେମାନେ କାହା ଆଗରେ ହାତପାତି ଛିଡା ହେବାକୁ ପଡିବ ନାହିଁ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ‘ସ୍କିଲ ଅନ୍‍ ହୁଇଲ୍ସ’କାର୍ଯ୍ୟକ୍ରମକୁ ଶୁଭରମ୍ଭ କରି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ବୁଧବାର ଓପେପା ପରିସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଓ ବୈଷୟିକ ସହଯୋଗୀ ସଂସ୍ଥା ଲେଣ୍ଡ-ଏ ହ୍ୟାଣ୍ଡର ମିଳିତ ସହଯୋଗରେ ଭ୍ରାମ୍ୟମାଣ ଦକ୍ଷତା ବିକାଶ ପ୍ରୟୋଗଶାଳ ସ୍କି୍‍ିଲ ଅନ୍‍ ହୁଇଲ୍ସ ଯୋଜନାକୁ ଶୁଭରାମ୍ଭ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ରାଜ୍ୟରେ ୩୧୪ଟି ଉଚ୍ଚବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ କରାଯାଇଛି। ବିଶେଷକରି ମାଧ୍ୟମିକସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ତୃତୀୟଭାଷାର ମାନ୍ୟତା ଦିଆଯାଇଛି। ସବୁ ଶିକ୍ଷା ଯୋଜନା ଅଧିନରେ ରାଜ୍ୟର ଆଉ ୯୫ଟି ଉଚ୍ଚବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ସଂପ୍ରସାରଣ କରାଯିବ। ଏବେ ୮୦ଟି ବିଦ୍ୟାଳୟରେ ବହୁମୁଖୀ ଦକ୍ଷତା ବିଭାଗ ପ୍ରଚଳନ କରାଯିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଆଉ ୨୫ଟି ଉଚ୍ଚବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
କାର୍ଯ୍ୟକ୍ରମରେ ଓପେପା ନିର୍ଦେଶକ ଭୁପିନ୍ଦର ସିଂ ପୁନିଆ କହିଥିଲେ ଯେ ସବୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ଶିକ୍ଷାଦାନ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ପୌରାଞ୍ଚଳ, ବାରଙ୍ଗ, ଜଟଣୀ, ଖୋର୍ଦ୍ଧା, ବାଲିଅନ୍ତା ଓ କଣ୍ଟାପଡାରେ ଧନ୍ଦାମୂଳକ ଶିକ୍ଷା କୌଶଳ ପ୍ରଦାନ କରାଯିବ।
ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ପୁନିଆ କହିଥିଲେ। ଉତ୍ସବରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ ସିଲ୍‍, ବିଭାଗର ଓଏସ୍‍ଡି ଖଗେନ୍ଦ୍ରନାଥ ପାଢ଼ୀଙ୍କ ସହ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply