ମେଣ୍ଟ ପାଇଁ ସର୍ତ୍ତ: ଶିବସେନାକୁ ଲୋଡ଼ା ୧୫୨ ଆସନ ଓ ମୁଖ୍ୟମନ୍ତ୍ରୀ ପଦ

0

ମୁମ୍ବଇ: ବିଜେପି ସହିତ ନିର୍ବାଚନୀ ମେଣ୍ଟ ହେଲେ ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ୧୫୨ଟି ଆସନରେ ଶିବସେନା ଲଢ଼ିବ। ଏଥିସହିତ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଶିବସେନା ପାଖରେ ରହିବ। ମେଣ୍ଟ ପାଇଁ ଆଗ୍ରହୀ ଥିବା ବିଜେପି ଆଗରେ ଶିବସେନା ଏଭଳି ସର୍ତ୍ତ ଆରୋପ କରିଥିବା ନିକଟତମ ମହଲରୁ ସୂଚନା ମିଳିଛି।
ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରିବ ନାହିଁ ବୋଲି ଶିବସେନା ସ୍ପଷ୍ଟ କରିଥିବା ବେଳେ ଶିବସେନାକୁ ମନାଇବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ସମୟରେ ଶିବସେନା ଅଧିକ ଆସନ ଦାବି କରିଛି। ଏହି ସର୍ତ୍ତରେ ନିର୍ବାଚନ ଲଢ଼ିବା ସମ୍ଭବ ନଥିôବାରୁ ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ମହରାଷ୍ଟ୍ରରେ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
୨୦୧୪ ସାଧାରଣ ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ କରିଥିଲେ। ୪୮ ଲୋକସଭା ଆସନରୁ ଶିବସେନା ୨୨ଟି ଆସନରେ ଲଢ଼ିଥିବା ବେଳେ ବିଜେପି ୨୬ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ତା’ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ପୃଥକ୍‍ ଭାବେ ନିର୍ବାଚନ ଲଢ଼ିଥିଲେ। ବିଜେପି ୧୨୨ଟି ଆସନରେ ଜୟଯୁକ୍ତ ହୋଇଥିବା ବେଳେ ଶିବସେନାକୁ ୬୨ଟି ଆସନ ମିଳିଥିଲା। ଏବେ ସେଠାରେ ଶିବସେନା ସମର୍ଥନରେ ବିଜେପି ସରକାର ଗଠନ କରିଛି।

Leave A Reply