ଦେବ ବିବାହ ପାଇଁ ନିମନ୍ତ୍ରଣ ଦେଲେ ନୃସିଂହ: ପିତ୍ରାଳୟରେ ପାର୍ବତୀଙ୍କ ବନ୍ଦାଣ ଉତ୍ସବ ଓ ମଙ୍ଗଳହାଣ୍ଡି ସ୍ଥାପିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ବୃହତ୍ତମ ଗଣପର୍ବ ଶୀତଳଷଷ୍ଠୀର ଶୁଭାରମ୍ଭ ଶୁକ୍ରବାର ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡ଼ାର ବଂ ବରାଡ ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି ନୀତି ସହିତ ହୋଇଯାଇଛି। ସପ୍ତାହବ୍ୟାପି ସମ୍ପୂର୍ଣ୍ଣ ଲୋକାଚାର ନୀତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବର ଦ୍ୱିତୀୟ ଦିନ ଶୁକ୍ରବାର ସାଧାରଣ ବିବାହ ପରି ସକାଳ ୧୦ଟାରେ ନନ୍ଦପଡ଼ାର ମହିଳାମାନେ ଦେବୀ ପାର୍ବତୀଙ୍କୁ ଶଙ୍ଖ, ହୁଳହୁଳି, ଦୁଲଦୁଲି, ଘଣ୍ଟ ବାଦ୍ୟର ଆସରରେ ତାଙ୍କର ମାତାପିତାଙ୍କ ଘର (ଚାରଭାଟି)କୁ ନେଇ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରୀତି ସମ୍ପନ୍ନ କରିଥିଲେ। ଏହା ପରେ ବିବାହ ପାଇଁ ପାର୍ବତୀଙ୍କର ପିତ୍ରାଳୟରେ ମଙ୍ଗଳ ହାଣ୍ଡି ସ୍ଥାପିତ ହୋଇଥିଲା। ଏହି ନିତି ପରେ ଆନୁଷ୍ଠିକ ଭାବରେ କନ୍ୟା ପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ନୀତି ସମ୍ପନ୍ନ ହେବା ପରେ ଦିନ ପ୍ରାୟ ୧୨ଟାରେ ପୁନଃ ମାତା ପାର୍ବତୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସ୍ମରଣଯୋଗ୍ୟ ଯେ, ମହାଦେବ ନିଜେ ସ୍ୱୟଂଭୂ ହୋଇଥିବାରୁ ତାଙ୍କର ପିତା ଓ ମାତା ନାହାନ୍ତି। ଏଣୁ ତାଙ୍କର ମୁଗଜବାର ଓ ମଙ୍ଗଳ ହାଣ୍ଡି ରୀତି ପାଳନ କରାଯାଉ ନ ଥିବା ବେଳେ ମାତା ପାର୍ବତୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ ରୂପେ ଜନ୍ମ ନେଇଥିବାରୁ ତାଙ୍କର ପିତ୍ରାଳୟରେ ମୁଗଜବାର ଓ ମଙ୍ଗଳ ହାଣ୍ଡି ରୀତି ପାଳନ କରାଯାଇଥାଏ। ସାଧାରଣ ବିବାହ ନୀତି ଅନୁଯାୟୀ ମହିଳାମାନଙ୍କ ଦ୍ୱାରା ଏହି ରୀତିନୀତି ପାଳନ କରାଯାଉଥିବାରୁ ଏହି ରୀତିକୁ ଅଞ୍ଚଳର ମହିଳାମାନେ ପାର୍ବତୀଙ୍କର ପିତ୍ରାଳୟରେ ତାଙ୍କର ମାତା ଓ ପାଖପଡ଼ିଶାର ମହିଳାମାନଙ୍କ ସହିତ ମିଶି ପାଳନ କରିଥାନ୍ତି।
ଏହା ପରେ ରାତ୍ରିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ବିଷ୍ଣୁଙ୍କ ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଦ୍ୱାରା ନିଉତା (ନିମନ୍ତ୍ରଣ) ନୀତି ସମ୍ପନ୍ନ କରାଯାଇଥିଲା। ଆଜି ଅପରାହ୍ନରେ ପ୍ରାୟ ୪ ଘଣ୍ଟା ଧରି ଅବିନାଶ ମିଶ୍ର, ସନତ ନନ୍ଦ ଓ ସିଦ୍ଧାନ୍ତ ମିଶ୍ରଙ୍କ ଦ୍ୱାରା ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପାଟ, ନୁନା, ରୁପା ଅଳଙ୍କାର ଆଦିରେ ଶୃଙ୍ଗାର କରି ସୁସଜ୍ଜିତ କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁକ୍ରବାର ରାତ୍ର ପ୍ରାୟ ୯ଟାରେ ନୃସିଂହ ମହାପ୍ରଭୁ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବଡ ସଡକ ଓ ସାନ ସଡକ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରଗୁଡିକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ନିଉତା (ନିମନ୍ତ୍ରଣ) ପ୍ରଦାନ କରିଛନ୍ତି। ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ପଞ୍ଚବକ୍ର, ଦୁର୍ଗା ଓ ଭୈରବଙ୍କୁ ନୃସିଂହ ମହାପ୍ରଭୁ ପ୍ରଥମେ ନିଉତା ଦେଇଥିଲେ। ଏହା ପରେ ବାରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାଟମଙ୍ଗଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦଧିବାବନ ମନ୍ଦିର ଆଦି ବିଭିନ୍ନ ମନ୍ଦିର ଗୁଡିକୁ ଯାଇ ଦେବାଦେବୀମାନଙ୍କୁ ଗୁଆ, ପଇତା, ହଳଦୀଆ କପଡ଼ା, ନଡିଆ ଓ ମିଠେଇ ଦେଇ ମହାଦେବ ଓ ପାର୍ବତୀଙ୍କର ବିବାହ ପାଇଁ ନିଉତା ଦେଇ ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ।

ନୃସିଂହ ମହାପ୍ରଭୁ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଶଙ୍ଖ, ଘଣ୍ଟ, ଦୁଲଦୁଲି, ଧମାଲ ବାଜା, ଗୌର ବାଡି ନୃତ୍ୟ ଓ ଆକର୍ଷଣୀୟ ଡିଜିଟାଲ ଓ ପାରମ୍ପରିକ ଆକର୍ଷଣୀୟ ଆଲୋକ ସଜ୍ଜା ମଧ୍ୟରେ ମନ୍ଦିର ମାନଙ୍କୁ ଯାଇ ନିମନ୍ତ୍ରଣ ଦେଇଥିଲେ। ସ୍ଥାନୀୟ କାଗିଗର ସତ୍ୟଜିତ ନାୟକଙ୍କ ଦ୍ୱାରା ସୋଲରେ ଆକର୍ଷଣୀୟ ୩ଡି ଥିମରେ ଏକ ଚିତ୍ତାକର୍ଷକ ପରଭାରେ ସୁସଜ୍ଜିତ ରଥ ନିର୍ମାଣ କରାଯଇଥିଲା। ଏହି ରୀତି ପାଳନ ସମୟରେ ବରପିତା ରାମ ଚରଣ ମିଶ୍ର, ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଫଣିଭୂଷଣ ମିଶ୍ର, ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ୟ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ମିଶ୍ର, ଆଶିଷ ବାବୁ, ଭୁବନ ମୋହନ ମିଶ୍ର, ବିଷ୍ଣୁ ପ୍ରସାଦ ପାଢ଼ି ପ୍ରମୁଖଙ୍କ ସମେତ ଶତାଧିକ କମିଟି କର୍ମକର୍ତ୍ତା ସାମିଲ ହୋଇଥିଲେ। ଶନିବାର ପୁର୍ବାହ୍ନରେ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସୋମନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଦୁର୍ଗା ମନ୍ଦିରକୁ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯିବାର ନୀତି ସମ୍ପନ୍ନ କରାଯିବ।

ଶନିବାର ରାତ୍ର ସମୟରେ ଝାଡୁଆପଡ଼ା, ମୁଦିପଡ଼ା, ବଡବଜାର ସମେତ ଅନ୍ୟ କମିଟିଗୁଡିକ ଦ୍ୱାରା ଦେବ ବିବାହ ଉତ୍ସବ ନିମନ୍ତେ ପତ୍ରପେଣ୍ଡି ନିତି ଆୟୋଜିତ ହେବ। ରବିବାର ଅପରାହ୍ନରେ ଏହି ବିବାହୋତ୍ସବରେ ସାକ୍ଷୀ ହେବା ପାଇଁ ବିଷ୍ଣୁଙ୍କ ଅନ୍ୟତମ ଅବତାର ସାକ୍ଷୀଗୋପିନାଥଙ୍କ ବିଧି ପୂର୍ବକ ଆଗମନ ନନ୍ଦପଡ଼ା ଯାତ୍ରା କମିଟିକୁ ହେବ। ଏଥିସହ ରାତ୍ରରେ ଝାଡୁଆପଡ଼ା, ମୁଦିପଡ଼ା ସହ ଅନ୍ୟାନ୍ୟ ଯାତ୍ରା କମିଟି ଦ୍ୱାରା ହନୁମାନ ନିଉତା ନୀତି ସମ୍ପନ୍ନ କରାଯିବ। ସୋମବାର ରାତ୍ରରେ ଦେବ ବିବାହ, ମଙ୍ଗଳବାର ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ନଗର ପରିକ୍ରମା ସହିତ ବୁଧବାର ଅପରାହ୍ନରେ ମହାଦେବ ଓ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ହେବ।

Comments are closed.