୨୨୫୩ କୋଟିର ୧୧ ପ୍ରସ୍ତାବକୁ ନୀତିଗତ ମୋହର

୩୮୧୭ ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପାନୁକୂଳ ପରିବେଶକୁ ନେଇ କିଭଳି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ ଓ ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃ‌ଷ୍ଟି ହେବ ସେଥିଲାଗି ଗୁରୁବାର ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୧ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିଛି। ଏହିସବୁ ପ୍ରକଳ୍ପ ମାଧ୍ୟମରେ ୨୨୫୩. ୧୫ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ସୃଷ୍ଟି ହେବ। ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେଲେ ୩,୮୧୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ନିର୍ଦିଷ୍ଟ ସମୟସୀମା ଭିତରେ ପ୍ରକଳ୍ପ ଗୁଡିକ ଶେଷ କରିବାକୁ ମୁଖ୍ୟସଚିବ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି।
ଆଜି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସି ବୈଠକରେ ମୁଖ୍ୟତଃ ଆଲୁମିନିଅମ୍ ଓ ଷ୍ଟିଲ୍‌ ଡ଼ାଉନ୍‌ଷ୍ଟ୍ରିମ୍, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ବୈଦ୍ୟୁତିକ ପଦାର୍ଥ ଉତ୍ପାଦନ ଏବଂ ଉତ୍ପାଦନ କ୍ଷେତ୍ର ସଂକ୍ରାନ୍ତ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ସଂପର୍କରେ ତଥ୍ୟ ରଖିଥିବାବେଳେ ଏହାକୁ କ୍ରିୟାନ୍ବୟନ କରିବାକୁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗଗୁଡିକୁ ନିର୍ଦେଶ ଦେଇଥିଲେ। ପ୍ରତିଷ୍ଠା ହେବାକୁ ଥିବା ଏହି ଶିଳ୍ପାନୁଷ୍ଠାନ ଯେପରି ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସବୁ ଶିଳ୍ପାନୁଷ୍ଠାନରେ କୌଶଳ ପ୍ରାପ୍ତ (ସ୍କିଲ୍ ଇନ୍ ଓଡିଶା) ଓଡ଼ିଆ ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଉନ୍ନୟନ ଆ‌ୟୁକ୍ତ ପ୍ରଦୀପ କୁମାର ଜେନା, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ସତ୍ୟବ୍ରତ ସାହୁ, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.