ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଳା ଜୋନ ଅନ୍ତର୍ଗତ ଜାମଖୁଣ୍ଟା ପେକ୍ସ ଅଧିନରେ ଜାମଖୁଣ୍ଟା ଓ ଗନ୍ଧର୍ଲା ପଞ୍ଚାୟତ ରହିଛି। ଏହି ଦୁଇଟି ପଞ୍ଚାୟତର କେନ୍ଦ୍ର ସ୍ଥଳରେ ତୁରେକେଳା ଗାଁ ଅବସ୍ଥିତ। ଏଣୁ ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ ପୂର୍ବରୁ ତୁରେକେଳାଠାରେ ଧାନମଣ୍ଡି ଖୋଲା ଯାଉଥିଲା। ହେଲେ ପରବର୍ତ୍ତି ସମୟରୁ କୌଣସି କାରଣରୁ ସେଠାରେ ଆଉ ମଣ୍ଡି ଖୋଲା ଯାଉନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୁଲ ନିଷ୍ପତ୍ତି କିମ୍ବା ଅନ୍ୟ କିଛି କାରଣରୁ ୨/୩ ବର୍ଷ ହେବ ଜାମଖୁଣ୍ଟାରେ ମଣ୍ଡି ଖୋଲାଯାଉଛି। ଫଳରେ ଗନ୍ଧର୍ଲା ପଞ୍ଚାୟତର ଶୁଣ୍ଢିମୁଣ୍ଡା, ବଡପଡା, ଗନ୍ଧର୍ଲା, ବରକାନୀ, ସାଲେମୁଡଗା ଆଦିର ଚାଷୀମାନଙ୍କ ପାଇଁ ଦୂର ହେଉଛି। ଏହି ସମସ୍ୟାକୁ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତାଙ୍କ ପ୍ରସ୍ତାବକୁ କେହି ଧ୍ୟାନ ଦେଇନାହାନ୍ତି।
ସୂଚନାଯୋଗ୍ୟ ଯେ, ତୁରେକେଲା ଗାଁ ଜାତୀୟ ରାଜପଥରେ ରହିଥିବାରୁ ଚାଷୀମାନଙ୍କ ଗମନାଗମନ ତଥା ଧାନ ନେବା ଆଣିବାରେ ସୁବିଧା ହୁଅନ୍ତା। ଏଣୁ ପୂର୍ବ ପରି ତୁରେକେଳାଠାରେ ହିଁ ଧାନମଣ୍ଡି ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।



