ଶିଖ ଯୁବକଙ୍କୁ ଆତଙ୍କବାଦୀ କରୁଛି ପାକିସ୍ତାନ
ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଶିଖ ଯୁବକଙ୍କୁ ପ୍ରବର୍ତ୍ତାଇ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରୁଛି । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପରେଖ ଦେବା ପାଇଁ ପାକିସ୍ତାନ ଶିଖ ଯୁବକଙ୍କୁ ପ୍ରଶିକ୍ଷଣ ଦେଉଛି । କାନାଡ଼ା ଏବଂ ଅନ୍ୟ ଦେଶରେ ରହୁଥିବା ଶିଖ ଯୁବକଙ୍କୁ ବିଭିନ୍ନ ମାଧ୍ୟମରେ ଭାରତ ବିରୋଧରେ ପ୍ରବର୍ତ୍ତାଯାଉଛି । ଗୃହମନ୍ତ୍ରଣାଳୟ ସୋମବାର ସଂସଦୀୟ ପ୍ୟାନେଲକୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ।
ଶିଖ ଯୁବକଙ୍କୁ ଭାରତ ବିରୋଧରେ ପ୍ରବର୍ତ୍ତାଇବା ପାଇଁ ଇଣ୍ଟରନେଇଟ ଓ ସାମାଜିକ ଗଣମାଧ୍ୟମର ଦୁର୍ବ୍ୟବହାର କରାଯାଉଛି । ବିଶେଷ କରି ଆଇଏସ୍ଆଇ ଦ୍ୱାରା ପରିଚାଳିତ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଏହି କାର୍ଯ୍ୟ କରୁଛନ୍ତି । ଏଭଳି ସ୍ଥିତି ଭାରତ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜର ବିଷୟ ହୋଇଛନ୍ତି । ପଞ୍ଜାବ ସମେତ ଭାରତର ଅନ୍ୟ ଅଂଶଗୁଡ଼ିକରେ ଆତଙ୍କବାଦୀ ଗିତିବିଧି ସୃଷ୍ଟି କରିବାକୁ ଆଇଏସ୍ଆଇ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଅଧିକରୁ ଅଧିକ ଚାପ ପକାଉଛି । ଏଥିପାଇଁ ପାକିସ୍ତାନ ଶିଖ କଏଦୀ, ଅପରାଧୀ, ବେକାରିଙ୍କୁ ଏକାଠି କରି ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି । ଭାରତର କେନ୍ଦ୍ର ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ଆଇଏସ୍ଆଇ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷା ସଂସ୍ଥାଗୁଡ଼ିକ ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି ପ୍ୟାନେଲକୁ କୁହାଯାଇଛି ।
ପାକିସ୍ତାନର ଲସ୍କର-ଇ-ତୋଇବା, ଜୈସ ଏ ମେହମ୍ମଦ, ସିମି, ଅଲ ଉମ୍ମା, ଇଣ୍ଡିଆନ ମୁଜାହିଦ୍ଦିନ, ଅଲକାଏଦା ଏବଂ ଆଇଏସ୍ ଭଳି ଆତଙ୍କବାଦୀ ସଂଗଗଠନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଭାରତ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ଏବେ ନୂଆ ଶିଖ ଆତଙ୍କବାଦୀ ସଂଗଠନ ଚିନ୍ତାକୁ ଦ୍ୱିଗୁଣିତ କରିଛି ।