ହାଇଦରାବାଦ: ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ (ଏନସିବି) ଗିରଫ କରିଛି। ମାଦକ ଦ୍ରବ୍ୟ କାରବାର ଅଭିଯୋଗରେ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଛି ବୋଲି ଏନସିବି ଶୁକ୍ରବାର କହିଛି। ତାଙ୍କୁ ହାଇଦରାବାଦରୁ ଗିରଫ କରାଯିବା ପରେ ଏନସିବିର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୫ଦିନ ପାଇଁ ଏନସିବି ହାଜତକୁ ପଠାଇ ଦେଇଛନ୍ତି।
ମାଦକ ଦ୍ରବ୍ୟ କାରବାର ମାମଲାରେ ସିଦ୍ଧାର୍ଥଙ୍କୁ ଜେରା ନିମନ୍ତେ ଏନସିବି ଅନେକ ଥର ନୋଟିସ ଜାରି କରିଥିବାବେଳେ ସେ ହାଜର ହୋଇ ନଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ମାଦକ ଦ୍ରବ୍ୟ କାରବାର ସମ୍ପୃକ୍ତି ଉପରେ ଏନସିବି ତଦନ୍ତ କରି ୧୨ହଜାର ପୃଷ୍ଠାର ଅଭିଯୋଗଫର୍ଦ ଦାଖଲ କରିଛି। ଏହି ଅଭିଯୋଗଫର୍ଦରେ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।



