www.samajalive.in
Thursday, December 11, 2025
26.1 C
Bhubaneswar

ଭକ୍ତିର ଦେବତା ଶ୍ରୀଜଗନ୍ନାଥ

ବହୁ ମତ, ବହୁ ପନ୍ଥ, ବହୁ ସମ୍ପ୍ରଦାୟ। ସମସ୍ତେ କିନ୍ତୁ ସେଇ ଏକ ସତ୍ୟକୁ ଆଧାର କରି ଶ୍ରୀକ୍ଷେତ୍ର ପୁରୀକୁ ନିଜ ସାଧନା କ୍ଷେତ୍ର ବା ମତ ପ୍ରଚାରର କେନ୍ଦ୍ର ରୂପରେ ଗ୍ରହଣ କରିଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଆଉ ଶ୍ରୀଜଗନ୍ନାଥ ତତ୍ତ୍ୱକୁ ନିଜ ଆତ୍ମାନୁଚିନ୍ତନରେ ମାର୍ଗଦର୍ଶନ। ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତି ଦେବତା – ଭକ୍ତିର ପ୍ରତୀକ। ପରମ ଜ୍ଞାନ, ଭକ୍ତିର ସମନ୍ୱୟ ହେଉଛି ଭକ୍ତି ଯୋଗ। ଆଉ ଏହି ସମନ୍ୱୟ ଯୋଗ ହେଉଛି ଶ୍ରୀଜଗନ୍ନାଥ ତତ୍ତ୍ୱ। ଶ୍ରୀମଦ୍‍ ଭାଗବତ ଗୀତାରେ କୁହାଯାଇଛି – ‘ଅନେକ ବାହୂଦରବକ୍ତ୍ରନେତ୍ରଂ ପଶ୍ୟାମି ତ୍ୱାଂ ସର୍ବତୋଽନନ୍ତରୂପମ। ନାନ୍ତଂ ନ ମଧ୍ୟଂ ନ ପୁନସ୍ତବାଦିଂ ପଶ୍ୟାମି ବିଶ୍ୱେଶ୍ୱର ବିଶ୍ୱରୂପ।।’ ଅନେକ ବାହୁ, ଉଦର, ବଦନ ଓ ନେତ୍ର ବିଶିଷ୍ଟ ଅନନ୍ତରୂପ ତୁମକୁ ସର୍ବଦିଗରେ ମୁଁ ଦର୍ଶନ କରୁଛି, କିନ୍ତୁ ହେ ବିଶ୍ୱେଶ୍ୱର, ହେ ବିଶ୍ୱରୂପ, ମୁଁ ତୁମର ଆଦି, ଅନ୍ତ କିମ୍ବା ମଧ୍ୟ କିଛି ଦେଖିପାରୁନାହିଁ। ଦେହ ମଧ୍ୟରେ ଦେହୀ ଶ୍ରୀଜଗନ୍ନାଥ ନିତ୍ୟ ବିରାଜିତ। ସେ ଆତ୍ମା ରୂପରେ ରହିଛନ୍ତି। ବହିର୍ଜଗତରେ ଯେପରି ତାଙ୍କର ଇଚ୍ଛାରେ ସବୁକିଛି ଚାଲିଛି, ସେହିପରି ଦେହ ମଧ୍ୟରେ ସେ ହିଁ ଶ୍ୱାସପ୍ରଶ୍ୱାସର କାରଣ। ତାଙ୍କ ବିନା ଏହି ଦେହ ଦେବାଳୟ ଶ୍ରୀହୀନ, ଜଡ଼, ମୃତ୍ୟୁ।

ବିଶ୍ୱର ବିଭିନ୍ନ ଧର୍ମ ଚେତନାରେ ଭଗବାନ ଓ ଭକ୍ତ ଦୁଇଟି ସ୍ୱତନ୍ତ୍ର ସତ୍ତା ଭାବେ ପରସ୍ପରଠାରୁ ଅନତିକ୍ରମ୍ୟ ଦୂରତ୍ୱରେ ରହିଥିବା ବେଳେ ହିନ୍ଦୁ ଧର୍ମ ଭାବନାରେ ଦେବଦେବୀମାନେ ସର୍ବଦା ମାନବୀୟ ପ୍ରକୃତି ଓ ଆଚରଣ ପ୍ରଦର୍ଶନ କରି ମଣିଷର ପାଖେ ପାଖେ ରହିଛନ୍ତି। ଦେବ-ମାନବର ଏହି ସମନ୍ୱିତ ଲୀଳାଖେଳାର ମହତ୍ତମ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ସାଧାରଣ ମଣିଷଟିଏ ପରି ଦୈନନ୍ଦିନ ଓ ଅନ୍ୟାନ୍ୟ ବିଶେଷ କର୍ମମାନ ସମ୍ପାଦନ କରିବା ସହିତ ଜନ୍ମ ଓ ମୃତ୍ୟୁ ମଧ୍ୟ ପ୍ରାପ୍ତ ହୁଅନ୍ତି। ସାରା ଜୀବଜଗତ ପାଇଁ ଏହା ଏକ ସ୍ୱାଭାବିକ ପ୍ରବାହ। ମାତ୍ର, ଜୀବ-ପରମ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଯେତେବେଳେ ମର୍ତ୍ତ୍ୟ ବୈକୁଣ୍ଠରେ ନିଜକୁ ଏହି ଜନ୍ମ ମୃତ୍ୟୁର ପ୍ରବାହରେ ଭସାଇ ଦିଅନ୍ତି; ତାହା ଭକ୍ତଙ୍କ ପାଇଁ ପାଲଟିଯାଏ ଏକ ଦିବ୍ୟ ଅନୁଭବ। ମହାପ୍ରଭୁ ଏହି ଅନୁପମ ଲୀଳା ମାଧ୍ୟମରେ ସୂଚେଇ ଦିଅନ୍ତି ଯେ ଜନ୍ମ, ଜୀବନ କି ମୃତ୍ୟୁ; କୌଣସିଟି ସମ୍ପୂର୍ଣ୍ଣ ନୁହେଁ। ସମ୍ପୂର୍ଣ୍ଣର ଏହା ଗୋଟିଏ ଗୋଟିଏ ଅଂଶ କେବଳ। ତେଣୁ ତାକୁ ଅବଲୋକନ କରୁଥିବା ଭକ୍ତଟିର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିବା ସଙ୍ଗେସଙ୍ଗେ ମୃତ୍ୟୁ ଭୟରୁ ମଧ୍ୟ ସେ ମୁକ୍ତି ପାଇଥାଏ।

- Advertisement -

ଭାରତୀୟ ଧର୍ମ ଓ ସଂସ୍କୃତିକୁ ପ୍ରାଥମିକ ରୂପ ଦେଇଥିବା ବେଦାନ୍ତ ଦର୍ଶନ ଯେଉଁ ନିରୁପାଧି ପରଂବ୍ରହ୍ମ ସତ୍ତାର ପରିକଳ୍ପନା କରିଥିଲା ତା’ର ସାକାର ବିଗ୍ରହ ହିଁ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥଙ୍କ ସ୍ୱରୂପକୁ ନିରକ୍ଷଣ କଲେ ସ୍ପଷ୍ଟ ହୁଏ ଯେ ତାହା ଅନ୍ୟ ଦେବତାଙ୍କ ପରି ନୁହେଁ; ଏକ ଭିନ୍ନ ରୂପରେ ସେ ପ୍ରମୂର୍ତ୍ତ। ବ୍ରହ୍ମଙ୍କ ଏକ ପ୍ରତୀକାତ୍ମକ ଚରିତ୍ର ହେଉଛନ୍ତି ଏ ବିଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମର ସ୍ୱରୂପ ସବୁ ଧର୍ମ, ସବୁ ଉପାସନା, ଚିନ୍ତନ, ସବୁ ସମ୍ପ୍ରଦାୟ ଓ ସବୁ ଆଧ୍ୟାତ୍ମିକ ଚେତନା ଭିତରେ ବିଦ୍ୟମାନ।

ମନେ ରଖିବା ଉଚିତ ଯେ ଜୀବନ ଯାତ୍ରା ପଥରେ ସମସ୍ତ ପ୍ରକାରର ବିଳାସ-ବାସନା, ନୃତ୍ୟ-ଗୀତ, ଆମୋଦ-ପ୍ରମୋଦ ଏସବୁ ହେଉଛି ରଥଯାତ୍ରାର ଶୋଭାଯାତ୍ରା ଭଳି। ଜୀବନ ହେଉଛି ଏକ ରଥଯାତ୍ରା। ଏହି କଥା ମନରେ ରଖି ମନୁଷ୍ୟ ନିଜର ସମସ୍ତ କର୍ମର ବିଚାର କରିବା ଉଚିତ। ଜୀବନର ପ୍ରତିଟି କ୍ଷଣ, ମୁହୂର୍ତ୍ତ ଏବଂ କାଳର ପ୍ରତି ପାଦରେ ଭଗବାନଙ୍କ ନାମ ସ୍ମରଣ ପୂର୍ବକ ପରୋପକାର ଓ ସତ୍‍କର୍ମ ପାଇଁ ଏହି ଦେହର ରଥକୁ ସାରଥି ପରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିବା ହିଁ ଜୀବନର ମାନବୀୟ ମୂଲ୍ୟବୋଧ। କେବଳ ଧନୀ ନୁହନ୍ତି, ଜଣେ ନିର୍ଦ୍ଧନ ବି ନିଜ ମୁଖରେ ମିଷ୍ଟ ବାଣୀ ଦ୍ୱାରା ଜଣକୁ ସନ୍ତୋଷ ପ୍ରଦାନ କରିପାରିବ। ପାଣି ମୁନ୍ଦାଏ ହେଉ ବା ଅସହାୟ ମୁହୂର୍ତ୍ତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ କରୁଣାର ହାତ ବଢ଼ାଇବା ଦ୍ୱାରା ଜଣେ ଜୀବନ ରଥର ଶ୍ରେଷ୍ଠ ସାରଥି ଭାବେ ନିଜ ଜୀବନକୁ ଦିବ୍ୟପଥରେ ଅଗ୍ରଗାମୀ କରିପାରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ଯାତ୍ରାରେ ଏହି ଚିନ୍ତନ ସମସ୍ତଙ୍କୁ ମାର୍ଗ ଦେଖାଉ। ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଭଗବାନଙ୍କର ଅମୂଲ୍ୟ ଦାନ। ତେଣୁ ଏହାର ସଦ୍‍ବ୍ୟବହାର କରାଯିବା ଆବଶ୍ୟକ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories