www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଭୟ – ଏମକେସିଜିରେ ମାସ୍କ ଅଭାବ

ବ୍ରହ୍ମପୁର: କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇପଡ଼ିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସମୀକ୍ଷା ଜାରି ରହିଛି। କରୋନା ମୁକାବିଲା ପାଇଁ ରାଜ୍ୟର ଛୋଟ ବଡ଼ ଡାକ୍ତରଖାନାରେ ସମସ୍ତ ପ୍ରକାର ସୁବିଧା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ହେଲେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ମାସ୍କ ଅଭାବ ଲାଗି ରହିଛି। ଗତ କିଛିଦିନ ହେବ ମେଡିକାଲକୁ ମାସ୍କ ଯୋଗାଣ ହୋଇନଥିବାରୁ ଡାକ୍ତର ଓ କର୍ମଚାରୀମାନେ ଖାଲି ମୁହଁରେ ଅସୁରକ୍ଷିତ ଭାବେ କାମ କରୁଥିବା ଦେଖିବାକୁ ମିଳିଛି। କରୋନା ଭୟ ସୃଷ୍ଟି ହେବା ପରେ ପରେ ଆଜକୁ ମାସକ ତଳେ ଏମକେସିଜି କାଜୁଆଲିଟିରେ କାର‌୍ୟ୍ୟରତ ଡାକ୍ତର, ନର୍ସ, ତଳିଆ କର୍ମଚାରୀ, ସୁରକ୍ଷା କର୍ମୀ ସମସ୍ତେ ମାସ୍କ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଥିଲା। ଦିନକୁ ଦିନ କରୋନା ଭୟ ବଢିବା ସାଙ୍ଗକୁ ମାସ୍କର ଚାହିଦା ମଧ୍ୟ ବଢିଥିଲା। ହେଲେ ପର୍ଯ୍ୟାପ୍ତ ଯୋଗାଣ ହୋଇନପାରିବାରୁ କିଛି ଦିନ ପରେ ଏମକେସିଜିରେ ଥିବା ସମସ୍ତ ମାସ୍କ ସରିଯାଇଥିଲା। କାଜୁଆଲିଟିରେ କାର୍ଯ୍ୟ କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବାକୁ ମାସ୍କର ଜରୁରୀ ଆବଶ୍ୟକତା କରିଛି। କାରଣ କାଜୁଆଲିଟିର ଦ୍ୱିତୀୟ ମହଲାରେ ହିଁ କରୋନା ପାଇଁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲା ଯାଇଛି।

ଯଦି କୌଣସି ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତ ବ୍ୟକ୍ତି ଏମକେସିଜିକୁ ଆସନ୍ତି ତେବେ ସେମାନଙ୍କୁ ପ୍ରଥମେ କାଜୁଆଲିଟିରେ ଭର୍ତ୍ତି କରାଯିବାର ବ୍ୟବସ୍ଥା ହୋଇଛି। ସେହିପରି କରୋନା ମୁକାବିଲା ପାଇଁ ଏକାଧିକ ଡାକ୍ତର, କାଜୁଆଲିଟି ଅଫିସର ଓ ମ୍ୟାନେଜରଙ୍କୁ ନେଇ କୋର ଟିମ୍ ଗଠନ କରାଯାଇଛି। ତେଣୁ କାଜୁଆଲିଟିରେ କାର‌୍ୟ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ମାସ୍କ ଯୋଗାଇବା ନିତାନ୍ତ ଜରୁରୀ ବୋଲି କୁହାଯାଇଛି। ଆଜକୁ ୩ ରୁ ୪ ଦିନ ହେବ ଏମକେସିଜିରେ ମାସ୍କ ନଥିବାରୁ କାଜୁଆଲିଟିକୁ ଯୋଗାଣ ହୋଇପାରୁ ନାହିଁ। କେବଳ କାଜୁଆଲିଟି ନୁେହଁ ଏମକେସିଜିର ସମସ୍ତ ବିଭାଗକୁ ମାସ୍କ ଯୋଗାଣ ବନ୍ଦ ରହିଛି। ଦିନକୁ ଦିନ କରୋନା ଭୟ ବଢୁଥିବା ବେଳେ ଡାକ୍ତର ଓ କର୍ମଚାରୀମାନେ ଖାଲି ମୁହଁରେ କାର‌୍ୟ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଖୁବଶୀଘ୍ର ୨ ହଜାର ମାସ୍କ ଯୋଗାଣ ପାଇଁ ଟେଣ୍ଡର ନେଇଥିବା ସଂସ୍ଥାକୁ କୁହାଯାଇଛି ବୋଲି ଏମକେସିଜି କର୍ତ୍ତୃପକ୍ଷ ଜଣାଇଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories