ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଦକ୍ଷତାକୁ ନେଇ ୧୨ ମାସ ମଧ୍ୟରେ ଦ୍ବିତୀୟ ଥର ପ୍ରଶ୍ନବାଚୀ ଉଠିଛି। ବର୍ଷକ ତଳେ ନ୍ୟୁଜିଲାଣ୍ଡ ଦଳ ଭାରତ ଆସି ୩-୦ରେ ଟେଷ୍ଟ ଶୃଙ୍ଖଳା ପୋଛି ନେଇଥିଲା। ଦକ୍ଷିଣ ଆଫ୍ରିକାଠାରୁ ସଦ୍ୟତମ ଟେଷ୍ଟ ଶୃଙ୍ଖଳା ପରାଜୟ ପରେ ଭାରତୀୟ ଦଳର ଦୁର୍ବଳତା ଜଳଜଳ ହୋଇ ଦିଶୁଛି। ନିଜମାଟିରେ ଭାରତ ୪୦୮ ରନ୍ରେ ହାରିବା କେହି ବି ଗ୍ରହଣ କରିବେନି। ସମସ୍ତେ କହୁଛନ୍ତି, ଗୌତମ ଗମ୍ଭୀରଙ୍କ ଅଧୀନରେ ଭାରତୀୟ ଟେଷ୍ଟ ଦଳ ତା’ର ଦୁର୍ଗ ବଞ୍ଚାଇ ପାରିନାହିଁ। ନ୍ୟୁଜିଲାଣ୍ଡ ଏହି ଦୁର୍ଗରେ ଫାଟ ସୃଷ୍ଟି କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଏହାକୁ ଧ୍ବସ୍ତ କରିଛି। ଗମ୍ଭୀରଙ୍କ ଅଧିନରେ ଭାରତୀୟ ଟେଷ୍ଟ ଦଳ ଅରାଜକତା ଓ ଅସ୍ଥିରତା ଦେଇ ଗତି କରୁଛି। ଟେଷ୍ଟ ଦଳରେ ନିୟମିତ ଭାବେ ଖେଳାଳିଙ୍କୁ ବାଦ୍ ଦିଆଯାଉଛି ବା ବଦଳା ଯାଉଛି। ଦଳରେ କାହାରି ବ୍ୟାଟିଂ ସ୍ଥାନ ନିର୍ଦିଷ୍ଟ ନାହିଁ ଏବଂ ଅଲ୍ରାଉଣ୍ଡରଙ୍କ ଉପରେ ଅଧିକ ନିର୍ଭର କରାଯାଉଛି। ଫଳରେ ଗମ୍ଭୀରଙ୍କ ଅଧୀନରେ ଭାରତ ଗତ ୧୯ଟିରୁ ୧୦ଟି ଟେଷ୍ଟ ହାରିଛି। ଭାରତର ଘରୋଇ ରେକର୍ଡ ଖରାପ ହେବାରେ ଲାଗିଛି।
ଗୌତମ ଗମ୍ଭୀରଙ୍କ ସମୟେର କେବଳ ଦୁର୍ବଳ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳା ଭାରତ ଜିତିଛି। ତେଣୁ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ। ଏବେ ଭାରତୀୟ ଟେଷ୍ଟ କ୍ରିକେଟ୍ ଅନିଶ୍ଚିତତା ସମୟ ଦେଇ ଗତିକରୁଛି। ଗତ ୧୯ଟି ଟେଷ୍ଟରେ ୭ ବ୍ୟାଟ୍ସମ୍ୟାନ୍ ୩ନଂ ସ୍ଥାନରେ ବ୍ୟାଟିଂ କରିଛନ୍ତି। ଗମ୍ଭୀର ଦାୟିତ୍ବ ନେବା ପରେ ଦଳରେ ଏପରି ବାତାବରଣ ସୃଷ୍ଟିକଲେ ଯେ ୩ ମହାରଥୀ- ରବିଚନ୍ଦ୍ରନ ଅଶ୍ବିନ, ରୋହିତ ଶର୍ମା ଓ ବିରାଟ କୋହଲି ଅବସର ନେଲେ। ଫଳରେ ଗମ୍ଭୀର ଦଳରେ ତାଙ୍କ ବ୍ରାଣ୍ଡ୍ର କ୍ରିକେଟ୍ ଲଦିବାରେ ସଫଳ ହେଲେ। ପୂର୍ବରୁ ଦଳର ‘ପରିବର୍ତ୍ତନ ପର୍ଯ୍ୟାୟ’କୁ ଅସ୍ବୀକାର କରୁଥିବା ଗମ୍ଭୀର ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ପରେ ଯୁବ ଖେଳାଳିଙ୍କ ଅଭିଜ୍ଞତା ନ ଥିବା କଥା କହୁଛନ୍ତି। ଦଳରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି କହିଥିବା ଗମ୍ଭୀରଙ୍କ ସମୟରେ କେବଳ ୨୦୨୫ରେ ୨୪ ଜଣ ଖେଳାଳି ଟେଷ୍ଟ ଖେଳି ସାରିଲେଣି।
ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପରେ ସାଇ ସୁଦର୍ଶନ କଲକାତା ଟେଷ୍ଟରୁ ବାଦ୍ପଡ଼ିବା ଅନେକଙ୍କୁ ଚକିତ କରିଥିଲା। କଲକାତାର ଅତ୍ୟନ୍ତ ନିମ୍ନମାନର ପିଚ୍ରେ ୱାଶିଂଟନ ସୁନ୍ଦର ୩ନଂ ସ୍ଥାନରେ ଉଭୟ ଇନିଂସରେ ଭଲ ବ୍ୟାଟିଂ କରିଥିଲେ। ହେଲେ ଗୁଆହାଟୀ ଟେଷ୍ଟରେ ସୁନ୍ଦରଙ୍କୁ ୩ନଂ ସ୍ଥାନରୁ ହଟାଇ ସୁଦର୍ଶନକୁ ଖେଳାଗଲା। ମେଲ୍ବୋର୍ଣ୍ଣ ଟେଷ୍ଟରେ ତାଙ୍କ ଶତକ ଲାଗି ଖେଳି ଚାଲିଛନ୍ତି ନୀତୀଶ ରେଡ୍ଡୀ। ଗୁଆହାଟୀରେ ନୀତୀଶଙ୍କୁ ଖେଳାଇବା ଲାଗି ଅକ୍ଷର ପଟେଲ ବାଦ୍ପଡ଼ିଲେ। ସେହି ଅକ୍ଷର; ଯାହାଙ୍କୁ ଟିକେ ସହଯୋଗ ମିଳିଥିଲେ କଲକାତା ଟେଷ୍ଟ ଜିତାଇ ପାରିଥାଆନ୍ତେ।
ସବୁଠାରୁ ବେଶି ଚକିତ କରିଥିଲା ଗୁରୁତ୍ବପୂର୍ଣ୍ଣ ୪ନଂ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଖେଳାଇବା। କଲକାତାରେ ୧୪ ଓ ୧୩ ରନ୍ କରିଥିବା ଜୁରେଲ ଗୁଆହାଟୀର ବ୍ୟାଟିଂ ପିଚ୍ରେ ୦ ଓ ୨ ରନ୍ କରିଥିଲେ। ଏହି ସ୍ଥାନରେ ଜଣେ ଭଲ ବ୍ୟାଟ୍ସମ୍ୟାନ ଖେଳିବାର ଥିଲା। ଦଳରେ ଦେବଦତ୍ତ ପାଡିକଲ ଥିଲେ। ପୁଣି ବାହାରେ କରୁଣ ନାୟାର, ସର୍ଫରାଜ ଖାଁ, ଅଭିମନ୍ୟୁ ଈଶ୍ବରନ୍ଙ୍କ ପରି ବ୍ୟାଟ୍ସମ୍ୟାନ ଦକ୍ଷତା ପ୍ରମାଣିତ କରି ମଧ୍ୟ ସୁଯୋଗ ପାଇନଥିଲେ। ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ଉପରେ ଗମ୍ଭୀରଙ୍କ ଭରସା ନ ଥିବାରୁ ୩/୪ ଜଣ ଅଲ୍ରାଉଣ୍ଡର ଖେଳାଉଛନ୍ତି।
ଗମ୍ଭୀରଙ୍କ ଯୋଜନା ମଧ୍ୟ ବିତର୍କର ବିଷୟ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ନିୟମିତ ସ୍ପିନ୍ ବିପକ୍ଷରେ ବିଫଳ ହେବା ପରେ ଇଡେନ୍ରେ ଅତ୍ୟଧିକ ସ୍ପିନ୍ କରୁଥିବା ପିଚ୍ କରି ନିଜ ପାଇଁ ଗାତ ଖୋଳିଥିଲେ। କଲକାତା ପରାଜୟ ପରେ ଆର୍. ଅଶ୍ବିନ କହିଥିଲେ, ସ୍ପିନ୍ ଖେଳିବାରେ ଭାରତ ବିଶ୍ବରେ ସବୁଠାରୁ ଦୁର୍ବଳ ଦଳ। ଗୁଆହାଟୀରେ ବ୍ୟାଟିଂ ସହାୟକ ପିଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ ରନ୍ କରିଥିବା ବେଳେ ଭାରତ ୨୦୧ ରନ୍ କରିଥିଲା। ଦୁଇ ଭାରତୀୟ ପେସ୍ ବୋଲର ୪ଟି ୱିକେଟ୍ ନେଇଥିବା ବେଳେ ମାର୍କୋ ୟାନ୍ସେନ ଏକା ୬ଟି ୱିକେଟ୍ ନେଇଥିଲେ। ଯେପରି ସଟ୍ ଖେଳି ଭାରତୀୟମାନେ ଆଉଟ୍ ହେଲେ; ତାହା ନିଶ୍ଚୟ ଅକ୍ଷମଣୀୟ। ସ୍ପିନ୍ ବୋଲିଂ ଖେଳି ବଡ଼ ହୋଇଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ସାଇମନ ହାର୍ମର ଏକା ୧୭ଟି ୱିକେଟ୍ ନେବା ମଧ୍ୟ ଗ୍ରହଣୀୟ ନୁହେଁ। ତେଣୁ ଆମ ଦଳରେ ସମସ୍ୟା ବେଶ୍ ଗମ୍ଭୀର।



