ସେପ୍ଟେମ୍ବର ୧୯ରୁ ଆଇପିଏଲ୍‍: ରିପୋର୍ଟ

ସନ୍ଧ୍ୟା ୭.୩୦ରୁ ମ୍ୟାଚ୍‍

ନୂଆଦିଲ୍ଲୀ : ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ସ୍ଥଗିତ ରହିବା ପରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ ଯେପରି ନୂଆ ଜୀବନ ପାଇଯାଇଛି। ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଆଇପିଏଲ୍‍ ଖେଳାଯିବ; ଯଦି ଭାରତ ସରକାର ଏଥିପାଇଁ ଅନୁମତି ଦିଅନ୍ତି। ୟୁଏଇରେ ଆଇପିଏଲ୍‍ ଆୟୋଜନ ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଇତିମଧ୍ୟରେ ବିସିସିଆଇ ଆବେଦନ କରିସାରିଛି। ଏହାର ଜବାବ ଆସିନାହିଁ। ତେଣୁ ଆଇପିଏଲ୍‍ ଆୟୋଜନ ପାଇଁ ୟୁଏଇ କ୍ରିକେଟ୍‍ ବୋର୍ଡକୁ ବିସିସିଆଇ ଔପଚାରିକ ଭାବେ ପତ୍ର ଲେଖିନାହିଁ। ଭାରତ ସରକାରଙ୍କଠାରୁ ସବୁଜ ସଙ୍କେତ ଆସିବା ପରେ ୟୁଏଇ କ୍ରିକେଟ୍‍ ବୋର୍ଡକୁ ପତ୍ର ଲେଖିବ ବିସିସିଆଇ। ଅନ୍ୟପକ୍ଷରେ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ପର୍ଯ୍ୟନ୍ତ ୟୁଏଇରେ ଆଇପିଏଲ୍‍ ଖେଳାଯିବ ବୋଲି ବିସିସିଆଇ ମନସ୍ଥ କରିଥିବା ବେଳେ ପ୍ରସାରଣକାରୀ ଷ୍ଟାର୍‍ ସ୍ପୋର୍ଟସ ଚାପରେ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ବିସିସିଆଇ ରାଜିହୋଇଛି ବୋଲି ଜାଣିବାକୁ ମିଳିଛି। ସେପ୍ଟେମ୍ବର ୨୬ ବଦଳରେ ସପ୍ତାହେ ପୂର୍ବରୁ; ଅର୍ଥାତ୍‍ ସେପ୍ଟେମ୍ବର ୧୯ରୁ ଆଇପିଏଲ୍‍ ଆରମ୍ଭ କରାଯିବ। ପୁଣି ରାତି ମ୍ୟାଚ୍‍ ଭାରତୀୟ ସମୟ ୮ଟା ବଦଳରେ ୭.୩୦ରୁ ଆରମ୍ଭ କରିବାକୁ ଯୋଜନା କରାଯାଇଛି।
ପୂର୍ବରୁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଆଇପିଏଲ୍‍ ଖେଳାଯିବ ବୋଲି ବିସିସିଆଇ କହିଥିବା ବେଳେ ଷ୍ଟାର୍‍ ସ୍ପୋର୍ଟସ ଏହାର ବିରୋଧ କରିଥିଲା। ୪୪ ଦିନରେ ୬୦ଟି ମ୍ୟାଚ୍‍ ଖେଳାଗଲେ ଏହା ରାଜସ୍ୱ ହରାଇବ। ଏହି ଦାବିର ବିଚାରକରି ବିସିସିଆଇ ଖେଳସୂଚୀ ପରିବର୍ତ୍ତନ କରିବାକୁ ଠିକ୍‍କରିଛି। ସପ୍ତାହେ ପୂର୍ବରୁ ଆଇପିଏଲ୍‍ ଆରମ୍ଭହେଲେ ଦିନବେଳା ମ୍ୟାଚ୍‍ (ଭାରତୀୟ ସମୟ ଅପରାହ୍‍ଣ ୩.୩୦ରୁ)ର ସଂଖ୍ୟା କମ୍‍ ହୋଇଯିବ। କାରଣ ଦିନବେଳା ମ୍ୟାଚ୍‍ର ଟିଭି ଦର୍ଶକ ସଂଖ୍ୟା କମ୍‍। ଅନ୍ୟପକ୍ଷରେ ନଭେମ୍ବର ୧୪ରେ ଦୀପାବଳି ଥିବାରୁ ଏହାର ଫାଇଦା ଉଠାଇବା ପାଇଁ ଦୀପାବଳୀ ସପ୍ତାହରେ ଆଇପିଏଲ୍‍ର ପ୍ଲେଅଫ୍‍ ମ୍ୟାଚ୍‍ ରଖିବାକୁ ଷ୍ଟାର୍‍ ସ୍ପୋର୍ଟସ ଚାହିଁଥିଲା। ଅର୍ଥାତ୍‍ ନଭେମ୍ବର ୨୬ରୁ ଆଇପିଏଲ୍‍ ଆରମ୍ଭକରି ନଭେମ୍ବର ୮ ବଦଳରେ ସପ୍ତାହେ ପରେ ୧୫ରେ ଆଇପିଏଲ୍‍ର ଫାଇନାଲ ମ୍ୟାଚ୍‍ ଖେଳାଯାଉ ବୋଲି ଷ୍ଟାର୍‍ ସ୍ପୋର୍ଟସ ଚାହିଁଥିଲା। ତେବେ ୨ୟ ବିକଳ୍ପ; ଅର୍ଥାତ୍‍ ନଭେମ୍ବର ୧୫ ପର୍ଯ୍ୟନ୍ତ ଆଇପିଏଲ୍‍ ଆୟୋଜନ ପ୍ରସ୍ତାବରେ ବିସିସିଆଇ ରାଜି ହୋଇନପାରେ। ଭାରତୀୟ ଦଳକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଡିସେମ୍ବର ୩ରୁ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବାର ଅଛି। ଏଥିପାଇଁ ଭାରତୀୟ ଦଳକୁ ବହୁତ ପୂର୍ବରୁ ଅଷ୍ଟ୍ରେଲିଆ ଯିବାକୁ ପଡ଼ିବ। ନଭେମ୍ବର ୮ରେ ଯଦି ଆଇପିଏଲ୍‍ ସମାପ୍ତ ହୋଇଯାଏ; ତେବେ ଭାରତୀୟ ଦଳ ୧୦ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିବ। ସେଠାରେ ଖେଳାଳିଙ୍କର କୋଭିଡ୍‍-୧୯ ପରୀକ୍ଷା ହେବ ଏବଂ ସେମାନଙ୍କୁ ୨ ସପ୍ତାହ ସଂଗରୋଧରେ ରଖାଯିବ। ଏହାପରେ ୨ଟି ଅଭ୍ୟାସ ମ୍ୟାଚ୍‍ ଖେଳିବା ପାଇଁ ଭାରତୀୟ ଖେଳାଳି ସମୟ ପାଇପାରିବେ। ସେ ଯାହାହେଉ; ନଭେମ୍ବର ୧୯ରୁ ଆଇପିଏଲ୍‍ ଆରମ୍ଭହେଲେ ୪୪ ଦିନ ବଦଳରେ ୫୧ ଦିନରେ ୬୦ଟି ମ୍ୟାଚ୍‍ ଖେଳାଯିବ। ଫଳରେ ଅଳ୍ପକିଛି ଦିନବେଳା ମ୍ୟାଚ୍‍ ଖେଳାଯିବ। ଜୁଲାଇ ୨୪େରେ ଆଇପିଏଲ୍‍ ପରିଚାଳନା ପରିଷଦର ବୈଠକ ବସିବ। ବୈଠକ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।

Comments are closed.