ବିବାହିତା ମହିଳାଙ୍କୁ କରିଥିଲା ଦ୍ୱିତୀୟ ପତ୍ନୀ – ତାହାରି ଛୁରାମାଡରେ ଗଲା ପ୍ରାଣ
ଆଠଗଡ (ନିପ୍ର)- ଆଠଗଡ ସହରର ହରିଜନ ସାହିରେ ଦ୍ୱିତୀୟ ସ୍ତ୍ରୀର ଅତର୍କିତ ଛୁରାମାଡରେ ସ୍ୱାମୀର ମୃତ୍ୟୁ । ଆଠଗଡ ଥାନା ଅନ୍ତର୍ଗତ ସହରର ୪ନଂ ୱାର୍ଡ ଅଧିନ ହରିଜନ(ପାଣ) ସାହିରେ ଅପରାହ୍ନ ୧.୩୦ମିନିଟରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହରିଜନ ସାହିର ମଙ୍ଗୁଳି ନାଏକ(୪୨) ପ୍ରଥମ ପତ୍ନୀ ଓ ପିଲାଛୁଆ ଥାଇ ଗତ ପ୍ରାୟ ୪ବର୍ଷ ପୂର୍ବରୁ ରିନା ନାଏକ ନାମକ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ନିଜ ଘରେ ରଖିଥିଲେ ।
ତେବେ ସ୍ୱାମୀ ଓ ୨ୟ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ କଳି ଝଗଡା ଲାଗି ଏକ ଅଶାନ୍ତ ବାତାବରଣ ସୃଷ୍ଟି ହେଉଥିଲା । ବୁଧବାର କୌଣସି ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ୱାମୀ ମଙ୍ଗୁଳି ପ୍ରଥମ ସ୍ତ୍ରୀ ମାମି ନାଏକ ସହିତ ଯିବା ପାଇଁ ବାହାରି ଥିବାବେଳେ ୨ୟ ସ୍ତ୍ରୀ ତାଙ୍କ ସହ ଝଗଡା କରିଥିଲା । ବଚସା ଜୋରଦାର ହେବା ବେଳେ ରିନା ହଠାତ୍ ଏକ ଛୁରୀରେ ଆକ୍ରମଣ କରିବାରୁ ମଙ୍ଗୁଳିର ବେକରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । କ୍ଷତାକ୍ତ ଅବସ୍ଥାରେ ମଙ୍ଗୁଳି ଘରୁ ବାହାରି ଚାଲିଯିବା ବେଳେ ପ୍ରାୟ ୨୦-୨୫ଫୁଟ ଦୂରରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଅଧିବାସୀ ଘଟଣା ସଂପର୍କରେ ତୁରନ୍ତ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଙ୍ଗୁଳିଙ୍କୁ ନିକଟବର୍ତ୍ତୀ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଇଆଇସି ବାମଦେବ ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ରିନାକୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛନ୍ତି । ଆକ୍ରମଣରେ ବ୍ୟବହୃତ ଛୁରୀକୁ ପୁଲିସ ଜବତ କରିଛି । କଟକରୁ ପୁଲିସ ବିଜ୍ଞାନୀ ଦଳ ସାଇଣ୍ଟିଫିକ୍ ଅଫିସର ସନ୍ଧ୍ୟାରାଣୀ ଭୂୟାଁଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି । ତଦନ୍ତକାରୀ ଅଧିକାରୀ ସହକାରୀ ନିରୀକ୍ଷକ ସୂର୍ଯ୍ୟାଂଶୁ ଶେଖର ପାଢୀ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
Comments are closed.