www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠାରୁ ଦୁଇ ଦିନିଆ ଏସ୍‌ସିଓ ସମ୍ମିଳନୀ

ବେଜିଂ: ଜାପାନ ଗସ୍ତ ଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଚୀନ୍‌ରେ ପହଞ୍ଚିଛନ୍ତି। ଆଜିଠାରୁ ଚୀନ୍‌ର ତିଆନଜିନ୍‌ଠାରେ ଦୁଇ ଦିନିଆ ଏସ୍‌ସିଓ (ସାଂଘାଇ କୋଅପରେସନ ଅର୍ଗାନାଇଜେସନ) ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାବେଳେ ମୋଦୀ ସେଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତିଆନଜିନ୍‌ ବିମାନ ବନ୍ଦରରେ ଅବତରଣ କରିବାପରେ ଭାରତୀୟ ଦୂତାବାସ ଓ ଚୀନ୍‌ ସରକାରଙ୍କ ଅଧିକାରୀମାନେ ମୋଦୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଭାରତୀୟ ବାଦ୍ୟଯନ୍ତ୍ରକୁ ନେଇ ପ୍ରସ୍ତୁତ ଗୀତରେ ଚୀନ୍‌ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ମୋଦୀ ଏହି ଅବସରରେ ପ୍ରବାସୀ ଭାରତୀୟ ସମୁଦାୟକୁ ମଧ୍ୟ ଭେଟିଛନ୍ତି। ‘ଭାରତ ମାତା କୀ ଜୟ’ ଓ ‘ବନ୍ଦେ ମାତରଂ’ ସ୍ଲୋଗାନ ଜରିଆରେ ସେମାନେ ମୋଦୀଙ୍କୁ ସ୍ବାଗତ କରିଥିଲେ।
ଦୀର୍ଘ ୭ ବର୍ଷ ପରେ ମୋଦୀଙ୍କର ଏହା ପ୍ରଥମ ଚୀନ ଗସ୍ତ। ଏହି ଅବସରରେ ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟି ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ୍‌ ସହ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତ ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି। ଚୀନ୍‌ ମଧ୍ୟ ଆମେରିକାର ଏଭଳି କଟକଣାର ସମ୍ମୁଖୀନ ହୋଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର ବାଣିଜ୍ୟିକ କଟକଣାର ମୁକାବିଲା କରିବାକୁ କିଭଳି ରଣନୀତି ଅବଲମ୍ବନ କରାଯିବ, ସେଥିନେଇ ମୋଦୀ ଓ ଜିନପିଙ୍ଗ୍‌ ଆଲୋଚନା କରିବେ ବୋଲି କୂଟନୈତିକ ମହଲ ଅନୁମାନ କରୁଛନ୍ତି। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଭାରତ-ଚୀନ ସମ୍ପର୍କ ନିମ୍ନଗାମୀ ହେବାରେ ଲାଗିଛି। ତେବେ ଗତବର୍ଷ ରୁଷ୍‌ର କାଜାନଠାରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଉଭୟ ମୋଦୀ ଓ ଜିନପିଙ୍ଗ୍‌ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଏକପ୍ରକାର ସମ୍ମତି ଜଣାଇଥିଲେ। ଇତିମଧ୍ୟରେ ଭାରତ-ଚୀନ୍‌ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଛି। ସୀମା ବିବାଦ ପ୍ରସଙ୍ଗକୁ ପଛରେ ପକାଇ କିଭଳି ଦୁଇପକ୍ଷର ବିକାଶ ଘଟିବ, ତାହା ଉପରେ ଦୁଇ ନେତା ଗୁରୁତ୍ବାରୋପ କରୁଛନ୍ତି। ଗତ ସପ୍ତାହରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱଙ୍ଗ ୟି ଭାରତ ଗସ୍ତରେ ଆସିଥିବାବେଳେ ମୋଦୀଙ୍କୁ ଭେଟି ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତ ପ୍ରତି ଚୀନ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି ବୋଲି ୱଙ୍ଗ ସେତେବେଳେ କହିଥିଲେ। ସଂପ୍ରତି ଜାପାନ ଗସ୍ତରେ ଯାଇଥିବାବେଳେ ମୋଦୀ ମଧ୍ୟ ଚୀନ୍‌କୁ ସମର୍ଥନ କରି ବୟାନ ଦେଇଛନ୍ତି। ଏସିଆର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବିଶ୍ବରେ ଅର୍ଥନୈତିକ ସ୍ଥିରତା ଆଣିପାରିବେ। ଚୀନ୍‌ ଗସ୍ତକାଳରେ ମୋଦୀ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ପୁଟିନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପଙ୍କ ଶୁଳ୍କ ରାଜନୀତି, ୟୁକ୍ରେନ ଯୁଦ୍ଧ ଓ ଗାଜା ପରିସ୍ଥିତି ସ୍ଥାନ ପାଇବ ବୋଲି ଅନୁମାନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories