ବୈଜ୍ଞାନିକଙ୍କୁ ବଡ଼ ସଫଳତା: ଏହି ଉପାୟରେ ୧୦ ବର୍ଷ କମିଲା ବୃଦ୍ଧଙ୍କ ବୟସ

ସମାଜ ଡିଜିଟାଲ ଡେସ୍କ: ମଣିଷ ନିଜ ବୟସ ତୁଳନାରେ କମ୍‌‌ ବୟସର ଦେଖାଯିବା ପାଇଁ ଅନେକ ପନ୍ଥା ଅପଣାନ୍ତି। କିଏ ଜିମ୍‌‌ ଯାଇ ସୁସ୍ଥ ରହିବାକୁ ଚେଷ୍ଟା କରନ୍ତି ତ ଆଉ କେହି ଉପଯୁକ୍ତ ଡାଏଟ ଏବଂ ଆଣ୍ଟି ଏଜିଂ କ୍ରିମ ଭଳି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ ଏ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମଣିଷ ନିଜର ବୟସ କମାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଜଣେ ବ୍ୟକ୍ତିଙ୍କଠାରେ ପରୀକ୍ଷଣ ପରେ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ୩ମାସର ପରୀକ୍ଷଣ ପରେ ଜଣେ ବ୍ୟକ୍ତିଙ୍କ ବୟସ ୧୦ ବର୍ଷ ହ୍ରାସ କରିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି।

ପରୀକ୍ଷଣ ପାଇଁ ବୈଜ୍ଞାନିକମାନେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଯୋଶେଫ ଡିଟୁରିଙ୍କୁ ନିଜ ଟିମରେ ସାମିଲ କରିଥିଲେ। ତାଙ୍କୁ ଆଟଲାଣ୍ଟିକ ମହାସାଗରରେ ୩ ମାସ ପର୍ଯ୍ୟନ୍ତ ଗଭୀର ଜଳରେ ଏକ କମ୍ପାକ୍ଟ ପଡ୍‌‌ ଭିତରେ ରଖାଯାଇଥିଲା। ୯୩ ଦିନ ପରେ ଯେତେବେଳେ ଯୋଶେଫ ପାଣିରୁ ବାହାରିଥିଲେ ତାଙ୍କର ପରୀକ୍ଷାନିରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଯୋଶେଫଙ୍କ ବୟସ ୧୦ ବର୍ଷ ହ୍ରାସ ପାଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ପାଣି ଭିତରେ ଅଧିକ ଚାପ ରହୁଥିବା ପରିବେଶରେ ଦୀର୍ଘ ସମୟ ରହିଲେ ଶରୀର ଉପରେ ତାହାର କି ପ୍ରଭାବ ପଡ଼େ ସେନେଇ ବୈଜ୍ଞାନିକମାନେ ଏହି ପରୀକ୍ଷା କରାଇଥିଲେ।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଯୋଶେଫଙ୍କ ଶରୀରର କ୍ରୋମୋଜମ ଶେଷଭାଗରେ ଥିବା ଡିଏନଏ କ୍ୟାପ୍‌‌(ଟେଲୋମିୟର) ପୂର୍ବ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। ମଣିଷର ବୟସ ବଢ଼଼ିଲେ ଏହି ଟେଲୋମିୟର ଧୀରେ ଧୀରେ ସଙ୍କୁଚିତ ହୋଇଯାଇଥାଏ। କିନ୍ତୁ ସେ ୩ ମାସ ଆଟଲାଣ୍ଟିକର ଗଭୀର ଜଳରେ ଅଧିକ ଚାପ ଥିବା ପରିବେଶରେ ରହିବା ପରେ ତାଙ୍କ ଶରୀରର ଟେଲୋମିୟର ଆକାର ବୃଦ୍ଧି ପାଇଥିଲା, ଯାହା ତାଙ୍କ ବୟସ ହ୍ରାସର ପ୍ରମାଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଏହା ବ୍ୟତୀତ ଶରୀରର ଷ୍ଟେମ ସେଲ୍‌ଫ ସଂଖ୍ୟା ବୃଦ୍ଧି ପାଇଥିଲା। ମୋଟାମୋଟି ଭାବେ ତାଙ୍କ ଶରୀରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତାଙ୍କ ନିଦ୍ରା ସମସ୍ୟା ଦୂର ହୋଇଯାଇଥଲା। ଶରୀରରେ କୋଲେଷ୍ଟେରଲ ସ୍ତର ୭୨ ପଏଣ୍ଟ ହ୍ରାସ ପାଇଥିଲା। ପୂର୍ବରୁ ତାଙ୍କ ଶରୀରରେ ଯେଉଁ ଜ୍ୱଳନ ହେଉଥିଲା ତାହା ମଧ୍ୟ ୫୦ ପ୍ରତିଶତ କମିଯାଇଥିଲା। ପାଚନଶକ୍ତି ବୃଦ୍ଧି ପାଇଥିଲା। ଗଭୀର ଜଳ ଭିତରେ ଯେଉଁ ଚାପମୟ ପରିବେଶ ରହିଥାଏ ତାହା ଯୋଗୁ ଶରୀରରେ ଏହି ପରିବର୍ତ୍ତନ ଘଟିଥିବା ଡାକ୍ତରମାନେ କହିଛନ୍ତି।

ଯୋଶେଫ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ଏହି ପରୀକ୍ଷଣରେ ସାମିଲ ହୋଇଥିଲେ। ପୂର୍ବଥର ସେ ୭୩ ଦିନ ଧରି ପାଣି ଭିତରେ ରହିଥିଲେ। ପାଣି ଭିତରେ ରହିବାର ଅନୁଭୂତି ଅତ୍ୟନ୍ତ ନିଆରା ଏବଂ ଏହା ଶରୀର ପାଇଁ ବେଶ୍‌‌ ହିତକର ବୋଲି ଯୋଶେଫ ବ୍ରିଟିଶ ଖବରକାଗଜ ଡେଲି ମିରରକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

Comments are closed.