ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗ ନଜରରେ କଟକ ଏସ୍ସିବି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଶିକ୍ଷାଦାନ ଏବଂ ଚିକିତ୍ସା ସେବାରେ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରେ ନିର୍ମାଣାଧୀନ ପ୍ରକଳ୍ପ ସହିତ ସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ଲୋକସେବାଭବନରେ ବିଭାଗୀୟ ମନ୍ତ୍ରୀ ଡ. ମହାଲିଙ୍ଗ ଏସ୍ସିବି ଭେଷଜ ମହାବିଦ୍ୟାଳୟର କାର୍ଯ୍ୟ ପଦ୍ଧତି, ରୋଗୀସେବା ଓ ଆଧୁନିକ ବିକାଶ କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ମାନକ ଅନୁଯାୟୀ ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ୍ ଏକ୍ସିଲେନ୍ସ) ଗଠନ କରିବା ଦିଗରେ ସେ କହିଥିଲେ। ରୋଗୀ ଯେଭଳି ନିର୍ଦିଷ୍ଟ ସମୟରେ ଚିକିତ୍ସା ପାଇପାରିବେ ସେଥିପାଇଁ ଅଧିକ ଶଯ୍ୟା, ଆଧୁନିକ ଯନ୍ତ୍ରପାତି ଓ ଡିଜିଟାଲ ରେକର୍ଡ ବ୍ୟବସ୍ଥା କରିବା ସହିତ ଆଧୁନିକ ମଡେଲ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ନିମନ୍ତେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହାବ୍ୟତୀତ ରୋଗୀସେବା ବ୍ୟବସ୍ଥା ଓ ଅପେକ୍ଷା ସମୟ ହ୍ରାସ, ଅନୁଷ୍ଠାନର ପୁନର୍ବିକାଶ ପ୍ରକଳ୍ପର ଗତି, ଆଧୁନିକ ଯନ୍ତ୍ରପାତି ଉପଲବ୍ଧତା ବାବଦରେ ପଚାରି ବୁଝିଥିଲେ। ଡାକ୍ତର ଓ ଅଧିକାରୀଙ୍କ ସହିତ ଆଲୋଚନା ପରେ ଏସ୍ସିବିରେ ରୋଗୀ ସେବା, ଔଷଧ ଯୋଗାଣ, ରହିଥିବା ଯନ୍ତ୍ରପାତି, ପରୀକ୍ଷାନିରୀକ୍ଷା, ସ୍ୱଚ୍ଛତା ଓ ଆଧୁନିକ ସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଆସୁଥିବା ପ୍ରତ୍ୟେକ ରୋଗୀ ଓ ସେବାଦାତାମାନେ ଯଥେଷ୍ଟ ସନ୍ତୁଷ୍ଟ ଓ ସୁବିଧାଭୋଗୀ ହେବା ଜରୁରୀ ବୋଲି ମନ୍ତ୍ରୀ କହିଥିଲେ। ଏସ୍ସିବି ଭେଷଜ ମହାବିଦ୍ୟାଳୟର ଉନ୍ନତି ଓ ପୁନର୍ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟ କରୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ବଥୀ ଏସ୍, ଡିଏମ୍ଇଟି ଡା. ସନ୍ତୋଷ ମିଶ୍ରଙ୍କ ସହ ଏସ୍ସିବି ଭେଷଜ ମହାବିଦ୍ୟାଳୟର ଡିନ୍, ପ୍ରିନ୍ସପାଲ, ବିଭାଗ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Popular Categories



