ଏସ୍‍ସି/ଏସ୍‍ଟି କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ପ୍ରସଙ୍ଗ : ଅନ୍ତରୀଣ ନିର୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ଟି/ଏସ୍‍ସି) କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ସମ୍ବନ୍ଧରେ ୨୦୦୬ରେ ଦେଇଥିବା ନିଜ ରାୟ ବିରୋଧରେ ଅନ୍ତରୀଣ ନିର୍ଦେଶ ଦେବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି। ‘କ୍ରିମି ଲେୟର’ ବ୍ୟବସ୍ଥା ଲାଗୁ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ସାତ ଜଣିଆ ସାମ୍ବିଧାନିକ ପୀଠ ୨୦୦୬ ରାୟ ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ପୀଠ ଦର୍ଶାଇଛନ୍ତି। ଅନ୍ୟପଟେ ବିଭିନ୍ନ ନ୍ୟାୟାଳୟଙ୍କ ରାୟକୁ ନେଇ ଉପୁଜିଥିବା ଭ୍ରମ ଯୋଗୁ ରେଳବାଇ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ଲକ୍ଷାଧିକ ନିଯୁକ୍ତି ଅଟକି ରହିଛି। ଏଣୁ ୭ ଜଣିଆ ସାମ୍ବିଧାନିକ ପୀଠ ତତ୍କାଳ ଏହି ପ୍ରସଙ୍ଗ ଉପରେ ବିଚାର କରିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଯୁକ୍ତି ବାଢିଥିଲେ। ଏହି ପରିପ୍ରେକ୍ଷୀରେ ପୀଠ କହିଛନ୍ତି, ସାମ୍ବିଧାନିକ ପୀଠ ନିକଟରେ ପୂର୍ବରୁ ଅନେକ ମାମଲା ପଡି ରହିଥିବାରୁ ଏ ପ୍ରସଙ୍ଗରେ ଅଗଷ୍ଟ ମାସ ପରେ ହିଁ ଶୁଣାଣି ସମ୍ଭବ ହେବ। ୨୦୦୬ରେ ଏମ୍‍. ନାଗରାଜ ଏବଂ ଅନ୍ୟ ବନାମ ଭାରତୀୟ ସଂଘ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପୁନର୍ବିଚାରର ଆବଶ୍ୟକତା ଅଛି କି ନାହିଁ ତାହା ୫ ଜଣିଆ ସାମ୍ବିଧାନିକ ପୀଠ ବିଚାର କରିବେ ବୋଲି ୨୦୧୭ ନଭେମ୍ବର ୧୫ରେ ସର୍ବୋଚ୍ଚ ଅଦାଲତ କହିଥିଲେ। ଉଲ୍ଲେଖ ଯେ ସରକାରୀ ଚାକିରୀରେ ଏସ୍‍ସି/ଏସ୍‍ଟି ବର୍ଗର କର୍ମଚାରୀଙ୍କ ପଦୋନ୍ନତିରେ କ୍ରିମି ଲେୟରର ଅବଧାରଣା ଲାଗୁ କରାଯାଇପାରିବ ନାହିଁ ବୋଲି ଏମ୍‍. ନାଗରାଜ ରାୟରେ କୁହାଯାଇଥିଲା। ୧୯୯୨ରେ ଇନ୍ଦିରା ସାହାଣୀ ଓ ଅନ୍ୟ ବନାମ ଭାରତୀୟ ସଂଘ ଏବଂ ୨୦୦୫ରେ ଇ. ଭି. ଚିନ୍ନୈୟା ବନାମ ଆନ୍ଧ୍ର ପ୍ରଦେଶ ସରକାର ମାମଲାରେ ଅନୁରୂପ ରାୟ ଦିଆଯାଇଥିଲା। ଏ ସମ୍ବନ୍ଧୀୟ ମାମଲାରେ ବିଭିନ୍ନ ହାଇକୋର୍ଟ ଏବଂ ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ଭିନ୍ନଭିନ୍ନ ରାୟ କାରଣରୁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପୂର୍ଣ୍ଣ ଅଟକି ରହିଛି ବୋଲି ୨୦୧୮ ଜୁନ୍‍ ୫ର ଶୁଣାଣି ବେଳେ କେନ୍ଦ୍ର ଦର୍ଶାଇଥିଲା। ଏଣୁ କେନ୍ଦ୍ର ସରକାରଙ୍କୁ ବୃହତ୍‍ ଆଶ୍ୱସ୍ତି ସ୍ୱରୂପ ଏସ୍‍ଟି/ଏସ୍‍ସି କର୍ମଚାରୀଙ୍କ ପଦୋନ୍ନତିରେ ଆଇନସମ୍ମତ ସଂରକ୍ଷଣ ଲାଗୁ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଥିଲେ।

Leave A Reply