ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ପରାମର୍ଶ : ବିବାହର ପବିତ୍ରତା ପାଇଁ ବ୍ୟଭିଚାର ଅପରାଧ ତାଲିକାଭୁକ୍ତ ରହୁ

0

ନୂଆଦିଲ୍ଲୀ : ବିବାହର ପବିତ୍ରତା ରକ୍ଷା ନିମନ୍ତେ ବ୍ୟଭିଚାର (ଅନୈତିକ ସମ୍ପର୍କ) ଅପରାଧ ତାଲିକାଭୁକ୍ତ ରହିବା ଉଚିତ ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ମତ ଉପସ୍ଥାପନ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‍ ଧାରା ୪୯୭ ଅଧୀନରେ ବ୍ୟଭିଚାର ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ଭାବେ ଦଣ୍ଡିତ କରିବା ଲାଗି ହୋଇଥିବା ଏକ ଆବେଦନକୁ ବିରୋଧ କରି କେନ୍ଦ୍ର ସରକାର ଏହା କହିଛନ୍ତି। ଧାରା ୪୯୭ ଅନୁଯାୟୀ ବିବାହିତ ପୁରୁଷ ଓ ବିବାହିତା ମହିଳାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ କ୍ଷେତ୍ରରେ କେବଳ ସମ୍ପୃକ୍ତ ପୁରୁଷ ଦଣ୍ଡିତ ହୋଇଥାଆନ୍ତି। ମହିଳାଙ୍କ ବିରୋଧରେ ବ୍ୟଭିଚାର କିମ୍ବା ଅନୈତିକ ସମ୍ପର୍କ ପାଇଁ ଉସୁକାଇବାର ଅଭିଯୋଗ ଆସେ ନାହିଁ। ଏହା ପୁରୁଷଙ୍କ ପ୍ରତି ପାତରଅନ୍ତର ଏବଂ ଧାରା ୧୪, ୧୫ ଓ ୨୧ର ଉଲ୍ଲଙ୍ଘନ ବୋଲି ଦର୍ଶାଇ ଯୋସେଫ୍‍ ସିନ୍‍ ନାମକ ଜଣେ ବ୍ୟକ୍ତି ଆଇନଜୀବୀ ସୁବିଦତ୍ତ ସୁନ୍ଦରମ୍‍ଙ୍କ ମାଧ୍ୟମରେ ସିଆର୍‍ପିସି ଧାରା ୧୯୮(୨) ସହିତ ଆଇପିସି ଧାରା ୪୯୭ ବିରୋଧରେ ଏହି ଆବେଦନ କରିଛନ୍ତି। ଉଭୟ ମହିଳା ଏବଂ ପୁରୁଷଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ସ୍ଥାପନ ସ୍ଥଳେ କେବଳ ପୁରୁଷଙ୍କୁ ଦଣ୍ଡିତ କରାଯାଇପାରିବ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଜାନୁଆରୀ ୫ରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଆବେଦନଟିକୁ ଏକ ସାମ୍ବିଧାନିକ ପୀଠ ନିକଟକୁ ପଠାଇଦେଇଥିଲେ। ଏହି ଧାରାର ସାମ୍ବିଧାନିକ ବୈଧତା ତଥା ଏହା ଅଧୀନରେ ମହିଳାଙ୍କୁ ଦଣ୍ଡିତ କରାଯାଇପାରିବ କି ନାହିଁ ତାହା ଉପରେ ସାମ୍ବିଧାନିକପୀଠ ବିଚାର କରୁଛନ୍ତି। ୧୯୫୪, ୧୯୮୫ ଏବଂ ୧୯୮୮ରେ ହୋଇଥିବା ଅନୁରୂପ ଆବେଦନ ଉପରେ ଶୁଣାଣି କରି ନ୍ୟାୟାଳୟ ଏହି ଧାରାକୁ କାଏମ ରଖିଥିଲେ।

Leave A Reply