ଦଶହରାରେ ବିପୁଳ ମଦ ଓ ନିଶାଦ୍ରବ୍ୟ ଜବତ, ୭ ଗିରଫ

ଅବକାରୀ ବିଭାଗକୁ ସୂଚନା ନାହିଁ

ସମ୍ବଲପୁର: ସମ୍ବଲପୁର ପୁଲିସ ଚଳିତ ଦଶହରା ସମୟରେ ଆଇନ ବ୍ୟବସ୍ଥାକୁ ହାତମୁଠାରେ ରଖିବା ଉଦ୍ୟମ ଚଳାଇଛି। ଅନେକ ଅପରାଧିକ ଘଟଣା ଗୁଡିକର ପଛରେ ନିଶା କାରବାରର ସଂପୃକ୍ତି ଥିବାରୁ ପୁଲିସ ପକ୍ଷରୁ ୨ଟି ଘଟଣାରେ ବିପୁଳ ନିଶା ଦ୍ରବ୍ୟ ଧରାଯାଇଛି। ପ୍ରଥମ ଘଟଣାରେ ଅତିରିକ୍ତ ଏସପି ହରେଶ ପାଣ୍ଡେଙ୍କ ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ନାକା ଲଗାଇ ଚେକିଂ ସମୟରେ ସ୍ଥାନୀୟ ଲକ୍ଷ୍ମୀ ଡୁଙ୍ଗୁରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଉକ୍ତ ଅଟୋରୁୁ ୧୮ ପ୍ରକାରର ବିଭିନ୍ନ ବିଦେଶୀ ମଦ (ସମୁଦାୟ ୧୨୦ ଲିଟର) ଅଟୋରେ ୫୮୪ ବୋତଲ ପେଟି ମଧ୍ୟରେ ରଖାଯାଇ ଚାଲାଣ କରାଯାଉଥିବାର ମିଳିଥିଲା। ଅଟୋରେ ଚୋରାରେ ଚାଲାଣ କରୁଥିବା ବୁର୍ଲା ନିବାସୀ ବିକି କୁମାର (୨୬), ବୁଢ଼ାରଜା ଶାନ୍ତି ନଗର ନିବାସୀ ନନ୍ଦଲାଲ ପ୍ରସାଦ ଗୁପ୍ତା (୪୯) ଏବଂ ବରେଇପାଲି ନିବାସୀ ଦିଲୀପ ଗୁପ୍ତା (୫୧) ମଦ ସମ୍ପର୍କରେ କୌଣସି ଉପଯୁକ୍ତ ତଥ୍ୟ କିମ୍ବା କାଗଜପତ୍ର ଉପସ୍ଥାପନ କରି ପାରି ନ ଥିଲେ। ଏଣୁ ଅଟୋ ଓ ମଦ ଗୁଡିକୁ ଜବତ କରାଯିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏ ନେଇ କ୍ଷେତରାଜପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଶୁକ୍ରବାର ଚାଲାଣ କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ଏହି ମଦ ଗୁଡିକୁ ବେଆଇନ ଭାବରେ ବରେଇପାଲି ଅଞ୍ଚଳରେ ଥିବା ଏକ ମଦ ଦୋକାନରୁ ବୁର୍ଲା ଅଞ୍ଚଳକୁ ଚାଲାଣ କରାଯାଉଥିବାର ଜଣାପଡ଼ିଛି। ଅନ୍ୟ ପକ୍ଷରେ କ୍ଷେତରାଜପୁର ଥାନା ପଛରେ ଥିବା ବସ୍ତି ମଧ୍ୟରେ ଅହରହ ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଉପରେ ଚଢ଼ଉ କରାଯାଇ ନ ଥିବା ବେଳେ ଥାନା ଉପରେ ସବୁ ମହଲରୁ ଅଙ୍ଗୁଳି ଉଠୁଥିବାରୁ ଭାବମୂର୍ତ୍ତି ସୁଧାର ପାଇଁ ଏହି ଚଢ଼ଉ କରାଯାଇଛି ବୋଲି ପୁଲିସ ବିଭାଗ ମଧ୍ୟରେ ଚର୍ଚ୍ଚା ହେଉଛି।

ସେହିଭଳି ଦ୍ୱିତୀୟ ଘଟଣାରେ ଗୁରୁବାର ରାତ୍ରିରେ ପେଟ୍ରୋଲିଂ ସମୟରେ ଅଇଁଠାପାଲି ପୁଲିସ ବିପୁଳ ମାତ୍ରାରେ ନିଶାକଫ ସିରପ ଜବତ କରିଛି ବୋଲି ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି। ପୁଲିସର ସୂଚନାନୁଯାୟୀ, ଗତକାଲି ରାତ୍ରିରେ ପେଟ୍ରୋଲିଂ ସମୟରେ ଅଇଁଠାପାଲି ଛକ ନିକଟସ୍ଥ ଲାଟ ବଗିଚା ନିକଟରେ କିଛି ଯୁବକ ଥିବାର ଦେଖି ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ମୁଦିପଡ଼ା ନିବାସୀ କିଶୋର ରଥ (୩୦), ଅଇଁଠାପାଲି ନିବାସୀ କାହ୍ନା ମୁଣ୍ଡା (୨୨), ଜୟନ୍ତପୁର ନିବାସୀ ମନୀଷ କୁମାର ସାହୁ (୨୪) ଏବଂ ବୁଢ଼ାରଜା ରାମଗଡ଼଼ପଡ଼ା ନିବାସୀ ରିଙ୍କୁ ଅଜୱାଡ (୨୫) ଙ୍କୁ ଧରିଥିଲା। ପୁଲିସ ସେମାନଙ୍କ ନିକଟରୁ ନଗଦ ୧୫୭୦ ଟଙ୍କା, ୮୭ଟି ନିଶାକଫ ସିରପ, ୧୫ଟି ନିଶା ବଟିକା, ୩ଟି ଅପମିଶ୍ରିତ ନିଶାଦ୍ରବ୍ୟ ଭର୍ତ୍ତି ଜାରକିନ, ୪୦ଟି ପ୍ଲାଷ୍ଟିକ ଗ୍ଲାସ, ଗୋଟିଏ ସ୍କୁଟି, ଗୋଟିଏ ବୁଲେଟ, ଗୋଟିଏ ମୋଟର ସାଇକେଲ ସମେତ ୩ଟି ଦୁଇ ଚକିଆ ଗାଡି ଓ ୪ଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରିଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୂଚନା ଦେଇଛି।

ଅପରପକ୍ଷରେ ଏ ସମ୍ପର୍କରେ ଅବକାରୀ ବିଭାଗକୁ ପଚରାଯିବାରୁ ଆମର ପାଖରେ ସେଭଳି କୌଣସି ସୂଚନା ନାହିଁ ବୋଲି କହିଛି। ଅବକାରୀ ବିଭାଗର କାର୍ଯ୍ୟଶୈଳୀରୁ ଜଣାପଡୁଛି ଯେ ବିଗତ ଦିନରେ ଜିଲା ପ୍ରଶାସନର ସମନ୍ୱୟ ବୈଠକରେ ଜିଲାପାଲଙ୍କ ନିର୍ଦ୍ଦେଶ ସତ୍ୱେ ବିଭାଗ ପକ୍ଷରୁ ଦଶହରାରେ ବେଆଇନ ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ସେଭଳି କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବକାରୀ ବିଭାଗ ପକ୍ଷରୁ ବେଖାତିର କରାଯାଇଛି ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି।

Comments are closed.