ସମ୍ବଲପୁର : କଇଁଛ ପିଠିରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ଆଙ୍କି ତାକୁ ପାଣିରେ ଛାଡ଼ି ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିବା ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଦୁଇ ଯୁବକଙ୍କୁ ବନ ବିଭାଗ ଗିରଫ କରିଛି। ଫେସବୁକ୍ରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖାଯାଇଛି ଯେ ରଙ୍ଗ ତୂଳୀରେ ଏକ ଦେଶୀ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର କରାଯାଇଛି। ବାହୁଡ଼ା ଯାତ୍ରା ଦିନ ତାକୁ ପାଣିରେ ଛାଡ଼ି ରିଲ୍ସ ତିଆରି ଯାଇଥିଲା। ବିଜେପୁରର ଆଶିଷ ମେହେରଙ୍କ ଫେସବୁକ ଆକାଉଣ୍ଟରେ ଏହି ଚିତ୍ରକୁ ପ୍ରଘଟ କରାଯାଇଥିଲା। କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ସାମାଜିକ ମାଧ୍ୟମରେ ପ୍ରଘଟ କରାଯିବାରୁ ଏହା ସ୍ଥାନୀୟ ସଚେତନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସ୍ନେକ ହେଲ୍ପ ଲାଇନର ସଂପାଦକ ଶୁଭେନ୍ଦୁ ମଲ୍ଲିକ ଏ ସମ୍ପର୍କରେ ବନ୍ୟପ୍ରାଣୀ ୱାଡେନ୍ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅତିରିକ୍ତ ମହାନିେର୍ଦଶକଙ୍କ ପାଖରେ ଏ ବାବଦରେ ଅଭିଯୋଗ କରିଥିଲେ। ବରଗଡ଼ ବନ ବିଭାଗ ଏହି ଘଟଣାର ତଦନ୍ତ କରି କଇଁଛ ପିଠିରେ ଚିତ୍ର ଆଙ୍କିଥିବା ଆଶିଷ ମେହେର ଓ କଇଁଛକୁ ପାଣିରେ ଛାଡ଼ି ତା’ର ରିଲ୍ସ ତିଆରି କରିଥିବା ଅବିନାଶ ବଗର୍ତ୍ତୀଙ୍କୁ ବନ୍ୟପ୍ରାଣୀ ଆଇନ ଅନୁସାରେ ଗିରଫ କରାଯାଇଥିବା ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ପଟ୍ଟନାୟକ ସୂଚନା ଦେଇଛନ୍ତି।
Popular Categories



