ସମ୍ବଲପୁର : ସମ୍ବଲପୁରର ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀ ଟକିଜ ଛକ ସ୍ଥିତ ଏକ ଆବାସିକ କଲୋନୀର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଅରୁଣ ପଟୱାରୀ ସ୍ୱାଗତ ଭାଷଣ ଦେଇଥିଲେ । ୨୦୧୮- ୨୦ ବର୍ଷରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଧାନଜୀ ଭାଇ ପଟେଲ ଏବଂ ୨୦୨୦-୧୨ ବର୍ଷ ପାଇଁ ସଚିବ ଶଙ୍କର ଲାଲ ଅଗ୍ରୱାଲ ରିପୋର୍ଟ ଉପସ୍ଥାପନ କରିଥିଲେ । ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଅତିଥି ରୂପେ ଯୋଗ ଦେଇ ଅନୁଷ୍ଠାନର ସାମାଜିକ ଦାୟିତ୍ୱ ନିର୍ବାହକୁ ପ୍ରଶଂସା କରିଥିଲେ । ସାଧାରଣ ବୈଠକ ପରେ ଆୟୋଜିତ ୨୦୨୨-୨୪ ବର୍ଷ ପାଇଁ ଆୟୋଜିତ ନୂତନ କର୍ମକର୍ତ୍ତା ନିର୍ବାଚନରେ ବରିଷ୍ଠ ସଦସ୍ୟ ଶମ୍ଭୁ ଜଗତରାମକା ଦାୟିତ୍ୱ ତୁଲାଇଥିଲେ। ଇଂ ଅଶୋକ ଜଲାନ ସଭାପତି, ଶଙ୍କର ଲାଲ ଅଗ୍ରୱାଲ ସାଧାରଣ ସମ୍ପାଦକ ଓ ଧାନଜୀ ଭାଇ ପଟେଲ ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଶେଷରେ ଧାନଜୀ ଭାଇ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।




