ସାବିତ୍ରୀ ବଜାର: ଥାନା ଆଗରେ ସାମାଜିକ ଦୂରତ୍ବକୁ ଫୁଃ କରି ଉଡ଼ାଇ ଦେଲେ ରାଜଧାନୀବାସୀ

ଭୁବନେଶ୍ବର: କରୋନା ନିମନ୍ତେ ଦେଶବ୍ୟାପୀ ଲକ୍ଡ଼ାଉନ ଘୋଷଣା କରାଯାଇଛି । ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଲକ୍ଡ଼ାଉନ ଶୃଙ୍ଖଳ ଆସନ୍ତା ମେ ୩୧ ତାରିଖ ଯାଏ ବଳବତ୍ତର ରହିଛି । ଗତ ୧୮ ତାରିଖଠାରୁ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ସମୟରେ ଯଦିଓ କିଛିଟା କୋହଳ କରାଯାଇଛି ତଥାପି ସାମାଜିକ ଦୂରତ୍ବ ‘ଦୋ ଗଜ୍ ଦୁରୀ’ ଅର୍ଥାତ ୬ ଫୁଟ ଦୂରତ୍ବ ଅବଲମ୍ବନକୁ ଅନିବାର୍ଯ୍ୟ କରାଯାଇଛି । ସେହିପରି ଦୋକାନବଜାର ଖୋଲିବା ଉପରେ କଟକଣା ସାଙ୍ଗକୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

 

ପୂର୍ବରୁ ରାଜ୍ୟ ସରକାର ଓ କମିଶନରେଟ ପୁଲିସ କର୍ତ୍ତୃପକ୍ଷ ସାମାଜିକ ଦୂରତ୍ବ ନେଇ ନିର୍ଦେଶନାମା ଜାରି କରିଛନ୍ତି । ଯେଉଁ ଦୋକାନୀ ଏହି ନିୟମ ପାଳନ ନ କରିବେ ତାଙ୍କର ପଞ୍ଜୀକରଣ ରଦ୍ଦ କରାଯିବା ସହ ଦୋକାନ ବନ୍ଦ କରିଦିଆଯିବ ବୋଲି କହିଛନ୍ତି ।

 

ସେହିପରି ସର୍ବସାଧାରଣସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧି ଘରୁ ବାହାରିବେ ସେମାନଙ୍କ ଉପରେ ଜୋରିମାନା କରାଯିବାକୁ ଘୋଷଣା କରାଯାଇଛି । କେଉଁଠି ୨୦୦ ତ କେଉଁଠି ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି । ମାତ୍ର ଗୁରୁବାର କ୍ୟାପିଟାଲ ଥାନା ସମ୍ମୁଖରେ ୧ ନମ୍ବର ହାଟ ଓ ୧ ନମ୍ବର ମାର୍କେଟ ବାହାର ପାର୍ଶ୍ବରେ ଆଜି ଯେପରି ଗାଡ଼ିମୋଟର ଜମା କରି ଲୋକମାନେ ସାବିତ୍ରୀ କିଣାକିଣି କରିଛନ୍ତି ସେଥିରେ ନାଁ ଅଛି ସାମାଜିକ ଦୂରତ୍ବ ନା ମାସ୍କ ପିନ୍ଧିବାର କଟକଣା ।

Comments are closed.