ଆୟକର ଛାଡ଼ ପାଇବେ କିପରି? ଜାଣନ୍ତୁ ସହଜ ଉପାୟ

ଡେସ୍କ: ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଆର୍ଥିକ ବର୍ଷରେ ଅର୍ଜିତ ଆୟ ଉପରେ ଆପଣଙ୍କୁ ଆୟକର ଦେବାକୁ ପଡ଼ିବ। ତେବେ ଆଜି ଆମେ ଆପଣଙ୍କୁ ୫ଟି ଶ୍ରେଷ୍ଠ କୌଶଳ ବିଷୟରେ କହିବୁ, ଯଦ୍ବାରା ଆପଣ ବହୁଗୁଣାରେ ଆୟକର ବଞ୍ଚାଇପାରିବେ।

ଆୟକର ନିୟମର ଧାରା ୮୦ସି ଅନୁଯାୟୀ କରନ୍ତୁ ସଞ୍ଚୟ:

ଆୟକର ନିୟମର ଧାରା ୮୦ସି ଅନୁଯାୟୀ, ଦରମାରୁ କଟୁଥିବା ଆପଣଙ୍କ ଭବିଷ୍ୟନିଧି ପାଣ୍ଠି, ୮୦ସିସିସି ଅନୁସାରେ ପେନ୍‌ସନ୍‌ ଫଣ୍ଡରେ ଜମା କରାଯାଇଥିବା ରାଶି, ଜୀବନ ବୀମା ପଲିସିରେ ଜମା କରାଯାଇଥିବା ପ୍ରିମିୟମ, ଏନଏସସି ଅର୍ଥାତ୍‌ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ କରାଯାଇଥିବା ନିବେଶ, ପିପିଏଫରେ କରାଯାଇଥିବା ନିବେଶ, ୟୁନିଟ୍‌ ଲିଙ୍କ୍‌ଡ ଇନ୍ସୁରାନ୍ସ ପ୍ଲାନ, ପିଲାଙ୍କ ଟ୍ୟୁସନ ଫିସ୍‌, ୫ ବର୍ଷରୁ ଅଧିକ ଅବଧିର ସ୍ଥାୟୀ ଜମା, ଇକ୍ବିଟି ଲିଙ୍କ୍‌ଡ ସେଭିଙ୍ଗ୍‌ସ ସ୍କିମ୍‌, ଗୃହ ଋଣ ଉପରେ ପରିଶୋଧ କରାଯାଇଥିବା ମୂଳଧନ, ସୁକନ୍ୟା ସମୃଦ୍ଧି ଯୋଜନା ଆଦିରେ କରାଯାଇଥିବା ନିବେଶ ଉପରେ ମୋଟ୍‌ ୧,୫୦,୦୦୦ ଟଙ୍କା ଛାଡ଼ କରାଯାଉଛି। ଅର୍ଥାତ ଏହି ଯୋଜନାଗୁଡିକରେ ନିବେଶ କରାଯାଇଥିବା ଅର୍ଥରୁ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଆପଣଙ୍କ ଟିକସଯୋଗ୍ୟ ଆୟରୁ କଟାଯାଇଥାଏ।

ଏନପିଏସ୍‌ ଖାତା ଖୋଲନ୍ତୁ:

ଯେଉଁମାନେ ନେସନାଲ ପେନସନ ଯୋଜନାରେ ସଂଚୟ କରନ୍ତି ସେମାନେ ଏହାର ଫାଇଦା ନେଇପାରିବେ। ଏଥିରେ ଆପଣ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟିକସ ସଞ୍ଚୟ କରିପାରିବେ। ଧାରା ୮୦ସି ଓ ୮୦ସିସିଡି(୧ବି) ମିଳିତ ଭାବେ ଆପଣଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଟିକସ ସଞ୍ଚୟ କରିବାରେ ସାହାଯ୍ୟ କରିବ। ତେଣୁ, ଯଦି ଆପଣଙ୍କର ସଞ୍ଚୟ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଅଛି, ତେବେ ନିଶ୍ଚିତ ଭାବରେ ଏହି ଯୋଜନାରେ ନିବେଶ କରନ୍ତୁ। ଏହାଦ୍ବାରା ଆପଣ କେବଳ ପ୍ରତିବର୍ଷ କରିଥିବା ନିବେଶରେ ଆୟକର ସଞ୍ଚୟ କରିବାରେ ସମର୍ଥ ହେବେ ନାହିଁ, ବରଂ ଅବସର ପରେ ଆପଣ ପେନ୍‌ସନ୍‌ର ସୁଖ ମଧ୍ୟ ପାଇବେ।

ଧାରା ୮୦ଟିଟିଏ ଉପରେ ଧ୍ୟାନ ରଖନ୍ତୁ: 

ଅନେକ ଲୋକଙ୍କୁ ଜଣା ନଥାଏ ଯେ, ବ୍ୟାଙ୍କଗୁଡ଼ିକର ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ପ୍ରାପ୍ତ ସୁଧ ମଧ୍ୟ ଟିକସଯୋଗ୍ୟ ହୋଇଥାଏ ଏବଂ ତା’ ଉପରେ ମଧ୍ୟ ଆୟକର ଦେବାକୁ ପଡ଼ିଥାଏ। କିନ୍ତୁ ଆୟକର ନିୟମର ଧାରା ୮୦ଟିଟିଏ ଅନୁଯାୟୀ, ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ମିଳୁଥିବା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତର ସୁଧ ଉପରେ ଆୟକର ଛାଡ଼ ମିଳିଥାଏ। ସରଳ ଶବ୍ଦରେ କହିଲେ, ସଞ୍ଚୟ ଆକାଉଣ୍ଟରୁ ମିଳୁଥିବା ସୁଧରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତର ରାଶି ଉପରେ ଟିକସ ଛାଡ଼ ପାଇପାରିବେ। ଏହାର ଅର୍ଥ ଆପଣ ଆପଣଙ୍କ କରଯୋଗ୍ୟ ଆୟରୁ ଏହାକୁ କାଟି ପାରିବେ।

ଆବାସ ଭତ୍ତା କିମ୍ବା ଗୃହ ଋଣ ଉପରେ ଦିଆଯାଇଥିବା ସୁଧ ଉପରେ ରିହାତି:

ଘର ଭଡା ଭତ୍ତା ଟିକସଯୋଗ୍ୟ। କିଛି କ୍ଷେତ୍ରରେ ଆପଣଙ୍କୁ ଟିକସ ଛାଡ଼ ମିଳିପାରେ । ଏଚଆରଏ ଦାବି କରିବା ପାଇଁ ଭଡ଼ା ଘରେ ରହିବାକୁ ପଡିବ, ଏହାର ରସିଦ ଦାଖଲ କରିବାକୁ ପଡିବ ଏବଂ ଏଚଆରଏ ପାଇଁ ଆବେଦନ କରିବାକୁ ପଡିବ ।

ଅନେକ ଚାକିରିଆ ବ୍ୟକ୍ତି ଘର କିଣିବା ପାଇଁ ଗୃହ ଋଣ ନିଅନ୍ତି, ଯାହାର ଇଏମଆଇ ଲଗାତାର ଭାବରେ ଦେବାକୁ ପଡ଼ିଥାଏ। ସେହି ଇଏମଆଇରେ ବ୍ୟାଙ୍କକୁ ଦିଆଯାଇଥିବା ସୁଧ ରାଶି ମଧ୍ୟରୁ ବାର୍ଷିକ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତର ରାଶି ଉପରେ ସର୍ବାଧିକ କର ଛାଡ଼ ମିଳିପାରିବ। ଅର୍ଥାତ୍‌ ଆପଣ ଆପଣଙ୍କ ମୋଟ୍‌ ଇଏମଆଇରେ ଯେତିକି ସୁଧ ଦେଉଛନ୍ତି, ସେହି ରାଶି ମଧ୍ୟରୁ ୨,୦୦,୦୦୦ ଟଙ୍କା କରମୁକ୍ତ।

ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍‌ ଉପରେ ମିଳିବ ଛାଡ଼:

ଯଦି ଆପଣ ୬୦ ବର୍ଷରୁ କମ୍ ଏବଂ ନିଜ ପାଇଁ, ନିଜ ଜୀବନସାଥୀ କିମ୍ବା ନିର୍ଭରଶୀଳ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପଲିସି ପ୍ରିମିୟମ ଦେଉଛନ୍ତି, ତେବେ ଆପଣ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ପାଇପାରିବେ। କିନ୍ତୁ ଏଥିସହ ଯଦି ଆପଣଙ୍କର ପିତାମାତାଙ୍କର ବୟସ ୬୦ ବର୍ଷରୁ ଅଧିକ ଏବଂ ଆପଣ ତାଙ୍କ ପାଇଁ ମଧ୍ୟ ପ୍ରିମିୟମ ଦେଉଛନ୍ତି, ତେବେ ଆପଣ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇପାରିବେ।

 

 

Comments are closed.