ଝଲସିବ ବକୁଳବନ, ସତ୍ୟବାଦୀ ବନବିଦ୍ୟାଳୟ

0

ଭୁବନେଶ୍ୱର : ପଞ୍ଚସଖାଙ୍କ କର୍ମସ୍ଥଳ, ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ସତ୍ୟବାଦୀ ବକୁଳବନ ଓ ବନବିଦ୍ୟାଳୟର ସ୍ମୃତିକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହି ଐତିହାସିକ ଆକର୍ଷକ ସ୍ଥଳର ବିକାଶ କରାଯାଇ ଏହାକୁ ପର୍ଯ୍ୟଟନର ମାନ୍ୟତା ଦିଆଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଗୁରୁବାର ପୂର୍ବାହ୍ଣରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଇତିହାସରେ ବକୁଳବନ ଓ ବନବିଦ୍ୟାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଏହାର ସର୍ବାଙ୍ଗୀଣ ଉନ୍ନତି କରାଯିବା ସହିତ ଆଗାମୀ ଦିନରେ ଏହାର ମୂଲ୍ୟବୋଧ ଓ ଆଦର୍ଶକୁ ଉଜ୍ଜୀବିତ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଚଳିତ ବଜେଟ୍‌ରେ ୭କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ବନବିଦ୍ୟାଳୟର ଗରିମା ବଢ଼ାଇବା ପାଇଁ ସେଠାରେ ପଞ୍ଚସଖାଙ୍କ ନୀତି ଆଦର୍ଶ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଯୋଗାଇବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ଆସନ୍ତା ୧୫ ତାରିଖ ସୁଦ୍ଧା ଏକ କମିଟି ବନବିଦ୍ୟାଳୟକୁ ଗସ୍ତ କରି ତା’ର ବାସ୍ତବିକ ସ୍ଥିତି ପରଖିବେ। ଏହାପରେ ପୁନଶ୍ଚ ଏକ ବୈଠକରେ ନିଷ୍ପତ୍ତି ନିଆଯାଇ ବଜେଟ୍‌ ଅର୍ଥକୁ ଠିକଣା ଭାବେ ବିନିଯୋଗ କରାଯିବ। ପର୍ଯ୍ୟଟନ ବିଭାଗ, ଲୋକସେବକ ମଣ୍ଡଳ ଓ ଜିଲା ପ୍ରଶାସନର ସମନ୍ୱୟରେ ଉକ୍ତପୀଠର ଉନ୍ନତୀକରଣ କରାଯିବ। ଏହି ସମୟରେ ଜାତୀୟତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପଞ୍ଚସଖାଙ୍କ ତ୍ୟାଗକୁ କିଭଳି ଜନମାନସରେ ଉଜ୍ଜୀବିତ କରାଯାଇ ପାରିବ ସେନେଇ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ। ଏହାସହିତ ପୀଠର ସୁପରିଚାଳନା ଓ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ ଏବଂ ଏହାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।
ଏହି ଅବସରରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସତ୍ୟବାଦୀ ବନବିଦ୍ୟାଳୟର ଉନ୍ନତୀକରଣ ଦିଗରେ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତେବେ ପଞ୍ଚସଖା ଓ ବନବିଦ୍ୟାଳୟକୁ ଲୋକାଭିମୁଖୀ କରିବାପାଇଁ ଲୋକସେବକ ମଣ୍ଡଳକୁ ସରକାର ଯେଉଁ ଦାୟିତ୍ୱ ଦେବେ ତାହାକୁ ନିଃସର୍ତ୍ତରେ ଗ୍ରହଣ କରାଯିବ। ଯେଉଁ ମହାନ୍‌ ପୀଠରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଜଡ଼ିତ ରହିଛି ତାହାର ମୂଲ୍ୟବୋଧ ପ୍ରତିଟି ଓଡ଼ିଆ ଘରେ ପହଞ୍ଚିବା ଆବଶ୍ୟକ। ଆଗାମୀ ଦିନରେ ଯଦି ଏହି ବନ ବିଦ୍ୟାଳୟରୁ ଆଉ ଜଣେ ଗୋପବନ୍ଧୁ ଦାସ ବାହାରି ପଡିବେ ତେବେ ତାହା କେବଳ ଓଡ଼ିଶା ପାଇଁ ନୁହେଁ; ସାରା ସମାଜ ପାଇଁ ଏକ ନୂତନ ବାର୍ତ୍ତା ଦେବ ବୋଲି ଶ୍ରୀ ରଥ କହିଥିଲେ।
ବୈଠକ ପରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ ପଞ୍ଚସଖାଙ୍କ ସ୍ମୃତି ରକ୍ଷା ପାଇଁ ୨ବର୍ଷ ତଳୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ସେଠାରେ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ କିଛି ମହାମନୀଷୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଭଳି କେତେକ ପରିସ୍ଥିତି ଉପୁଜିଥିଲା। ଆଗାମୀ ଦିନରେ ଯେଭଳି ଏହି ମହାନ୍‌ ଆତ୍ମାଙ୍କ ପ୍ରତି କୌଣସି ଅସମ୍ମାନ ବୋଧ ନ ହୁଏ ସେଥିପ୍ରତି ଧ୍ୟାନଦିଆଯିବ। ବନବିଦ୍ୟାଳୟ ଲାଗି ସ୍ୱତନ୍ତ୍ର ଭାବେ ୩.୨୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ।
ସଚିବାଳୟରେ ଅନୁଷ୍ଠିତ ବୈଠକରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହିତ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ତଥା ଶରୀର ଓ ଅଙ୍ଗଦାନ ଅଭିଯାନର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର, ଆଇନ ବିଭାଗ ସଚିବ ବିଭୁପ୍ରସାଦ ରାଉତରାୟ, ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଦେବୋତ୍ତର କମିସନ, ପର୍ଯ୍ୟଟନ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply