www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ପାଦକୀୟ: ପ୍ରଗତିର ପଥ

​‌‌​‌େ​‌ଦ୍ବୖତ ନଗରୀ ଭୁବନେଶ୍ବର ଓ କଟକ। ଗୋଟିଏ ପୁରୁଣା ଓ ଅନ୍ୟଟି ରାଜ୍ୟର ନୂଆ ରାଜଧାନୀ। ଉଭୟଙ୍କ ମହାନଗରର ଜନସଂଖ୍ୟା ଏବେ ପ୍ରାୟ ୨୩ ଲକ୍ଷରୁ ଅଧିକ। ଯଦି ସହରତଳି ଜନସଂଖ୍ୟାକୁ ହିସାବକୁ ନେବା ତେବେ ଏହି ପରିସଂଖ୍ୟାନ ଅଧିକ ବଢିବ। ସଂପ୍ରତି ଭୁବନେଶ୍ବର ପୂର୍ବରେ ପୁରୀ ଓ ଦକ୍ଷିଣରେ ଖୋର୍ଦ୍ଧା ସହ ଏକପ୍ରକାର ସଂପ୍ରସାରିତ ହୋଇସାରିଛି। କଟକ ସହର ଚତୁଃପାର୍ଶ୍ବରେ ମହାନଦୀ ଓ କାଠଯୋଡି ଘେରି ରହିଥିଲେ ବି ଏହା ମଧ୍ୟ ପଶ୍ଚିମରେ ଆଠଗଡ଼, ପୂର୍ବରେ ବୟାଳିଶି ମୌଜା ଓ ଉତ୍ତରରେ ଚଣ୍ଡିଖୋଲ ଯାଏ ବଢିଲାଣି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସଂଖ୍ୟାଧିକ ଯାନବାହନ କାରଣରୁ ଗମନାଗମନ ଓ ପରିବହନ ବ୍ୟବସ୍ଥାକୁ ସମ୍ଭାଳିବା ଏବେ ଏକପ୍ରକାର ଜଟିଳ ସ୍ଥିତି ସୃଷ୍ଟି କରିଛି। ୫୫ ନମ୍ବର ଜାତୀୟ ରାଜପଥ କଟକ ଓ ଭୁବନେଶ୍ବର ଉଭୟଙ୍କ ବକ୍ଷଭେଦି ଗତିକରିଥିବାରୁ ଟ୍ରାଫିକ୍‌ ଭିଡ଼ ମଧ୍ୟ କ୍ରମାଗତ ସହରୀ ଜୀବନ ଉପରେ ଚାପ ବଢାଇ ଚାଲିଛି। ସହର ଟ୍ରାଫିକ୍‌ ବ୍ୟବସ୍ଥା ଏତେ ଭିଡ଼ ହେଲାଣି ତାହା ଅନୁଭବୀ ହିଁ ଜାଣେ। ସହର ଟ୍ରାଫିକ୍‌କୁ ସୁଧାରିବା ସହ ରାଜପଥରେ ଭିଡ଼ ହ୍ରାସ ଲାଗି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅନ୍ତର୍ଗତ ଭୁବନେଶ୍ବର ରିଙ୍ଗରୋଡ଼ ବାଇପାସ୍‌କୁ ଏବେ କେନ୍ଦ୍ର କ୍ୟାବିନେଟ୍‌ କମିଟି ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ଦେଇଛି।

୮୩୦୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଭୁବନେଶ୍ବର ରିଙ୍ଗ ରୋଡ଼୍‌ ବାଇପାସ୍‌ ପାଖାପାଖି ୧୧୧ କିଲୋମିଟର ଦୀର୍ଘ ହେବ। ଯାହାକି କଟକର ସହରତଳି ଟାଙ୍ଗୀ ସ୍ଥିତ ବନ୍ଦାଳ ଟୋଲଗେଟ୍‌ରୁ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲା ରାମେଶ୍ବରଠାରେ ପୁଣି ଜାତୀୟ ରାଜପଥ ୫୫କୁ ଛୁଇଁବ। ଫଳରେ ଖୋର୍ଦ୍ଧା, ଭୁବନେଶ୍ବର ଓ କଟକ ସହର ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଲାଗି ରହୁଥିବା ଅହେତୁକ ଯାନବାହନ ଭିଡ଼କୁ ଅନେକାଂଶରେ ହ୍ରାସ କରାଯାଇପାରିବ। ବିଶେଷକରି ଏହି ରିଙ୍ଗରୋଡ଼୍‌ ବାଇପାସ୍‌ ଦ୍ବାରା ପୂର୍ବାଞ୍ଚଳ ରାଜ୍ୟଗୁଡିକର ଭାରୀ ତଥା ବାଣିଜ୍ୟିକ ଓ ପଣ୍ୟବାହୀ ଯାନଗୁଡ଼ିକ ଉପରୋକ୍ତ ୩ଟି ସହର ବାହାର ଦେଇ ଯାତାୟାତ କରିପାରିବେ। ଏହାଦ୍ବାରା ମାଲ ପରିବହନ ଦକ୍ଷତାର ସହ ପରିଚାଳନା କରାଯାଇପାରିବ। ଏପରି କି ଏଥିଯୋଗୁଁ ଲିଜିଷ୍ଟିକ୍‌ ବ୍ୟୟଭାର ମଧ୍ୟ ହ୍ରାସ ପାଇବ। ସବୁଠୁ ବଡ଼ କଥାଟି ହେଉଛି, ଜାତୀୟ ରାଜପଥ ନିର୍ମାଣ ହେବା ଦ୍ବାରା ଯେଉଁ ଯେଉଁ ଅଞ୍ଚଳ ଦେଇ ଏହି ରାସ୍ତା ଯିବ, ସେସବୁ ଅଞ୍ଚଳର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ। ଅଭିବୃଦ୍ଧିର ଏହା ଏକ ପ୍ରକାର ବିକାଶ ଇଞ୍ଜିନ୍‌ ପାଲଟିବା ଆଶା କରାଯାଉଛି। ଏହି ବାଇପାସ୍‌କୁ ଏଭଳି ଡିଜାଇନ୍‌ ସହ ନିର୍ମାଣ କରାଯାଉଛି ଯେ, ତାହା ଦ୍ବାରା କେବଳ ଜାତୀୟ ରାଜପଥ ୫୫ ନୁହେଁ; ବରଂ ୫୭ ନମ୍ବର ଓ ୬୫୫ ନମ୍ବର ଭଳି ପ୍ରମୁଖ ୩ଟି ଜାତୀୟ ରାଜପଥ ଏବଂ ୬୫ ନମ୍ବର ରାଜ୍ୟ ରାଜପଥକୁ ଏହା ସଂଯୋଗ କରିବ। ଫଳରେ ଟ୍ରାଫିକ୍ ବ୍ୟବସ୍ଥା ଅଧିକ ସୁନିୟନ୍ତ୍ରିତ ହୋଇପାରିବ। ଏହା ୧୦ଟି ବାଣିଜ୍ୟିକ, ଶିଳ୍ପ, ବ୍ୟାବସାୟିକ, ପରିବହନ ଭିତ୍ତିକ ତଥା ଉଦ୍ୟୋଗିକ କ୍ଷେତ୍ରକୁ ସଂଯୋଗ ଓ ସମୃଦ୍ଧ କରିବ। ଏକ ବୃହତ୍ ରେଳଷ୍ଟେସନ୍‌ ଓ ଭୁବନେଶ୍ବର ବିମାନ ବନ୍ଦରକୁ ପହଞ୍ଚିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ। ଏହାଦ୍ବାରା ପୁରୀ, ଭୁବନେଶ୍ବର, କୋଣାର୍କ ଭଳି ପର୍ଯ୍ୟଟନ ସର୍କିଟ୍‌କୁ ମଧ୍ୟ ପ୍ରକାରାନ୍ତରେ ସମୃଦ୍ଧ କରିବ। ପୁରୀ ଓ ଅସ୍ତରଙ୍ଗରେ ବନ୍ଦର ନିର୍ମାଣ ପ୍ରସ୍ତାବ ଥିବାରୁ ଏହି ବାଇପାସ୍‌ ବେଶ୍‌ ଉପଯୋଗୀ ହେବ।

- Advertisement -

ଆଉ ଏକ ବଡ଼ କଥା ହେଲା, ଏହି ବାଇପାସ୍‌ ଦ୍ବାରା କଲକାତା-ଚେନ୍ନଇ କରିଡ଼ରରେ ଦୈନିକ ୨୮ ହଜାର ୨୮୨ ଯାତ୍ରୀଙ୍କ ଯାତାୟାତକୁ ସୁଗମ କରିବ ବୋଲି ଆକଳନ କରାଯାଇଛି। ଯଦିଓ ଯମଜ ​‌େ​‌ଦ୍ବୖତ ନଗରୀର ଆଭ୍ୟନ୍ତର ଟ୍ରାଫିକ୍‌କୁ ଏହା ସେତେ ସହଜ କରିବନି; କିନ୍ତୁ ଅଯଥା ଭିଡ଼କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ। ୬ ଟିକିଆ ରାଜପଥ ନିର୍ମାଣ ଯୋଗୁଁ ଜମି ଅଧିଗ୍ରହଣ ମଧ୍ୟ ସବୁଠି ସମସ୍ୟା ପାଲଟେ। ମାତ୍ର ସରକାରଙ୍କ ଇଚ୍ଛାଶକ୍ତି ଓ ମାନସିକତା ରହିଲେ, ସେଥିରେ ସମସ୍ୟା ଉପୁଜି ନପାରେ। ସଡ଼କ ହେଉଛି ଜୀବନରେଖା। ଗତି ଓ ପ୍ରଗତିକୁ ସଡ଼କ ହିଁ ସମୃଦ୍ଧ କରେ। ଆଶା ଭୁବନେଶ୍ବର ରିଙ୍ଗରୋଡ଼ ବାଇପାସ୍‌ ପୂର୍ବୋଦୟର ସମୃଦ୍ଧ ସାରଥି ପାଲଟିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories