ଭାରତର ୧୬ଟି ରାଜ୍ୟର ରାଜସ୍ବ ବଳକା ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରଦେଶ ସମୂହଙ୍କ ଅର୍ଥନୀତିକ ସ୍ଥିତି ସଂକ୍ରାନ୍ତ ଏହି ଦଶକୀୟ ତଥ୍ୟରେ ଉତ୍ତରପ୍ରଦେଶ ସର୍ବାଧିକ ୩୭ହଜାର କୋଟିର ବଳକା ରାଜସ୍ବ ସହିତ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ବିତୀୟରେ ଗୁଜରାଟ ଓ ୧୯୮୬୫ କୋଟି ଟଙ୍କା ସହିତ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଗୁଜରାଟ ଓ ଓଡ଼ିଶା ମଧ୍ୟରେ ବଳକା ରାଜସ୍ବର ବ୍ୟବଧାନ ମାତ୍ର ୪୦୯ କୋଟି ଟଙ୍କା। ଆହୁରି ମଧ୍ୟ ବିଜେପି ଶାସିତ ୧୦ଟି ରାଜ୍ୟ ଏହି ବଳକା ତାଲିକାରେ ଚାଲିଥିବାବେଳେ ଅଣବିଜେପି ଶାସିତ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ମଧ୍ୟ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି।
୨୦୨୨-୨୩ର ଏହି ରିପୋର୍ଟର ଆଉ ଏକ ବିଶେଷତ୍ବ ହେଲା ଏକଦା ‘ବିମାରୁ’ (ବେମାରିଆ) ରାଜ୍ୟ ଭାବେ ଦୁର୍ନାମ ବହନ କରୁଥିବା ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ରାଜସ୍ବ ବଳକା କରି ଏକ ଉଲ୍ଲେଖନୀୟ ସଫଳତା ଅର୍ଜନା କରିଛନ୍ତି। ଅପର ପକ୍ଷରେ ଆନ୍ଧ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଆସାମ, ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟ ଏବେ ମଧ୍ୟ ରାଜସ୍ବ ନିଅଣ୍ଟ ଯୋଗୁଁ କେନ୍ଦ୍ରରୁ ଅନୁଦାନ ଉପରେ ନିର୍ଭର କରୁଛନ୍ତି। ଉଭୟ ଟିକସ ଓ ଅଣଟିକସ ଆୟ ବଢ଼ିଲେ ରାଜ୍ୟମାନଙ୍କର ରାଜସ୍ବ ନିଅଣ୍ଟ କମିଥାଏ। ଏ କ୍ଷେତ୍ରରେ କଠୋର ଆର୍ଥିକ ଶୃଙ୍ଖଳା ଓ ସମ୍ବଳକୁ ଚାହିଁ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଥାଏ।
ନିଜର ଆୟ ଉତ୍ସଠାରୁ ଯେଉଁ ରାଜ୍ୟ ଅଧିକ ଅର୍ଥ ଅଣଯୋଜନା ଓ ସାମାଜିକ କ୍ଷେତ୍ର ଏବଂ ଲୋକଦେଖାଣିଆ ଯୋଜନାରେ ଖର୍ଚ୍ଚ କରେ ତାହାର ଆର୍ଥିକ ଶୃଙ୍ଖଳା ରକ୍ଷା ସହଜ ହୋଇ ନଥାଏ। ଅର୍ଥାଭାବରୁ ବିକାଶମୂଳକ କାର୍ଯ୍ୟକ୍ରମ ବ୍ୟାହତ ହେବା ସହିତ ବିଭିନ୍ନ ଅଗ୍ରାଧିକାର କ୍ଷେତ୍ର ପାଇଁ ଅର୍ଥ ଯୋଗାଣ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥାଏ। କର୍ମଚାରୀଙ୍କୁ ମଧ୍ୟ ବେତନ ଠିକ୍ ସମୟରେ ମିଳେ ନାହିଁ ଓ ରିକ୍ତ ପଦ ସବୁ ନୂଆ ନିଯୁକ୍ତି ଅଭାବରୁ ଖାଲିପଡ଼େ। ଅପରପକ୍ଷରେ ଓଡ଼ିଶା ଭଳି ଯେଉଁ ସବୁ ରାଜ୍ୟ ଖଣି କ୍ଷେତ୍ରରୁ ପ୍ରଚୁର ରାଜସ୍ବ ପାଉଛନ୍ତି ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହୁଛି ଓ ସେମାନେ ପ୍ରଚୁର ଖର୍ଚ୍ଚକାଟ କରି ରାଜସ୍ବ ବଳକା କରୁଛନ୍ତି। ଏହାକୁ ଆର୍ଥିକ ଶୃଙ୍ଖଳାର ଆଖ୍ୟା ଦିଆଯାଉଥିଲେ ମଧ୍ୟ ଏହାର ବାସ୍ତବତା ଭିନ୍ନ। ସରକାର ଯଦି ଦରକାର ହେଉଥିବା କ୍ଷେତ୍ର ପାଇଁ ଅର୍ଥ ଖର୍ଚ୍ଚ ନ କରି ସଞ୍ଚୟ କରିବେ ରାଜସ୍ବ ତ ବଳକା ହେବ।
ଓଡ଼ିଶା କଥା ଦେଖାଯାଉ। ଏଠାରେ ସଚିବାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ଭଳି ଅଗ୍ରାଧିକାର କ୍ଷେତ୍ର ଓ ଅନ୍ୟାନ୍ୟ ବିଭାଗରେ ଲକ୍ଷଲକ୍ଷ କର୍ମଚାରୀ, ଅଧିକାରୀ ପଦ ଖାଲିପଡ଼ିଛି। ରାଜସ୍ବ ସଂଗ୍ରହ ପାଇଁ ମଧ୍ୟ କର୍ମଚାରୀଙ୍କ ଅଭାବ ଲାଗି ରହିଛି। ଡାକ୍ତରଖାନା, ସ୍କୁଲ, କଲେଜ, ସରକାରୀ ଅଫିସ, ପୁଲିସ ବାହିନୀ ଆଦିରେ ଯେଉଁସବୁ ପଦ ଖାଲି ପଡ଼ିଛି ତା’ଦ୍ବାରା ସରକାର ପ୍ରଚୁର ରାଜସ୍ବ ବଞ୍ଚାଉଥିଲେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ସମାଜ, ଶାସନ ଓ ଜନସ୍ବାର୍ଥ ଉପରେ ପଡ଼ୁଛି। ଅପଚୟ ନଷ୍ଟ କରି ରାଜସ୍ବ ବଳକା କରିବା ଏବଂ ଆର୍ଥିକ ଶୃଙ୍ଖଳା ରଖିବା ଭଲ କଥା; ତେବେ ଏହା ଦ୍ବାରା ସାମାଜିକ ଓ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରକୁ ଅବହେଳା କରିବା ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ।



