ସାଧୁ ମହାତ୍ମା ନଦୀରେ ସ୍ନାନ କରୁଥିଲେ। ନଜରରେ ପଡ଼ିଲା ବିଛାଟିଏ ଜଳସ୍ରୋତରେ ଅସହାୟ ହୋଇ ଭାସିଯାଉଛି। ଜୀବେଦୟା ପ୍ରବୃତ୍ତିକୁ ଆଦରି ନେଇଥିବା ସାଧୁଙ୍କ ମନ ଦୟାରେ ବିଚଳିତ ହୋଇଗଲା। ବିଛା ନିକଟକୁ ଯାଇ ତାକୁ ହାତର ଆଞ୍ଜୁଳାରେ ଉଦ୍ଧାର କରିବା ସମୟରେ ବିଛାଟି ଦଂଶନ କରିଥିଲା। ସାଧୁ ଆକସ୍ମିକ ଯନ୍ତ୍ରଣା ପାଇ ବିଚଳିତ ହୋଇ ଫିଙ୍ଗି ଦେଇଥିଲେ। ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥର ମଧ୍ୟ ବିଛା ସେହିଭଳି ଦଂଶନ କରିଥିଲା। ବାରମ୍ବାର ବିଛାଦ୍ବାରା ଦଂଶିତ ହୋଇଥିଲେ ମଧ୍ୟ ସାଧୁ ତା’ର ପ୍ରାଣରକ୍ଷା ଉଦ୍ୟମରୁ ବିରତ ହୋଇ ନଥିଲେ। ଶେଷରେ ତାକୁ ଆଣି ତୀରରେ ଛାଡ଼ିବାରେ ସକ୍ଷମ ହୋଇଥିଲେ। ସେ ସମୟକୁ ସାଧୁ ଦଂଶନଜନିତ ତୀବ୍ର ଜ୍ବାଳାରେ ଅସ୍ବସ୍ତି ଅନୁଭବ କରୁଥାନ୍ତି। ଅସ୍ବସ୍ତି ଭାବ ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇପଡ଼ୁଥାଏ। ତେବେ ଜୀବର ପ୍ରାଣରକ୍ଷାରେ ସକ୍ଷମ ହେଲେ- ଏ ନେଇ କିଛିଟା ଆତ୍ମସନ୍ତୋଷ ଲାଭ କରୁଥିଲେ।
ଜଳରେ ଭାସି ଯାଉଥିବା ବିଛା ସାଧୁଙ୍କ ଦୃଷ୍ଟିରେ ପଡ଼ିବାରୁ ତାକୁ ଉଦ୍ଧାର କରିବାକୁ ଯାଇ ବାରମ୍ବାର ବିଛାର ଦଂଶନ ପାଇବା, ନିରୁତ୍ସାହିତ ନହୋଇ ଶେଷରେ ତାକୁ କୂଳରେ ଛାଡ଼ିବା- ଏସବୁକୁ କୂଳରେ ବନଶୀରେ ମାଛ ଧରୁଥିବା ଜଣେ ବ୍ୟକ୍ତି ବେଶ୍ ଉତ୍ସୁକତାର ସହ ଲକ୍ଷ୍ୟ କରୁଥିଲେ। ମନେମନେ ଭାବୁଥାନ୍ତି- ବିଛାଟା ଏବେ ଜଳରେ ଭାସିଯାଇଥିଲେ କ’ଣ ଅସୁବିଧା ହୋଇଯାଇଥାନ୍ତା ଯେ? ସାଧୁଙ୍କ ନିକଟକୁ ଯାଇ ନମ୍ର ଭାବରେ ପଚାରିଥିଲେ- ମହାତ୍ମନ୍! ଆପଣ ଏତେ ଯନ୍ତ୍ରଣା ସହି ବିଛାଟିର ଜୀବନରକ୍ଷା କରିବାର କାରଣ କ’ଣ ଥାଇପାରେ। ବିଛାଟି ତ ଓଲଟି ଆପଣଙ୍କୁ ବାରମ୍ବାର ଦଂଶନ କରି ଯନ୍ତ୍ରଣା ଦେଲା। ଆଗନ୍ତୁକଙ୍କ ଠାରୁ ଏହା ଶୁଣି ସାଧୁ ମହାତ୍ମା କହିଥିଲେ- ମନେ ହେଉଛି ତୁମର ବ୍ୟାଖ୍ୟା କରିବାରେ ଗୁରୁତର ତ୍ରୁଟି ରହିଛି। ବିଛାର ତ ଧର୍ମ ଦଂଶନ କରିବା। ସେ ପ୍ରାଣ ସଂକଟରେ ଉପସ୍ଥିତ ହୋଇଥିଲେ ବି ତା’ର ଧର୍ମ ପାଳନ କରିଛି। ଆଘାତର ଆଶଙ୍କା କଲେ ସେମାନେ ତାଙ୍କର ଶକ୍ତି ଦେଖାଇଥାନ୍ତି। ଇଏ ଖାଲି ଜୀବର ଧର୍ମ ନୁହେଁ, ଜୀବନରକ୍ଷାର ଧର୍ମ ମଧ୍ୟ (ଆଘାତର ଆଶଙ୍କା କରି ସ୍ବ-ଶକ୍ତିର ପରିଚୟ ଦେବା)। ବାରମ୍ବାର ଦଂଶନ କରି ସେ ସ୍ବଧର୍ମ ପାଳନ କରୁଥିଲା। ସାଧୁ ମହାତ୍ମାଙ୍କ ଧର୍ମହେଲା ସ୍ବ-ଜୀବନ ବିନିମୟରେ ଅନ୍ୟର ପ୍ରାଣ ରକ୍ଷା କରିବା। ସକଳ ଜୀବଙ୍କ କଲ୍ୟାଣାର୍ଥେ ଉତ୍ସର୍ଗ କରିଦେବା। ଯେତେବେଳେ, କ୍ଷୁଦ୍ର ଜୀବଟି ତା’ର ଧର୍ମ ତ୍ୟାଗ କରୁନାହିଁ, ମୁଁ ମନୁଷ୍ୟ ହୋଇ ନିଜର ଧର୍ମ କିପରି ତ୍ୟାଗ କରିବି? ସାଧୁଙ୍କ କଲ୍ୟାଣକାରୀ ଦର୍ଶନର ଭାବ ଉପଲବ୍ଧି କରି ଆଗନ୍ତୁକ ଭକ୍ତି, ସମ୍ମାନରେ ପ୍ରଣାମ କରିଥିଲେ।



