ପାଟନା: ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜପ୍ରତାପ ଶୁକ୍ରବାର ଏକ ନୂଆ ଦଳ ଗଠନ କରିଛନ୍ତି। ଏହି ଦଳର ନାମ ‘ଜନଶକ୍ତି ଜନତା ଦଳ’ ରଖାଯାଇଛି। ନିର୍ବାଚନ ଚିହ୍ନ ଭାବେ ଦଳକୁ ‘ବ୍ଲାକବୋର୍ଡ’ ମିଳିଛି।
ଦଳ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ମହାତ୍ମା ଗାନ୍ଧୀ, ବି,ଆର.ଆମ୍ବେଦକର, ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଫଟୋକୁ ସ୍ଥାନିତ କରାଯାଇଛି। ବିହାରରେ ସାମାଜିକ ନ୍ୟାୟ, ସାମାଜିକ ଅଧିକାର ଏବଂ ସାମଗ୍ରିକ ପରିବର୍ତ୍ତନ ପାଇଁ ତାଙ୍କ ଦଳ ଗୁରୁତ୍ବ ଦେଉଥିବା ତେଜପ୍ରତାପ କହିଛନ୍ତି। ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଚଳିତବର୍ଷ ମେ‘ ୨୫ରେ ତେଜପ୍ରତାପଙ୍କୁ ୬ ବର୍ଷ ପାଇଁ ଆରଜେଡିରୁ ନିଲମ୍ବନ କରାଯାଇଛି।



