www.samajalive.in
Monday, December 15, 2025
16.1 C
Bhubaneswar

ସମ୍ପାଦକୀୟ: ମିଶନ ପୋୱାର

ଓଡ଼ିଶା ସରକାର ‘ମିଶନ ପୋୱାର’( PoWaR) ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି, ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍, ପାନୀୟ ଜଳ ଏବଂ ଉତ୍ତମ ରାସ୍ତା ସୁବିଧା ଯୋଗାଇବା। ଏହି ମୌଳିକ ସୁବିଧାଗୁଡ଼ିକରୁ ବଞ୍ଚିତ ଥିବା ଅନେକ ଅଞ୍ଚଳ ପାଇଁ ଏହା ଏକ ଅତି ଆବଶ୍ୟକ ପଦକ୍ଷେପ। ତେବେ ଓଡ଼ିଶାରେ ବିକାଶ ଯୋଜନାଗୁଡ଼ିକର ଏକ ପୁରୁଣା ସମସ୍ୟା ରହିଆସିଛି। ତାହା ହେଲା, ସରକାର ଯେତେବେଳେ କୌଣସି ନୂଆ ଯୋଜନା ଘୋଷଣା କରନ୍ତି, ତାହାର ବଡ଼ଭାଗ ଅର୍ଥ ଓ ସମ୍ବଳ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳ, ଅର୍ଥାତ୍ ପୂର୍ବରୁ ବିକଶିତ ସ୍ଥାନଗୁଡ଼ିକୁ ଚାଲିଯାଏ। ଯେଉଁଠାରେ ପାଇପ୍ ଦ୍ୱାରା ପାଣି ଯୋଗାଣର ଆଦୌ ଆବଶ୍ୟକତା ନାହିଁ, ସେଠାରେ ନୂଆ ପାଇପ୍ ଲାଇନ୍ ପଡ଼େ। ପାଇପ୍‌ରୁ ପାଣି ଅନବରତ ବୋହି ଚାଲିଥାଏ, କେହି ବ୍ୟବହାର କରନ୍ତି ନାହିଁ, ଅପଚୟ ହୁଏ। ସେହିପରି ଯେଉଁଠାରେ ଯୋଗାଯୋଗ ସୁବିଧା ପୂର୍ବରୁ ଅଛି, ସେଠାରେ ପରସ୍ତ ପରସ୍ତ ମୋରମ ବିଛାଯାଏ, ରାସ୍ତା ଚକଚକ କରାଯାଏ। ଅନ୍ୟ ପଟେ ରାଜ୍ୟର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଆଜି ବି ମହିଳାମାନେ ପ୍ରତିଦିନ ପୋଖରୀ କିମ୍ବା ଛୋଟ ଚୁଆକୁ ପାଣି ଆଣିବା ପାଇଁ ଅନେକ ମାଇଲ୍ ଚାଲି ଚାଲି ଯାଆନ୍ତି। ଅନେକ ଗାଁରେ ରାସ୍ତା ନଥିବାରୁ ଗୁରୁତର ଅସୁସ୍ଥ ରୋଗୀଙ୍କୁ ବାଉଁଶ ଦୋଳାରେ ବୋହି ଡାକ୍ତରଖାନା ନେବାକୁ ପଡ଼େ। ଏକବିଂଶ ଶତାବ୍ଦୀର ଓଡ଼ିଶାରେ, ଏହି ଦୃଶ୍ୟ ନିଶ୍ଚିତ ଲଜ୍ଜାଜନକ।

ଏହି ମିଶନକୁ ଯଦି ପ୍ରକୃତରେ ସଫଳ କରିବାକୁ ହେବ, ତେବେ ଏହି ସସ୍ୟାଗୁଡ଼ିକୁ ସାମ୍ନାରେ ରଖିବାକୁ ପଡ଼ିବ ଓ ତା’ର ସମାଧାନ ଦିଗରେ ପଦକ୍ଷେପ ନେବାକୁ ହେବ। ଯୋଜନାର ପ୍ରଥମ କାର୍ଯ୍ୟକାରିତା ସେହି ଅଞ୍ଚଳଗୁଡ଼ିକରେ ହେବା ଉଚିତ୍, ଯେଉଁଠି ଆଦୌ କିଛି ନାହିଁ। ଯେଉଁଠି କିଛି ସୁବିଧା ପୂର୍ବରୁ ଅଛି, ସେଠାରେ ଅଧିକ ଯୋଗ କରିବା ନୁହେଁ, ବରଂ ଯେଉଁଠି ଆଦୌ କିଛି ନାହିଁ, ସେହି ଶୂନ୍ୟ ସ୍ଥାନରୁ ବିକାଶ ଆରମ୍ଭ କରିବାକୁ ହେବ। ଆମ ରାଜ୍ୟର ସୁଦୂର ଆଦିବାସୀ ଅପହଞ୍ଚ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଏବଂ ଅାଭ୍ୟନ୍ତରୀଣ ଜିଲାଗୁଡ଼ିକର ସେହି ଗାଁଗୁଡ଼ିକ ଯେଉଁଠି ମୌଳିକ ସେବାର ଅନୁପସ୍ଥିତି ଦୈନନ୍ଦିନ ଜୀବନକୁ ଏକ ସଂଘର୍ଷରେ ପରିଣତ କରିଦେଇଛି – ସେଠାରେ ସବୁଠାରୁ ଆଗ ଯୋଜନାର ସୁଫଳ ପହଞ୍ଚିବା ଦରକାର।

- Advertisement -

ଗତ କିଛି ବର୍ଷ ଧରି ଓଡ଼ିଶା ସରକାର ଗ୍ରାମାଞ୍ଚଳ ବିକାଶରେ ନିଶ୍ଚୟ ଅଗ୍ରଗତି କରିଛନ୍ତି। ହେଲେ ଲୋକେ ସେବାର ସୁଫଳ ପାଇ ନାହାନ୍ତି। ଉଦାହରଣ ସ୍ବରୂପ ଗାଁର ସୀମାରେ ବିଜୁଳି ପହଞ୍ଚିଛି; କିନ୍ତୁ ଘରେ ଭୋଲ୍ଟେଜ୍ ଏତେ କମ୍ ଯେ ଫ୍ୟାନ୍ ବି ଚାଲେ ନାହିଁ। ପାଇପ୍ ଲାଇନ୍ ପଡ଼ିଛି ବୋଲି ରେକର୍ଡରେ ଅଛି; କିନ୍ତୁ ପାଣି ଆସେ ନାହିଁ କିମ୍ବା ଆସିଲେ ଏତେ ଦୂଷିତ ଯେ ପିଇବାଯୋଗ୍ୟ ନୁହେଁ। ଯେଉଁମାନେ ଅତ୍ୟନ୍ତ ଦୂରବର୍ତ୍ତୀ ଅଞ୍ଚଳରେ ବାସ କରୁଛନ୍ତି, ସେମାନଙ୍କ ପାଇଁ ବିଜୁଳି କାଟ, ଦୂଷିତ ପାଣି ଏବଂ ବର୍ଷାଦିନେ ଅଗମ୍ୟ ରାସ୍ତା ଏକ ସାଧାରଣ କଥା। ଏଥିପାଇଁ ସମସ୍ତ ସରକାରୀ ବିଭାଗ ସମନ୍ୱୟ ରଖି କାମ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନିମ୍ନମାନର କାର୍ଯ୍ୟ ବିରୋଧରେ ଚେତାବନୀ ଦେଇଛନ୍ତି, ଯାହା ନିଶ୍ଚୟ ଭଲ କଥା; କିନ୍ତୁ ଗୁଣବତ୍ତା ଯାଞ୍ଚ ପାଇଁ ସ୍ପଷ୍ଟ ଓ କଠୋର ବ୍ୟବସ୍ଥା ରହିବା ଦରକାର। ‘ମିଶନ ପୋୱାର’ର ପ୍ରକୃତ ସଫଳତା କେବଳ କେତେ କିଲୋମିଟର ରାସ୍ତା ନିର୍ମାଣ ହେଲା କିମ୍ବା କେତେ ଗାଁକୁ ବିଦ୍ୟୁତ୍ ଯୋଗାଇ ଦିଆଗଲା, ତାହା ଉପରେ ନିର୍ଭର କରିବ ନାହିଁ। ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ଆଣୁଥିବା ପ୍ରକୃତ ପରିବର୍ତ୍ତନ ଉପରେ ନିର୍ଭର କରିବ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories