ସ୍ୱାଧୀନତା ଦିବସ: ଭାରତ ମାତାର ସୁଯୋଗ୍ୟ କନ୍ୟା ସରୋଜିନୀ….
ଚଳିତ ବର୍ଷ ସାରା ଦେଶ ପାଳନ କରିବାକୁ ଯାଉଛି ୭୪ତମ ସ୍ୱାଧୀନତା ଦିବସ। ଆଜି ଆମେ ନିଜକୁ ସ୍ୱାଧୀନ ଭାରତର ନାଗରିକ ବୋଲି ଗର୍ବର ସହ କହିପାରୁଛୁ କିନ୍ତୁ ଏହି ସ୍ୱଧୀନତା ପାଇଁ ଅନେକ ବୀର ସନ୍ତାନ ସନ୍ତତିମାନଙ୍କୁ ନିଜ ପ୍ରାଣବଳୀ ଦେବାକୁ ପଡ଼ିଛି। ସେମାନଙ୍କ ମଧ୍ୟରୁ ଭାରତ ମାତାର ସୁଯୋଗ୍ୟ କନ୍ୟା ଭାବରେ ନିଜକୁ ପ୍ରତିପାଦିତ କରିପାରିଥିଲେ ସରୋଜିନୀ ନାଇଡୁ। ଭାରତରୁ ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ଵାଧୀନ କରିବାରେ ସେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ସରୋଜିନୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଅଘୋରନାଥ ଚଟ୍ଟୋପାଧ୍ୟାୟ। ଅଘୋରନାଥ ହାଇଦ୍ରାବାଦର ନିଜାମ କଲେଜରେ ଅଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ। ସରୋଜିନୀଙ୍କ ମାଆ ବରଦା ସୁନ୍ଦରୀ ଦେବୀ ଜଣେ କବି ଥିଲେ ଓ ସେ ବଙ୍ଗାଳୀ ଭାଷାରେ ନିଜର କବିତା ଲେଖାଲେଖି କରୁଥିଲେ।
ଆଠ ଭାଇ ଭଉଣୀଙ୍କ ମଧ୍ୟରେ ସରୋଜିନୀ ଥିଲେ ସବୁଠାରୁ ବଡ଼। ସରୋଜିନୀ ମାତ୍ର ୧୨ବର୍ଷ ବୟସରେ ମାଡ୍ରାସ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇଥିଲେ। ଥରେ ସେ “ମହେର ମନୀର” ନାମକ ଏକ ପାର୍ସୀ ନାଟକ ଲେଖିଥିଲେ ଯେଉଁଥିରେ ଖୁସି ହୋଇ ହାଇଦ୍ରାବାଦର ନିଜାମ ମୀର ମେହବୁବ ଅଲ୍ଲୀ ଖାନ ଏହି ନାଟକକୁ ଗ୍ରହଣ କରିଥିଲେ ଏବଂ ତାପରେ ତାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ପରେ ସେ ଲଣ୍ଡନ ଓ ପରେ ଗ୍ରିଟନ୍ କଲେଜରେ ଅଧ୍ୟୟନ ଜାରି ରଖିଥିଲେ। କବିତାର ବିଭିନ୍ନ ବିଭାଗରେ ନିଜର ଲେଖା ପାଇଁ ସରୋଜିନୀ ବେଶ୍ ନାମ ଅର୍ଜନ କରିପାରିଥିଲେ। ତାଙ୍କର ସୁମଧୁର କବିତା ଓ ଲେଖା ପାଇଁ ତାଙ୍କୁ “ଭାରତର କୋଇଲି” ବୋଲି କୁହାଯାଏ।
୧୯ ବର୍ଷ ବୟସରେ ତାଙ୍କର ସାକ୍ଷାତ ହୋଇଥିଲା ଗୋବିନ୍ଦରାଜୁ ନାଇଡୁଙ୍କ ସହ। ଦୁଇଜଣ ଭିନ୍ନ ଭିନ୍ନ ଜାତିର ଥିଲେ ମଧ୍ୟ ସରୋଜିନୀ ଏହାକୁ ମାନି ନ ଥିଲେ। ନିଜ ପାଠ ପଢ଼ା ସାରିବାପରେ ନିଜ ପିତାଙ୍କଠାରୁ ଅନୁମତି ଆଣି ସରୋଜିନୀ ଗୋବିନ୍ଦରାଜୁଙ୍କୁ ବିବାହ କରିଥିଲେ।
ସରୋଜିନୀଙ୍କ ରାଜନୈତିକ ଜୀବନ:
ପ୍ରଥମକରି ସରୋଜିନୀ ନାଇଡୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଯେତେବେଳେ ୧୯୦୫ ମସିହାରେ ବଙ୍ଗକୁ ଦୁଇଭାଗରେ ବିଭକ୍ତ କରାଯାଇଥିଲା। ତାପରେ ସେ ଗୋପାଳକୃଷ୍ଣ ଗୋଖଲେଙ୍କ ଭଳି ନେତାଙ୍କ ନଜରକୁ ଆସିଥିଲେ। ଏଥିସହିତ ଆନିବେସାନ୍ତଙ୍କ ଭଳି ନାରୀନେତ୍ରୀଙ୍କ ନଜରରେ ଆସିଥିଲେ ସରୋଜିନୀ ନାଇଡୁ।ଗୋପାଳକୃଷ୍ଣ ଗୋଖଲେଙ୍କ କହିବା ପରେ ସରୋଜିନୀ ସଂପୂର୍ଣ୍ଣ ଭାବରେ ସ୍ଵାଧୀନତା ସଂଗ୍ରାମୀ ଭାବେ ଯୋଡ଼ି ହୋଇଥିଲେ।
୧୯୧୬ ମସିହାରେ ବିହାରର ଚମ୍ପାରଣରେ କୃଷକମାନଙ୍କ ପାଇଁ ହେଉଥିବା ଆନ୍ଦୋଳନରେ ଲଢ଼େଇ କରିଥିଲେ ସରୋଜିନୀ ନାଇଡୁ। ଏଥିପାଇଁ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା। ଏହାପରେ ୧୯୨୫ମସିହାରେରେ ସେ ଭାରତୀୟ ଜାତୀୟ କଂଗ୍ରେସର କାନପୁର ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ଆଇନ୍ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରି ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।
୧୯୩୧ ମସିହାରେ ସରୋଜିନୀ ନାଇଡୁ ମହାତ୍ମା ଗାନ୍ଧୀ ଓ ମଦନ ମୋହଲ ମାଲବ୍ୟଙ୍କ ସହ ଲଣ୍ଡନରେ ଆୟୋଜିତ ଦ୍ଵିତୀୟ ଗୋଲଟେବୁଲ ବୈଠକରେ ମଧ୍ୟ ଯୋଗଦାନ କରିଥିଲେ। ସରୋଜିନୀ ନାଇଡୁ ପ୍ରତି ମହିଳା ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ଆଦର୍ଶ ଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସେ ଥିଲେ ପ୍ରଥମ ମହିଳା ଅଧ୍ୟକ୍ଷ। ଏହାସହ ସରୋଜିନୀ ହେଉଛନ୍ତି ଦେଶର ପ୍ରଥମ ମହିଳା ରାଜ୍ୟପାଳ। ସେ ପ୍ରଥମ ମହିଳା ରାଜ୍ୟପାଳ ଭାବରେ ଉତ୍ତର ପ୍ରଦେଶ ରାଜ୍ୟର ଦାୟିତ୍ଵ ଗ୍ରହଣ କରିଥିଲେ।
ସ୍ଵାଧୀନତା ଆନ୍ଦୋଳନ ପାଇଁ ସେ ବହୁବାର ବିଦେଶ ଯାତ୍ରା ମଧ୍ୟ କରିଥିଲେ। ୧୯୧୯ମସିହାରେ ସେ ଅଲ ଇଣ୍ଡିଆ ହୋମରୁଲ୍ ଡେପୁଟେସନ୍ର ପ୍ରତିନିଧି ଭାବରେ ଇଂଲଣ୍ଡ ଯାତ୍ରା କରିଥିଲେ। ସରୋଜିନୀଙ୍କ ପରି ତାଙ୍କର ଝିଅ ପଦ୍ମଜା ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିଲେ। ସ୍ଵାଧୀନତା ଆନ୍ଦୋଳନରେ କାମ କରି କରି ସରୋଜିନୀ ନାଇଡୁ ୧୯୪୯ ମସିହା ମାର୍ଚ୍ଚ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ।
Comments are closed.