ବେଆଇନ ବାଲି ଚାଲାଣ : ରାଜସ୍ୱ ହାନି, ରାସ୍ତା ନଷ୍ଟ

ଫୁଲବାଣୀ :  ଫୁଲବାଣୀ ବ୍ଲକ ଅଞ୍ଚଳ ଦେଇ ସାଲୁଙ୍କି ନଦୀ ପ୍ରବାହିତ ହେଉଛି । ସାଲୁଙ୍କି ନଦୀର ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ ବାଲି ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ନଦୀ ପାର୍ଶ୍ଵବର୍ତ୍ତି ରାସ୍ତା ନଷ୍ଟ ହେବା ସହ ଏହା ସର୍ବସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି। ଫୁଲବାଣୀ ବ୍ଲକ ଅଧୀନ ଗଞ୍ଜୁଗୁଡା ପଞ୍ଚାୟତର ଡାହାପପଦର, ହାତୀଗୋବା, ବିଶିପଡା ପଞ୍ଚାୟତର କୁମୁରିଗୁଡା ଘାଟରୁ ବ୍ୟାପକ ମାତ୍ରାରେ ଚୋରାରେ ବାଲି ଉଠାଣ ହେଉଛି। ଫଳରେ ବିଶିପଡା ଶଙ୍ଖ ଠାରୁ ଭୟା ଡାହାପଦର, ହାତୀଗୋବ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଇଡ଼ା ଦେଇ ଜାତୀୟ ରାଜପଥ ୧୫୭କୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ସହ କାଦୁଅ ଏବଂ ଖାଲ ଖମା ହୋଇଛି । ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରତିବର୍ଷ ପଂଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି। ମାତ୍ର ସାଲୁଙ୍କି ନଦୀ କୁମୁରିଗୁଡା  ଘାଟରୁ ବାଲି ଉଠାଣ ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ନିଲାମ ଦିଆ ଯାଇଥିଲେ ସୁଧା ପରିବେଶ ମଞ୍ଜୁରୀ ମିଳିନଥିବାରୁ ରାଜସ୍ୱ ଆଦାୟ କରାଯାଉ ନାହିଁ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ରାଜସ୍ୱ ଆଦାୟ କରାଯାଉନଥିବାର  ସୁଯୋଗ ନେଇ ବାଲି ମାଫିଆ ମାନେ ବେଫିକର ଭାବେ ଦିନ ଓ ରାତିରେ ନଦୀ ପଠାରୁ ବାଲି ଉଠାଣ ଓ ଉକ୍ତ ରାସ୍ତାରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଜଣାପଡ଼ିଛି। ଉକ୍ତ ନଦୀପଠାରୁ ବେଆଇନ ବାଲି ଉଠାଣ ଯୋଗୁଁ ସରକାର ରାଜସ୍ୱ ହରାଉ ଥିବା ବେଳେ ରାସ୍ତା ନଷ୍ଟ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଉଛି। ଏଥିପ୍ରତି ଫୁଲବାଣୀ ତଥା ଖଣ୍ଡମାଳ ତହସିଲ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.