ଟି-୨୦ ବିଶ୍ବକପ୍ : ବୁମ୍ରାଙ୍କ ସ୍ଥାନରେ ସାମିଙ୍କୁ ସୁଯୋଗ
ନୂଆଦିଲ୍ଲୀ : ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଚୂଡ଼ାନ୍ତ ୧୫ ଜଣିଆ ଦଳରେ ଅଭିଜ୍ଞ ଫାଷ୍ଟବୋଲର ମହମ୍ମଦ ସାମି ସାମିଲ ହୋଇଛନ୍ତି। ପୂର୍ବ ଘୋଷିତ ୧୫ ଜଣିଆ ଦଳରୁ ଆହତ ହୋଇ ଯଶପ୍ରୀତ ବୁମ୍ରା ବାଦ୍ ପଡ଼ିଥିଲେ। ଶୁକ୍ରବାର ବୁମ୍ରାଙ୍କ ସ୍ଥାନରେ ସାମିଙ୍କୁ ବଦଳ ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ କରିଛନ୍ତି ଜାତୀୟ ବରିଷ୍ଠ ମନୋନୟନକାରୀ। ସାମି ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି। ବ୍ରିସ୍ବେନ୍ରେ ଥିବା ଭାରତୀୟ ଦଳରେ ସାମି ଯୋଗଦେବେ। ଆସନ୍ତା ୧୭ରେ ଅଷ୍ଟ୍ରେଲିଆ ଓ ୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ବିଶ୍ବକପ୍ର ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବ। ସାମି ଏହି ୨ଟି ମ୍ୟାଚ୍ରେ ଖେଳିପାରନ୍ତି। ପୁଣି ଅନ୍ୟ ୨ ପେସ୍ ବୋଲର ସାର୍ଦୁଳ ଠାକୁର ଓ ମହମ୍ମଦ ସିରାଜ୍ ମଧ୍ୟ ନିକଟରେ ଅଷ୍ଟ୍ରେଲିଆ ଯିବେ। ଦୁହେଁ ଅତିରିକ୍ତ ଖେଳାଳି ଭାବେ ଭାରତୀୟ ଦଳ ସହ ରହିବେ।
ଚଳିତମାସ ୩ରେ ପିଠି ଆଘାତ ଯୋଗୁଁ ଯଶପ୍ରୀତ ବୁମ୍ରା ଭାରତୀୟ େଟ୍ବଣ୍ଟି୨୦ ବିଶ୍ବକପ୍ ଦଳରୁ ବାଦ୍ ପଡ଼ିଥିଲେ। ଦଳରେ ବୁମ୍ରାଙ୍କ ସ୍ଥାନନେବା ଦୌଡ଼ରେ ମହମ୍ମଦ ସାମି ସବୁଠାରୁ ଆଗରେ ଥିଲେ। କାରଣ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମା ପରୋକ୍ଷ ସୂଚନା ଦେଇଥିଲେ ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା ଥିବା ପେସ୍ ବୋଲର ହିଁ ବୁମ୍ରାଙ୍କ ସ୍ଥାନରେ ଦଳେର ସାମିଲ ହେବା ଉଚିତ। ମନୋନୟନକାରୀ ଠିକ୍ ସେହି ନିଷ୍ପତ୍ତି ନେଇଛନ୍ତି। ୨୦୧୫ ବିଶ୍ବକପ୍ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ବେଳେ ସାମି ୨ୟ ସର୍ବାଧିକ ୱିକେଟ ହାସଲକାରୀ ଥିଲେ। ପୁଣି ଅଷ୍ଟ୍ରେଲିଆରେ ଭାରତ କ୍ରମାଗତ ୨ଟି ଟେଷ୍ଟ ଶୃଙ୍ଖଳା ଜିତିଥିବା ବେଳେ ସାମି ମଧ୍ୟ ଦଳରେ ଥିଲେ। ବର୍ତ୍ତମାନ ଭାରତୀୟ ଦଳରେ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ହର୍ଷଲ ପଟେଲ ଓ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଥିବା ବେଳେ ସାମି ୫ମ ପେସ୍ ବୋଲର ଭାବେ ଦଳରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ସାମିଙ୍କୁ ଭାରତୀୟ ଦଳରେ ସାମିଲ କରା ଯାଇଥିଲେ ହେଁ ସେ କୋଭିଡ୍ ସଂକ୍ରମିତ ହେବାରୁ ଉଭୟ ଶୃଙ୍ଖଳା ଖେଳି ପାରିନଥିଲେ। ସୁସ୍ଥହେବା ପରେ ସାମି ଅଭ୍ୟାସ ଆରମ୍ଭ କରିଥିଲେ। ପରେ ବିସିସିଆଇର ବାଧ୍ୟତାମୂଳକ କାର୍ଡିଓଭାସ୍କୁଲାର ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ। ମହମ୍ମଦ ସାମି ପ୍ରାୟ ବର୍ଷେ ହେଲା ଭାରତ ପାଇଁ ଟ୍ବେଣ୍ଟି୨୦ କ୍ରିକେଟ୍ ଖେଳିନାହାନ୍ତି। ଗତବର୍ଷ ୟୁଏଇରେ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ନାମିବ୍ୟା ବିପକ୍ଷ ମୁକାବିଲା ତାଙ୍କର ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଥିଲା। ଆଇପିଏଲ୍ରେ କିନ୍ତୁ ସାମି ଭଲ ପ୍ରଦର୍ଶନ କରିଥିଲେ। ପଦାର୍ପଣରେ ଆଇପିଏଲ୍ ଚମ୍ପିଆନ୍ ହୋଇଥିବା ଗୁଜରାଟ ଟାଇଟାନ୍ସ ପାଇଁ ସାମି ସମସ୍ତ ୧୬ଟି ମ୍ୟାଚ୍ ଖେଳି ଦଳ ପାଇଁ ସର୍ବାଧିକ ୨୦ଟି ୱିକେଟ ନେଇଥିଲେ। ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଘୋଷିତ ୩ ଷ୍ଟାଣ୍ଡବାଇ ଖେଳାଳି ଦୀପକ ଚହର, ରବି ବିଷ୍ଣୋଇ ଓ ଶ୍ରେୟାସ ଆୟର ଏବେ ଅଷ୍ଟ୍ରେଲିଆ ଯିବେନାହିଁ। ଚଳିତମାସ ୨୩ରେ ପାକିସ୍ତାନ ବିପକ୍ଷରେ ଖେଳି ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ତା’ର ଅଭିଯାନ ଆରମ୍ଭ କରିବ।
Comments are closed.