ଇସ୍ତଫା ଦେଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି
ବୁର୍ଲା : ବିବାଦୀୟ ସ୍ଥିତି ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ଦ୍ବାରା ଗୃହୀତ ହୋଇଯାଇଛି। ଗତ ଅଗଷ୍ଟ ୨୮ ତାରିଖରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦର୍ଶାଇ ପ୍ରଫେସର ମିତ୍ତଲ କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଗତ ୩୦ ତାରିଖରେ କୁଳାଧିପତି ଏହି ଇସ୍ତଫାପତ୍ରକୁ ଗ୍ରହଣ କରିଥିବା ଜଣାପଡିଛି। ଏହା ସହିତ ସ୍ଥାୟୀ କୁଳପତି ଚୟନ କରାଯିବା କିମ୍ବା ଅନ୍ୟ ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ଭାରପ୍ରାପ୍ତ କୁଳପତି ଭାବରେ ସ୍ନାତକୋତ୍ତର ସମୂହ ଅଧ୍ୟକ୍ଷ (ପିଜି କାଉନସିଲ ଚେୟାରମେନ) ଦାୟିତ୍ବ ତୁଲାଇବେ ବୋଲି ରାଜଭବନରୁ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ସୂଚିତ କରାଯାଇଛି। ଅପରପକ୍ଷରେ ପ୍ରଫେସର ମିତ୍ତଲଙ୍କ ଆର୍ଥିକ ଅନିୟମିତତାକୁ ନେଇ ତାଙ୍କୁ ଗିରଫ କରାଯିବା ପାଇଁ ପୂର୍ବତନ ସିନେଟ ସଦସ୍ୟମାନେ ଦାବି କରିଛନ୍ତି।
ଚଳିତବର୍ଷ ଜୁନ ମାସରେ କୁଳପତି ପ୍ରଫେସର ମିତ୍ତଲଙ୍କ ଆର୍ଥିକ ଅନିୟମିତାର ସଚିବସ୍ତରିୟ କମିଟି ତରଫରୁ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ପରେ କୁଳପତିଙ୍କ ଚିନ୍ତା ବଢ଼ି ଯାଇଥିଲା। ବିଶେଷକରି ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନର ପ୍ରକଳ୍ପର ୨୯ ଲକ୍ଷ ଟଙ୍କା ତଞ୍ଚକତା କରି ନିଜ ପୁଅ ଏବଂ ପତ୍ନୀଙ୍କ ଆକାଉଣ୍ଟକୁ ଗତ ୨୦୨୧ ମସିହା ନଭେମ୍ବର ଓ ଡିସେମ୍ବର ମାସରେ ପଠାଇଥିବା ଅଭିଯୋଗ ହୋଇଥିଲା। ଏହି ଆର୍ଥିକ ଅନିୟମିତତାକୁ ନେଇ ଅଭିଯୋଗ ଓ ତଦନ୍ତ ହେବା ପରେ ଚଳିତବର୍ଷ ଜୁଲାଇ ୨୫ ତାରିଖରେ ଉକ୍ତ ଟଙ୍କାକୁ କୁଳପତି ପ୍ରଫେସର ମିତ୍ତଲ ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖ୍ୟ ଆକାଉଣ୍ଟକୁ ଫେରାଇ ଦେଇଥିଲେ। ଏହାପରେ ସେ ଛୁଟିରେ ରହିଥିଲେ। ଗତ ଜୁଲାଇ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଛୁଟି ନେଇଥିବାବେଳେ ପରେ ଏହାକୁ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୁଳପତିଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ କୁଳପତି ଭାବରେ ସ୍ନାତକୋତ୍ତର ସମୂହ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ଅବସ୍ଥାପିତ ରହିଛନ୍ତି।
କୁଳପତି ପ୍ରଫେସର ମିତ୍ତଲ ନିଯୁକ୍ତି ପରଠାରୁ ବିଭିନ୍ନ ଘଟଣାରେ ବିବାଦୀୟ ହୋଇ ପଡିଥିଲେ। କୁଳପତିଙ୍କ ନାମରେ ସ୍ୱର୍ଣ୍ଣପଦକରେ ଦୁର୍ନୀତି, ବିଶ୍ୱବିଦ୍ୟାଳୟ ପରିସରରୁ ଶହ ଶହ ଗଛ କଟାଯିବା, ଲାଇବ୍ରେରୀର ହଜାର ହଜାର ପୁସ୍ତକ ପୋଡ଼ାଯିବା, ଆଇନ ମହାବିଦ୍ୟାଳୟର ୬୩ ଲକ୍ଷ ବିଶ୍ୱବିଦ୍ୟାଳୟକୁ ନେଇ ଅନ୍ୟତ୍ର ଖର୍ଚ୍ଚ କରାଯିବା, ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ଅବମାନନା କରିବା, ଅନେକ କର୍ମଚାରୀ ଚାକିରୀରୁ ନିବୃତ୍ତ କରିବା ଆଦି ଅଭିଯୋଗ ରହିଥିଲା। ସବୁଠୁ ବଡ଼ ବିବାଦ ହୋଇଥିଲା ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ କୁଳପତି ଚ୍ୟାମ୍ବର ସମ୍ମୁଖରେ ଆତ୍ମାହୁତି ଦେବା ଘଟଣା। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। କୁଳପତି ଓ ଦୁଇ ଅଧିକାରୀଙ୍କ ବିରୋଧରେ ମାମଲା ଏବେ ବି ଉଚ୍ଚ ନ୍ୟାୟାଳୟରେ ଚାଲିଛି।
Comments are closed.