ସମ୍ବଲପୁର : କରୋନା ମହାମାରୀ ଯୋଗୁଁ ଦେଶ ଲକ୍ ଡାଉନ୍ ହୋଇ ରହିଛି। ଏହି ଭୂତାଣୁର ପ୍ରକୋପରେ ସମସ୍ତ ବ୍ୟବସ୍ଥା ଓଲଟପାଲଟ ହୋଇଯାଇଥିବାବେଳେ ମାର୍ଚ୍ଚ ମାସର ତୃତୀୟ ସପ୍ତାହରୁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ରାଜ୍ୟ ସରକାର ଲକ୍ ଡାଉନ୍ ଯୋଗୁଁ ସମସ୍ତ ବ୍ୟବସ୍ଥାକୁ ବନ୍ଦ ରଖିଥିବାରୁ ଜନତା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖି ବେସରକାରୀ ସ୍କୁଲଗୁଡିକ ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହାର ବିପରିତ ବେସରକାରୀ ସ୍କୁଲଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଖିଲାପ କରି ବିଭିନ୍ନ ଉପାୟରେ ଚାପ ପକାଇ ବର୍ଦ୍ଧିତ ହାରରେ ଫିସ୍ ଆଦାୟ କରୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରି ଆସୁଛନ୍ତି। ଅଭିଭାବକମାନେ ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ବର୍ଦ୍ଧିତ ହାରରେ ଫିସ୍ ନିଆଯିବା ସେମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଏଣୁ ସାରା ରାଜ୍ୟରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫିସ ଆଦାୟକୁ ନେଇ ଅଭିଭାବକମାନେ ବିରୋଧ ପ୍ରଦର୍ଶନ କରି ସାରିଥିବାବେଳେ ସୋମବାର ସମ୍ବଲପୁରର ବିଭିନ୍ନ ବେସରକାରୀ ସ୍କୁଲ ସମ୍ମୁଖରେ ବିରୋଧ କରାଯାଇଛି। ଅଭିଭାବକମାନେ ସ୍କୁଲଗୁଡିକ ବନ୍ଦ ଥିବା ବେଳେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଫିସ୍, ପୁନଃ ନାମଲେଖା ଫିସ୍, କମ୍ପ୍ୟୁଟର ଫିସ୍, ଉନ୍ନୟନ ଫିସ୍ ଆଦି ଆଦାୟ ନ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେବା ସହ ଲିଖିତ ପ୍ଲା-କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଏହା ସହିତ କିଛି ସ୍କୁଲ କତ୍ତୃପକ୍ଷ ଲକ୍ ଡାଉନ୍ ସମୟରେ ମଧ୍ୟ କାଉଣ୍ଟରରୁ ବହି ବିକ୍ରି କରୁଛନ୍ତି ଏବଂ ସରକାର ଏନସିଆରଟି ବହିକୁ ଅନୁସରଣ ଓ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ବହୁ ବେସରକାରୀ ସ୍କୁଲ ତାହା ମାନୁ ନାହାନ୍ତି ବୋଲି ମଧ୍ୟ ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଓଡିଶା ମାନବାଧିକାର କମିଶନ୍ ସମସ୍ତ ବହିଗୁଡିକୁ ସ୍କୁଲର ୱେବସାଇଟରେ ଏନସିଆରଟିର ପାଠ୍ୟକ୍ରମ ଅନୁଯାୟୀ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ତାହା ମଧ୍ୟ ସ୍କୁଲଗୁଡିକ ପାଳନ କରୁ ନାହାନ୍ତି। ଏଣୁ ସରକାର ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ବେସରକାରୀ ସ୍କୁଲମାନଙ୍କୁ ବର୍ଦ୍ଧିତ ହାରରେ ଫିସ୍ ନ ନେବା ସହିତ ଫିସ୍ ଛାଡ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅଭିଭାବକମାନେ ଦାବୀ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡର ସରକାରମାନେ ରାଜ୍ୟରେ ଥିବା ବେସରକାରୀ ସ୍କୁଲମାନେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଫିସ୍ ନେବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିସାରିଛନ୍ତି। ଏଭଳି ନିର୍ଦ୍ଦେଶ ଓଡିଶାରେ ମଧ୍ୟ ଲାଗୁ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରି ଆସୁଛି।



